କାଠଯୋଡ଼ି ନଦୀପଠାରେ ଏମିତି ବି ଘଟିଥିଲା: କଳା ପତାକା ଦେଖାଇବା ପାଇଁ ସୁଯୋଗ ଦେଇଥିଲେ ଗାନ୍ଧୀଜୀ

ଭୁବନେଶ୍ବର : ଏବେ ନେତାଙ୍କୁ ଡର କଳା ପତାକା। ଏଥିପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଗୋଟିଏ ରାତି ପୂର୍ବରୁ କେତେ ଯେ ଗିରଫ ହୁଅନ୍ତି, ତା’ର ହିସାବ ନାହିଁ। ମାତ୍ର ମହାତ୍ମାଗାନ୍ଧୀ ତାଙ୍କୁ କଳା ପତାକା ଦେଖାଇବା ପାଇଁ କାଶୀର ଜଣେ ପୂଜକଙ୍କୁ ସୁଯୋଗ ଦେବା ସହ କାହିଁକି ସେ କଳା ପତାକା ଦେଖାଇଥିଲେ, ଏଥିପାଇଁ ଅଧିବେଶନରେ ମଞ୍ଚକୁ ଡକାଇ ବକ୍ତା କରାଇଥିଲେ। ୧୯୩୪ ମସିହା ମେ’ ୧୬ ତାରିଖରେ କଟକ ଜିଲ୍ଲା କାଠ‌ଯୋଡ଼ି ନଦୀପଠାରେ ଏହି ଘଟଣା କାର୍ଯ୍ୟକ୍ରମର ଗୁରୁତ୍ବକୁ ଆହୁରି ବୃଦ୍ଧି କରିଥିଲା।

ଅସ୍ପୃଶ୍ୟତା ବିରୋଧରେ ଜାଗରଣ ସୃଷ୍ଟି ପାଇଁ ମହାତ୍ମା ଗାନ୍ଧୀଙ୍କ ପଦଯାତ୍ରାକୁ କାଶୀର କିଛି ପଣ୍ଡିତ ବିରୋଧ କରୁଥିଲେ। ସେମାନଙ୍କ ମତରେ, ଅନୁସୂଚିତ ଜାତିର ଲୋକଙ୍କୁ ମନ୍ଦିରରେ ପଶାଇ ଗାନ୍ଧୀଜୀ ହିନ୍ଦୁ ଧର୍ମକୁ ନଷ୍ଟ କରୁଛନ୍ତି। ତେଣୁ ତାଙ୍କୁ କୌଣସି ଭାବରେ ଗ୍ରହଣ କରାଯାଇ ପାରିବ ନାହିଁ। ୧୯୩୪ ମସିହାରେ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶାରେ ଆୟୋଜିତ ଅସ୍ପୃଶ୍ୟତା ବିରୋଧୀ ପଦଯାତ୍ରାକୁ ବିରୋଧ ପାଇଁ କାଶୀରୁ ସନ୍ଥ ଲାଲନାଥ କିଛି ବ୍ୟକ୍ତିଙ୍କ ସହିତ ଆସିଥିଲେ। କିନ୍ତୁ ପଦଯାତ୍ରାରେ ଏତେ ଲୋକଙ୍କ ସମାଗମ ଦେଖି କଳା ପତାକା ଦେଖାଇବା ପାଇଁ ସାହସ କରିପାରିନଥିଲେ। ତେଣୁ ଲାଲନାଥ ତେଲେଙ୍ଗା ପେଣ୍ଠରେ ଗାନ୍ଧୀଜୀଙ୍କୁ ଭେଟି ତାଙ୍କୁ କଳା ପତାକା ଦେଖାଇବା ପାଇଁ ସୁଯୋଗ ଦେବାକୁ ଅନୁରୋଧ କରିଥିଲେ।

ଆଶ୍ଚର୍ଯ୍ୟଜନକ ଭାବେ ଗାନ୍ଧୀଜୀ ତାଙ୍କ ଉପରେ ବିରକ୍ତ ନହୋଇ ଲାଲନାଥଙ୍କୁ କଳା ପତାକା ଦେଖାଇବାକୁ ସୁଯୋଗ ଦେଇଥିଲେ। ପରବର୍ତ୍ତୀ ଦିନ କାଠ‌‌ଯୋଡ଼ିରେ ଆୟୋଜିତ ଅଧିବେଶନରେ ଲାଲାଜୀ ଏବଂ ସାଥୀମାନେ ଗାନ୍ଧୀଜୀଙ୍କୁ କଳା ପତାକା ଦେଖାଇବା ସହ ତାଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଗାନ୍ଧୀଜୀଙ୍କ ନିର୍ଦେଶରେ ସେହି ବ୍ୟକ୍ତିମାନଙ୍କୁ ସମ୍ମାନର ସହିତ ମଞ୍ଚ ପାଖକୁ ଅଣାଯାଇଥିଲା। ଲାଲନାଥଙ୍କୁ ମଞ୍ଚରେ ବକ୍ତବ୍ୟ ଦେବାକୁ କୁହାଯାଇଥିଲା। ଆଜମେରରେ ଲାଲନାଥ ଗାନ୍ଧୀଜୀଙ୍କୁ କଳା ପତାକା ଦେଖାଉଥିବା ବେଳେ କିଛି ବ୍ୟକ୍ତି ଉତ୍ତ୍ୟକ୍ତ ହୋଇ ତାଙ୍କୁ ମାଡ଼ ମାରିଥିଲେ। ଏଥିରେ ଗାନ୍ଧୀଜୀ ଏତେ ଦୁଃଖିତ ହୋଇଥିଲେ ଯେ ଏହି ଆକ୍ରମଣ ପାଇଁ ସେ ଅନଶନ ମଧ୍ୟ କରିଥିଲେ।

The post କାଠଯୋଡ଼ି ନଦୀପଠାରେ ଏମିତି ବି ଘଟିଥିଲା: କଳା ପତାକା ଦେଖାଇବା ପାଇଁ ସୁଯୋଗ ଦେଇଥିଲେ ଗାନ୍ଧୀଜୀ first appeared on Sambad.

from ବିଶେଷ | Sambad https://ift.tt/3mim8Wz

Post a Comment

0 Comments