ହୃଦ୍‌ରୋଗରୁ କିପରି ମୁକ୍ତି ପାଇବେ: ମାନସିକ ଚାପରୁ ଦୂରେଇ ରହନ୍ତୁ, ଧୂମପାନ ଏବଂ ତମାଖୁ ସେବନଠାରୁ ଦୂରେଇ ରହନ୍ତୁ

ଡାକ୍ତର ମହେନ୍ଦ୍ର ତ୍ରିପାଠୀ
ଲୋକଙ୍କୁ ହୃତ୍‌ପିଣ୍ଡ ଓ ହୃଦରୋଗ ସଂପର୍କରେ ସଚେତନ କରାଇବା ଉ‌‌ଦ୍ଦେଶ୍ୟରେ ୨୦୦୦ ମସିହା ସେପ୍ଟେମ୍ବର ୨୯ ତାରିଖରୁ ବିଶ୍ବ ହୃତ୍‌ପିଣ୍ଡ ଦିବସ ପାଳିତ ହୋଇଆସୁଛି। କିନ୍ତୁ ବିଶ୍ୱରେ ହୃଦ୍‌ରୋଗ ଜନିତ ମୃତ୍ୟୁ ସଂଖ୍ୟା ଉଦ୍‌ବେଗଜନକ। ପ୍ରତିବର୍ଷ ପ୍ରାୟ ୧୭.୩ ନିୟୁତ ଲୋକ ଏହି ରୋଗରେ ପ୍ରାଣ ହରାଇଥାନ୍ତି। ୨୦୩୦ ମସିହା ସୁଦ୍ଧା ଏହି ମୃତ୍ୟୁ ସଂଖ୍ୟା ୨୩ ନିୟୁତ ଛୁଇଁବା ଆଶଙ୍କା କରାଯାଉଛି। ଏହି ସଂଖ୍ୟା ଅଷ୍ଟ୍ରେଲିଆର ଜନସଂଖ୍ୟା ସହିତ ପ୍ରାୟ ସମାନ। କିନ୍ତୁ ୟା’ମାନେ ନୁହେଁ ଯେ ଏହା ମଣିଷ ଭାଗ୍ୟର କଥା ଓ ଏଥିରୁ ବର୍ତ୍ତିହେବ ନାହିଁ। କିଛି ଲୋକଙ୍କ କ୍ଷେତ୍ରରେ ବୟସ, ଲିଙ୍ଗ ଓ ବଂଶାନୁକ୍ରମିକ ଯୋଗୁଁ ହୃଦ୍‌ରୋଗ ଭଳି ସମସ୍ୟା ଦେଖା‌ଦେଇଥାଏ। ନଚେତ୍‌ କେତୋଟି ସହଜ ଏବଂ ସୁବିଧା ପନ୍ଥା ଅବଲମ୍ବନ କଲେ ଆମେ ଆମ ହୃତ୍‌ପିଣ୍ଡକୁ ସର୍ବଦା ସୁସ୍ଥ ରଖିବା ସହ ଏହି ପ୍ରାଣଘାତୀ ରୋଗରୁ ନିଜକୁ ବଞ୍ଚାଇ ପାରିବା।

ମାନସିକ ଚାପ ତଥା ମାନସିକ ବିଡ଼ମ୍ବନା ବିଭିନ୍ନ ହୃଦ୍‌ରୋଗର କାରଣ ହୋଇଥାଏ। ମାନସିକ ଚାପ ମଣିଷକୁ ଅସ୍ତବ୍ୟସ୍ତ କରି ଶରୀରର ବିଭିନ୍ନ ପ୍ରକାର ହରମୋନ ସ୍ନାୟୁ ଓ ମସ୍ତିଷ୍କରେ ବିଭିନ୍ନ ପରିବର୍ତ୍ତନ ଆଣିଥାଏ। ଏହା ଦ୍ୱାରା ଶରୀରର ବିଭିନ୍ନ ଧମନୀ ଓ ରକ୍ତ ପ୍ରବାହରେ ପରିବର୍ତନ ହୋଇଥାଏ। ରକ୍ତରେ ତୈଳୀୟ ପଦାର୍ଥ ଯଥା ଟ୍ରାଇଗ୍ଲିସେରାଇଡ୍ ଓ କୋଲେଷ୍ଟ୍ରଲ ମାତ୍ରା ଓ ରକ୍ତଚାପ ବଢ଼ିଥାଏ। ଫଳରେ ଏହା ପ୍ରଭାବରେ ହୃଦୟ, ମସ୍ତିଷ୍କ ଓ ରକ୍ତରେ ବିଭିନ୍ନ ପ୍ରକାରର ରୋଗ ଆରମ୍ଭ ହୁଏ। ହୃତ୍‌ପିଣ୍ଡର ଧମନୀରେ ରକ୍ତ ପ୍ରବାହ ଅବରୋଧ ହେଲେ, ଏହା ବିଭିନ୍ନ ପ୍ରକାର ଜଟିଳ ହୃଦ୍‌ରୋଗକୁ ନିମନ୍ତ୍ରଣ କରିଥାଏ।

ସେହି ସମୟରେ ରୋଗୀକୁ ଉପଯୁକ୍ତ ଚିକିତ୍ସା କରାନଗଲେ ଅନେକେ ମୃତ୍ୟୁମୁଖରେ ପଡ଼ିଥାନ୍ତି। ମାନସିକ ଚାପ ସହିତ ଉଚ୍ଚ ରକ୍ତଚାପ ଉଚ୍ଚ ମାତ୍ରାରେ କୋଲେଷ୍ଟ୍ରଲ (ଡାଇବେଟିସ୍‌) ରୋଗ, ଧୂମପାନ ଆଦି ହୃଦରୋଗକୁ ସହଜରେ ଆମନ୍ତ୍ରଣ କରିଥାଏ। ମଣିଷ ପ୍ରୟାସ କଲେ ନିଜ ଇଛା ଶକ୍ତିକୁ ବଢ଼ାଇ ମାନସିକ ଚାପକୁ ଦୂର କରିପାରିବ। ଅନେକ ସମୟରେ ପରିସ୍ଥିତି ଓ ବାତାବରଣ ଯଥା–ଚାକିରି କ୍ଷେତ୍ରରେ ଅଶାନ୍ତି, ପାରିବାରିକ କଳହ, ବୈବାହିକ ଜୀବନରେ ଅଶାନ୍ତି ଭଳି ମାନସିକ ଚାପ ମଣିଷକୁ ଭିତରୁ ଦୁର୍ବଳ କରିଦେଇଥାଏ। ତେଣୁ ଏସବୁ ସମସ୍ୟାକୁ ଦୃଢ଼ତାର ସହ ସମ୍ମୁଖୀନ ହେବା ଉଚିତ। ଯଦି ଚେଷ୍ଟା ପରେ ବି ମାନସିକ ଚାପ ଦୂର ହୋଇପାରୁନାହିଁ, ସେ କ୍ଷେତ୍ରରେ ଡାକ୍ତରଙ୍କ ସାହାଯ୍ୟ ନେବା ଦରକାର। ଏହା ଦ୍ୱାରା ହୃଦ୍‌ରୋଗ ଭଳି ମାରାତ୍ମକ ରୋଗରୁ ରକ୍ଷା ପାଇପାରିବା।

ଧୂମପାନ ଏବଂ ତମାଖୁ ସେବନଠାରୁ ଦୂରେଇ ରହନ୍ତୁ

ଧୂମପାନ ଏବଂ ତମାଖୁ ବ୍ୟବହାର କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ହୃଦ୍‌ରୋଗ ହେବାରେ ବେଶି ଆଶଙ୍କା ଥାଏ। ତମାଖୁରେ ବ୍ୟବହାର ହେଉଥିବା ରାସାୟନିକ ପଦାର୍ଥ ହୃତ୍‌ପିଣ୍ଡ ଓ ଧମନୀର ପ୍ରଭୂତ କ୍ଷତି କରିଥା’ନ୍ତି। ଏହାଦ୍ବାରା ହୃତ୍‌ପିଣ୍ଡର ଧମନୀଗୁଡ଼ିକ ଅଣଓସାରିଆ ହୋଇଯାଇଥାଏ ଏବଂ ଏହା ହୃଦ୍‌ଘାତ ଭଳି ଗୁରୁତର ସମସ୍ୟା ଦେଖା‌ଦିଏ। ତେଣୁ ଧୂମପାନ ଏବଂ ତମାଖୁ ସେବନଠାରୁ ଦୂରରେ ରହିବା ଉଚିତ।

ନିୟମିତ ୩୦ ମିନିଟ୍ ବ୍ୟାୟାମ କରନ୍ତୁ
ଦିନକୁ ଅନ୍ତତଃ ୩୦ ମିନିଟ୍ ଶାରୀରିକ ବ୍ୟାୟାମ କରନ୍ତୁ। ଏହା ଆପଣଙ୍କ ଓଜନକୁ ନିୟନ୍ତ୍ରଣରେ ରଖିବା ସହ ଉଚ୍ଚରକ୍ତଚାପ କୋଲେଷ୍ଟ୍ରଲ ଏବଂ ଡାଇବେଟିସ୍‍ଠାରୁ ଦୂରେଇ ରଖିବ।

ସନ୍ତୁଳିତ ଆହାର ନିଅନ୍ତୁ
ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାକୁ ହେଲେ ଆପଣଙ୍କ ଖାଦ୍ୟପେୟରେ କିଛିଟା ପରିବର୍ତ୍ତନ କରିବାକୁ ହେବ। ଅତ୍ୟଧିକ ତେଲ ମସଲାଯୁକ୍ତ ଖାଦ୍ୟ ବଦଳରେ ତାଜା ଫଳମୂଳ ଓ ସତେଜ ପନିପରିବା ଅଧିକ ଖାଆନ୍ତୁ। ମଦ୍ୟପାନଠାରୁ ବି ଦୂରେଇ ରୁହନ୍ତୁ। ଏହାଦ୍ୱାରା ରକ୍ତରେ କୋଲେଷ୍ଟ୍ରଲ ମାତ୍ରା କମ୍ ରହିବ।
ଓଜନ ନିୟନ୍ତ୍ରଣ କରନ୍ତୁ
ଅତ୍ୟଧିକ ଓଜନ ବୃଦ୍ଧିରୁ ହିଁ ଉଚ୍ଚ କୋଲେଷ୍ଟ୍ରଲ, ଉଚ୍ଚରକ୍ତଚାପ ଏବଂ ଡାଇବେଟିସ୍‌ ଭଳି ସମସ୍ୟା ଦେଖା ଦେଇଥାଏ। ଯାହାକି ହୃତ୍‌ପିଣ୍ଡର କ୍ଷତି କରିଥାଏ। ତେଣୁ ଓଜନ ଓ ଉଚ୍ଚତାକୁ ନେଇ ହିସାବ କରି ନିଅନ୍ତୁ ଯେ ଆପଣଙ୍କ ଓଜନ ଅଧିକ ହୋଇଛି କି ନାହିଁ। ଯଦି ଆପଣଙ୍କ ବଡି-ମାସ୍‌ ଇଣ୍ଡେକ୍ସ ୨୫ କିମ୍ବା ତା’ଠାରୁ ଅଧିକ, ତାହା ହୃତ୍‌ପିଣ୍ଡ ପାଇଁ ବିପଦ।
ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରନ୍ତୁ
ହୃଦରୋଗଠାରୁ ଦୂରେଇ ରହିବା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ ହେବ ଏବଂ ନିୟମିତ ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଡାଇବେଟିସ୍‌ ପରୀକ୍ଷା କରାଇ ନେବା ଉଚିତ।

The post ହୃଦ୍‌ରୋଗରୁ କିପରି ମୁକ୍ତି ପାଇବେ: ମାନସିକ ଚାପରୁ ଦୂରେଇ ରହନ୍ତୁ, ଧୂମପାନ ଏବଂ ତମାଖୁ ସେବନଠାରୁ ଦୂରେଇ ରହନ୍ତୁ first appeared on Sambad.

from ବିଶେଷ | Sambad https://ift.tt/3maj1zQ

Post a Comment

0 Comments