
ବିବାହ କେକ୍ ସାଧାରଣତଃ ବିବାହ ଉତ୍ସବ ଦିନରେ କଟାହୋଇ ନିଶ୍ଚିହ୍ନ ହୋଇଯାଏ କିନ୍ତୁ ଏହି ଚାରିଥାକିଆ ବିବାହ କେକ୍ଟି ୧୮୯୮ରେ ତିଆରି ହେବା ଦିନ ଠାରୁ ଆଜି ଯାଏଁ ଅକ୍ଷତ ରହିଛି। ଇଂଲଣ୍ଡର ବେସିଂଷ୍ଟୋକ୍ ସହରସ୍ଥିତ ଵିଲିସ୍ ସଂଗ୍ରହାଳୟରେ ଥିବା ଏହି ମିଷ୍ଟାନ୍ନ ପଛରେ ଏକ ରୋଚକ କାହାଣୀ ରହିଛି।
ବେସିିଂଷ୍ଟୋକ୍ ନିବାସୀ ଚାର୍ଲସ୍ ଏଚ୍. ଫିଲପୋଟ୍ ଏବଂ ତାଙ୍କ ପତ୍ନୀ ଏକ ବେକେରି ଖୋଲିବା ବେଳେ ଏହି କେକ୍ଟିକୁ ଦୋକାନରେ ପ୍ରଦର୍ଶିତ କରି ରଖିଥିଲେ। ଏହାର ୬୬ ବର୍ଷ ପରେ ବେକେରି ବନ୍ଦ ହୋଇଯିବାରୁ ତାକୁ ନେଇ ସେମାନେ ଘରେ ରଖିଲେ। ଦ୍ବିତୀୟ ବିଶ୍ବ ଯୁଦ୍ଧ କାଳରେ ବେସିଂଷ୍ଟୋକ୍ ଉପରେ ବୋମା ଆକ୍ରମଣ ସମୟରେ ଏହି କେକ୍ଟିରେ ଏକ ଫାଟ ସୃଷ୍ଟି ହୋଇଥିଲା। ଏହାକୁ ଛାଡ଼ିଦେଲେ ଏହାର ଗଠନ ସଂପୂର୍ଣ୍ଣ ଅକ୍ଷତ ରହିଛି। ନିର୍ମାଣ ହେବାର ପ୍ରାୟ ଏକ ଶତାବ୍ଦୀ ପରେ ସେମାନଙ୍କ ଝିଅ ଏହାକୁ ସ୍ଥାନୀୟ ଵିଲିସ୍ ସଂଗ୍ରହାଳୟକୁ ଦାନ କରିଦେଇଥିଲେ।
ସଂଗ୍ରହାଳୟରେ ପରୀକ୍ଷାରୁ ଜଣାପଡ଼ିଥିଲା ଯେ ଏକ ଶତାବ୍ଦୀରୁ ଊର୍ଦ୍ଧ୍ବ ସମୟ ପରେ ମଧ୍ୟ କେକ୍ଟିର ଭିତରଭାଗ ଆର୍ଦ୍ର ରହିଛି। ପରବର୍ତ୍ତୀ ସମୟରେ ଏହା ଅଧିକ ଭଙ୍ଗୁର ହୋଇଯିବା ଆଶଙ୍କାରେ କେକ୍ ଅଭ୍ୟନ୍ତରରୁ ସମସ୍ତ ଜଳୀୟ ଅଂଶ ବାହାର କରାଯାଇ ଏଥିରେ ଏକ ଅଠାଳିଆ ସାମଗ୍ରୀ ଭର୍ତ୍ତି କରାଯାଇଛି। ନିୟମିତ ନିରୀକ୍ଷଣ ମଧ୍ୟରେ ଏହାକୁ ଏବେ ଵିଲିସ୍ ସଂଗ୍ରହାଳୟରେ ପ୍ରଦର୍ଶିତ କରାଯାଉଛି।
The post ଭିକ୍ଟୋରିଆ କାଳର ବିବାହ କେକ୍ first appeared on Sambad.from ବିଶେଷ | Sambad https://ift.tt/37nOI1N
0 Comments