
ବାରିପଦା: ଝିଅ ଆଜି ପରା ରାଖୀ, କିନ୍ତୁ ତୁ କଣ ପାଇଁ ମୋତେ ରାଖୀ ପଠେଇଲୁନି। ତୋ ରାଖୀ ଅପେକ୍ଷାରେ ଥିଲି। ଆସନ୍ତାବର୍ଷକୁ ନିଶ୍ଚୟ ପଠାଇବି। ପଠେଇବି କଣ ଘରକୁ ଆସିବ ଆଉ ତୁମ ହାତରେ ରାଖୀ ବାନ୍ଧିବି। ଏହା ଥିଲା ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ୍ ବାଘଡ଼ା ପଞ୍ଚାୟତ ସାନଭଦୁଆ ଗ୍ରାମର ଶୌର୍ଯ୍ୟଚକ୍ର ପ୍ରାପ୍ତ ବୀର ସହିଦ ସୁଧୀର କୁମାର ଟୁଡୁଙ୍କର ତାଙ୍କ ଗେହ୍ଲୀ ଭଉଣୀ ସାଉଁରି’ଙ୍କ ସହିତ ଫୋନ୍ରେ କଥାବାର୍ତ୍ତା।
ଗତବର୍ଷ ରାଖୀରେ ଦେଶ ମାତୃକାର ସେବା ପାଇଁ ଗୁରୁତ୍ୱପୂର୍ଣ୍ଣ ମାଓ ଦମନ ଅପରେସନ୍ରେ ସାମିଲ ଥିବାରୁ ରାଖୀ ପୂର୍ଣ୍ଣିମାରେ ଘରକୁ ଆସିପାରିନଥିଲେ ସୁଧୀର। ଅପରେସନ୍ ହେଉଥିବା ସ୍ଥାନର ଠିକଣା ଜଣାନଥିବାରୁ ସାଉଁରି ଓରଫ୍ ସୁଧୀରଙ୍କ ସ୍ନେହର ଝିଅ ତାଙ୍କ ଭାଇଙ୍କ ପାଖକୁ ରାଖୀ ପଠାଇପାରିନଥିଲେ। କିନ୍ତୁ ଭାଇ ମନ ମାନିନଥିଲା। ପ୍ରତିକୁଳ ପରିସ୍ଥିତି ସତ୍ତ୍ୱେ ନିଜର ସ୍ନେହର ଗୋଟିଏ ବୋଲି ଭଉଣୀ ଝିଅ ପାଖକୁ ଫୋନ୍ କରିଥିଲେ ସୁଧୀର। ଆଉ ଅଭିମାନ ଭରା ସ୍ୱରରେ ପଚାରିଥିଲେ ଝିଅ ଆଜି ପରା ରାଖୀ, ତୁ ମୋ ପାଖକୁ କାହିଁକି ରାଖୀ ପଠାଇନଥିଲୁ। ଆଉ ଭଉଣୀର ଉତ୍ତର ସହିତ ଆସନ୍ତା ବର୍ଷକୁ ରାଖୀରେ ନିଶ୍ଚୟ ଆସିବାର ପ୍ରତିଶ୍ରୁତି ଆଦାନପ୍ରଦାନ କରିଥିଲେ ଭାଇ-ଭଉଣୀ। କିନ୍ତୁ ଆସିନଥିଲା ସେଦିନ। ଏହି କଥାବାର୍ତ୍ତାର ମାତ୍ର କିଛି ଦିନ ପରେ ଦେଶ ମାତୃକାର ସେବା କରୁ କରୁ ପ୍ରାଣବଳୀ ଦେଇଥିଲେ ସୁଧୀର। ଆଉ ଗୋଟେ ଭଉଣୀର ଭାଇ ହାତରେ ରାଖୀ ବାନ୍ଧିବାର ସ୍ୱପ୍ନ ଅଧୁରା ରହିଯାଇଥିଲା।
ଆଜି ଭାଇ ସୁଧୀରଙ୍କ ସମ୍ପର୍କରେ କଥା ହେଲା ବେଳେ ବାଷ୍ପରୁଦ୍ଧ କଣ୍ଠ ଏବଂ କୋହଭରା ବେଦନାରେ ସାଉଁଟି ହୋଇଯାଇଥିଲେ ସାଉଁରି। ଶେଷଥର ପାଇଁ ୨୦୧୯ରେ ଭାଇଙ୍କ ହାତରେ ରାଖୀ ବାନ୍ଧିଥିଲେ ସେ। ୨୦୨୦ରେ ବାନ୍ଧିପାରିନଥିବାରୁ ପରବର୍ଷ ଅର୍ଥାତ ୨୦୨୧ରେ ନିଶ୍ଚୟ ରାଖୀ ବାନ୍ଧିବାର ପ୍ରତିଶ୍ରୁତି ଦେଇଥିଲେ ଭାଇଙ୍କୁ। ମାତ୍ର ଅଧା ରହିଗଲା ପ୍ରତିଶ୍ରୁତି ଆଉ ଆସିନଥିଲା ସେଦିନ, ଯାହାକି ସାଉଁରିଙ୍କ ହୃଦୟରେ ଏକ ଅବ୍ୟକ୍ତ ବେଦନା ହୋଇ ରହିଗଲା କାଳକାଳକୁ।
ତେବେ ଗତବର୍ଷ ରାଖୀ ପଠାଇପାରିନଥିଲେ ମଧ୍ୟ ସାନ ଭାଇକୁ ବାନ୍ଧିଥିବା ରାଖୀ ସମୟର ଭିଡିଓ ପଠାଇଥିଲେ। ପରବର୍ଷ ଦୁଇ ଭାଇଙ୍କୁ ପାଖରେ ରଖି ରାଖୀ ବାନ୍ଧିବାର ସ୍ୱପ୍ନ ଚିରକାଳ ପାଇଁ ସାଉଁରିଙ୍କର ଅପୂରଣ ହୋଇ ରହିଗଲା। ଯାହାକି ବେଶ୍ ବେଦନାଦାୟକ ବୋଲି ସାଉଁରିଙ୍କର ଲୁହ ଛଳ ଛଳ ଆଖି ଆଉ କୋହଭରା କଣ୍ଠସ୍ୱର ପ୍ରମାଣ କରିଛି।
ଉଲ୍ଲେଖଯୋଗ୍ୟଯେ ସୁଧୀର ୨୦୨୦ ମସିହା ସେପ୍ଟେଟର ମାସ ୯ତାରିଖରେ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ସିକ୍ରି ଘଞ୍ଚ ଜଂଗଲରେ ଏକ ମାଓ ଅପରେସନ୍ରେ ସହିଦ୍ ହୋଇଥିଲେ। କେନ୍ଦ୍ର ସରକାର ଚଳିତ ବର୍ଷ ସ୍ୱାଧୀନତା ଦିବସରେ ସହିଦ୍ ସୁଧୀରଙ୍କୁ ଶୌର୍ଯ୍ୟ ଚକ୍ର ପ୍ରଦାନ କରିଛନ୍ତି।
The post ମାଓ ଦମନ ବେଳେ ସହିଦ୍ ହୋଇଗଲେ ଭାଇ, ରାଖୀ ବାନ୍ଧିବାକୁ ସୁଯୋଗ ପାଇଲେନି ଭଉଣୀ first appeared on Sambad.from ବିଶେଷ | Sambad https://ift.tt/3D7D1uv
0 Comments