ଗଭୀର ସମୁଦ୍ରରେ କେଜ୍‌ କଲଚର ମାଛ ଚାଷ: ବାଲେଶ୍ବରରେ କାର୍ଯ୍ୟକାରୀ ହେଲା ଦେଶର ପ୍ରଥମ ମେଗା ପାଇଲଟ୍‌ ପ୍ରୋଜେକ୍ଟ

ବାଲେଶ୍ବର: ଗଭୀର ସମୁଦ୍ରକୁ ମତ୍ସ୍ୟଜୀବୀ ମାଛ ଧରିବାକୁ ଯାଆନ୍ତି ଏକଥା ସମସ୍ତେ ଜାଣିଥିବେ। ମାତ୍ର ସେଠାକୁ ଯାଇ ଅକାତକାତ ପାଣିରେ ଭଳିକି ଭଳି ମାଛ ଚାଷ କରିହେବ ଏବଂ ତାହା ପୋଖରୀ ମାଛ ଚାଷ ଅପେକ୍ଷା ଅଧିକ ଲାଭଦାୟକ ହେବ, ଏହା ଶୁଣିବାକୁ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ସେତିକି ଉତ୍କଣ୍ଠା ମଧ୍ୟ। ଏହି କ୍ରମରେ ଆଜି ବାଲେଶ୍ବର ସଦର ବ୍ଲକ ଅନ୍ତର୍ଗତ ବାହାବଳପୁର ମାଛ ଉତ୍ପାଦନ କେନ୍ଦ୍ର ଠାରୁ ଅନ୍ୟୁନ ୨/୩ କିଲୋମିଟର ସମୁଦ୍ର ଭିତରେ ଭାରତ ସରକାରଙ୍କ କେନ୍ଦ୍ରୀୟ ସାମୁଦ୍ରିକ ମତ୍ସ୍ୟ ଗବେଷଣା ପ୍ରତିଷ୍ଠାନ(ସିଏମ୍‌ଏଫ୍‌ଆରଆଇ) ଏବଂ ଜାତୀୟ ମତ୍ସ୍ୟ ସମ୍ପଦ ଉନ୍ନୟନ ବୋର୍ଡ(ଏନଏଫଡିସି) ଦ୍ବାରା ଗଭୀର ସମୁଦ୍ରରେ ପଞ୍ଜୁରୀରେ ମାଛ ଚାଷ(ଡିପ୍‌ୱାଟର କେଜ୍‌ ଫିସ୍‌ କଲଚର) ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ।

ସୂଚନା ଥାଉକି, ଭାରତ ସରକାରଙ୍କ ଶତ ପ୍ରତିଶତ ଆର୍ଥିକ ଅନୁଦାନରେ ଏହାକୁ ଏକ ମେଗା ପାଇଲଟ ପ୍ରୋଜେକ୍ଟ ଭାବେ ନିଆଯାଇଛି। ଓଡ଼ିଶାର ବାଲେଶ୍ବରରେ ପ୍ରଥମଥର ପାଇଁ ଏହା କରାଯାଇଥିବା ବେଳେ ୩୦ କ୍ୟାଜରେ ମାଛ ଚାଷ ପାଇଁ ୨କୋଟି ୫୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ଚଳିତବର୍ଷ ଜାନୁଆରି ମାସରେ ଏହି ପ୍ରକଳ୍ପର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସାଂସଦ ଶ୍ରୀ ଷଡ଼ଙ୍ଗୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ଆଜି ସିଏମ୍‌ଏଫ୍‌ଆରଆଇର ଗବେଷକ ଏବଂ ବୈଜ୍ଞାନିକମାନଙ୍କ ସହ ଟ୍ରଲର ଜରିଆରେ ସେଠାକୁ ଯାଇ ଶୁଭ ଉଦ୍‌ଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ସେ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ମତ୍ସ୍ୟ ସମ୍ପଦ ଯୋଜନାରେ ବାଲେଶ୍ବରର ଏହି ପ୍ରକଳ୍ପ ହେଉଛି ସମଗ୍ର ଦେଶର ପ୍ରଥମ ମେଗା ପାଇଲଟ୍ ପ୍ରୋଜେକ୍ଟ। ଏହା ଦ୍ବାରା ଅଧିକ ମତ୍ସ୍ୟ ଉତ୍ପାଦନ ହେବ ଓ ଆମର ମତ୍ସ୍ୟଜୀବୀ, ମତ୍ସ୍ୟ ଚାଷୀ ଏବଂ ମତ୍ସ୍ୟ ଉଦ୍ୟୋଗୀଙ୍କ ଆୟର ବୃଦ୍ଧି ହେବ। ଏହା ମଧ୍ୟ ସୁଲଭ ମୂଲ୍ୟରେ ପୁଷ୍ଟିକର ଖାଦ୍ୟର ଉତ୍ସ ହେବ। ଏହାର ସଫଳତା ଦେଖିବା ପରେ ଏ ଅଞ୍ଚଳରୁ ଯେଉଁମାନେ କେଜ୍‌ କଲଚର ପ୍ରଣାଳୀରେ ମାଛ ଚାଷ କରିବାକୁ ଆଗ୍ରହ ପ୍ରକାଶ କରିବେ ସେମାନଙ୍କୁ ସରକାରଙ୍କ ତରଫରୁ ବିଭିନ୍ନ ସୁବିଧା ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି।

ସବୁଠାରୁ ବଡ଼ କଥା ହେଉଛି ସେମାନଙ୍କୁ ମିଳୁଥିବା ଋଣ‌ରେ ୪୦ ପ୍ରତିଶତ ସବସିଡି ପ୍ରଦାନ କରାଯାଉଥିବା ବେଳେ ମହିଳା କିମ୍ବା ଅନୁସୂଚୀତ ଜାତି ଏବଂ ଜନଜାତି ବର୍ଗର ଚ‌ାଷୀଙ୍କ ପାଇଁ ୬୦ ପ୍ରତିଶତ ସବସିଡିର ବ୍ୟବସ୍ଥା ରହିଥିବା ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ଏହାବାଦ୍‌ ଏ ଅଞ୍ଚଳ ପାଇଁ ଆଗାମୀ ଭବିଷ୍ୟତରେ ଆହୁରି ଅନେକ ବିକାଶମୂଳକ କାମ କରାଯିବା ଲାଗି ଯୋଜନା କରାଯାଇଛି। ଏବେ କେଜ୍‌ କଲଚର ପାଇଁ ଆନ୍ଧ୍ର ପ୍ରଦେଶରୁ ମାଛ ଯାଆଁଳ, ମାଛ ଖାଦ୍ୟ ଆଦି ଆସୁଥିବା ବେଳେ ସେସବୁ ଏଠାରେ ଉପଲବ୍ଧ ହେବ। ଏହାକୁ ଏକ ପର୍ଯ୍ୟଟନ କ୍ଷେତ୍ର ଭାବେ ବିକଶିତ କରାଯିବ। ଯେଉଁମାନେ ସମୁଦ୍ର ଭିତରକୁ ଯାଇ କେଜ୍‌ କଲଚର ମାଛ ଚାଷ ଦେଖିବାକୁ ଚାହିଁବେ, ମାଛମାନଙ୍କୁ ଖାଦ୍ୟ ଦେବାକୁ, ସେମାନଙ୍କ ସହ ଫଟୋ ଉଠାଇବାକୁ କିମ୍ବା ମାଛ ଧରି ଘରକୁ ଆଣିବାକୁ ଇଚ୍ଛା କରିବେ ସେସବୁର ସୁବିଧା କରାଯିବ ବୋଲି ସେ କହିଥିଲେ।

ସେପଟେ ସିଏମ୍‌ଏଫ୍‌ଆରଆଇର ସଦସ୍ୟ ଡ. ‌ବିଶ୍ବଜିତ ଦାସଙ୍କ ସୂଚନା ମୁତାବକ, ଗଭୀର ସମୁଦ୍ରରେ ଅତ୍ୟାଧୁନିକ ମେରାଇନ କେଜ କଲଚର ମାଧ୍ୟମରେ ମତ୍ସ୍ୟ ଉତ୍ପାଦନ କରାଗଲେ ଏହା ବେଶ୍ ଲାଭଜନକ ସାବ୍ୟସ୍ତ ହେବା ସହ ରାଜ୍ୟ ତଥା ଦେଶର ଅର୍ଥନୈତିକ ପ୍ରଗତି ହୋଇପାରିବ। କେଜ୍‌ କଲଚର ମାଛ ଚାଷ ପାଇଁ ଉପକୂଳ ଓଡ଼ିଶା‌ରେ ବିଶେଷ କରି ବାଲେଶ୍ବର ଜିଲ୍ଲାରେ ଯଥେଷ୍ଟ ଭିତ୍ତିଭୂମି ରହିଛି। ଆନ୍ଧ୍ରପ୍ରଦେଶ, କେରଳ ଏବଂ ତାମିଲନାଡ଼ୁରେ ଏହି ପ୍ରକଳ୍ପ ଆରମ୍ଭ କରାଯାଇଥିବା ବେଳେ ଦେଶର ପ୍ରଥମ ମେଗା ପାଇଲଟ ପ୍ରୋଜେକ୍ଟ ଭାବେ ଆଜି ଓଡ଼ିଶାର ବାଲେଶ୍ବରରେ ଏହା କରାଯାଇଛି। କେଜ୍‌ କଲଚର ପ୍ରଣାଳୀ ମାଛ ଚାଷରେ ସାଧାରଣତଃ ଏକ ହେକ୍ଟର ପୋଖରୀରୁ ବର୍ଷକୁ ଯେତିକି ମାଛ ମିଳିଥାଏ ତାହା ଗୋଟିଏ କେଜ୍‌ରୁ ହିଁ ମିଳିପାରିଥାଏ। ୩୦୦ରୁ ୪୦୦ ଗ୍ରାମର ମାଛ ଯାଆଁଳ ଏହି କେଜ୍‌ରେ ଛଡ଼ାଗଲେ ତାହା ୭ରୁ ୮ ମାସ ମଧ୍ୟରେ ୮୦୦ରୁ ୧କେଜି ଓଜନର ହୋଇଯାଇଥିବ। ଗୋଟିଏ କେଜ୍‌ରୁ ଗୋଟିଏ ସିଜନ୍‌ରେ ଦେଢ଼ରୁ ୨ ଟନ୍‌ ମାଛ ମିଳିପାରିବ। ତତ୍‌ସହିତ ପୋଖରୀ ଭଳି ସମୁଦ୍ରରେ ମାଛ ଚାଷ କଲେ ସେଠାରେ ବାରମ୍ବାର ପାଣି ବଦଳାଇବାକୁ ପଡ଼ିନଥାଏ, ଅମ୍ଳଜାନର ମଧ୍ୟ ଦରକାର ପଡ଼େନି, ଅଳ୍ପ ଜାଗାରେ ଅଧିକ ଉତ୍ପାଦନ  ହେବ ଏବଂ ଜାଲ ଭିତରେ ରହିଥିଲେ ବି ବଢ଼ିବା ପାଇଁ ପ୍ରାକୃତିକ ପରିବେଶ ମିଳିଥାଏ।

ଦିନକୁଦିନ ସ୍ଥଳଭାଗରେ ଜାଗାର ଅଭାବ ଦେଖାଯାଉଥିବା ବେଳେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଏହି ମାଛ ଚାଷ ପାଇଁ ରହିଥିବା ଭିତ୍ତିଭୂମିର ସଦୁପୋଯୋଗ ହେବା ସହ ଲୋକଙ୍କ ରୋଜଗାର ବହୁଗୁଣିତ ହେବ। ତେବେ ଏପ୍ରିଲ ମାସରୁ ଜୁନ୍‌ ମାସ ଯାଏ ଉପକୂଳ ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟର ଭୟ ରହୁଥିବାରୁ ଏହି ୩ ମାସ ସମୁଦ୍ରରେ ମାଛ ଚାଷ ବନ୍ଦ ରହିଲେ କ୍ଷତି ସହିବାର ଆଶଙ୍କା ରହିବ ନାହିଁ। ତେବେ ବାଲେଶ୍ବରରେ ଏହି ଚାଷ ପାଇଁ ବାହାବଳପୁର ଅଞ୍ଚଳରୁ ପ୍ରଥମେ ୧୫ ଜଣ ମତ୍ସ୍ୟଜୀବୀଙ୍କୁ ବଛାଯାଇ ବିଶାଖାପାଟଣାରେ ତାଲିମ୍‌ ଦିଆଯାଇଛି ଏବଂ ସେହିମାନଙ୍କୁ ନେଇ ସିଏମ୍‌ଏଫ୍‌ଆରଆଇ ଏବଂ ଏନଏଫଡିସି ଟିମ୍‌ ଏହି ପ୍ରକଳ୍ପ କାମ ଜାରି ରଖିଛନ୍ତି।

The post ଗଭୀର ସମୁଦ୍ରରେ କେଜ୍‌ କଲଚର ମାଛ ଚାଷ: ବାଲେଶ୍ବରରେ କାର୍ଯ୍ୟକାରୀ ହେଲା ଦେଶର ପ୍ରଥମ ମେଗା ପାଇଲଟ୍‌ ପ୍ରୋଜେକ୍ଟ first appeared on Sambad.

from ବିଶେଷ | Sambad https://ift.tt/3lLFHI1

Post a Comment

0 Comments