ଗଜପତି: ବସନ୍ତ ନିବାସ ଏବ˚ ପାରଳା ରାଜପ୍ରାସାଦ ପୁନଃଉଦ୍ଧାର ଦାବି

ପାରଳାଖେମୁଣ୍ତି: ଗଜପତି ଜିଲ୍ଲା ପାରଳାଖେମୁଣ୍ତିର ଦୁଇଟି ଐତିହ୍ୟସ୍ଥଳୀ ପାରଳା ରାଜପ୍ରାସାଦ ଏବ˚ ବସନ୍ତ ନିବାସ (ବୃନ୍ଦାବନ ପ୍ୟାଲେସ୍‌)ର ପୁନରୁଦ୍ଧାର ଦାବି ହୋଇଛି। ପ୍ରାୟ ୧୦୦ ବର୍ଷ ପୁରାତନ ଏହି ପ୍ରାସାଦଗୁଡ଼ିକର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହେବା ସହ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଧୀରେ ଧୀରେ ଏହା ନଷ୍ଟ ହେବାକୁ ବସିଲାଣି। ଏହାର ଭିତ୍ତିଭୂମି ମଧ୍ୟ ଅତ୍ୟନ୍ତ ଦୁର୍ବଳ ହୋଇଗଲାଣି। ରାଜପ୍ରାସାଦ ବାମପାର୍ଶ୍ବ ପ୍ରଥମ ମହଲାରେ ଅନେକ ବର୍ଷ ଧରି ଭାରତୀୟ ଜୀବନ ବୀମା କାର୍ଯ୍ୟାଳୟ ରହିଥିଲା। ହେଲେ କୋଠାଟି ବିପଦପୂର୍ଣ୍ଣ ହେବା ପରେ ୧୦ ବର୍ଷ ହେଲା ଏହି କାର୍ଯ୍ୟାଳୟ ସ୍ଥାନାନ୍ତର ହୋଇଯାଇଛି।

ସେହିପରି ରାଜପ୍ରାସାଦ ମଧ୍ୟରେ ଜିଲ୍ଲା ପ୍ରଶାସନର ସୂଚନା ଏବ˚ ଲୋକସମ୍ପର୍କ ବିଭାଗ କାର୍ଯ୍ୟାଳୟ ମଧ୍ୟ ଥିଲା। କାନ୍ଥ ଫାଟ ଦେବାରୁ ଏହା ମଧ୍ୟ ସ୍ଥାନାନ୍ତର ହୋଇଛି। ଯଦିଓ ରାଜପ୍ରାସାଦ ବାମ ପାର୍ଶ୍ବରେ ଦୁଇଟି ବେସରକାରୀ ଅନୁଷ୍ଠାନ ଚାଲିଛି, ତାହା ମଧ୍ୟ ବିପଦାପନ୍ନ ସ୍ଥିତିରେ। ଏହା ମଧ୍ୟ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ହୋଇସାରିଛି । କିଛିଦିନ ପୂର୍ବେ ସହରର ଜଣାଶୁଣା ଗବେଷକ ଏବ˚ ପାରଳା ଇତିହାସର ଲେଖକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ରାଜ୍ୟ ସରକାରଙ୍କୁ ଏକ ଚିଠି ମାଧ୍ୟମରେ ରାଜପ୍ରାସାଦର ସୁରକ୍ଷା ପାଇଁ ସରକାର ଏହାକୁ ହାତକୁ ନିଅନ୍ତୁ ବୋଲି ନିବେଦନ କରିଥିଲେ। ଏହା ଉପରେ ସରକାରଙ୍କ ଆଡୁ କୌଣସି ଉତ୍ତର ମିଳିନାହିଁ।

ସହର ଉପକଣ୍ଠରେ ମହେନ୍ଦ୍ରତନୟା ନଦୀ ତଟରେ ରହିଛି ବସନ୍ତ ନିବାସ, ଯାହା ବୃନ୍ଦାବନ ପ୍ୟାଲେସ୍‌ ନାମରେ ଖ୍ୟାତ। ଗ୍ରୀଷ୍ମ ରୁତୁରେ ରାଜ ପରିବାରର ସଦସ୍ୟ ମାନେ ଏଠାରେ ସମୟ କଟାଇବା ପାଇଁ ଏହି ଅଟ୍ଟାଳିକା ନିର୍ମାଣ ହୋଇଥିଲା। ଏହା ମଧ୍ୟ ଭଗ୍ନ ଅବସ୍ଥାକୁ ଚାଲି ଆସିଲାଣି। ୨୦୦୦ ମସିହାରେ ରାଜ୍ୟ ସରକାର ଏହାର ମରାମତି ପାଇଁ ୩ କୋଟି ଟଙ୍କା ଅନୁଦାନ ଦେଇଥିଲେ। ହେଲେ ମରାମତି ପରେ ଏହାର ରକ୍ଷଣାବେକ୍ଷଣ ପାଇଁ କର୍ମଚାରୀ ନିଯୁକ୍ତି ହେଲେ ନାହିଁ। ଆଜି ମଧ୍ୟ ବସନ୍ତ ନିବାସକୁ ପ୍ରାତଃ ଭ୍ରମଣ, ବ୍ୟାୟାମ, ଯୋଗାସନ ପାଇଁ ବହୁ ସ˚ଖ୍ୟାରେ ସ୍ଥାନୀୟ ବାସିନ୍ଦା ଆସୁଛନ୍ତି। ପ୍ରାସାଦ ମଧ୍ୟକୁ ବର୍ତ୍ତମାନ ପ୍ରବେଶ ବାରଣ କରାଯାଇଛି, କାରଣ କିଛି କକ୍ଷ ବିପଦପୂର୍ଣ୍ଣ ଅବସ୍ଥାରେ। ଏହି ଦୁଇଟି ଯାକ ଏତିହ୍ୟ ସ୍ଥଳୀର ପୁନରୁଦ୍ଧାର ଦିଗରେ ରାଜ୍ୟ ପର୍ଯ୍ୟଟନ ବିଭାଗ କିଛି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେବାକୁ ପଡ଼ିବ। ନହେଲେ ଏହି ଦୁଇ ବିଶାଳ ଅଟ୍ଟାଳିକା ସବୁଦିନ ପାଇଁ ହଜିଯିବ।

The post ଗଜପତି: ବସନ୍ତ ନିବାସ ଏବ˚ ପାରଳା ରାଜପ୍ରାସାଦ ପୁନଃଉଦ୍ଧାର ଦାବି first appeared on Sambad.

from ବିଶେଷ | Sambad https://ift.tt/3iRAtYb

Post a Comment

0 Comments