ଉଚ୍ଚଶିକ୍ଷା ପାଇଁ ସଂଘର୍ଷ କରୁଛନ୍ତି କବିତା ନିଶିକା, ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଦାରିଦ୍ର୍ୟର କଷଣ

ରାୟଗଡ଼ା( ନବୀନ ଚନ୍ଦ୍ର ସାହୁ): ମୂଲ ଲାଗି କିଣିଲେ ମୋବାଇଲ। ଗାଁରେ ନେଟୱର୍କ ନଥିବାରୁ ସହରରେ ନେଇଛନ୍ତି ଘରଭଡ଼ା। ପେଟକୁ ଦୁଇ ଓଳି ଖାଦ୍ୟ ଯୋଗାଡ଼ରେ ବିଫଳ ଆଦିବାସୀ ଛାତ୍ରୀ ଅଭାବ, ଅନଟନକୁ ଭୁଲି ଉଚ୍ଚଶିକ୍ଷା ପାଇଁ ଜିଦ୍ ଧରି ପଢ଼ି ଚାଲିଛନ୍ତି ପାଠ। ଗୋଟିଏ ଲକ୍ଷ୍ୟ ପାଠ ପଢ଼ିବି, ଚାକିରୀ କରିବି, ବିଧବା ମାଆ ଆଖିରୁ ଲୁହ ପୋଛି ମୁହଁରେ ହସ ଫୁଟାଇବି…।

ରାୟଗଡ଼ା ବ୍ଲକ୍ ଗୁମ୍ମା ପଞ୍ଚାୟତ ହାଡ଼ିଆ ଗ୍ରାମର ମେଧାବୀ ଛାତ୍ରୀ କବିତା ନିଶିକା। ଯୁକ୍ତ ତିନି ପ୍ରଥମ ବର୍ଷର ଏହି ଛାତ୍ରୀ ପିଲାଟି ଦିନରୁ ବାପାଙ୍କୁ ହରାଇଛନ୍ତି। ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିଲେ ମଧ୍ୟ ନିଜ ଇଚ୍ଛା ଶକ୍ତି ବଳରେ ସବୁ ପ୍ରତିକୂଳ ପରିସ୍ଥିତିକୁ ପଛରେ ପକାଇ ପାଠ ପଢ଼ା ଜାରି ରଖିଛନ୍ତି। ଘରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବାରୁ କବିତାଙ୍କ ବଡ଼ ଭଉଣୀ ବନିତା ନିଶିକା, ମାଆ ଚିନା ନିଶିକା ମୂଲ ଲାଗି ପରିବାର ପ୍ରତିପୋଷଣ କରୁଛନ୍ତି। ଜୀବନରେ ସଫଳ ହେବାର ଆଶା ନେଇ ଭୁବନେଶ୍ବରରେ ପଢ଼ୁଥିବା କବିତାର ମାସିକ ହାତ ଖର୍ଚ୍ଚ ପାଇଁ ଖୁବ୍ କମ୍ ଅର୍ଥ ପଠାଇଥାନ୍ତି। କଲେଜରୁ ଫେରିବା ପରେ ଅନ୍ୟ ଘରେ କାମ କରି ପଢ଼ା ବାବଦ ଟଙ୍କା ଯୋଗାଡ଼ କରିଥାନ୍ତି କବିତା।

କରୋନା ମହାମାରୀ ଯୋଗୁ କଲେଜ ବନ୍ଦ ହେବା ପରେ ବିକଳ୍ପ ଭାବେ ସରକାର ଅନଲାଇନ ଶିକ୍ଷା ଆରମ୍ଭ କରିଥିଲେ। ପାଖରେ ମୋବାଇଲ୍ ନଥିବାରୁ ଅନଲାଇନ୍ ଶିକ୍ଷାରୁ ବଞ୍ଚିତ ହୋଇଥିଲେ କବିତା। କଲେଜ ଖୋଲିବା ବିଳମ୍ବ ହେବା ଜାଣି ଗାଁକୁ ଫେରି ଆସି ମାଆ ଚିନା ଓ ଭଉଣୀ ବନିତାଙ୍କ ସହ ଦିନ ମଜୁରିଆ ଭାବେ କାମ କରିଥିଲେ। ଦୈନିକ ମଜୁରୀ ଟଙ୍କାକୁ ସଞ୍ଚୟ କରି ମାଆଙ୍କ ସହାୟତାରେ ଶେଷରେ ମୋବାଇଲ୍ କିଣିବାରେ ସକ୍ଷମ ହୋଇଛନ୍ତି କବିତା। କିନ୍ତୁ ଗାଁରେ ମୋବାଇଲ୍ ନେଟୱର୍କ ନଥିବାରୁ ଅନଲାଇନ୍ ପାଠ ପଢ଼ା ସମ୍ଭବ ହୋଇନଥିଲା। ଶେଷରେ ନିଜ ସହଯୋଗୀଙ୍କ ସହ ଯୋଗାଯୋଗ କରି ରାୟଗଡ଼ା ସହରରେ ଘର ଭଡା ନେବା ପାଇଁ ବାଧ୍ୟ ହୋଇଥିଲେ। ୪ ସହଯୋଗୀ ମାସିକ ୪ ହଜାର ଟଙ୍କା ଘର ଭଡା ଦେଇ ଏବେ ପାଠ ପଢ଼ା ଜାରି ରଖିଛନ୍ତି।

କବିତାଙ୍କ ମାଆ ଓ ଭଉଣୀ ମୂଲ ଲାଗି ଯାହା ପାଆନ୍ତି ସେଥିରୁ ୧ ହଜାର ଟଙ୍କା ଘର ଭଡା ବାବଦକୁ ଝିଅକୁ ପ୍ରଦାନ କରିଥାନ୍ତି। ମାସିକ ୧ ହଜାର ଟଙ୍କା ଯୋଗାଡ କରିବା ବହୁତ କଷ୍ଟ ସାଧ୍ୟ ହଉଛି ବୋଲି କବିତାଙ୍କ ମାଆ ଚିନା ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ମାସିକ ୧୫ କେଜି ଚାଉଳ ମିଳୁଥିବା ବେଳେ ସେଥିରୁ ଅଧା କବିତାକୁ ଦେଇ ବାକି ଅଧା ନିଜ ପାଖରେ ରଖି ମାସକ ଯାକ ଚଳିଥାନ୍ତି। ଡାଲି ଓ ତରକାରୀ ପ୍ରସ୍ତୁତ ପାଇଁ ପଇସା ନଥିବାରୁ କବିତା ଭାତ ରାନ୍ଧି ଲୁଣ, ଲଙ୍କା ସହ ପ୍ରତିଦିନ ଖାଇଥାନ୍ତି। ଜୀବନରେ ଯେତେ କଷ୍ଟ ହେଉ, ଯେତେ ଝଡ଼ଝଞ୍ଜା ଆସୁ ହାରିବିନି, ଡରିବିନି, ପଛକୁ ଫେରିବନି ବ‌ୋଲି କହିଛନ୍ତି କବିତା।

The post ଉଚ୍ଚଶିକ୍ଷା ପାଇଁ ସଂଘର୍ଷ କରୁଛନ୍ତି କବିତା ନିଶିକା, ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଦାରିଦ୍ର୍ୟର କଷଣ first appeared on Sambad.

from ବିଶେଷ | Sambad https://ift.tt/3zN76NN

Post a Comment

0 Comments