
ପ୍ରଶାନ୍ତ କୁମାର ମିଶ୍ର
ପରିବେଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ‘ଗ୍ରିନ୍ପିସ୍ ଓ ସର୍ଭେ ସଂସ୍ଥା ‘ୱେଟଲାଣ୍ଡ ଇଣ୍ଟର ନ୍ୟାସ୍ନାଲ୍ ସାଉଥ-ଏସିଆ (ୱାଇଜା)ର ରିପୋର୍ଟ ଅନୁଯାୟୀ ଦେଶର ଯେଉଁ କେତେକ ସ୍ଥାନରେ ମାରାତ୍ମକ ସଲ୍ଫର୍ ଡାଇଅକ୍ସାଇଡ୍ ନିର୍ଗମନକାରୀ ଶିଳ୍ପ ସଂସ୍ଥା ରହିଛି, ସେଥିମଧ୍ୟରେ ଝାରସୁଗୁଡ଼ା ସର୍ବାଗ୍ରେ ରହିଛି। ଦେଶର ଶହେ ପ୍ରଦୂଷଣ ସହର ମଧ୍ୟରେ ଝାରସୁଗୁଡ଼ାର ନାମ ଥିବା ମଧ୍ୟ ପ୍ରକାଶ ପାଇ ସାରିଛି। ଏହି ପ୍ରଦୂଷଣ କେବଳ ଯେ ଝାରସୁଗୁଡ଼ା ପାଇଁ ବିପଦ ତାହା ନୁହେଁ, ଏହା ସାରା ବିଶ୍ବ ପାଇଁ ବିପଦ ଆଣୁଛି ବୋଲି ବହୁ ସ୍ବେଚ୍ଛାସେବୀ ଓ ସର୍ଭେ ସଂସ୍ଥା ଅନେକ ରିପୋର୍ଟ ପ୍ରଦାନ କରିସାରିଛନ୍ତି। ଏଥିସହ ନିକଟରେ ବୋହି ଯାଇଥିବା ହୀରାକୁଦ ଜଳଭଣ୍ଡାରରେ ଫିକାଲ କୋଲିଫର୍ମ ଏବଂ ଟୋଟାଲ କୋଲିଫର୍ମ ଜୀବାଣୁ ସହ ଉକ୍ତ ପାଣିରେ ଫ୍ଲୋରାଇଡ଼୍ର ମାତ୍ରା ବିପଦସଂକୁଳ ଅବସ୍ଥାରେ ଥିବା ମଧ୍ୟ ଉଲ୍ଲେଖ କରାଯାଇଛି।
ଏଠାରେ ଥିବା ଭୂଷଣ ଷ୍ଟିଲ, ବେଦାନ୍ତ ଆଲୁମିନା, ଆଦିତ୍ୟ ଆଲୁମିନା, ଏସ୍ଏମ୍ସି ଭଳି ‘ଏ’ ଶ୍ରେଣୀର ଶିଳ୍ପ କାରଖାନା ରହିଛି। ଲଖନପୁର ବ୍ଲକରେ ଟିଆର୍ଏଲ୍, ଓପିଜିସି କାରଖାନା ଥିବା ବେଳେ ଜିଲ୍ଲା ସୀମାକୁ ଲାଗି ଏନ୍ଟିପିସିର ତାପଜ ବିଦ୍ୟୁତ ପ୍ରକଳ୍ପ ରହିଛି। ଏବେ ଝାରସୁଗୁଡ଼ା-ସମ୍ବଲପୁର ସୀମାରେ ଆଉ ଏକ ବୃହତ ତାପଜ ବିଦ୍ୟୁତ କେନ୍ଦ୍ର ସ୍ଥାପନ ହେବାକୁ ଯାଉଛି। ଏହି ତାପଜ ବିଦ୍ୟୁତ୍ ଓ ଲୌହ କାରଖାନାଗୁଡ଼ିକରେ ଦୈନିକ ହଜାର ହଜାର ଟନ୍ କୋଇଲା ଦହନ ଫଳରେ ଏଥିରୁ ସଲଫର୍ ଡାଇଅକ୍ସାଇଡ୍, ନାଇଟ୍ରୋଜେନ୍ ଅକ୍ସାଇଡ଼୍, କାର୍ବନ ମନୋକ୍ସାଇଡ଼ ଭଳି ମାରାତ୍ମକ ଗ୍ୟାସ ଓ ରସାୟନିକ ଦ୍ରବ୍ୟ ନିର୍ଗତ ହୋଇ ବାୟୁମଣ୍ଡଳରେ ମିଶୁଛି। ଏହାସହ କାରଖାନାଗୁଡ଼ିକ ମଧ୍ୟରୁ ବିଭିନ୍ନ କଠିନ ବର୍ଜ୍ୟ ତଥା ଫ୍ଲାଏ ଆସ ଉତ୍ପନ୍ନ ହୋଇ ଅଞ୍ଚଳର ବାୟୁମଣ୍ଡଳକୁ ପ୍ରଦୂଷଣ କରୁଛି। ଜିଲ୍ଲାର ବିଭିନ୍ନ ଜଳାଶୟ ପ୍ରଦୂଷିତ ହେଉଥିବାରୁ ବହୁ ସମୟରେ ମାଛ ମଡ଼କ ଘଟଣା ସହିତ ବିଭିନ୍ନ କାରଖାନାରୁ ନିର୍ଗତ ବିଷାକ୍ତ ଗ୍ୟାସ ଯୋଗୁଁ ଚାଷଜମି ପୋଡ଼ିଯାଇ ଲକ୍ଷାଧିକ ଟଙ୍କାର ଫସଲ କ୍ଷତି ହେଉଥିବା ଭଳି ଘଟଣା ଅତୀତରେ ଅନେକଥର ଘଟିଛି। ଶିଳ୍ପାୟନ ସହିତ ଖଣି ସଂପ୍ରସାରଣ ଜିଲ୍ଲାରେ ଜଙ୍ଗଲ ସଂପଦକୁ ପ୍ରଭାବିତ କରିଛି। ଭୌଗୋଳିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ, ଏଠାରେ ପ୍ରାକୃତିକ ପରିବେଶରେ ଭାରସାମ୍ୟ ରକ୍ଷା ପାଇଁ ୩୫ ପ୍ରତିଶତ ଜଙ୍ଗଲର ଆବଶ୍ୟକତା ରହିଛି। ଖଣିଖାଦାନ ଓ ଶିଳ୍ପ ପ୍ରତିଷ୍ଠା ଯୋଗୁଁ ପ୍ରାକୃତିକ ଜଙ୍ଗଲ କ୍ରମଶଃ ଧ୍ବଂସ ପାଇ ଏହା ୧୪.୭ ପ୍ରତିଶତ ତଳକୁ ଖସି ଆସିଥିବା ଜଣାଯାଇଛି।
ଆଞ୍ଚଳିକ ପ୍ରଦୂଷଣ ବୋର୍ଡ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ବେଦାନ୍ତ କାରଖାନାରୁ ଦୈନିକ ୨୨ ହଜାର ଟନ୍ ଏବଂ ଓପିଜିସିରୁ ୩ ହଜାର ୨ଶହ ଟନ୍ ପାଉଁଶ ନିର୍ଗତ ହୁଏ। ବାୟୁମଣ୍ଡଳରେ ଭାସୁଥିବା ବିଷାକ୍ତ ଗୁଣ୍ଡ ସବୁଜ ବୃକ୍ଷଲତା ସହିତ ଉର୍ବର ଚାଷଜମି, ଭୂଗର୍ଭ ଜଳ ଏବଂ ମୁକ୍ତବାୟୁକୁ ପ୍ରଭାବିତ କରୁଥିବା ବିଶେଷଜ୍ଞ ମତ ଦେଇଛନ୍ତି। ବିଭିନ୍ନ କାରଖାନା ବର୍ଜ୍ୟବସ୍ତୁ ସୁପରିଚାଳନାକୁ ନେଇ ସ୍ବଚ୍ଛତା ନଥିବାରୁ ପ୍ରଶାସନ, କମ୍ପାନି ଓ ସାଧାରଣ ଜନତାଙ୍କ ମଧ୍ୟରେ ପରସ୍ପର ପ୍ରତି ସଂଦେହ ସୃଷ୍ଟି ହେଉଛି। ଝାରସୁଗୁଡ଼ାରେ ପ୍ରଦୂଷଣ କେବଳ ଏହି ଅଞ୍ଚଳ ପାଇଁ ଚିନ୍ତାର କାରଣ ନୁହେଁ ଏହା ସାରା ବିଶ୍ବପାଇଁ ଏକ ସତର୍କ ଘଣ୍ଟି ଭଳି ଚେତାଇ ଦେଉଛି।
The post ଝାରସୁଗୁଡ଼ାରେ ସର୍ବାଧିକ ମାରାତ୍ମକ ସଲ୍ଫର୍ ଡାଇଅକ୍ସାଇଡ୍ ନିର୍ଗମନ ଶିଳ୍ପସଂସ୍ଥା first appeared on Sambad.from ବିଶେଷ | Sambad https://ift.tt/37YELb7
0 Comments