କେନ୍ଦୁଝରକୁ ରେଳବାଇର ଅବହେଳା: ଦାବି, ପ୍ରସ୍ତାବରେ ଅଟକି ଯାଉଛି ପ୍ରକଳ୍ପ

କେନ୍ଦୁଝର : ରାଜ୍ୟକୁ ସର୍ବାଧିକ ରାଜସ୍ବ ଦେଉଥିବା କେନ୍ଦୁଝର ଜିଲ୍ଲାରୁ ରେଳବାଇ ମଧ୍ୟ ଅଧିକ ରାଜସ୍ବ ପାଉଛି। ମାତ୍ର କେନ୍ଦୁଝର ଜିଲ୍ଲାରେ ରେଳର ବିକାଶ ଯେଭଳି ହେବା କଥା ତାହା ହୋଇପାରୁ ନାହିଁ। କେନ୍ଦୁଝର ଜିଲ୍ଲ‌ାରେ ରେଳର ବିକାଶ ନେଇ କେନ୍ଦୁଝର ସିଟିଜେନ୍‌ ଫୋରମ, କେନ୍ଦୁଝର ଯୁବ ପରିଷଦ ବାରମ୍ବାର ରେଳ ମନ୍ତ୍ରାଳୟକୁ ଚିଠି ଲେଖିଥିଲେ ବି କୌଣସି ସୁଫଳ ମିଳୁନି। ଦାବି ଓ ପ୍ରସ୍ତାବରେ ଅଟକି ଯାଉଛି ପ୍ରକଳ୍ପ। ଜିଲ୍ଲାରେ ଯାତ୍ରୀ ପରିବହନ ଦିଗରେ ମନ୍ତ୍ରାଳୟ ସେଭଳି ଗୁରୁତ୍ବ ଦେଉନି।

ବହୁ ପ୍ରକଳ୍ପ ମଧ୍ୟରେ ଗୋଟିଏ ହେଉଛି ଯଖପୁରା-ବାଂଶପାଣି-ଜାମସେଦପୁର ପର୍ଯ୍ୟନ୍ତ ଯାଇଥିବା ରେଳପଥକୁ ଦୋହରୀକରଣ। ଏହାକୁ ନେଇ ବର୍ଷ ବର୍ଷ ଧରି ଦାବି ହୋଇ ଆସୁଛି। ସେହିପରି ବିଦ୍ୟୁତ୍‌କରଣ ଦିଗରେ ମଧ୍ୟ ରେଳବାଇ କାର୍ଯ୍ୟ କରୁନାହିଁ। ଗତ କିଛି ମାସ ହେଲା ବିଭିନ୍ନ ଖଣିରୁ ଲୁହାପଥର ପରିବହନରେ ଖଣି କମ୍ପାନିଗୁଡିକ ବିଫଳ ହେଉଛନ୍ତି। ଏଥିପାଇଁ ରାଜ୍ୟ ସରକାର ହଜାର ହଜାର କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି। ଯଦି ଏହି ରେଳପଥ ଦୋହରୀକରଣ ସହିତ ବିଦ୍ୟୁତ୍‌କରଣ ହୋଇପାରନ୍ତ‌ା, ତେବେ ଜିଲ୍ଲାର ଲୁହାପଥର ପରିବହନ ମଧ୍ୟ ବଢ଼ିପାରନ୍ତା। ଯେଉଁଥିରୁ ରାଜ୍ୟ ସରକାର ଏବଂ ରେଳବାଇ ଅଧିକ ରାଜସ୍ବ ସଂଗ୍ରହ କରି ପା‌ରନ୍ତେ। ୨୦୧୧ ମସିହାରେ ରେଳବାଇ ପକ୍ଷରୁ କେନ୍ଦୁଝର-ବାଦାମପାହାଡ ଲିଙ୍କ୍‌ ପାଇଁ ସର୍ଭେ ସରିଥିଲା। ମାତ୍ର ଏହା କେବଳ ସର୍ଭେରେ ହିଁ ରହିଗଲା। କେନ୍ଦୁଝର-ବାଦାମପାହାଡ ଲିଙ୍କ୍‌ କାର୍ଯ୍ୟ ହୋଇପାରିଲେ, ପଡ଼ୋଶୀ ମୟୂରଭଞ୍ଜ ସହିତ ରେଳ ଯୋଗାଯୋଗ ସହ ନୂଆଦିଲ୍ଲୀ-ମୁମ୍ବାଇ-କୋଲକାତାକୁ ଏକ ବିକଳ୍ପ ରୁଟ୍‌ ବ୍ୟବସ୍ଥା ହୋଇ ପାରନ୍ତା। ଏହା ମଧ୍ୟ ତାଳଚେରର କୋଇଲା ଖଣି, କେନ୍ଦୁଝରର ଲୁହାପଥର ଓ ମାଙ୍ଗାନିଜ୍‌ ଖଣି ସହିତ ‌ସଂଯୋଗ ସ୍ଥାପନ କରି ଶିଳ୍ପ ବିକାଶରେ ବିଶେଷ ଭୂମିକ‌ା ନିର୍ବାହ କରିପାରନ୍ତା। ବାଂଶପାଣିରୁ ବିମଳାଗଡ ମାତ୍ର ୩୦ କିଲୋମିଟର ଦୂରତା। ଏହି ରେଳପଥ ହୋଇ ପାରିଲେ ରାଉରକେଲା ଏବଂ ତାଳଚେର ସହିତ ମଧ୍ୟ ସଂଯୋଗ ସ୍ଥାପନ ହୋଇପାରନ୍ତା। ଏଥିପାଇଁ ମଧ୍ୟ ବାରମ୍ବାର ଦାବି ହୋଇଆସୁଛି। ହରିଚନ୍ଦନପୁର-ଆନନ୍ଦପୁର-ଭଦ୍ରକ ରେଳପଥ ସଂଯୋଗ ‌ହୋଇପାରିଲେ, ଲୁହାପଥର ଖଣି ସହିତ ଧାମରା ବନ୍ଦର ସହିତ ସଂଯୋଗ ହୋଇପାରନ୍ତା। ଫଳରେ ଧାମରା ବନ୍ଦର ଦେଇ ରାଜ୍ୟ ତଥା ଦେଶ ବାହାରକୁ ଲୁହାପଥର ରପ୍ତାନି ସହିତ ‌କୋଇଲା ଭଳି କଞ୍ଚାମାଲ ଆସିବାରେ ଏହା ବିଶେଷ ସହାୟକ ହୋଇପାରନ୍ତା। ମାତ୍ରଏହି ଦାବି ପ୍ରତି ମଧ୍ୟ ରେଳବାଇ କର୍ତ୍ତୃପକ୍ଷ ନଜର ଦେଉନାହାନ୍ତି।

ଅନୁଗୁଳ-ହିଜିଲି(ଖଡଗପୁର) ରେଳ ଲିଙ୍କ୍‌ ଏକ ଚମତ୍କାର ପ୍ରସ୍ତାବ ଥିଲା। ଏହାଦ୍ବାରା ଖଣିଜ ସଂପଦ ଭରା ଜିଲ୍ଲା ତଥା ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ସହିତ ସଂଯୋଗ ସହିତ ଖଣିଜ ପରିବହନ ଦିଗରେ ଏହା ବିଶେଷ ସହାୟକ ହୋଇ ପାରନ୍ତା। ମାତ୍ର ତାହା ହୋଇ ପାରିଲାନାହିଁ।

ଯାତ୍ରୀବାହୀ ରେଳ ଚଳାଚଳ କ୍ଷେତ୍ରରେ ମଧ୍ୟ ଠିକ୍‌ ସେମିତି ଅବହେଳାର ଶିକାର ହୋଇଆସିଛି କେନ୍ଦୁଝର। ୨୦୦୯ ଜାନୁଆରି ୪ ତାରିଖରେ ପ୍ରଥମଥର ପାଇଁ ପୁରୀଠାରୁ କେନ୍ଦୁଝର ପର୍ଯ୍ୟନ୍ତ ଏକ ଇଣ୍ଟରସିଟି ଏକ୍ସପ୍ରେସ୍ ଚଳାଚଳ ଆରମ୍ଭ କରିଥିଲା । ଯାହାକି ଏବେ ବାଂଶପାଣି,ବଡବିଲ ଦେଇ ଚକ୍ରଧରପୁର ଏବଂ ରାଉରକେଲା ପର୍ଯ୍ୟନ୍ତ ସଂପ୍ରସାରିତ ହୋଇଛି । ମାତ୍ର ଏହାର ରହଣି ସମୟ ପରିବର୍ତ୍ତନ ସହିତ ମାଲବାହୀ ରେଳ ପାଇଁ ଯେଭଳି ଯାତ୍ରୀବାହୀ ରେଳ ଚଳାଚଳର ସମସ୍ୟା ନ ଉପୁଜେ, ସେଥିପାଇଁ ଗୁରୁତ୍ବ ଦେବାକୁ ମଧ୍ୟ ଦାବି ହୋଇଛି।

The post କେନ୍ଦୁଝରକୁ ରେଳବାଇର ଅବହେଳା: ଦାବି, ପ୍ରସ୍ତାବରେ ଅଟକି ଯାଉଛି ପ୍ରକଳ୍ପ first appeared on Sambad.

from ବିଶେଷ | Sambad https://ift.tt/3iZeIXI

Post a Comment

0 Comments