ଦାରିଦ୍ର୍ୟର ଦାଉ: ଡାକ୍ତରଖାନା ଶଯ୍ୟାରେ ମରଣ ସହ ଯୁଝୁଛି ପୁଷ୍ଟିହିନ ଶିଶୁ

ସୁନ୍ଦରଗଡ଼: ଗୁରୁତର ବର୍ଷକର ଝିଅ ଡାକ୍ତରଖାନା ଶଯ୍ୟାରେ ମରଣ ସହ ଯୁଝୁଥିବ ଓ ଶଯ୍ୟା ପାଖରେ ଜଗିଥିବା ମା’ଙ୍କ ହାତରେ ଔଷଧପଥି କଥା ଛାଡ଼, ୫ ଟଙ୍କିଆ ଆହାର କିଣିବାକୁ ବି ୫ ଟଙ୍କିଆ ମୁଦ୍ରାଟେ ନଥିବ। ଏପରି ଅଭାବ, ଅସହାୟତାର ଦାରୁଣ ମୁହୂର୍ତ୍ତରେ ଛିଡ଼ା ହୋଇଥିବା ଦୁଃଖିନୀ ମା’ଙ୍କ ଅବସ୍ଥା କଥା ଭାବିଲେ ଆପଣଙ୍କ ମନ ବି ବେଦନାରେ ଥରି ଉଠିବ ନିଶ୍ଚୟ। ଦାରିଦ୍ର୍ୟ ଓ ଅପପୁଷ୍ଟିର ଏପରି ଏକ ଅଭାବନୀୟସ୍ଥିତିରେ ପଡ଼ିଛନ୍ତି କୋଇଡ଼ା ବ୍ଲକ୍ କେ. ବଲାଙ୍ଗ ପଞ୍ଚାୟତ ହାତୀଅଡ଼ା ଗାଁର ଆଦିବାସୀ ମହିଳା ପ୍ୟାରୀ ମୁଣ୍ଡା। ଯିଏ ଗତ ସେପ୍ଟେମ୍ବର ୨୮ ତାରିଖରେ ଅପପୁଷ୍ଟିଜନିତ କାରଣରୁ ଗୁରୁତର ବର୍ଷକର ଝିଅ ସାଲିମାକୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ନେଇ ଆସିଛନ୍ତି ଏକା ଏକା। ୬ ଦିନର ଚିକିତ୍ସା ପରେ ମଧ୍ୟ ସାଲିମା ସୁସ୍ଥ ହେଉନି, ବରଂ ଅବସ୍ଥା ଅଧିକ ବିଗିଡ଼ିବାରେ ଲାଗିଛି।

ଏହା ମଧ୍ୟରେ ଡାକ୍ତର ତାକୁ ବୁର୍ଲା ନେଇଯିବାକୁ ପରାମର୍ଶ ଦେଇଛନ୍ତି। ତେବେ ବଡ଼ କଥା ହେଲା, ଏହା ମଧ୍ୟରେ ୮ ମାସର ଅନ୍ତଃସତ୍ତ୍ବା ଥିବା ପ୍ୟାରୀ ରକ୍ତହିନତା କାରଣରୁ ଝିଅକୁ ଜଗିବା ଭିତରେ ଗୁରୁତର ହୋଇପଡ଼ିଛନ୍ତି। ଏସ୍ଥିତିରେ ମା’ଝିଅଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦାରିଦ୍ର୍ୟର ତାଡ଼ନାରେ କଲବଲ ହେଉଥିବା ପ୍ୟାରୀଙ୍କ କାହାଣୀ ଆହୁରି ଶୋଚନୀୟ। ଅତ୍ୟନ୍ତ ଗରିବ ପରିବାର ବୋହୂ ପ୍ୟାରୀଙ୍କ ସ୍ବାମୀ ସିବଲେନ କୁଲି ମଜୁରି କରି କୁଟୁମ୍ବ ପୋଷୁଥିଲେ। କିନ୍ତୁ ଅଭାବ ଯୋଗୁଁ ବହୁ ସମୟ ସେମାନେ ଖାଇବାକୁ ପାଉ ନଥିଲେ।

ସେଥିପାଇଁ ସ୍ବାମୀ ସିବଲେନ ତାଙ୍କୁ ଓ ବର୍ଷକର ଝିଅ ସାଲିମାକୁ ଛାଡ଼ି ଗତ ଫେବ୍ରୁଆରିରେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଗଲେ। ତା’ ପରଠୁ ତାଙ୍କର କୌଣସି ଖୋଜଖବର ନାହିଁ। ସ୍ବାମୀ ଗଲା ବେଳେ ଗର୍ଭବତି ହୋଇଥିବା ପ୍ୟାରୀ ଏସ୍ଥିତିରେ ସେ ସ୍ବାମୀ ଘରେ ୨ ମାସ ବେସାହାରା ହୋଇ ପଡ଼ି ରହିଲେ। କିନ୍ତୁ ପରେ ଉପାୟ ଶୂନ୍ୟ ହୋଇ ବାପା ଘର ଲହୁଣିପଡ଼ା ବ୍ଲକ୍ ତାଲବାହାଲି ପଞ୍ଚାୟତ ବାବେଇହୁଡ଼ିକୁ ଚାଲି ଆସିଲେ। ବାପା ଘର ବି ଅଭାବ, ଦାରିଦ୍ର୍ୟରେ ଟଳମଳ। ଏସ୍ଥିତିରେ ଏଠି ବି ଦି’ ଓଳି ଭଲ ଗଣ୍ଡେ ଖାଇବାକୁ ମିଳିଲା ନାହିଁ। ଗତ ୨୮ ତାରିଖରେ ଅପପୁଷ୍ଟିଜନିତ କାରଣରୁ ଝିଅ ସାଲିମା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଲହୁଣିପଡ଼ା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ଡାକ୍ତର ତାଙ୍କୁ ବଣାଇଁ ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। କିନ୍ତୁ ସେଠାରେ ସାଲିମାଙ୍କ ଅବସ୍ଥା ଅତି ସାଂଘାତିକ ହେବାରୁ ଆମ୍ବୁଲାନ୍ସ ଯୋଗେ ରାଉରକେଲା ସରକାରୀ ଡାକ୍ତରଖାନା (ଆରଜିଏଚ୍)କୁ ସ୍ଥାନାନ୍ତର କରାଯାଇଥିଲା।

ଝିଅ ପାଖରେ ମା’ ଛଡ଼ା ଭଲ ମନ୍ଦ ବୁଝିବାକୁ ଆଉ କେହି ନଥିଲେ। ଖବର ପାଇ ୨୯ ତାରିଖ ସକାଳେ ସମାଜସେବୀ ଶାନ୍ତନୁ କୁସୁମ ଛୁଆକୁ ଦେଖିବାକୁ ଡାକ୍ତରଖାନା ଯାଇଥିବା ବେଳେ ୨ ଦିନ ହେଲା ମା’ ପ୍ୟାରୀ ଖାଇ ନଥିବା ଜାଣିବାକୁ ପାଇଥିଲେ। ପାଖରେ ଥିବା ଆହାର କେନ୍ଦ୍ରରୁ ଖାଇ ନେବାକୁ ଶ୍ରୀ କୁସୁମ କହିବା ପରେ ସେ କାନ୍ଦି ପକାଇଥିଲେ। କାରଣ ତାଙ୍କ ପାଖରେ ଆହାର କିଣିବାକୁ ୫ ଟଙ୍କିଟେ ମଧ୍ୟ ନଥଲା। ଶେଷକୁ ଶ୍ରୀ କୁସୁମ ତାଙ୍କୁ ଖାଇବାକୁ କିଛି ଟଙ୍କା ଦେଇ ଫେରିଥିଲେ। ଏହା ମଧ୍ୟରେ କୁନି ଝିଅ ମୁମୂର୍ଷୁ ଅବସ୍ଥାକୁ ଚାଲିଯାଇଥିବା ବେଳେ କିଛି ଦିନ ହେଲା ଅନ୍ତଃସତ୍ତ୍ବା ମା’ଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ବିଗିଡ଼ିବାରେ ଲାଗିଛି। ସେ ଡାକ୍ତରଖାନା ଶଯ୍ୟାରେ ପଡ଼ିଲେ ଝିଅ କଥା କିଏ ବୁଝିବ, ସେ ଚିନ୍ତାରେ ପ୍ୟାରୀ ବିଚଳିତ ହୋଇପଡ଼ିଛନ୍ତି। ସରକାର ଅସହାୟ, ଗରିବ ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଥିବା କହୁଛନ୍ତି। କିନ୍ତୁ ବିଡ଼ମ୍ବନା, ଦୁଃଖିନୀ ପ୍ୟାରୀ ଓ ସେ ନିଷ୍ପାପ କୁନି ଝିଅ ପାଖରେ ଏଯାଏ ସେ ସୌଭାଗ୍ୟ ପହଞ୍ଚି ପାରି ନାହିଁ।

The post ଦାରିଦ୍ର୍ୟର ଦାଉ: ଡାକ୍ତରଖାନା ଶଯ୍ୟାରେ ମରଣ ସହ ଯୁଝୁଛି ପୁଷ୍ଟିହିନ ଶିଶୁ first appeared on Sambad.

from ବିଶେଷ | Sambad https://ift.tt/3a04WPS

Post a Comment

0 Comments