ପାଠପଢ଼ାଇବା ପାଇଁ କିଡନି ବିକିବାକୁ ପ୍ରସ୍ତୁତ ‌ଥିଲେ ବାପା, ପୁଅ ଆଇପିଏସ ହୋଇ ପୂରା କଲେ ସ୍ବପ୍ନ

ନୂଆଦିଲ୍ଲୀ: ଆଜି ଆମେ ଆପଣଙ୍କୁ ଏମିତି ଜଣେ ବାପାଙ୍କ ବିଷୟରେ କହିବୁ ଯିଏ ପୁଅର ଶିକ୍ଷା ପାଇଁ ନିଜର କିଡନି ବିକ୍ରି କରିବାକୁ ପ୍ରସ୍ତୁତ ଥିଲେ। ଏହାର ପ୍ରତିବଦଳରେ ଆଜି ତାଙ୍କ ପୁଅ ଆଇପିଏସ୍ ଅଧିକାରୀ ହୋଇ ବାପାଙ୍କୁ ଗର୍ବିତ କରିଛନ୍ତି।

ଆଇପିଏସ୍ ଇନ୍ଦ୍ରଜିତ ମହଥାଙ୍କ ଜନ୍ମ ଝାଡଖଣ୍ଡର ବୋକାରୋ ଜିଲ୍ଲାର ଏକ ଛୋଟ ଗାଁରେ ଅତି ଗରିବ ପରିବାରରେ ହୋଇଥିଲା।

ଯେତେବେଳେ ଇନ୍ଦ୍ରଜିତ ପଞ୍ଚମ ଶ୍ରେଣୀରେ ପଢ଼ୁଥିଲେ, ସେତେବେଳେ ସେ ତାଙ୍କ ଆଖିରେ ଆଇପିଏସ୍ ଅଧିକାରୀ ହେବାର ସ୍ୱପ୍ନକୁ ସଜାଇ ଦେଇଥିଲେ।

ଇନ୍ଦ୍ରଜିତ୍ କହିଛନ୍ତି ଯେ, ‘ଜଣେ ଶିକ୍ଷକ ପଞ୍ଚମ ଶ୍ରେଣୀରେ ଜିଲ୍ଲା ପ୍ରଶାସନ ବିଷୟରେ ଏକ ଅଧ୍ୟାୟ ପଢ଼ାଉଥିଲେ । ସେବେଠାରୁ ଜଣେ ଅଧିକାରୀ ହେବାକୁ ନିଷ୍ପତ୍ତି ନେଇଥିଲି।।ମୋର ବାପା ଜଣେ ଗରିବ କୃଷକ । ସେ ବହୁତ କଷ୍ଟରେ ପରିବାର ଚଳାଉଥିଲେ। ଘରର ଅବସ୍ଥା ଏପରି ଥିଲା କି ଧୀରେଧୀରେ ଘରର କାନ୍ଥ ମଧ୍ୟ ଭାଙ୍ଗିବାକୁ ଲାଗିଥିଲା। ଆର୍ଥିକ ପରିସ୍ଥିତି ଠିକ ନଥିବାରୁ ଘରର କାନ୍ଥ ମରାମତି କରାଯାଇ ପାରି ନଥିଲା। ଘରର ଏପରି ଅବସ୍ଥା ଦେଖି ମା’ ମାମୁଁ ଘରକୁ ଚାଲି ଯାଇଥିଲେ। ପାଠପଢ଼ା ଥିବାରୁ ମୁଁ ଘର ଛାଡ଼ି କେଉଁଆଡେ ବି ଯାଇ ନଥିଲି।  ଯେତେ ବଧାବିଘ୍ନ ଆସିଥିଲେ ବି ପାଠପଢ଼ା ଜାରି ରଖିଥିଲି। ନୂତନ ବହି କିଣିବା ପାଇଁ ମୋ ପାଖରେ ପର୍ଯ୍ୟାପ୍ତ ଅର୍ଥ ନ ଥିବାରୁ ଅଧ୍ୟୟନ ପାଇଁ ପୁରୁଣା ବହି କିଣି ପଢ଼ୁଥିଲି।

ଦିଲ୍ଲୀରୁ ସ୍ନାତକ ହାସଲ କରିବା ପାଇଁ ବାପା ଜମି ବିକ୍ରି କରି ଦେଇଥିଲେ। ଏପରିକି ଯେତେବେଳେ ମୁଁ ପ୍ରଥମ ପ୍ରୟାସରେ ବିଫଳ ହୋଇଥିଲି, ସେତେବେଳେ ବାପା ଉତ୍ସାହିତ କରିଥିଲେ। ବାପା କହୁଥିଲେ, ଚାଷ ଜମି ବିକ୍ରି ହୋଇଗଲେ କ’ଣ ହେଲା, ତତେ ପଢ଼ାଇବାକୁ ‌ହେଲେ ମୁଁ ମୋର କିଡନି ବିକ୍ରି କରିଦେବି। ଟଙ୍କା ପାଇଁ ଆଦୌ ଚିନ୍ତା କରନି।
ପିତାଙ୍କ ବଳିଦାନ ଏବଂ ମୋର କଠିନ ପରିଶ୍ରମ ହେତୁ ପିଲାଦିନେ ଦେଖିଥିବା ସ୍ୱପ୍ନକୁ ବାସ୍ତବରେ ପରିଣତ କଲି। ଦ୍ୱିତୀୟ ପ୍ରୟାସରେ ୟୁପିଏସସିକୁ ସଫଳ କଲି।

 

The post ପାଠପଢ଼ାଇବା ପାଇଁ କିଡନି ବିକିବାକୁ ପ୍ରସ୍ତୁତ ‌ଥିଲେ ବାପା, ପୁଅ ଆଇପିଏସ ହୋଇ ପୂରା କଲେ ସ୍ବପ୍ନ first appeared on Sambad.

from ବିଶେଷ | Sambad https://ift.tt/3umWMut

Post a Comment

0 Comments