ନୂଆଦିଲ୍ଲୀ: ପ୍ଲାଷ୍ଟିକ ସ୍ବାସ୍ଥ୍ୟ ପକ୍ଷେ କ୍ଷତି କାରକ । ଏଥିପାଇଁ କିଛି ବର୍ଷ ହେବ ଲୋକେ ଅଧିକାଂଶ ପାନୀୟକୁ କାଗଜ କପରେ ପିଉଥିବା ଦେଖିବାକୁ ମିଳୁଛି। କିନ୍ତୁ ଏହା କେତେ ଦୂର ସୁରକ୍ଷିତ ଆସନ୍ତୁ ଜାଣିବା। ଏ ନେଇ ସଂପ୍ରତି କରାଯାଇଥିବା ଏକ ଗବେଷଣାରୁ ଆସିଛି ସାଂଘାତିକ ତଥ୍ୟ।
ଆଇଆଇଟି ଖଡ଼ଗପୁର ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ କାଗଜ କପରେ ଗରମ ପାନୀୟ ପିଇବା ଠିକ୍ ନୁହେଁ, କାରଣ ଏହି କପରୁ ମାଇକ୍ରୋପ୍ଲାଷ୍ଟିକ୍ ସମେତ ଅନେକ କ୍ଷତିକାରକ ପଦାର୍ଥ ନିର୍ଗତ ହୋଇଥାଏ। ବାସ୍ତବରେ ଏହି କାଗଜ କପଗୁଡିକ ଏକ ସୂକ୍ଷ୍ମ ହାଇଡ୍ରୋଫୋବିକ୍ ଫିଲ୍ମରୁ ନିର୍ମିତ, ଯାହା ସାଧାରଣତଃ ପ୍ଲାଷ୍ଟିକରେ ତିଆରି ହୋଇଥାଏ। ଅନେକ କ୍ଷେତ୍ରରେ ତରଳ ପ୍ରଦାର୍ଥକୁ ଅଟକାଇବା ପାଇଁ କାଗଜ କପରେ କୋ-ପଲିମର୍ସ କୋଟ୍ ବ୍ୟବହାର କରାଯାଇଥାଏ।
ଆଇଆଇଟି ଖଡ଼ଗପୁରର ସିଭିଲ ଇଞ୍ଜିନିୟରିଂ ବିଭାଗର ଆସୋସିଏଟ ପ୍ରଫେସର ସୁଧା ଗୋଏଲ, ରିସର୍ଚ୍ଚ ସ୍କଲାର ବେଦ ପ୍ରକାଶ ରଞ୍ଜନ ଓ ଅନୁଜା ଜୋସଫ ଏହି ଗବେଷଣା କରିଥିଲେ। ଆଉ ଗବେଷଣାରୁ ଏହା ଜାଣିବାକୁ ପାଇଥିଲେ କି କାଗଜ କପରେ ୧୫ମିନିଟ୍ ପର୍ଯ୍ୟନ୍ତ ଗରମ ପାଣି ରଖିବା ଫଳରେ ମାଇକ୍ରୋପ୍ଲାଷ୍ଟିକ୍ସର ପତଳା ସ୍ତର କ୍ଷୀଣ ହୋଇଯାଇଥାଏ।
ସୁଧା ଗୋଏଲ କହିଛନ୍ତି, ଆମର ଗବେଷଣାରୁ ଜଣାପଡିଛି ଯେ ଯଦି କାଗଜ କପରେ ୮୫ ରୁ ୯୦ ଡିଗ୍ରି ସେଲସିୟସ ତାପମାତ୍ରାରେ ୧୦୦ ମିଲିମିଟର ଗରମ ତରଳ ପଦାର୍ଥ୧୫ ମିନିଟ ପାଇଁ ରଖାଯାଏ, ତେବେ ଏଥିରେ ୨୫ ହଜାର ମାଇକ୍ରୋନ ଆକାରର ମାଇକ୍ରୋପ୍ଲାଷ୍ଟିକ କଣିକା ନିର୍ଗତ ହୋଇଥାଏ। ଏହାର ଅର୍ଥ ହେଉଛି ଯଦି ଜଣେ ସାଧାରଣ ବ୍ୟକ୍ତି ଦିନକୁ ତିନିଥର କାଗଜ କପରେ ଚା କିମ୍ବା କଫି ପିଇଥା’ନ୍ତି, ତେବେ ତାଙ୍କ ଶରୀର ଭିତରେ ପ୍ରାୟ ୭୫,୦୦୦ ସୂଷ୍ମ ମାଇକ୍ରୋପ୍ଲାଷ୍ଟିକ୍ କଣିକା ପହଞ୍ଚିଥାଏ, ଯାହା ଜଣେ ବ୍ୟକ୍ତିଙ୍କର ଦୃଷ୍ଟିହୀନତାର କାରଣ ହୋଇପାରେ ।
ଗବେଷଣାକାରୀମାନେ ଏହି ଗବେଷଣା ପାଇଁ ଦୁଇଟି ପଦ୍ଧତି ଆପଣାଇଥିଲେ । ଗୋଟିଏ ପଦ୍ଧତିରେ ୮୫ ରୁ ୯୦ ଡିଗ୍ରି ସେଲସିୟସ ତାପମାତ୍ରାରେ ଗରମ ପାଣି ଏକ ଡିସପୋଜେବୁଲ୍ କାଗଜ କପରେ ଢ଼ାଳିଥିଲେ। ଢ଼ାଳିବାର ୧୫ ମିନିଟ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ଏହା ପରେ ଜଳର ପରୀକ୍ଷା କରାଯାଇଥିଲା, ଯେଉଁଥିରେ ମାଇକ୍ରୋପ୍ଲାଷ୍ଟିକର କଣିକା ମିଳିଥିଲା।
ଆଇଆଇଟି ଖଡ଼ଗପୁରର ନିର୍ଦେଶକ ପ୍ରଫେସର ବୀରେନ୍ଦ୍ର କେ ତିୱାରୀ କହିଛନ୍ତି, “ଏହି ଗବେଷଣାରୁ ଜଣାପଡିଛି ଯେ ଏହି ପରି ଉତ୍ପାଦର ବ୍ୟବହାର କରିବା ପୂର୍ବରୁ ଯତ୍ନର ସହ ବିଚାର କରିବାର ଆବଶ୍ୟକତା ରହିଛି। ଆମକୁ ଇକୋ-ଫ୍ରେଣ୍ଡଲି ଉତ୍ପାଦ ଖୋଜିବାକୁ ପଡିବ, କିନ୍ତୁ ସେହି ସମୟରେ ଆମକୁ ଆମର ପାରମ୍ପରିକ ତଥା ସ୍ଥାୟୀ ଜୀବନଶୈଳୀକୁ ପ୍ରୋତ୍ସାହିତ ଦେବାକୁ ପଡ଼ିବ।”
(ଏହି ଆଲେଖ୍ୟଟି ‘ସମ୍ବାଦ ଡିଜିଟାଲ୍’ର ପରିବେଶ ସଚେତନତା ଅଭିଯାନ ‘ପୁନଶ୍ଚ ପୃଥିବୀ-ୱାନ୍ ଆର୍ଥ, ୟୁନାଇଟ୍ ଫର୍ ଇଟ୍’ର ଅଂଶବିଶେଷ)
The post ଗବେଷଣାରୁ ଆସିଲା ସାଂଘାତିକ ତଥ୍ୟ: ପରିବେଶ ଅନୁକୂଳ କାଗଜ କପ ବି ଶରୀର ଲାଗି କ୍ଷତିକାରକ, ନିୟମିତ ଚା’/କଫି ପିଇଲେ ହ୍ରାସ ପାଇପାରେ ଦୃଷ୍ଟିଶକ୍ତି first appeared on Sambad.from ବିଶେଷ | Sambad https://ift.tt/3D09RMZ
0 Comments