
ଭୁବନେଶ୍ବର : ସର୍ବସାଧାରଣରେ ଗାନ୍ଧୀଜୀଙ୍କ ମୂଳନୀତିର ପ୍ରଚାରପ୍ରସାର କରିବା ତଥା ବିଦେଶରେ ଗାନ୍ଧୀ ନୀତି/ଆଦର୍ଶକୁ ଅଧିକ ଜନାଦୃତ କରିବା ଉଦ୍ଦେଶ୍ୟରେ ରାଜଧାନୀରେ ନିର୍ମିତ ହେଲା ‘ଶାଶ୍ବତ ଗାନ୍ଧୀ ଶାନ୍ତି କେନ୍ଦ୍ର’। ଖଣ୍ଡଗିରିକୁ କେବଳ ପ୍ରାକୃତିକ ସୌନ୍ଦର୍ଯ୍ୟ କ୍ଷେତ୍ରରେ ସୀମିତ ନ ରଖି ଏଠାକୁ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା, ଖଣ଼୍ଡଗିରି ଓ ଉଦୟଗିରିର ପାହାଡ଼, ଗୁମ୍ଫା, ପ୍ରାଚୀନ କୀର୍ତ୍ତିରାଜି ବ୍ୟତୀତ ଗାନ୍ଧୀଙ୍କର ବିଶ୍ବସ୍ତରୀୟ ଶାନ୍ତି କେନ୍ଦ୍ର ପ୍ରତିଷ୍ଠା କରି ପର୍ଯ୍ୟଟନ କ୍ଷେତ୍ରରେ ଖଣ୍ଡଗିରିକୁ ଅଧିକ ସମୃଦ୍ଧ କରିବା ଉଦ୍ଦେଶ୍ୟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି କେନ୍ଦ୍ର ନିର୍ମିତ ହେଲା। ଏକ ଭବ୍ୟ ଉତ୍ସବ ମଧ୍ୟରେ ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍ଘଟାନ କଲେ। ବିଶ୍ବରେ ଏହା ‘ଚତୁର୍ଥ ଗାନ୍ଧୀ ଶାନ୍ତି କେନ୍ଦ୍ର’ ବୋଲି ପ୍ରଚାର କରି ଢେର୍ ପ୍ରଶଂସା ସାଉଁଟିଥିଲେ ରାଜ୍ୟ ସରକାର। କିନ୍ତୁ ବିବାହ ସରିଲେ ବେଦି ମୁହଁ ପୋଡ଼ା ଭଳି ଉଦ୍ଘାଟନ ପରେ ଏହାକୁ ରାଜଧାନୀର ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବା ତଥା ଏହି କେନ୍ଦ୍ରର ପ୍ରସାରପ୍ରସାର କଥା ଭୁଲିଗଲା ପର୍ଯ୍ୟଟନ ବିଭାଗ। ଫଳରେ ଉଦ୍ଘାଟନର ଦେଢ଼ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ବି ପର୍ଯ୍ୟଟକ ମହଲରେ ଏହା ଅଧିକ ଲୋକପ୍ରିୟ ହୋଇପାରିନାହିଁ। ଫଳରେ ଏଠାକୁ ପର୍ଯ୍ୟଟକଙ୍କ ଆଗମନ ବି ଖୁବ୍ କମ୍ ରହିଛି।
୨୦୨୦ ଫେବ୍ରୁଆରି ୨୨ ତାରିଖରେ ଖୋଲିଥିବା ଗାନ୍ଧୀ ଶାନ୍ତି କେନ୍ଦ୍ର ଏହାର ମାସକ ପରେ କରୋନା ପ୍ରଥମ ଲହର ଜନିତ ଲକ୍ଡାଉନ୍ ଯୋଗୁଁ ବନ୍ଦ ରହିଲା। ଦୀର୍ଘ ୧୦ ମାସ ବନ୍ଦ ରହିବା ପରେ ୨୦୨୧ ଫେବ୍ରୁଆରିରେ ଏହା ପୁଣି ଖୋଲିଲା ସତ; କିନ୍ତୁ ଏହାର ୩ ମାସ ପରେ ପୁଣି ଥରେ କରୋନା ଦ୍ବିତୀୟ ଲହର ଯୋଗୁଁ ଗତ ଅଗଷ୍ଟ ଯାଏ ବନ୍ଦ ରହିଲା। ଏହାପରେ ଶାନ୍ତି କେନ୍ଦ୍ର ପୁଣି ଥରେ ଖୋଲିଛି। କିନ୍ତୁ ପ୍ରଚାରପ୍ରସାର ଅଭାବରୁ ଏଠାରୁ ଅଧିକ ପର୍ଯ୍ୟଟକ ଆସୁନଥିବା ଜଣାପଡ଼ିଛି। ତେବେ ଅତ୍ୟାଧୁନିକ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଆଧାରରେ ନିର୍ମିତ ଏହି ଗାନ୍ଧୀ ସଂଗ୍ରହାଳୟ ଆଜିର ଯୁବପିଢ଼ି ଓ ଛୋଟ ପିଲାଙ୍କୁ ବେଶ୍ ଆକର୍ଷିତ କଲା ଭଳି ହୋଇଛି। ଠିକ୍ ଭାବେ ଏହାର ପ୍ରଚାରପ୍ରସାର କଲେ ଏହା ଜରିଆରେ ଉତ୍ତରପିଢ଼ିଙ୍କ ମଧ୍ୟରେ ଗାନ୍ଧୀ ଓ ତାଙ୍କ ନୀତି ଆଦର୍ଶର ବାର୍ତ୍ତା ପହଞ୍ଚିପାରିବ ବୋଲି ଗାନ୍ଧୀପ୍ରେମୀମାନେ କହିଛନ୍ତି।
ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଗାନ୍ଧୀଜୀଙ୍କୁ ନେଇ ଏଭଳି ଏକ ସୁପରିକଳ୍ପିତ ପ୍ରକଳ୍ପର ସଫଳ ରୂପାୟନ ହେବା ପରେ ଏହାର ପ୍ରଚାର ପ୍ରସାର ଅଭାବ ଗାନ୍ଧୀପ୍ରେମୀଙ୍କୁ ବ୍ୟଥିତ କରିଛି। କେନ୍ଦ୍ରରୁ ମିଳିଥିବା ସୂଚନା ମୁତାବକ ବର୍ତ୍ତମାନ ସୁଦ୍ଧା ମାତ୍ର ୨ଟି ସ୍କୁଲ ପକ୍ଷରୁ ଏହି କେନ୍ଦ୍ର ପରିଦର୍ଶନ ପାଇଁ ଛାତ୍ରଛାତ୍ରୀ ଆସିଥିଲେ। ଏଥିସହ ଅନ୍ୟ ସମୟରେ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ବି ସେତେ ଉତ୍ସାହଜନକ ନୁହେଁ। ଏଣୁ ଏହାର ବ୍ୟାପକ ପ୍ରଚାର ପ୍ରସାର ପାଇଁ ସାଧାରଣରେ ଦାବି ଉଠିଛି।
ଗାନ୍ଧୀ ଶାନ୍ତି କେନ୍ଦ୍ରରେ କ’ଣ ଦେଖିବେ
ଏହି ଶାନ୍ତି କେନ୍ଦ୍ର ମଧ୍ୟରେ ଗାନ୍ଧୀଜୀଙ୍କ ସମ୍ପର୍କିତ ୬ଟି ପ୍ରଦର୍ଶନୀ କକ୍ଷ ରହିଛି। ପ୍ରତ୍ୟେକ କକ୍ଷରେ ଡିଜିଟାଲ ପରଦା ଜରିଆରେ ଗାନ୍ଧୀଜୀଙ୍କ ସମ୍ପର୍କିତ କଥା ଓଡ଼ିଆ, ହିନ୍ଦୀ ଓ ଇଂରାଜୀରେ ଜାଣିବାର ସୁଯୋଗ ମିଳୁଛି। ଏହି ପରିସରରେ ଅହିଂସା ଗ୍ୟାଲେରି, ଏକବିଂଶ ଶତାବ୍ଦୀରେ ମହାତ୍ମା, ମୋହନ ଦାସରୁ ମହାତ୍ମା, ମହାତ୍ମାରୁ ବାପୁ, ଗାନ୍ଧୀଙ୍କ ମାର୍ଗ ଓ ଶାଶ୍ବତ ଗାନ୍ଧୀ ଭଳି ବିଭିନ୍ନ ଗ୍ୟାଲେରି ରହିଛି। ସେଠାରେ ଗାନ୍ଧୀଜୀ ସ୍କୁଲ୍ ଜୀବନ ଆରମ୍ଭ କରିଥିବା କାଠିଆୱାଡ଼ା ହାଇସ୍କୁଲର ସ୍ମୃତି, ଗାନ୍ଧୀଜୀଙ୍କ ଛାତ୍ର ଜୀବନର ମାର୍କସିଟ୍, ରାଜା ହରିଶ୍ଚନ୍ଦ୍ର ଓ ଶ୍ରବଣ କୁମାରଙ୍କ କଥା ପଢ଼ି ଅନୁପ୍ରାଣିତ ହୋଇଥିବା ଗାନ୍ଧୀ, ଲବଣ ସତ୍ୟାଗ୍ରହ ପାଇଁ ସେ ପାଇଥିବା ଲାଇସେନ୍ସ ପତ୍ର, ହରିଜନ ପତ୍ରିକା ଛପା ଯାଉଥିବା ପ୍ରିଣ୍ଟିଂ ମେସିନ୍ର ପ୍ରତିକୃତି, ହରିଜନ ପତ୍ରିକାର ଶେଷ ପ୍ରକାଶିତ ସଂସ୍କରଣ, ଗାନ୍ଧୀଜୀଙ୍କ ସମ୍ପର୍କରେ ବିଶ୍ବର ଶ୍ରେଷ୍ଠ ବ୍ୟକ୍ତିମାନେ ଦେଇଥିବା ମନ୍ତବ୍ୟ ସବୁ ଏଠାରେ ସ୍ଥାନ ପାଇଛି।
କେନ୍ଦ୍ରକୁ ଆହୁରି ଆକର୍ଷଣୀୟ କରୁଛି ‘ଗାନ୍ଧୀଙ୍କ ସହ ସେଲ୍ଫି’ କର୍ଣ୍ଣର। ଏକ କାଚଗୃହରେ ଥିବା ସ୍କ୍ରିନ୍ ଜରିଆରେ ଜଣେ ନିଜ ସହ ଗାନ୍ଧୀଜୀଙ୍କ ଫଟୋ ଉତ୍ତୋଳନର ସେଲ୍ଫି ନେଇ ଏହାକୁ ନିଜ ମେଲ୍କୁ ପଠାଇ ପାରିବ। ପୁଣି ଗାନ୍ଧୀଜୀଙ୍କ ପ୍ରିୟ ୫ଟି ଗୀତର ଏକ ରେକର୍ଡର ରଖାଯାଇଛି। ଆଧୁନିକ ଜ୍ଞାନକୌଶଳ ପ୍ରୟୋଗପୂର୍ବକ ସେଇ ରେକର୍ଡର୍ ନିକଟରେ ୫ଟି ଭିନ୍ନ ଭିନ୍ନ ପରିମାଣର ଲୁଣ ଗ୍ଲାସ ରଖାଯାଇଛି। ସେଥିରୁ ଗୋଟିଏ ଗ୍ଲାସ ଉଠାଇ ଏକ ସ୍ଥାନରେ ରଖିଲେ ନିର୍ଦିଷ୍ଟ ଗୀତ ଶୁଣିବାର ସୁଯୋଗ ମିଳିବ। ଏଠାରେ ଦୁଇଟି ଡିଜିଟାଲ ସ୍କ୍ରିନ ମଧ୍ୟ ଅଛି। ଏଥିରେ ଗାନ୍ଧୀଜୀଙ୍କ ଜୀବନୀ, ଓଡ଼ିଶା ସମ୍ପର୍କ, ଲବଣ ସତ୍ୟଗ୍ରହ ସମ୍ପର୍କିତ ଟିକିନିଖି କଥା ଅଙ୍ଗୁଳି ଚାଳନା କରି ଜାଣିହେବ। ଏହା ମଧ୍ୟରେ ଏପରି ଏକ ଟେଲିଫୋନ୍ ରଖାଯାଇଛି, ଯାହା ଉଠାଇ ଆପଣ କାନରେ ଦେବା କ୍ଷଣି ସେଥିରେ ଗାନ୍ଧୀଙ୍କ ଭାଷଣ ଶୁଣିବାକୁ ମିଳିବ। ଏକ ଫିଡ୍ବ୍ୟାକ ଷ୍ଟୋର ରହିଥିବା ବେଳେ ଜଣେ ତା’ ମଧ୍ୟକୁ ଯାଇ ସ୍କ୍ରିନକୁ କ୍ଲିକ୍ କରିବା ସହ ନିଜର ଅନୁଭୂତି ସେଠାରେ ବର୍ଣ୍ଣନା କରିପାରିବ। ଯାହା ରେକର୍ଡ ହୋଇ ସଂରକ୍ଷିତ ରହିବ।
ଏହି ପରିସରରେ ଗାନ୍ଧୀଜୀଙ୍କ ଓକିଲାତି ଜୀବନଠୁ ନେଇ ଗାନ୍ଧୀ ମହାତ୍ମା ପର୍ଯ୍ୟନ୍ତ ୩ଟି ବ୍ରୋଞ୍ଜ ପ୍ରତିମୂର୍ତି ରହିଛି। ସେଠାରେ ଗାନ୍ଧୀଜୀଙ୍କ ସହ ଫଟୋ ନେବାର ସୁବିଧା ରହିଥିବା ବେଳେ କାନ୍ଥରେ ଲାଗିଥିବା ବାର୍ କୋଡକୁ ସ୍କାନ କରି ଗାନ୍ଧୀଜୀଙ୍କ ସମ୍ପର୍କରେ ତଥ୍ୟଗତ ବିଷୟ ଜାଣିହେବ। ଏଥିପାଇଁ ‘ଗାନ୍ଧୀ ପିସ୍ ସେଣ୍ଟର’ ନାମକ ଏକ ଆପ୍ ଡାଉନେଲାଡ୍ କରିଲେ ହିଁ ଜଣେ ସ୍କାନ କରି ତଥ୍ୟ ପାଇପାରିବ। ଏଥିସହ ଏହା ପରିସରରେ ଏପରି କିଛି ଫଟୋ ଅଛି ଯାହା ସମ୍ପର୍କରେ ମଧ୍ୟ ବାରକୋଡ୍ ସ୍କାନ କରି ଅନେକ କଥା ଜାଣିହେବ। ମହାତ୍ମା ଗାନ୍ଧୀଙ୍କ ୪ ପୁତ୍ରଙ୍କ ସମ୍ବନ୍ଧୀୟ କଥା ହେଉ ଅବା ଗାନ୍ଧୀଜୀଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିବିଶେଷଙ୍କ କଥା, ସବୁକିଛି ବାରକୋଡ୍ ସ୍କାନରର ସହାୟତାରେ ଜାଣିହେବ।
The post ଖୋଲିବା ଦିନରୁ ଅଲୋଡ଼ା ଗାନ୍ଧୀ ଶାନ୍ତି କେନ୍ଦ୍ର first appeared on Sambad.from ବିଶେଷ | Sambad https://ift.tt/2YhoDQZ
0 Comments