
ନୂଆଦିଲ୍ଲୀ: ଦିନକୁ ଦିନ ଯାନବାହନ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦେଖିବାକୁ ଗଲେ, ଆଜିକା ସମୟରେ ଘରେ ଯେତେଜଣ ସଦସ୍ୟ ସେମାନଙ୍କ ମୁଣ୍ଡ ପିଛା ଗୋଟିଏ ଗୋଟିଏ ଗାଡ଼ି ରହିଛି। ଧନୀ ଲୋକଙ୍କ ଘରେ ବି ଅଧିକ ସଂଖ୍ୟକ ଗାଡ଼ି ରହୁଛି।
ତେବେ ଏତେ ସଂଖ୍ୟାରେ ଗାଡ଼ି ଚାଲିବା ଦ୍ବାରା ଏଥିରୁ ନିର୍ଗତ ହେଉଥିବା ଧୂଆଁ ବାୟୁମଣ୍ଡଳରେ ମିଶି ବାୟୁକୁ ପ୍ରଦୂଷିତ କରୁଛି । ଆଉ ଏହି ବାୟୁକୁ ଆମେ ନିଶ୍ବାସରେ ନେବା ଦ୍ବାରା ବିଭିନ୍ନ ପ୍ରକାର ରୋଗର ସଂକ୍ରମିତ ହେଉଛୁ । ପ୍ରଦୂଷିତ ବାୟୁ ହେତୁ ବହୁ ଲୋକଙ୍କ ଜୀବନ ଚାଲି ଯାଉଥିବା ଯୋଗୁ ବିଭିନ୍ନ ସମୟରେ ଗବେଷକମାନେ ଉଦବେଗ ପ୍ରକାଶ କରୁଛନ୍ତି।
ଯଦି ଦେଶରେ ବ୍ୟାଟେରି ଚାଳିତ ବୈଦ୍ୟୁତିକ ଯାନର ବ୍ୟବହାର ବୃଦ୍ଧି କରାଯାଏ ଆଉ କୋଇଲା ବ୍ୟବହାରକୁ ସୀମିତ ରଖାଯାଏ, ତେବେ ଏହା ଦ୍ବାରା ୨୦୪୦ ମସିହାରେ ୭୦,୩୮୦ଙ୍କ ଜୀବନ ରକ୍ଷା କରାଯାଇପାରିବ । ନିକଟରେ ଇଣ୍ଟରନ୍ୟାସନାଲ କାଉନସିଲ୍ ଅଫ୍ କ୍ଲିନ୍ ଟ୍ରାନ୍ସପୋର୍ଟେସନ (ଆଇସିସିଟି) ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି), କାନପୁର ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ ଏହି ସୂଚନା ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଏହା ଯେ କେବଳ ହଜାର ହଜାର ଲୋକଙ୍କ ଜୀବନ ରକ୍ଷା କରିବ, ତାହା ନୁହେଁ, ବରଂ ୨୦୪୦ମସିହାରେ ସ୍ୱାସ୍ଥ୍ୟସେବା ଲାଗି ହେଉଥିବା ଖର୍ଚ୍ଚରୁ ପ୍ରାୟ ୬ ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିବ।

ଆଇସିସିଟି ଓ ଆଇଆଇଟି ରିପୋର୍ଟ ଅନୁଯାୟୀ, ୨୦୩୦ ଏବଂ ୨୦୪୦ ମସିହା ପାଇଁ ହୋଇଥିବା ଉପସଂହାରରୁ ଜଣାପଡିଛି ଯେ ପ୍ରଦୂଷଣ ହେତୁ ହେଉଥିବା ମୃତ୍ୟୁକୁ ରୋକିବା ଲାଗି ‘ଡିକାର୍ବୋନାଇଜେସନ୍’ କୌଶଳ ତୁଳନାରେ ‘ଅଟୋମୋବାଇଲ୍ ଏମିସନ’କୁ ରୋକିବା ଅଧିକ ପ୍ରଭାବଶାଳୀ। ଏଥି ପାଇଁ କଠୋର ରଣନୀତି ଆପଣାଇବା ଦରକାର। ଆଉ ତୈଳ ଇନ୍ଧନ ପରିବର୍ତ୍ତେ ଇଲେକ୍ଟ୍ରିକ୍ ଇନ୍ଧନର ବ୍ୟବହାର ଜରୁରୀ ହୋଇପଡ଼ିଛି।
ରିପୋର୍ଟରେ ଏହା ମଧ୍ୟ ସ୍ବୀକାର କରାଯାଇଛି ଯେ ଯଦି ଦେଶରେ ଇଲେକ୍ଟ୍ରିକ ଯାନ ବ୍ୟବହାରକୁ ବୃଦ୍ଧି କରି ଦିଆଯାଏ ଆଉ ଶକ୍ତି ପାଇଁ କୋଇଲା ଉପରେ ନିର୍ଭରଶୀଳ ହେବାକୁ ହୁଏ, ତେବେ ବି ହଜାର ହଜାର ଲୋକଙ୍କ ଜୀବନ ରକ୍ଷା ପାଇପାରିବ। ଅନୁମାନ କରାଯାଏ ଯେ ଶକ୍ତି କ୍ଷେତ୍ରରେ ହେଉଥିବା ପ୍ରଦୂଷଣକୁ ରୋକିବା ତଥା କୋଇଲା ଉପଯୋଗକୁ ବନ୍ଦ କରିବା ପାଇଁ କୌଣସି କଠୋର ନୀତି କାର୍ଯ୍ୟକାରୀ କରା ନଗଲେ ମଧ୍ୟ ଏକାକୀ ଇ-ବାହନ ବ୍ୟବହାର ବୃଦ୍ଧି ପାଇଲେ ୨୦୩୦ ମସିହାରେ ପ୍ରତିବର୍ଷ ୧୩,୩୦୦ ଓ ୨୦୪୦ ମସିହାରେ ପ୍ରତିବର୍ଷ ୧୬,୭୦୦ଲୋକଙ୍କ ଜୀବନ ରକ୍ଷା କରାଯାଇ ପାରିବ।
(ଏହି ଆଲେଖ୍ୟଟି ‘ସମ୍ବାଦ ଡିଜିଟାଲ୍’ର ପରିବେଶ ସଚେତନତା ଅଭିଯାନ ‘ପୁନଶ୍ଚ ପୃଥିବୀ-ୱାନ୍ ଆର୍ଥ, ୟୁନାଇଟ୍ ଫର୍ ଇଟ୍’ର ଅଂଶବିଶେଷ)
The post ଇଲେକ୍ଟ୍ରିକ୍ ଯାନ ବ୍ୟବହାର ଦ୍ବାରା ବାର୍ଷିକ ୭୦,୦୦୦ରୁ ଊର୍ଧ୍ବ ଲୋକଙ୍କ ଜୀବନ ରକ୍ଷା କରାଯାଇ ପାରିବ first appeared on Sambad.from ବିଶେଷ | Sambad https://ift.tt/3vPxsOb
0 Comments