
ଲଣ୍ଠନ୍: ପରିବେଶ ସୁରକ୍ଷା ଏବେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ସମଗ୍ର ପୃଥିବୀରେ ବହୁ ବ୍ୟକ୍ତି, ଅନୁଷ୍ଠାନ, ସରକାର ଏ ଦିଗରେ ସଚେତନତା ସୃଷ୍ଟି କରିବା ସହ ବିଭିନ୍ନ ପଦକ୍ଷେପ ମଧ୍ୟ ନେଉଛନ୍ତି। ମାତ୍ର ପରିତାପର ବିଷୟ ହେଉଛି କେତେକ ବ୍ୟକ୍ତିବିଶେଷ ଓ ବ୍ୟାବସାୟିକ ସଂସ୍ଥା ନିଜର ସ୍ବାର୍ଥହାନୀ ହେତୁ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ଲୋକଙ୍କୁ ହତ୍ୟା କରିବାକୁ ପଛାଉ ନାହାନ୍ତି। ନିକଟରେ ପରିବେଶ ସୁରକ୍ଷା ଗବେଷଣା ସଂଗଠନ ‘ଗ୍ଲୋବାଲ ଉଇଟନେସ’ ପକ୍ଷରୁ କରାଯାଇଥିବା ଅନୁଧ୍ୟାନ ଅନୁଯାୟୀ, ୨୦୨୦ ମସିହାରେ ଅତି କମରେ ୨୨୭ ଜଣ ଲୋକ ସେମାନଙ୍କ ଘର, ଜମି ଏବଂ ଜୀବିକାକୁ ପରିବେଶ ଶୋଷଣରୁ ରକ୍ଷା କରି ମୃତ୍ୟୁବରଣ କରିଛନ୍ତି। ସୂଚନା ଅନୁଯାୟୀ, ଗତବର୍ଷ ପରିବେଶ ରକ୍ଷାକାରୀଙ୍କ ଉପରେ ହୋଇଛି ସର୍ବାଧିକ ଆକ୍ରମଣ।
‘ଗ୍ଲୋବାଲ ଉଇଟନେସ’ ପରିବେଶ ସୁରକ୍ଷାକାରୀଙ୍କ ଉପରେ ପୃଥିବୀର ବିଭିନ୍ନ ଦେଶରେ ହୋଇଥିବା ଆକ୍ରମଣର ତଥ୍ୟ ସଂଗ୍ରହ କରି ପ୍ରକାଶ କରୁଛି। ଏହାର ୨୦୨୦ ମସିହାର ରିପୋର୍ଟ ଚିନ୍ତା ବଢ଼ାଇଛି। କାରଣ ୨୦୧୨ ମସିହା ପରଠାରୁ ଏତେ ସଂଖ୍ୟକ ଲୋକ ଏହି କାରଣ ଲାଗି ମୃତ୍ୟୁମୁଖରେ ପଡ଼ି ନଥିଲେ । ମୃତ୍ୟୁର ପ୍ରାୟ ଏକ ତୃତୀୟାଂଶ ଖଣି, ଲଗିଂ ଏବଂ ଡ୍ୟାମ୍ ପ୍ରକଳ୍ପ ଭଳି କାର୍ଯ୍ୟରେ ଶୋଷଣ ସହିତ ଜଡିତ ଥିଲା।
ଗ୍ଲୋବାଲ ଉଇଟନେସ ଏହି ରିପୋର୍ଟରେ ପ୍ରକାଶ କରିଛି ଯେ, ଏହା ସ୍ପଷ୍ଟ କି ଖଣିଖାଦାନ, ଶିଳ୍ପ ଏବଂ ଅନ୍ୟାନ୍ୟ ପ୍ରକଳ୍ପ ଯୋଗୁଁ ସୃଷ୍ଟି ହେଉଥିବା ସମସ୍ୟା ଗୋଟିଏ ପଟେ ଜଳବାୟୁ ସଙ୍କଟ ସୃଷ୍ଟି କରୁଥିବା ବେଳେ ଅନ୍ୟ ପକ୍ଷରେ ପରିବେଶ ରକ୍ଷାକାରୀଙ୍କ ଉପରେ ହିଂସାତ୍ମକ ଆକ୍ରମଣର କାରଣ ପାଲଟୁଛି ।
ଗ୍ଲୋବାଲ ଉଇଟନେସ ତଥ୍ୟ ଅନୁସାରେ ଦକ୍ଷିଣ ଗୋଲାର୍ଦ୍ଧର ବିକାଶୋନ୍ମୁଖୀ ଦେଶମାନଙ୍କରେ ମାତ୍ର ଜଣଙ୍କର ମୃତ୍ୟୁ ଘଟିଛି। କାରଣ ଏହି ସବୁ ଦେଶରେ ସରକାର ଲଗିଂ, ଖଣି ଏବଂ ଶିଳ୍ପ ବିକାଶ ଜନିତ ପାରିବେଶିକ କ୍ଷୟକ୍ଷତି ରୋକିବାକୁ ଅନିଚ୍ଛୁକ। ତେବେ ଚିନ୍ତାର ବିଷୟ ହେଲା, କେବଳ କଲମ୍ବିଆ, ମେକ୍ସିକୋ ଏବଂ ଫିଲିପାଇନ୍ସରେ ପରିବେଶ ରକ୍ଷକଙ୍କ ମୃତ୍ୟୁସଂଖ୍ୟା ଅଧାରୁ ଅଧିକ। କଲମ୍ବିଆରେ ସର୍ବାଧିକ ମୃତ୍ୟୁ ରେକର୍ଡ ହୋଇଛି। ୨୦୨୦ରେ ଏଠାରେ ୬୫ ଜଣ ପ୍ରାଣ ହରାଇଛନ୍ତି। ସେହିପରି ମେକ୍ସିକୋରେ ୩୦ ଏବଂ ଫିଲିପାଇନ୍ସ ୨୯ ଜଣ ପରିବେଶକୁ ସୁରକ୍ଷିତ କରିବା ପ୍ରଚେଷ୍ଟାରେ ହିଂସାର ଶିକାର ହୋଇ ମୃତ୍ୟୁ ମୁଖରେ ପଡ଼ିଛନ୍ତି।
ବର୍ତ୍ତମାନ ବିଶ୍ବରେ ବିଭିନ୍ନ ଧରଣର ପାରିବେଶିକ ସଂକଟ ବୃଦ୍ଧି ପାଉଛି ଓ ଯେଉଁମାନେ ଏହାକୁ ରୋକିବାର ପ୍ରୟାସ କରୁଛନ୍ତି ସେମାନଙ୍କ ଉପରେ ଆକ୍ରମଣ ନିଶ୍ଚିତ ଭାବେ ଅତ୍ୟନ୍ତ ଦୁର୍ଭାଗ୍ୟଜନକ।
(ଏହି ଆଲେଖ୍ୟଟି ‘ସମ୍ବାଦ ଡିଜିଟାଲ୍’ର ପରିବେଶ ସଚେତନତା ଅଭିଯାନ ‘ପୁନଶ୍ଚ ପୃଥିବୀ-ୱାନ୍ ଆର୍ଥ, ୟୁନାଇଟ୍ ଫର୍ ଇଟ୍’ର ଅଂଶବିଶେଷ)
The post ଦୁର୍ଭାଗ୍ୟଜନକ: ୨୦୨୦ରେ ପରିବେଶ ରକ୍ଷାକାରୀଙ୍କ ଉପରେ ହୋଇଛି ସର୍ବାଧିକ ଆକ୍ରମଣ first appeared on Sambad.from ବିଶେଷ | Sambad https://ift.tt/39HKx1S
0 Comments