
ଦୋଳଗୋବିନ୍ଦ ପଣ୍ଡା
ବୈଜ୍ଞାନିକଙ୍କ ମତରେ ମଣିଷର ସୃଷ୍ଟି କୁଆଡ଼େ ସବା ଶେଷରେ ହୋଇଥିଲା। ଜଳଚର, ଉଭୟଚର, ସ୍ଥଳଚର, ନଭଚର, ସରୀସୃପ ପ୍ରଭୃତି ପ୍ରାଣୀ ସୃଷ୍ଟି ହେଲେ। ପାହାଡ଼, ନଦୀ, ହ୍ରଦ, ଅରଣ୍ୟ, ପଶୁ, ପକ୍ଷୀ ସମସ୍ତେ ସୃଷ୍ଟି ହୋଇ ସାରିବା ପରେ ବିବର୍ତ୍ତନ ପ୍ରକ୍ରିୟାରେ ମଣିଷର ସୃଷ୍ଟି ହେଲା। ତା’ ମାନେ ମଣିଷର ବଞ୍ଚିବା ବଢ଼ିବା ପାଇଁ ଯାହା ଯାହା ଲୋଡ଼ା, ସେସବୁ ପ୍ରଥମେ ସୃଷ୍ଟି କରିସାରିବା ପରେ ପ୍ରକୃତି ମଣିଷକୁ ସୃଷ୍ଟି କରିଛି। କିନ୍ତୁ ମଣିଷ ଏବେ ସେହି ପ୍ରକୃତି-ପ୍ରଦତ୍ତ ବଞ୍ଚିବା ବଢ଼ିବାର ଉପାଦାନ ବା ପରିବେଶକୁ ଧ୍ବଂସ କରି ଚାଲିଛି।
ମଣିଷର ଦୁର୍ନିବାର ଲୋଭ, ଉପଭୋଗରେ ସଂଯମର ଅଭାବ, ଆଧୁନିକ ବିଜ୍ଞାନ, ଅର୍ଥନୀତି, ରାଜନୀତି ଆଦି ସମସ୍ତେ ପରିବେଶ ଧ୍ବଂସ ପାଇଁ ଦାୟୀ। କେତୋଟି ଉଦାହରଣ ଦେଲେ ବୁଝିହେବ। ମଣିଷ ଆଗରୁ ଜଙ୍ଗଲରୁ ଫଳମୂଳ, ଶସ୍ୟ ଆଦି ସଂଗ୍ରହ କରି ବଞ୍ଚୁଥିଲା। ଏଥିପାଇଁ ଜଙ୍ଗଲରେ ହିଂସ୍ରଜନ୍ତୁଙ୍କ ସମ୍ମୁଖୀନ ହେବାକୁ ପଡ଼ୁଥିଲା। ତେଣୁ ସହଜ ଓ ସୁବିଧାରେ ଏସବୁ ପାଇବା ପାଇଁ ସେ ଜଙ୍ଗଲ ପୋଡ଼ି ବା କାଟି ଚାଷ ଆରମ୍ଭ କଲା। କିନ୍ତୁ ସେ ଲୋଭରେ ପଡ଼ି ଅଧିକ ଜଙ୍ଗଲ ପୋଡ଼ି ଅଧିକ ଜମି ଆବାଦୀ କରିବାକୁ ଲାଗିଲା। ଅଳ୍ପ ପୋଡ଼ୁ ପୋଡ଼ୁ ପ୍ରାୟ ପ୍ରତିବର୍ଷ ବିସ୍ତୀର୍ଣ୍ଣ ଜଙ୍ଗଲ ପୋଡ଼ି ଧ୍ବଂସ ପାଇଲା। ଜାଳ ଓ ଘର ତିଆରି ପାଇଁ ମଣିଷ ଜଙ୍ଗଲରୁ ଗଛ ହାଣେ। କିନ୍ତୁ ବେପାର କରି ଅଧିକ ଲାଭବାନ୍ ହେବା ପାଇଁ ଅଧିକ ଗଛ କାଟି ଜଙ୍ଗଲ ପଦା କଲା। ଏଥିରେ କ୍ଷୁବ୍ଧ ପ୍ରକୃତି ବି ତା’ର ପ୍ରତିଶୋଧ ନେବାକୁ ପଛାଏ ନାହିଁ। ଅନାବୃଷ୍ଟି, ଅତିବୃଷ୍ଟି, ବନ୍ୟା, ବାତ୍ୟା ଆଦି ତାହାର ପରିଣତି।
ପାହାଡ଼, ପର୍ବତକୁ ଭୂଧର କୁହାଯାଏ। ଅର୍ଥାତ୍ ଯିଏ ପୃଥିବୀକୁ ଧରିଛି। ପୃଥିବୀର ସନ୍ତୁଳନ ରକ୍ଷା କରିବାରେ ଏମାନେ ସାହାଯ୍ୟ କରନ୍ତି। କେଉଁଠି ପାହାଡ଼-ପର୍ବତ, ନଦୀ, ହ୍ରଦ ବା ସମୁଦ୍ର ଆଦି ରହିବ ଏସବୁ ପ୍ରକୃତି ଆଗରୁ ସ୍ଥିର କରିଛି। ମଣିଷ କିନ୍ତୁ ପ୍ରକୃତିର ଏହି ଭାରସାମ୍ୟ ରକ୍ଷାକାରୀ ଉପାଦାନଗୁଡ଼ିକୁ ଏପଟ ସେପଟ କରିବାରେ ଲାଗିଛି। ଯେଉଁଠି ନଦୀ ଥିଲା ତାକୁ ସହରଗୁଡ଼ିକର ଆବର୍ଜନା ଯାଇ ପୋତି ପକାଉଛି। ଯେଉଁଠି ପାହାଡ଼ ଥିଲା ମଣିଷ ତାକୁ ଡିନାମାଇଟରେ ଫଟାଇ ଘର, ରାସ୍ତା ତିଆରି ଆଦି କାର୍ଯ୍ୟରେ ଲଗାଉଛି। ଖଣି ନାଁରେ ପୃଥିବୀ ମାଆର ଅନ୍ତବୁଜୁଳା ତାଡ଼ି ପକାଉଛି। ଅପରପକ୍ଷରେ ଯେଉଁଠି ଚାଷଜମି ଥିଲା, ସେଠାରେ ଗୃହନିର୍ମାଣ, ଶିଳ୍ପ ଓ ସହର ବସାଣ ନାମରେ ନଭଶ୍ଚୁମ୍ବୀ ଅଟ୍ଟାଳିକାମାନ ନିର୍ମାଣ କରାଯାଉଛି, ଯାହା କୋଉ ବଡ଼ ପାହାଡ଼ଠାରୁ କମ୍ ନୁହେଁ। ଭାରସାମ୍ୟ ରକ୍ଷା ହେବ କେମିତି? ଫଳରେ ଭୂ-ଅଭ୍ୟନ୍ତରରେ ଚାପରେ ପରିବର୍ତ୍ତନ ଘଟୁଛି। ଭୂଚଳନ ଘଟୁଛି, ଯାହା ଭୂମିକମ୍ପ ଓ ଅଗ୍ନି-ଉଦ୍ଗିରଣ ପାଇଁ ଦାୟୀ।
କୌଣସି ଦେଶକୁ ସ୍ବଚ୍ଛଳ ବା ଧନୀ କରିବାର ସେହିଗୁଡ଼ିକ ହେଉଛି କାରକ, ଯେଉଁଗୁଡ଼ିକ ପରିବେଶ ପାଇଁ ହାନିକାରକ। ସବୁ ଦେଶ ଏକାଠି ହୋଇ ପରିବେଶ ସମ୍ମିଳନୀ କରି କାର୍ବନ-ନିର୍ଗମନ କମାଇବା ପାଇଁ ଚୁକ୍ତି କରୁଛନ୍ତି। କିନ୍ତୁ କମାଇପାରୁ ନାହାନ୍ତି, କାରଣ ତାହା ଅର୍ଥନୀତିର ପରିପନ୍ଥୀ। କଳକାରଖାନା ଯେତେ ବଢ଼ିବ, ଗାଡ଼ିଘୋଡ଼ା ଯେତେ ଗଡ଼ିବ, ଅର୍ଥନୀତି ସେତେ ଦୌଡ଼ିବ କିନ୍ତୁ ପରିବେଶ ବିଗିଡ଼ିବ। କଳକାରଖାନା ଆଦିର ଧୂଆଁରୁ ଅଙ୍ଗାରକାମ୍ଳ, କାର୍ବନ ମନୋକ୍ସାଇଡ୍ ଆଦି ଗ୍ୟାସ୍ ନିର୍ଗତ ହୁଏ। ଏହା ବାୟୁମଣ୍ଡଳକୁ ବିଷାକ୍ତ କରେ। ଓଜୋନ୍ ସ୍ତରରେ ରନ୍ଧ୍ର ସୃଷ୍ଟି କରେ। ବିଶ୍ବତାପନର କାରଣ ହୁଏ। ମଣିଷ, ପଶୁପକ୍ଷୀ ନିଃଶ୍ବାସ ବାଟେ ଯେତିକି ଅଙ୍ଗାରକାମ୍ଳ ଛାଡ଼ନ୍ତି ସେଗୁଡ଼ିକ ଗଛ ଶୋଷିନିଅନ୍ତି ଓ ଗଛଗୁଡ଼ିକ ପାଇଁ ସେତିକି ଯଥେଷ୍ଟ। ବାକି ଗାଡ଼ିଘୋଡ଼ାର ଧୂଆଁକୁ ଶୋଷିବ କିଏ? ଏପଟେ ପୁଣି ଗଛକଟା, ଜଙ୍ଗଲ ଧ୍ବଂସ ବଢ଼ିବଢ଼ି ଚାଲିଛି। ଏହାପାଇଁ କାମଚଳା ବାଟ ହେଉଛି ବାୟୁମଣ୍ଡଳକୁ କଳକାରଖାନା ଧୂଆଁ ଅତ୍ୟାଧୁନିକ ପ୍ରଯୁକ୍ତି ସାହାଯ୍ୟରେ ଫିଲ୍ଟର କରି ଛଡ଼ାଯିବା। କିନ୍ତୁ ନିୟମ ଥାଇ କେହି ତାହା ପାଳନ କରୁନାହାନ୍ତି। ଏଣେ କରୋନା-ଜନିତ ଲକ୍ଡାଉନ ଯୋଗୁ ଗାଡ଼ି ବିକ୍ରି କମିଗଲେ ଅର୍ଥନୀତିବାଲାଙ୍କ ଚିନ୍ତା ବଢ଼ିଯାଉଛି। ଏହାଦ୍ବାରା ଗୋଟିଏ ଦିଗରୁ କ୍ଷତି ହେଲେ ଆଉ ଗୋଟିଏ ଦିଗରୁ ଲାଭ ହେଉଛି ଏ କଥା କେହି ଭାବୁନାହାନ୍ତି। ବର୍ତ୍ତମାନ ସମୟ ଆସିଛି, କେବଳ ବିଦ୍ୟୁତ୍-ଚାଳିତ ଗାଡ଼ିକୁ ପ୍ରୋତ୍ସାହନ ଦେବାର।
ଫସଲରେ ରୋଗପୋକ ଦମନ ପାଇଁ ଚାଷୀ କ୍ଷେତରେ କୀଟନାଶକ ପ୍ରୟୋଗ କରୁଛନ୍ତି। ଏହାର କିଛି ମାତ୍ରା କୀଟ ଦମନରେ ତ ସାହାଯ୍ୟ କରୁଛି, ମାତ୍ର ସିଂହଭାଗ ବୋହିଯାଇ ନଈ, ନାଳ, ପୋଖରୀ, ସମୁଦ୍ର ଓ ଭୂତଳ ପାଣିରେ ମିଶୁଛି। ସେହି ବିଷାକ୍ତ ପାଣିକୁ ପିଇ ଜିଆ ପରି ଅନେକ ଉପକାରୀ କୀଟ, ପତଙ୍ଗ, ସରୀସୃପ ଓ ଚଢ଼େଇ ମରୁଛନ୍ତି। ପରିବେଶ ବିଗୁଡ଼ୁଛି। ଜୈବବିବିଧତା ନଷ୍ଟ ହେଉଛି। ଯେଉଁ ନଦୀଜଳକୁ ଶୋଧନ କରି ପାନୀୟ ଜଳରୂପେ ଯୋଗାଣ କରାଯାଉଛି, ସେହି ନଦୀକୁ ସହରର ଆବର୍ଜନା ଜଳ ଛାଡ଼ିଦିଆଯାଉଛି। ଆଜିକାର ସହର ପରିଚାଳନା ବିଭାଗ ନଦୀଗୁଡ଼ିକୁ ହିଁ ନର୍ଦ୍ଦମାରେ ପରିଣତ କରିଦେଉଛନ୍ତି। କାରଖାନାଗୁଡ଼ିକର ବର୍ଜ୍ୟ ଜଳକୁ ବିଶୋଧନ କରି ନଦୀରେ ଛାଡ଼ିବା ପାଇଁ ଯେଉଁ ନିୟମ ଅଛି, ତାହା ପାଳନ କରାଯାଉ ନାହିଁ। ଜଳକୁ କୁହାଯାଏ ଜୀବନ। ସେହିପରି ପବନର ଅନ୍ୟ ନାମ ପ୍ରାଣ। ମଣିଷ ଏହାକୁ ବିଷରେ ପରିଣତ କଲାଣି। ତେଣୁ ଆଜିକାଲି ପାଣି ଓ ପବନରେ ହେଉଛି ସଂକ୍ରମଣ। ମଣିଷ ବିଷବଳୟରେ ରହୁଛି ଓ ତା’ର ରୋଗନିରୋଧକ କ୍ଷମତା କମୁଛି। କରୋନା ପରି ମାରାତ୍ମକ ଭୂତାଣୁ ତାକୁ ସହଜରେ ଶିକାର କରୁଛି। ତେଣୁ ସରକାର, ନେତା, ବୁଦ୍ଧିଜୀବୀ ଓ ବୈଜ୍ଞାନିକମାନେ ‘ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ’ ପୋଷଣ କରନ୍ତୁ। ବିକାଶ ନାମରେ ବିନାଶକୁ ଆମନ୍ତ୍ରଣ ନ କରନ୍ତୁ।
The post ବିକାଶ ନାମରେ ବିନାଶ! first appeared on Sambad.from ବିଶେଷ | Sambad https://ift.tt/3szciCw
0 Comments