୧୨ ବର୍ଷ ବୟସରେ ଘରୁ ପଳାଇଆସିଥିଲେ ଶିଷ୍ୟ, ବ୍ୟାଙ୍କ ଚାକିରି ଛାଡ଼ି ସନ୍ନ୍ୟାସୀ ହୋଇଥିଲେ ଗୁରୁ

ପ୍ରୟାଗରାଜ: ଅଖିଳ ଭାରତୀୟ ଆଖଡ଼ା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କର ମୃତ୍ୟୁ ହୋଇଛି। ପୁଲିସ ଘଟଣାସ୍ଥଳରୁ ଏକ ଆତ୍ମହତ୍ୟା ନୋଟ ମଧ୍ୟ ଜବତ କରିଛି। ଆତ୍ମହତ୍ୟା ନୋଟରେ ଆନନ୍ଦ ଗିରିଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ କରାଯାଇଥିଲା। ଆତ୍ମହତ୍ୟା କରିଥିବା ନୋଟରେ ନରେନ୍ଦ୍ର ଗିରି ଲେଖିଥିଲେ ଯେ ଆନନ୍ଦ ଗିରି ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିଲେ। ଏହାକୁ ଭିତ୍ତି କରି ପୁଲିସ ପ୍ରଥମେ ଆନନ୍ଦ ଗିରିଙ୍କୁ ଅଟକ ରଖି ପରେ ଗିରଫ କରିଥିଲା। ତେବେ ଆନନ୍ଦ ଗିରିଙ୍କୁ ଦୀକ୍ଷା ମହନ୍ତ ନରେନ୍ଦ୍ର ଗିରି ହିଁ ପ୍ରଦାନ କରିଥିଲେ। ଅବଶ୍ୟ କିଛି ବିବାଦ ପରେ ତାଙ୍କୁ ମଠରୁ ବାହାର କରାଯାଇଥିଲା | ତେବେ ଆଜି ଆମେ ଆପଣଙ୍କୁ ଉଭୟ ଗୁରୁ-ଶିଷ୍ୟଙ୍କର ଅତୀତ ବାବଦରେ କିଛି କହିବୁ | ସାଧାରଣ ମଣିଷରୁ କିଭଳି ସେମାନେ ସନ୍ନ୍ୟାସୀ ହୋଇଥିଲେ ସେ କାହାଣୀ ଆଜି ଆମେ ଆପଣଙ୍କୁ କହିବୁ |

‘ଟିଭିରେ ଦେଖି ଜାଣିଥିଲେ ଯେ ପୁଅ ସନ୍ନ୍ୟାସୀ ହୋଇଯାଇଛି’
ଆନନ୍ଦ ଗିରିଙ୍କ ଗ୍ରାମ ରାଜସ୍ଥାନର ଭିଲୱାରାର ସରେରୀ ଗାଁରେ ହୋଇଥିବାବେଳେ ତାଙ୍କ ପ୍ରକୃତ ନାମ ହେଉଛି ଅଶୋକ ଚୋଟୀଆ | ଚାରି ଭାଇଙ୍କ ମଧ୍ୟରୁ ସେ ସବୁଠାରୁ ସାନ ହୋଇଥିବାବେଳେ ୧୯୯୬ ମସିହାରେ, ମାତ୍ର ୧୨ ବର୍ଷ ବୟସରେ ସେ ଘର ଛାଡ଼ି ପଳାଇଆସିଥିଲେ | ଏହା ପରେ ସେ ସିଧା ହରିଦ୍ୱାର ଯାଇ ଜଣେ ସାଧୁଙ୍କ ମାଧ୍ୟମରେ ପ୍ରଥମ ଥର ପାଇଁ ନରେନ୍ଦ୍ର ଗିରିଙ୍କୁ ଭେଟିଥିଲେ। ନରେନ୍ଦ୍ର ଗିରି ଅଶୋକଙ୍କୁ ତାଙ୍କର ଶିଷ୍ୟ କରିଥିଲେ ଏବଂ ୨୦୦୦ ମସିହାରେ ଅଶୋକ ସନ୍ନ୍ୟାସୀ ହେବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ଅଶୋକ ବାଗମ୍ବରୀ ମଠକୁ ତାଙ୍କ ବାସସ୍ଥାନ ଏବଂ ନରେନ୍ଦ୍ର ଗିରିଙ୍କୁ ତାଙ୍କର ଗୁରୁ ଭାବରେ ମାନିନେଇଥିଲେ | ୨୦୦୧ ମସିହାରେ ଟିଭିରେ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସେ ଭାଷଣ ଦେଉଥିବାବେଳେ ତାଙ୍କ ପରିବାର ଅଶୋକଙ୍କୁ ଚିହ୍ନିଥିଲେ | କିନ୍ତୁ ସେତେବେଳକୁ ସେ ଜଣେ ସନ୍ନ୍ୟାସୀ ହୋଇସାରିଥିଲେ | ୨୦୧୨ ମସିହାରେ ଅଶୋକଙ୍କ ନାମ ନରେନ୍ଦ୍ର ଗିରି ଭାବେ ପରିବର୍ତ୍ତନ ହୋଇଥିଲା | ତେବେ ବିବାଦ ପରେ ନରେନ୍ଦ୍ର ଗିରି ଆନନ୍ଦଙ୍କୁ ମଠରୁ ବାହାର କରିଦେଇଥିଲେ ଏବଂ ସେ(ଆନନ୍ଦ ଗିରି) ବର୍ତ୍ତମାନ ହରିଦ୍ୱାରରେ ରହୁଥିଲେ।

ବ୍ୟାଙ୍କରେ ଚାକିରି କରୁଥିଲେ ମହନ୍ତ ନରେନ୍ଦ୍ର ଗିରି
ମହନ୍ତ ନରେନ୍ଦ୍ର ଗିରି ଓରଫ ନରେନ୍ଦ୍ର ସିଂ ମଧ୍ୟ ପୂର୍ବରୁ ବ୍ୟାଙ୍କରେ କାମ କରୁଥିଲେ। ବ୍ୟାଙ୍କ ଅଫ୍ ବରୋଦାରେ ଚାକିରି ପାଇବା ପରେ ପରିବାର ପକ୍ଷରୁ ନରେନ୍ଦ୍ରଙ୍କୁ ବାରମ୍ବାର ବିବାହ କରିବାକୁ କୁହାଯାଉଥିଲା | କିନ୍ତୁ ସେ ଏହା ପାଇଁ ଆଦୌ ପ୍ରସ୍ତୁତ ନଥିଲେ। ପରିବାରର ଚାପରେ ନରେନ୍ଦ୍ର ସବୁ ଦିନ ପାଇଁ ଚାକିରି ଛାଡ଼ି ସନ୍ନ୍ୟାସୀ ହେବାକୁ ଚାଲିଯାଇଥିଲେ | ନରେନ୍ଦ୍ର ସିଂଙ୍କ ବାପା ଭାନୁ ପ୍ରତାପ ମଧ୍ୟ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନର ସଦସ୍ୟ ଥିଲେ ଏବଂ ସାମାଜିକ କାର୍ଯ୍ୟରେ ମଧ୍ୟ ସକ୍ରିୟ ଥିଲେ। ଚାରି ଭାଇଙ୍କ ମଧ୍ୟରୁ ନରେନ୍ଦ୍ର ଗିରି ଦ୍ୱିତୀୟ ଥିଲେ। ତାଙ୍କର ଦୁଇ ଭାଇ ଶିକ୍ଷକ ଥିବାବେଳେ ଜଣେ ଭାଇ ହୋମଗାର୍ଡ ଭାବରେ କାମ କରନ୍ତି | ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଖବର ଆସିବା ମାତ୍ରେ ପରିବାରର ସମସ୍ତ ସଦସ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କ ମାମୁଁ ମହେଶ ସିଂ ଏକ ସାକ୍ଷାତକାରରେ କହିଛନ୍ତି ଯେ ନରେନ୍ଦ୍ର ତାଙ୍କ ଜୀବନରେ ଏତେଗୁଡ଼ିଏ ଉତ୍ଥାନ-ପତନ ଦେଖିଥିଲେ ଯେ ସେ ଆତ୍ମହତ୍ୟା କରିପାରିବେ ନାହିଁ।

The post ୧୨ ବର୍ଷ ବୟସରେ ଘରୁ ପଳାଇଆସିଥିଲେ ଶିଷ୍ୟ, ବ୍ୟାଙ୍କ ଚାକିରି ଛାଡ଼ି ସନ୍ନ୍ୟାସୀ ହୋଇଥିଲେ ଗୁରୁ first appeared on Sambad.

from ବିଶେଷ | Sambad https://ift.tt/3zvge95

Post a Comment

0 Comments