ବାଇ ଚଢ଼େଇର ସଂରକ୍ଷଣ ପାଇଁ ବନ ବିଭାଗର ଉଦ୍ୟମ ଆରମ୍ଭ, ଗଞ୍ଜାମରେ ୨ହଜାର ବସା ଚିହ୍ନଟ

ବ୍ରହ୍ମପୁର: ଆଧୁନିକତାର ସ୍ପର୍ଶରେ ପ୍ରକୃତିର ରୂପ ବଦଳିବାରେ ଲାଗିଛି। ବିଭିନ୍ନ କାରଣକୁ ନେଇ ପରିବେଶ ଦୂଷିତ ହେବା ସହ ମନୁଷ୍ୟ ସମାଜ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟାୟର ସମ୍ମୁଖୀନ ହେଉଛି। ଏହାଦ୍ବାରା ବହୁ କ୍ଷୟକ୍ଷତି ଘଟୁଛି। ଏଥିରୁ ବାଦ୍‌ ପଡ଼ି ନାହାନ୍ତି ଜୀବଜନ୍ତୁ ଓ ପଶୁପକ୍ଷୀ। ଧୀରେ ଧୀରେ କେତେକ ନିର୍ଦ୍ଦିଷ୍ଟ ପଶୁପକ୍ଷୀ ଧରାପୃଷ୍ଠରୁ ଲୋପ ପାଇବାକୁ ବସିଲାଣି। ତନ୍ମଧ୍ୟରେ ଅନ୍ୟତମ ହେଉଛି ବାଇ ଚଢ଼େଇ। ପ୍ରାକୃତିକ ବିପର୍ଯ୍ୟୟରେ ବଡ଼ ବଡ଼ ଗଛ ଧରାଶାୟୀ ହୋଇଯାଉଥିବା ବେଳେ ପକ୍ଷୀଙ୍କ ବାସସ୍ଥାନ ମଧ୍ୟ ଉଜୁଡ଼ିଯାଉଛି। ଏଭଳି ହଜି ଯାଉଥିବା ପଶୁପକ୍ଷୀଙ୍କ ସଂରକ୍ଷଣ ପାଇଁ ସରକାରୀସ୍ତରରେ ପଦକ୍ଷେପ ଗ୍ରହଣ କରାଯାଉଛି। ଏଦିଗରେ ଗଞ୍ଜାମ ବ୍ଲକ ପୁରୁଣାବନ୍ଧ ଗ୍ରାମର ଯୁବ ପରିବେଶବିତ୍‌ ରବୀନ୍ଦ୍ରନାଥ ସାହୁ ଓ ମାଗତା ବେହେରା ଗତ ୨୦୦୭ରୁ ବାଇ ଚଢ଼େଇର ସୁରକ୍ଷା ପାଇଁ କାର୍ଯ୍ୟ କରି ଚାଲିଛନ୍ତି।

ଏମାନଙ୍କ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରେ ୨ହଜାରରୁ ଅଧିକ ବାଇ ଚଢ଼େଇ ବସା ରହିଛି। ସେହିପରି ବ୍ରହ୍ମପୁର ବନ ବିଭାଗ ତରଫରୁ ବାଇ ଚଢ଼େଇର ସଂରକ୍ଷଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ସେମାନଙ୍କ ବାସସ୍ଥାନ ଚିହ୍ନଟ କରାଯାଉଛି। ବାଇ ଚଢ଼େଇର ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ଡିଏଫ୍‌ଓ ଅମ୍ଳାନ ନାୟକ ସୂଚନା ଦେଇଛନ୍ତି। ମନୁଷ୍ୟ ସମାଜ ନିଜ ସ୍ବାର୍ଥ ସାଧନ ପାଇଁ ପ୍ରକୃତିକୁ ନଷ୍ଟ କରିବାରେ ଲାଗିଛି। ଫଳରେ ବହୁ ଜୀବଜନ୍ତୁ ନିଜର ବାସସ୍ଥାନ ହରାଇଛନ୍ତି। ଏପରିକି କିଛି ପଶୁପକ୍ଷୀ ସହରମୁହାଁ ହୋଇଥିବା ବେଳେ ଆଉ କେତେକ ଲୋପ ପାଇଯିବା ଭଳି ସ୍ଥିତି ସୃଷ୍ଟି ହେଲାଣି। ଦିନକୁ ଦିନ କଳକାରଖାନା ଓ ଯାନବାହନ ବୃଦ୍ଧି ହେବା ସହ ଚାଷ କାର୍ଯ୍ୟରେ ବିଭିନ୍ନ ପ୍ରକାର ସାର, ରାସାୟନିକ ଔଷଧ ପ୍ରଭୃତି ବ୍ୟବହାର କରାଯାଉଛି। ଏହାଦ୍ବାରା ପରିବେଶ ବିଷାକ୍ତ ହେବାକୁ ଲାଗିଲାଣି। ଯାହାର ସିଧାସଳଖ ପ୍ରଭାବ ଛୋଟଛୋଟ କୀଟପତଙ୍ଗ ଓ ପଶୁପକ୍ଷୀଙ୍କ ଉପରେ ପଡ଼ୁଛି। ଏଥିରେ ବାଇ ଚଢ଼େଇ ମଧ୍ୟ ପ୍ରଭାବିତ ହେଉଛନ୍ତି। ସାଧାରଣତଃ ବାଇ ଚଢ଼େଇମାନେ ଗାଁ ଠାରୁ ଦୂରରେ ଥିବା ଜଳାଶୟ ନିକଟସ୍ଥ ଖଜୁରୀ, ନଡ଼ିଆ, ତାଳ, ବର ଏବଂ ଓସ୍ତ ଗଛରେ ବସା ବାନ୍ଧିଥାନ୍ତି। ଜଳାଶୟର ଚିକିଟା ମାଟିକୁ ବସାର ଭିତର ପାର୍ଶ୍ବରେ ଲେପନ କରିଥାନ୍ତି। ସାଧାରଣତଃ ଧାନ, ମାଣ୍ଡିଆ, ମଞ୍ଜି ଜାତୀୟ ଫସଲ ଓ କୀଟପତଙ୍ଗକୁ ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି। କିନ୍ତୁ ସେଗୁଡ଼ିକ ଆଉ ମିଳୁ ନାହିଁ। ଦିନ ଥିଲା ବଡ଼ବଡ଼ ତାଳଗଛ, ଖଜୁରୀ ଗଛ, ନଡ଼ିଆ ଓ କଣ୍ଟା ଜାତୀୟ ଗଛରେ ଏମାନଙ୍କ ବସା ଦେଖିବାକୁ ମିଳୁଥିଲା। ଏବେ ପ୍ରାକୃତିକ ପରିବେଶ ନଷ୍ଟ ହେଉଥିବାରୁ ଏମାନଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି।

ଗଞ୍ଜାମ ଜିଲ୍ଲାରେ ପୂର୍ବରୁ ଯେତିକି ମାତ୍ରାରେ ତାଳ ଓ ଖଜୁରୀ ଗଛ ଥିଲା, ଏବେ ଆଉ ସେହି ମାତ୍ରାରେ ନାହିଁ। ଏଣୁ ଜିଲ୍ଲାରେ ବାଇ ଚଢ଼େଇ ବଂଶ ଏବେ ସଂକଟରେ ରହିଛି। କିନ୍ତୁ ପୂର୍ବବର୍ଷ ତୁଳନାରେ ଏ ବର୍ଷ ଜିଲ୍ଲାର ବିଭିନ୍ନ ସ୍ଥାନରେ ବାଇ ଚଢ଼େଇ ବସା ଦେଖିବାକୁ ମିଳିଛି। ତାଳ, ଖଜୁରୀ, ନଡ଼ିଆ ଆଦି ଗଛ ରହିଲେ ବାଇ ଚଢ଼େଇ ବସା କରିବା ପାଇଁ ରାହା ପାଇବେ ବୋଲି ଶ୍ରୀ ସାହୁ ଓ ଶ୍ରୀ ବେହେରା କହିଛନ୍ତି। ଜିଲ୍ଲାରେ ଗତ ଦୁଇବର୍ଷ ହେଲା ବାଇ ଚଢ଼େଇର ସର୍ଭେ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ଗଞ୍ଜାମ, ଛତ୍ରପୁର, ପୁରୁଷୋତ୍ତମପୁର, ଖଲ୍ଲିକୋଟ, କବିସୂର୍ଯ୍ୟନଗର, ବେଗୁନିଆପଡ଼ା, ରଂଗେଇଲୁଣ୍ଡା ବ୍ଲକ ଅଞ୍ଚଳରେ ସର୍ଭେ କରାଯାଇ ୨ହଜାରରୁ ଅଧିକ ବସା ଚିହ୍ନଟ କରାଯାଇଛି। ଗଞ୍ଜାମ ବ୍ଲକରେ ସର୍ବାଧିକ ବାଇ ଚଢ଼େଇ ବସା ଦେଖିବାକୁ ମିଳିଛି। ଗଞ୍ଜାମ ସହରର ରେଳ ଷ୍ଟେସନ୍‌, ଦାମୋଦରପୁର, ବରପଲ୍ଲୀ ଅଞ୍ଚଳରେ ଥିବା କିଛି ଗଛରେ ମଧ୍ୟ ୧୫୦ରୁ ଅଧିକ ବସା ରହିଛି। ପାଲିବନ୍ଧ ପଞ୍ଚାୟତର ଖଟିଆକୁଦା, କଣ୍ଟିଆଗଡ଼, ପାଲୁର କେନାଲ ନିକଟରେ ୨ଶହରୁ ଅଧିକ ବସା ରହିଛି। ସେହିପରି ସୁବଳିୟା ପଞ୍ଚାୟତର ଚାଷ ଜମିରେ ଥିବା ତାଳଗଛରେ ମଧ୍ୟ ୭୫ରୁ ଅଧିକ ବସା ଚିହ୍ନଟ ହୋଇଛି। ଏମାନଙ୍କ ସଂରକ୍ଷଣ ପାଇଁ ବନ ବିଭାଗ ଉଦ୍ୟମ ଆରମ୍ଭ କରିଛି ବୋଲି ସୂଚନା ମିଳିଛି।

The post ବାଇ ଚଢ଼େଇର ସଂରକ୍ଷଣ ପାଇଁ ବନ ବିଭାଗର ଉଦ୍ୟମ ଆରମ୍ଭ, ଗଞ୍ଜାମରେ ୨ହଜାର ବସା ଚିହ୍ନଟ first appeared on Sambad.

from ବିଶେଷ | Sambad https://ift.tt/3zzcvYY

Post a Comment

0 Comments