ଅତୁଲ୍ୟ ଗଙ୍ଗା ପରିକ୍ରମା: ସ୍ବଚ୍ଛଗଙ୍ଗା ଲାଗି ଅବସରପ୍ରାପ୍ତ ସେନା ଅଧିକାରୀମାନଙ୍କ ଅନନ୍ୟ ଅଭିଯାନ

ଦେଶରକ୍ଷା କାର୍ଯ୍ୟରେ ନିୟୋଜିତ ହୋଇ ସାମରିକ ଅଧିକାରୀମାନେ ଦେଶସେବା କରିଥାନ୍ତି। କିନ୍ତୁ ଅବସର ପରେ ବରିଷ୍ଠ ସେନା ଅଧିକାରୀମାନେ ପ୍ରଦୂଷିତା ଓ ରୁଗ୍ଣା ଗଙ୍ଗାନଦୀକୁ ବଞ୍ଚାଇବା ପାଇଁ ଯେଉଁ ସଂଗ୍ରାମ ଜାରି ରଖିଛନ୍ତି ତାହା ଅତ୍ୟନ୍ତ ପ୍ରେରଣାଦାୟକ। ଅତୁଲ୍ୟ ଗଙ୍ଗା ପରିକ୍ରମା ଅଭିଯାନରେ ବରିଷ୍ଠ ସେନା କର୍ମଚାରୀମାନେ ୧୯୦ ଦିନରେ ୫୫୩୦ କିଲୋମିଟର ଅତିକ୍ରମ କରିଛନ୍ତି। ଗଙ୍ଗାର ପୁନରୁଜ୍ଜୀବନ ପାଇଁ ଏହା ହେଉଛି ଏକ ନିରବଚ୍ଛିନ୍ନ ୱାକାଥନ୍, ଯାହାକୁ ୧୬ ଡିସେମ୍ବର ୨୦୨୦ରେ ପ୍ରୟାଗରାଜଠାରେ ଉତ୍ତରପ୍ରଦେଶର ରାଜ୍ୟପାଳ ଆନନ୍ଦିବେନ ପଟେଲ ଉଦ୍‌ଘାଟନ କରିଥିଲେ ଏବଂ ୨୩ ଜୁନ୍ ୨୦୨୧ରେ ଏହା ସଫଳଭାବେ ସମ୍ପୂର୍ଣ୍ଣ ହୋଇଥିଲା। ଜୀବନର ଯୌବନରେ ଦେଶର ସେନାରେ ନିୟୋଜିତ ହୋଇ ଦେଶମାତୃକାର ସେବା କରିଥିବା ବେଳେ ଏହି ବରିଷ୍ଠ ନାଗରିକମାନେ ଜୀବନର ଅବଶିଷ୍ଟ ସମୟକୁ ଗଙ୍ଗାମାତାଙ୍କ ପୁନରୁଜ୍ଜୀବନରେ କଟାଇଦେବାକୁ ନିଷ୍ପତ୍ତି ନେଇଛନ୍ତି।

ଭାରତର ସଭ୍ୟତା ଯେଉଁ ଗଙ୍ଗାନଦୀ କୂଳରେ ଗଢ଼ିଉଠିଥିଲା ସେହି ଗଙ୍ଗାମାତାଙ୍କୁ ବଞ୍ଚାଇବା ପାଇଁ ସାମାଜିକ କ୍ଷେତ୍ରରେ ‘ଅତୁଲ୍ୟ ଗଙ୍ଗା’ ହେଉଛି ଭାରତର ଅବସରପ୍ରାପ୍ତ ବରିଷ୍ଠ ସେନା କର୍ମଚାରୀଙ୍କ ପ୍ରଥମ ଅଭିଯାନ। ନଦୀ ନ ରହିଲେ ସଭ୍ୟତାର ଭବିଷ୍ୟତ ରହିବ ନାହିଁ। ତେଣୁ ୭୯ ବର୍ଷୀୟ ପୂର୍ବତନ ସାମରିକ ଯନ୍ତ୍ରୀ ତଥା ପର୍ବତାରୋହୀ ଗୋପାଲ ଶର୍ମା, ୭୦ ବର୍ଷୀୟ ଆଣ୍ଟାର୍କଟିକା ଅଗ୍ରଦୂତ ତଥା ପର୍ବତାରୋହୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ହେମ ଲୋହୁମି, ବହୁମୁଖୀ ଦୁଃସାହସିକ ଯାତ୍ରା ସଂଗଠକ ୫୩ ବର୍ଷୀୟ କର୍ଣ୍ଣେଲ ମନୋଜ କେଶୱାର, ମେଜର ଜେନେରାଲ ବ୍ରଜେଶ କୁମାର, ମେଜର ଜେନେରାଲ ବିନୋଦ ଭଟ୍ଟ ପ୍ରମୁଖ ଏହି ଅଭିଯାନର ପ୍ରଶିକ୍ଷକ ଥିବାବେଳେ ଲେଫ୍ଟନାଣ୍ଟ ଜେନେରାଲ ଏସ୍‌ଏ କ୍ରୁଜ ଥିଲେ ମୁଖ୍ୟ ତାଲିମଦାତା। ଏଥି ସହ ଲେଫ୍ଟନାଣ୍ଟ ଜେନେରାଲ ଏସ୍‌ଡି ଦୁହାନ ୱାକାଥନର ଡାକ୍ତରୀ ପରାମର୍ଶଦାତା ଥିଲେ। ଅତୁଲ୍ୟ ଗଙ୍ଗା ପ୍ରକଳ୍ପର ଅଭିପ୍ରାୟ ହେଉଛି ଗଙ୍ଗାର ଅତୀତ ଗୌରବ ଫେରାଇ ଆଣିବା ପାଇଁ ସମସ୍ତ ସରକାରୀ, ବେସରକାରୀ, ସ୍ବେଚ୍ଛାସେବୀ ଓ ସାଧାରଣ ନାଗରିକଙ୍କ ପ୍ରଚେଷ୍ଟାକୁ ଆହୁରି କ୍ରିୟାଶୀଳ କରିବା। ୨୦୨୦ରୁ ୩୦ ଭିତରେ ଅର୍ଥାତ୍ ୧୧ ବର୍ଷ ଭିତରେ ଉତ୍ତରାଧିକାରୀମାନଙ୍କୁ ଏକ ସ୍ବଚ୍ଛ ଓ ନିର୍ମଳ ଗଙ୍ଗାନଦୀ ପ୍ରଦାନ କରିବା ହେଉଛି ସେମାନଙ୍କ ଲକ୍ଷ୍ୟ।
ଅତୁଲ୍ୟ ଗଙ୍ଗା ପ୍ରକଳ୍ପର ଭିତ୍ତି ଚାରୋଟି ସ୍ତମ୍ଭ ଉପରେ ଦଣ୍ଡାୟମାନ। ସେଗୁଡ଼ିକ ହେଉଛି:

୧) ଗଙ୍ଗା ପରିକ୍ରମା: ୧୯୦ ଦିନରେ ୫୫୩୦ରୁ ଅଧିକ କିଲୋମିଟର ଯାତ୍ରା କରିବା ଭିତରେ ସାଧାରଣ ଲୋକ, ସରକାର ଓ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରାଯାଇପାରିଛି। ୫ ନିୟୁତ ଲୋକଙ୍କ ପାଖରେ ନଦୀ ସୁରକ୍ଷା ସମ୍ବନ୍ଧୀୟ ବାର୍ତ୍ତା ପହଞ୍ଚିପାରିଛି।
୨) ପ୍ରଦୂଷଣ ପରିମାପନ: ପରିକ୍ରମା ସମୟରେ ମେଜର ଜେନେରାଲ ଭଟ୍ଟଙ୍କ ନେତୃତ୍ବରେ ଗଠିତ ଟିମ୍ ଗଙ୍ଗାର କେଉଁଠି କେତେ ପ୍ରଦୂଷଣ ହୋଇଛି ଏବଂ ପ୍ରଦୂଷଣର ଉତ୍ସଗୁଡ଼ିକ କ’ଣ ତାହାର ଆକଳନ କରିଥିଲେ। ଏକ ଗଙ୍ଗା ହେଲ୍‌ଥ ଡ୍ୟାସବୋର୍ଡ ପ୍ରସ୍ତୁତ କରାଯାଉଛି, ଯେଉଁଥିରୁ ପ୍ରଦୂଷଣର ସ୍ଥାନ ଆଦି ନିରୁପଣ କରିବା ସହଜ ହେବ।
୩) ବୃକ୍ଷମାଳ ଅଭିଯାନ: ମୃତ୍ତିକା କ୍ଷୟକୁ ରୋକିବା, ବନ୍ୟା ନିୟନ୍ତ୍ରଣ ଓ ଭୂତଳ ଜଳସ୍ତର ଠିକ୍ ରଖିବା ପାଇଁ ନଦୀକୂଳ ଓ ଅବବାହିକାଗୁଡ଼ିକରେ ବ୍ୟାପକ ବନୀକରଣର ଆବଶ୍ୟକତା ରହିଛି। ଉକ୍ତ ପରିକ୍ରମା ଅବସରରେ ବର, ନିମ୍ବ ଓ ଅଶ୍ବତ୍ଥ ପ୍ରଭୃତି ଗଛର ୩୦,୦୦୦ରୁ ଊର୍ଦ୍ଧ୍ବ ଚାରା ରୋପଣ କରାଯାଇଥିଲା। କେଉଁଠି କେଉଁ ଗଛ ଲଗାଇଲେ ଅଧିକ ବଞ୍ଚିବାର ସମ୍ଭାବନା ରହିଛି, ସେ ବିଷୟରେ ପରାମର୍ଶ ଦେବା ପାଇଁ ଜଣେ ବିଶେଷଜ୍ଞଙ୍କୁ ମଧ୍ୟ ନିଆଯାଇଥିଲା।
୪) ଯୁବବର୍ଗକୁ ପ୍ରେରଣା: ଭାରତର ଜାତୀୟ ଐତିହ୍ୟରେ ଯୁବବର୍ଗଙ୍କ ଭୂମିକା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଏଣୁ ବିଭିନ୍ନ ସ୍କୁଲ, କଲେଜ, ଗ୍ରାମ ପଞ୍ଚାୟତ ଆଦି ଯାଇ ଶହ ଶହ ସାଧାରଣ ସଭା କରି ଯୁବବର୍ଗକୁ ଅନୁପ୍ରାଣିତ କରାଯାଇଥିଲା।

ବରିଷ୍ଠ ସେନା କର୍ମଚାରୀମାନଙ୍କ ଦ୍ବାରା ୧୯୦ ଦିନରେ ଗଙ୍ଗାନଦୀର ଉଭୟ ପାର୍ଶ୍ବ ପରିକ୍ରମା କରାଯାଇଥିଲା। ଏହି ଅବସରରେ ସେମାନେ ଗଙ୍ଗାକୂଳରେ ବାସ କରୁଥିବା ୧୦ ନିୟୁତରୁ ଅଧିକ ଲୋକଙ୍କୁ ଭେଟିଥିଲେ। ସେମାନଙ୍କ ସହ ଭାବବିନିମୟ ଓ ପ୍ରତ୍ୟକ୍ଷ ଅନୁଭୂତିରୁ ଅଭିଯାତ୍ରୀମାନେ ଯାହା ଶିକ୍ଷା କରିଛନ୍ତି ତାହାର ସାରାଂଶ ଦିଆଗଲା:

ଗଙ୍ଗାତ୍ବ: ଗଙ୍ଗାନଦୀର ବିଶେଷତ୍ବ ହେଉଛି ମ୍ୟାଜିକ୍ ଭଳି ଏହା ନିଜକୁ ନିଜେ ସଫା କରିବାର କ୍ଷମତା ରଖେ । ୧୦-୧୫ କିଲୋମିଟର ପ୍ରବାହିତ ହେବା ଭିତରେ ଏହା ତା’ ଭିତରେ ଥିବା ମଇଳାକୁ ସଫା କରିବାରେ ସଫଳ ହୋଇଥାଏ। ଏଥିପାଇଁ ପୃଥିବୀର ସବୁ ନଦୀଠାରୁ ଗଙ୍ଗାନଦୀ ନିଆରା।

କାଚ ବର୍ଜ୍ୟ: ଗଙ୍ଗାନଦୀ ଭିତରକୁ ପ୍ଲାଷ୍ଟିକ୍ ସମେତ କାଚ ବର୍ଜ୍ୟ ଫିଙ୍ଗିଦିଆଯାଉଛି, ଯାହା ଭବିଷ୍ୟତରେ ବଡ଼ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ଅଛି।

ପ୍ରଦୂଷଣର ଅବସ୍ଥା: ପରିକ୍ରମାକାରୀ ଦଳ ଗଙ୍ଗାନଦୀ ପ୍ରଦୂଷଣର ମାତ୍ରା ୨୨୪ ପଏଣ୍ଟ ବୋଲି ମାପିବା ସହ ୨୫୦୦ କିଲୋମିଟର ଭିତରେ ନଦୀ ଭିତରକୁ ୩୨୯ଟି ମଇଳା ନାଳ ଏବଂ ୨୦୧ଟି ଋତୁକାଳୀନ ନାଳ ଛଡ଼ାଯାଇଥିବା ଗଣନା କରିଛନ୍ତି।

ଗୃହହୀନ ଗଙ୍ଗା: ଗଙ୍ଗାନଦୀର ଚିହ୍ନଟ ହୋଇଥିବା ଜମି, ସୀମା ଓ ବନ୍ୟାଞ୍ଚଳ ନାହିଁ। ତେଣୁ ବିଭିନ୍ନ ସ୍ଥାନରେ ଲୋକେ ଏହାକୁ ଜବରଦଖଲ କରୁଛନ୍ତି।

ବିହାରର ଅବକ୍ଷିପ୍ତ ପାହାଡ଼: ଗଙ୍ଗାନଦୀ ଦ୍ବାରା ବୋହି ଆସୁଥିବା ମାଟି, ଗୋଡ଼ି, ପଟୁ ଆଦି ଜମି ପାହାଡ଼ ପରି ହୋଇଛି। ଏହାର ଯଦି କିଛି ପ୍ରତିକାର କରା ନ ଯାଏ ବିହାରରେ ଆଗାମୀ ଦିନରେ ବଡ଼ ଧରଣର ବିପର୍ଯ୍ୟୟ ଘଟିବାର ସମ୍ଭାବନା ଅଛି। କାରଣ ଏହାଦ୍ବାରା ଗଙ୍ଗାନଦୀ ବଙ୍ଗୋପସାଗରରେ ପଡ଼ିବାରେ ଅସୁବିଧା ହେବ।

ଜଳ ପ୍ରବାହ କମୁଛି: ଗଙ୍ଗାନଦୀର ଅନେକ ସ୍ଥାନରେ ମାତ୍ର ୧-୨ ଫୁଟ ଗଭୀର ଜଳ ଦେଖିବାକୁ ମିଳୁଛି। ଏଥିରୁ ନଦୀର ଜଳପ୍ରବାହ କମୁଥିବା ଜଣାପଡ଼ୁଛି।

ବିକାଶ ହେତୁ ବିନାଶ: ଗଙ୍ଗାନଦୀ କୂଳ ସାରା କଳକାରଖାନା ଗଢ଼ିଉଠିଛି। ବିକାଶ ନାଁରେ ଗଢ଼ିଉଠିଥିବା ଏହିସବୁ ଶିଳ୍ପ ଆଗାମୀ ଦିନରେ ପୂରା ନଦୀଟାକୁ ଖାଇଯିବ। ନଦୀ ଉପରେ ବନ୍ଧ ବାନ୍ଧିବା ଉପରେ ପୁନର୍ବିଚାର କରିବା ଉଚିତ କାରଣ ଏହା ନଦୀର ସ୍ବଚ୍ଛନ୍ଦ ପ୍ରବାହରେ ବାଧା ସୃଷ୍ଟି କରୁଛି।

(ଏହି ଆଲେଖ୍ୟଟି ‘ସମ୍ବାଦ ଡିଜିଟାଲ୍’ର ପରିବେଶ ସଚେତନତା ଅଭିଯାନ ‘ପୁନଶ୍ଚ ପୃଥିବୀ-ୱାନ୍ ଆର୍ଥ, ୟୁନାଇଟ୍ ଫର୍ ଇଟ୍’ର ଅଂଶବିଶେଷ)

The post ଅତୁଲ୍ୟ ଗଙ୍ଗା ପରିକ୍ରମା: ସ୍ବଚ୍ଛଗଙ୍ଗା ଲାଗି ଅବସରପ୍ରାପ୍ତ ସେନା ଅଧିକାରୀମାନଙ୍କ ଅନନ୍ୟ ଅଭିଯାନ first appeared on Sambad.

from ବିଶେଷ | Sambad https://ift.tt/3hfBWb4

Post a Comment

0 Comments