
ନାରାୟଣପାଟଣା: ଓରମାସ୍ ପକ୍ଷରୁ ପ୍ରୋତ୍ସାହନ ସହ ଆର୍ଥିକ ସହାୟତା ବ୍ୟବସ୍ଥା କରାଯିବା ପରେ ଝାଡ଼ୁ ବ୍ୟବସାୟ କରି ସ୍ବାବଲମ୍ବୀ ହୋଇଛନ୍ତି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ଅନ୍ତର୍ଗତ ତେନ୍ତୁଳିପଦର ପଞ୍ଚାୟତର ମାଝୀଆମ୍ବା ଗ୍ରାମର ମହିଳାମାନେ। ଏହି ଗ୍ରାମବାସୀ ଗାଁ ନିକଟସ୍ଥ ବଣରୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ତାକୁ ବିକ୍ରି କରି ଜୀବିକା ନିର୍ବାହ କରିଥାନ୍ତି। ଏହି ଅଞ୍ଚଳରେ ବିଶେଷ କରି ଝାଡ଼ୁ ପ୍ରଚୁର ପରିମାଣର ହେଉଥିବାରୁ ଗ୍ରାମର ପ୍ରାୟ ୨୦ ଜଣ ମହିଳା ଏକତ୍ରୀତ ହୋଇ ଝାଡ଼ୁ ଉତ୍ପାଦକ ଦଳ ଗଠନ କରି ଝାଡ଼ୁ ବ୍ୟବସାୟ କରିବାକୁ ମନ ବଳାଇଥିଲେ। ଏଥିରେ ସହାୟତାର ହାତ ବଢ଼ାଇଥିଲା ଓରମାସ୍ ଏବଂ କୋରାପୁଟର ଏଗ୍ରୋ ପ୍ରଡକ୍ସନ୍ ପ୍ରଡ୍ୟୁସର କମ୍ପାନି।
ଓରମାସ୍ ପକ୍ଷରୁ କୋରାପୁଟର ଏଗ୍ରୋ ପ୍ରଡ୍ୟୁସର କମ୍ପାନି ମାଧ୍ୟମରେ ଝାଡ଼ୁ ପ୍ରସ୍ତୁତ ସଂପର୍କରେ ଗତ ଜାନୁଆରି ମାସରେ ଏହି ୨୦ ଜଣିଆ ଝାଡ଼ୁ ଉତ୍ପାଦକ ଦଳକୁ ତାଲିମ ପ୍ରଦାନ କରାଯାଇଥିଲା। ଏଥିସହ ଓରମାସ୍ ପକ୍ଷରୁ ଆର୍ଥିକ ସହାୟତା ବ୍ୟବସ୍ଥା କରାଯିବା ପରେ ସେମାନ ଏବେ ନିଜେ ଝାଡ଼ୁ ତିଆରି କରି ତାକୁ ବିକ୍ରି କରୁଛନ୍ତି। ଆଉ ଏହି ଝାଡ଼ୁ ଗୁଡ଼ିକୁ କିଣୁଛି କୋରାପୁଟର ଏଗ୍ରୋ ପ୍ରଡକ୍ସନ ପ୍ରଡ୍ୟୁସର କମ୍ପାନି। ଗୋଟିଏ ଝାଡ଼ୁ ପ୍ରସ୍ତୁତ କରି ତାକୁ ଷ୍ଟିଲ ହ୍ୟାଣ୍ଡେଲ ଲଗାଇ ୫୫ ଟଙ୍କାରେ ବିକ୍ରି କରୁଥିଲା ବେଳେ ପ୍ଲାଷ୍ଟିକ୍ ହ୍ୟାଣ୍ଡେଲ ଲଗାଇ ତାକୁ ୪୦ ଟଙ୍କାରେ ବିକ୍ରି କରୁଛନ୍ତି। ଏଥିସହ ଝାଡ଼ୁ କିଲୋ ପ୍ରତି ୧୦୦ଟଙ୍କା ହିସାବରେ ମଧ୍ୟ ବିକ୍ରି କରୁଛନ୍ତି।

ଏହି ଝାଡ଼ୁ ଉତ୍ପାଦକ ଦଳକୁ ଓରମାସ ପକ୍ଷରୁ ଦୁଇ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ବ୍ୟବସ୍ଥା କରାଯାଇଥିଲା। ଗତ ଚାରି ମାସରେ ଝାଡ଼ୁ ଚାଷ କରି ପ୍ରାୟ ୧ ଲକ୍ଷ ୭୦ ହଜାର ଟଙ୍କାର ଝାଡ଼ୁ ବିକ୍ରି କରିଛନ୍ତି। ସେଥିରୁ ୧ ଲକ୍ଷ ଟଙ୍କା ଋଣ ପରିଶୋଧ କରିଥିଲେ। ବଳକା ୭୦ ହଜାର ଟଙ୍କା ମଧ୍ୟରୁ ୩୦ ହଜାର ଟଙ୍କା ଖର୍ଚ୍ଚ ହୋଇିଲା ବେଳେ ୪୦ ହଜାର ଟଙ୍କା ଲାଭ ପାଇଥିବା ଉତ୍ପାଦକ ଦଳର ସଭାପତି ପାତେ ହୁଇକା ଏବଂ ସଂପାଦିକା ରାଧିକା ମାଝୀ କହିଛନ୍ତି। ଋଣ ସୁଝିବାକୁ ଥିବା ବଳକା ୧ ଲକ୍ଷ ଟଙ୍କା ଆସନ୍ତା ବର୍ଷରେ ପରିଶୋଧ କରିବେ ବୋଲି ସଭାପତି ପାତେ ହୁଇକା କହିଛନ୍ତି। ଏହାବ୍ୟତୀତ ତାଙ୍କ ନିକଟରେ ବର୍ତ୍ତମାନ ପ୍ରାୟ ୩ କୁଇଣ୍ଟାଲ ଝାଡ଼ୁ ଗଚ୍ଛିତ ରହିଥିବା କହିଛନ୍ତି। ପାହାଡ଼ ଉପର ଗାଁକୁ ଲୋକ ଯିବା କଷ୍ଟକର ହୋଇଥିବା ବେଳେ ଏହି ଗ୍ରାମର ମହିଳା ମାନେ ଝାଡ଼ୁ ବ୍ୟବସାୟ ଆରମ୍ଭ କରିବା ପରେ ଏବେ ଲୋକେ ଝାଡ଼ୁ କିଣିବା ପାଇଁ ମାଝୀଆମ୍ବା ଗାଁକୁ ଯାଉଥିବା ଦେଖିବାକୁ ମିଳିଛି। ସେହିପରି ପାହାଡ଼ ଉପର ମହିଳାମାନେ ଝାଡ଼ୁ ଚାଷ କରି ସ୍ବାବଲମ୍ବୀ ହୋଇପାରିଥିବାରୁ ଅନ୍ୟ ମହିଳାମାନଙ୍କ ପାଇଁ ନିଶ୍ଚୟ ଉଦାହରଣ ହୋଇ ରହିବେ।
The post ସ୍ବାବଲମ୍ବୀ: ମହିଳା ଗୋଷ୍ଠୀ ଝାଡ଼ୁ ବ୍ୟବସାୟ କରିଛନ୍ତି ୧.୭୦ ଲକ୍ଷ ଟଙ୍କା, ଲାଭ ପାଇଛନ୍ତି ତିନି ଲକ୍ଷ first appeared on Sambad.from ବିଶେଷ | Sambad https://ift.tt/3CIRX1Z
0 Comments