ସ୍ବାମୀଙ୍କ ମୃତ୍ୟୁ ପରେ ୮୭ବର୍ଷ ବୟସରେ କରୋନା ପୀଡିତଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି ବୃଦ୍ଧା

ନୂଆଦିଲ୍ଲୀ: ଦିଲ୍ଲୀର ଉଷା ଗୁପ୍ତା ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ୮୭ବର୍ଷର ଉଷା ଗୁପ୍ତା କରୋନା ମହାମାରୀରେ ସଂକ୍ରମିତ ହୋଇଥିବା ଲୋକଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି। ଏଯାବତ ଉଷା ୬୫ହଜାର ଭୋକିଲାଙ୍କ ପେଟକୁ ଦାନ ଦେଇ ସେମାନଙ୍କ ଭୋକ ମେଣ୍ଟାଇଛନ୍ତି।

ପ୍ରକାଶିତ ରିପୋର୍ଟ ମୁତାବକ, କରୋନା ମହାମାରୀ ହେତୁ ଉଷାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଯାଇଥିଲା। ସେ ସ୍ବାମୀଙ୍କୁ ବଞ୍ଚାଇବା ପାଇଁ ବହୁତ ଚେଷ୍ଟା କରିଥିଲେ କିନ୍ତୁ ବଞ୍ଚାଇ ପାରି ନଥିଲେ। ଉଷା ବି କରୋନାରେ ସଂକ୍ରମିତ ହୋଇଥିଲେ କିନ୍ତୁ ସେ ଭଲ ହୋଇ ଯାଇଥିଲେ।

ସ୍ବାମୀଙ୍କ ମୃତ୍ୟୁ ପରେ ଉଷା ଭାଙ୍ଗି ପଡ଼ିଥିଲେ। ପରବର୍ତ୍ତୀ ସମୟରେ ସେ ନିଜ ମନକୁ ଦୃଢ଼ କରି ବାକିଥିବା ଜୀବନ  ଅସହାୟଲୋକଙ୍କ ସାହାଯ୍ୟ ପାଇଁ ଅଣ୍ଟାଭିଡିଥି‌ଲେ। ଉଷାଙ୍କ ସ୍ବାମୀ ଜଣେ ଇଞ୍ଜିନିୟର ଥିବା ବେଳେ ତାଙ୍କର ତିନିଜଣ ଝିଅ ଡାକ୍ତର ରହିଛନ୍ତି।

ଏମିତିରେ ଉଷାଙ୍କ ପାଖରେ ଟଙ୍କାର ଅଭାବ ନାହିଁ। ଏହା ସତ୍ତ୍ବେ ବି ଲୋକଙ୍କ ସାହାଯ୍ୟ ପାଇଁ ସେ ଆଚାର ବିକ୍ରି କରୁଛନ୍ତି। ସେତିକିରୁ ସେ ଯେତିକି ଟଙ୍କା ରୋଜଗାର କରୁଛନ୍ତି ତାହାକୁ ସେ ଭୋକିଲାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବାରେ ଲଗାଉଛନ୍ତି। ଏଭଳି ବୟସରେ ଆଚାର ତିଆରି କରିବା ସହଜ କଥା ନୁହେଁ। ଏହ ସତ୍ତ୍ବେ ବି ସେ ଏହି କାମକୁ ଖୁସିର ସହ କରୁଛନ୍ତି।

ଉଷା ନିଜର ଏହି ଛୋଟ ବ୍ୟବସାୟର ନାମ ‘ପିକଲଡ ଉଇଥ ଲବ’ ରଖିଛନ୍ତି। ଏହି କାମରେ ଉଷାଙ୍କୁ ତାଙ୍କ ନାତୁଣୀ ସାହାଯ୍ୟ କରୁଛନ୍ତି। ଉଷାଙ୍କ ନାତୁଣୀ ଆଚର ପ୍ରଚାର ଓ ମାର୍କେଟିଂ କାମ ଦେଖି ଥାଆନ୍ତି। ଏଯାବତ ସେ ୨୦୦ରୁ ଅଧିକ ଆଚାର ବୋତଲ ବିକ୍ରି କରି ସାରିଲେଣି। ଆଚାରକୁ ବିକ୍ରି କରିବା ପାଇଁ ଉଷା ଓ ତାଙ୍କ ନାତୁଣୀ ସୋସିଆଲ ମିଡିଆ ଓ ହ୍ବାଟସଆପର ବ୍ୟବହାର କରିଥାଆନ୍ତି। ଅର୍ଡର ମିଳିବା ପରେ ସେମାନେ ଡେଲିଭରି କରି ଥାଆନ୍ତି।

The post ସ୍ବାମୀଙ୍କ ମୃତ୍ୟୁ ପରେ ୮୭ବର୍ଷ ବୟସରେ କରୋନା ପୀଡିତଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି ବୃଦ୍ଧା first appeared on Sambad.

from ବିଶେଷ | Sambad https://ift.tt/3lMsAXi

Post a Comment

0 Comments