ରାଜ୍ୟରେ ଶାସନ କରୁଛି ଛାୟା ସରକାର: ଅପରାଜିତା

ଭୁବନେଶ୍ବର : ରାଜ୍ୟରେ ଗୋଟିଏ ଛାୟା ସରକାର ଶାସନ କ୍ଷମତାରେ ରହିଛି। ଏହି କାରଣରୁ ମମିତା ମେହେର ହତ୍ୟା ପ୍ରସଙ୍ଗରେ ରାଜ୍ୟ ସରକାର ନିରବ ରହିଛନ୍ତି। ରାଜ୍ୟ ସରକାରଙ୍କ ମୁଖ୍ୟଭାବେ ମୁଖ୍ୟମନ୍ତ୍ରୀ ସାମ୍ନାକୁ ଆସି ନେତୃତ୍ବ ନିଅନ୍ତୁ ବୋଲି ଆହ୍ବାନ କରିଛନ୍ତି ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ କହିଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଷଡ଼ଙ୍ଗୀ କହିଲେ; ରାଜ୍ୟରେ ମହିଳାଙ୍କ ଉପରେ ଅତ୍ୟାଚାର, ହିଂସା ଓ ନିର୍ଯାତନା କ୍ଷେତ୍ରରେ ଓଡ଼ିଶା ସର୍ବଭାରୀୟ ସ୍ତରରେ ଦ୍ବିତୀୟ ସ୍ଥାନରେ ରହିଛି। ଏହାସହ ଦଣ୍ଡବିଧାନ ହାରରେ ମଧ୍ୟ ଓଡ଼ିଶାର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ। ଅପରାଧ ଘଟାଇ ଅପରାଧୀମାନେ ବାହାରେ ବୁଲୁଛନ୍ତି। ପରୀ, ସ୍ମିତାରାଣୀ, ବେବିନା, ପିହୁ, ମାଧବୀଲତା ହତ୍ୟାକାଣ୍ଡ ପରେ ଏବେ ଶିକ୍ଷୟତ୍ରୀ ମମିତା ହତ୍ୟାକାଣ୍ଡ ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଛି। ଏହି ହତ୍ୟାକାଣ୍ଡରେ ଗୃହ ରାଜ୍ୟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଅଭିଯୋଗ ପରେ ରାଜ୍ୟବ୍ୟାପୀ ବିକ୍ଷୋଭ/ଧାରଣାର ନିଆଁ ବ୍ୟାପିଲାଣି। ରାଜ୍ୟରେ ଅଢ଼େଇ କୋଟି ମା’ ଓ ଭଉଣୀମାନେ ନିଜକୁ ଅସୁରକ୍ଷିତ ମଣିଲେଣି। ମହିଳାଙ୍କ ଉପରେ ବଢ଼ି ଚାଲିଥିବା ନିର୍ଯାତନା ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପାଇଁ ଗୃହ ବିଭାଗର ମନ୍ତ୍ରୀଭାବେ ମୁଖ୍ୟମନ୍ତ୍ରୀ ସିଧାସଳଖ ଦାୟୀ।

ସେ ଆହୁରିମଧ୍ୟ କହିଥିଲେ ଯେ ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବର୍ତମାନ ସୁଦ୍ଧା କାହିଁକି ମୁହଁ ଖୋଲି ନାହାନ୍ତି ? ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗରେ ଅବଗତ ଅଛନ୍ତି କି ନାହିଁ ? ରାଜ୍ୟରେ ଆଇନକୁ ତା’ବାଟରେ ସତରେ ଚାଲିବାକୁ ଦିଆଯାଉଛି ତ ? ଏଭଳି ଏକ ସ୍ପର୍ଷକାତର ଘଟଣାରେ ଉତ୍ତରଦାୟୀଭାବେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ରଖିବା ସହିତ ଘଟଣାର ସିବିଆଇ ତଦନ୍ତ କରାଇବା ଲାଗି ଘୋଷଣା କରିବାକୁ ଶ୍ରୀମତୀ ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଉର୍ମିଳା ମହାପାତ୍ର, ମହିଳା ମୋର୍ଚା ରାଜ୍ୟ ଉପ ସଭାନେତ୍ରୀ କସ୍ତୁରୀ ମିଶ୍ର ଓ ପ୍ରତିଭା ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

The post ରାଜ୍ୟରେ ଶାସନ କରୁଛି ଛାୟା ସରକାର: ଅପରାଜିତା first appeared on Sambad.

from ବିଶେଷ | Sambad https://ift.tt/3pVLUU9

Post a Comment

0 Comments