
ରାୟପୁର: କର୍ଣ୍ଣେଲ୍ ବିପ୍ଳବ ତ୍ରିପାଠୀଙ୍କ ରକ୍ତରେ ଥିଲା ଦେଶପ୍ରେମ ଏବଂ ଆଦର୍ଶବାଦ। ତାଙ୍କର ଜେଜେ କିଶୋରୀମୋହନ ତ୍ରିପାଠୀ ଥିଲେ ଜଣେ ସ୍ବାଧୀନତା ସଂଗ୍ରାମୀ, ଭାରତୀୟ ସମ୍ବିଧାନ ଡ୍ରାଫ୍ଟ୍ କମିଟିର ଅନ୍ୟତମ ସଦସ୍ୟ ଏବଂ ରାୟଗଡ଼-ସୁର୍ଗୁଜାର ପ୍ରଥମ ସାଂସଦ (୧୯୫୧)। ତାଙ୍କର ପିତା ସୁଭାଷ ତ୍ରିପାଠୀ ଥିଲେ ଛତିଶଗଡ଼ର ରାୟଗଡ଼ରୁ ପ୍ରକାଶିତ ଏକ ହିନ୍ଦୀ ଦୈନିକର ସତ୍ବାଧିକାରୀ ଓ ସମ୍ପାଦକ।
ପିଲାଦିନେ ଥରେ ଜେଜେଙ୍କ ସହ ରାଷ୍ଟ୍ରପତି ଭବନ ଯାଇଥିବା ବେଳେ ସୈନିକ ହେବା ପାଇଁ ବିପ୍ଳବ ପ୍ରେରଣା ପାଇଥିଲେ। ଲକ୍ଷ୍ୟ ହାସଲ କରିବାକୁ ସେ ମଧ୍ୟପ୍ରଦେଶର ରାୱାସ୍ଥିତ ସୈନିକ ସ୍କୁଲ୍ରେ ଭର୍ତ୍ତି ହୋଇ ପ୍ରଥମ ଉଦ୍ୟମରେ ‘ନ୍ୟାସ୍ନାଲ୍ ଡିଫେନ୍ସ୍ ଏକାଡେମି’ର କଷ୍ଟସାଧ୍ୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।
ସେନାବାହିନୀର ‘ଅଲିଭ୍ ଗ୍ରିନ୍’ (ଜଳପାଇ କୋଳି ଭଳି ସବୁଜ) ପୋଷାକ ପରିଧାନ କରିବାରେ କର୍ଣ୍ଣେଲ୍ ତ୍ରିପାଠୀ ଥିଲେ ତାଙ୍କ ପରିବାରରେ ପ୍ରଥମ। ଭାଇ ଲେଫ୍ଟ୍ନାଣ୍ଟ୍ କର୍ଣ୍ଣେଲ୍ ଅନୟ ତ୍ରିପାଠୀ ମଧ୍ୟ ତାଙ୍କ ପଥ ଅନୁସରଣ କରିଥିଲେ। ଦୁଇ ପୁଅ ସେନାବାହିନୀରେ ଥିବାରୁ ପିତା ସୁଭାଷ ଓ ମାତା ଆଶା ଗୌରବାନ୍ବିତ ମନେକରୁଥିଲେ।
କର୍ଣ୍ଣେଲ୍ ବିପ୍ଳବ, ବୋହୂ ଅନୁଜା ଏବଂ ନାତି ଅବିରଙ୍କ ସହ ମଣିପୁରରେ ଦୀପାବଳି କଟାଇ ପିତାମାତା ଘରକୁ ଫେରିବାର ସପ୍ତାହେ ମଧ୍ୟ ହୋଇନାହିଁ। ସେହି ସମୟରେ ଆପଣା ସେନା ପରିବାର ସହ ଉଠାଇଥିବା ଫଟୋରୁ ଜଣାପଡୁଥିଲା ଦୁହେଁ କେତେ ଗର୍ବିତ ଓ ଆନନ୍ଦିତ।
ପିଲାବେଳର ସ୍ମୃତିବେଷ୍ଟିତ ପରିବେଶରେ ଅବସର ଗ୍ରହଣ କରିବାକୁ ଚାହୁଁ ଥିଲେ ୪୧ ବର୍ଷିୟ କର୍ଣ୍ଣେଲ୍ ବିପ୍ଳବ। କିନ୍ତୁ, ଶନିବାର ଦିନ କର୍ଣ୍ଣେଲ୍ ବିପ୍ଳବ, ବୋହୂ ଅନୁଜା ଏବଂ ନାତି ଅବିର ମଣିପୁର ସୁଦୂର ଅରଣ୍ୟ ପଥରେ ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣରେ ସରବ୍ୟ ହୋଇ ପ୍ରାଣ ହରାଇଲେ। ଅନୁଜା ଏବଂ ଟିକି ଅବିରଙ୍କ ଶରୀର ମଧ୍ୟ ଅସଂଖ୍ୟ ଗୁଳିବିଦ୍ଧ ହୋଇଥିଲା।
ଏଭଳି ଆଘାତ ସମଗ୍ର ଛତିଶଗଡ଼କୁ ହତବାକ୍ କରିପକାଇଛି। ନାତି ଅବିରଙ୍କ ମୃତ୍ୟୁ ସୁଭାଷଙ୍କୁ ବିବ୍ରତ କରିପକାଇଛି। ପତିପତ୍ନୀ ବିଶ୍ବାସ କରିପାରୁନାହାନ୍ତି ଯେ, ମଣିପୁରସ୍ଥିତ ବିପ୍ଳବଙ୍କ ଘରେ ହସକୌତୁକ ଥିଲା ସେମାନଙ୍କ ଜୀବନର ଶେଷ ସୁଖ ବୋଲି।
The post ଆଜନ୍ମ ସୈନିକ ଥିଲେ କର୍ଣ୍ଣେଲ୍ ବିପ୍ଳବ; ଅକାଳରେ ଲିଭିଗଲା ଜୀବନଦୀପ, ଝୁରିହେଉଛନ୍ତି ବାପା-ମା’ first appeared on Sambad.from ବିଶେଷ | Sambad https://ift.tt/3kvjvkb
0 Comments