ମା’ ରମାଦେବୀ ଓ କେନ୍ଦୁଝରର ବାଳକଟିଏ

୧୯୫୭ କିମ୍ବା ୧୯୫୮ ମସିହାର କଥା। ରାତି ପ୍ରାୟ ୧୨ଟା ବେଳେ ଚକ୍ରଧରପୁର-ପୁରୀ ପାସେଞ୍ଜର ଟ୍ରେନ ବାଲେଶ୍ବରଠାରେ ଅଟକିଲା। ଚାରି ଜଣ ବୟସ୍କା ମହିଳା ଗୋଟିଏ ବଗିକୁ ଆସି ବସିଲେ। ସେଠାରେ ବାଳକଟିଏ ଝରକାକୁ ଆଉଜି ବସିଥିଲା। ତାକୁ ଲାଗି ବସିଥିବା ମହିଳାଜଣକ ତା’ର ଘର କେଉଁଠି, ଗନ୍ତବ୍ୟ ଓ ନାମ ଇତ୍ୟାଦି ପଚାରିଲେ। ପିଲାଟି କହିଲା- ଆମ ଘର କେନ୍ଦୁଝରରେ। ପ୍ରଥା ଅନୁସାରେ ମୁଁ ବଡ଼ ଭଉଣୀର ବାହାଘର ପରେ ତା ଶାଶୂ ଘରକୁ ଯାଇଥିଲି। ଦେଈଘର ଲୋକେ ମୋତେ ଏହି ଗାଡ଼ିରେ ବସାଇ ଦେଇଛନ୍ତି। ମୁଁ ଯାଜପୁର-କେନ୍ଦୁଝର ରୋଡ୍ ଷ୍ଟେସନରେ ଓହ୍ଲାଇବି। ସେ ମହିଳାଜଣକ ଆଉ କେତୋଟି ପ୍ରଶ୍ନ କରିଥିଲେ। ବାଳକଟି ସବୁ ପ୍ରଶ୍ନର ଉତ୍ତର ଅତ୍ୟନ୍ତ ବିଚକ୍ଷଣ ଢଙ୍ଗରେ ଦେଇଥିଲା।

ଏମିତି କିଛି ସମୟ କଥାବାର୍ତ୍ତା ପରେ ବାଳକଟିକୁ ନିଦ ଆସିଗଲା। ଟ୍ରେନଟି ମଞ୍ଜୁରୀ ରୋଡ୍ ଅତିକ୍ରମ କରିବା ବେଳକୁ ରାତି ପାହି ଭୋର ହୋଇଯାଇଥିଲା। ଯାଜପୁର ରୋଡ୍ ଷ୍ଟେସନ ଆଗକୁ ଥାଏ। ପାହାନ୍ତିଆ ଶୀତରୁ ରକ୍ଷା କରିବାକୁ ମହିଳାଜଣଙ୍କ ନିଜର ଶାଢ଼ିର ପଣତରେ ପିଲାଟିକୁ ଘୋଡ଼ାଇ ଦେଇଥିଲେ। ଏପରିକି ପିଲାଟିକୁ ଆରାମରେ ଶୋଇବାକୁ ଦେବାକୁ ଯାଇ ସେମାନଙ୍କ ମଧ୍ୟରୁ ଦୁଇଜଣ ମହିଳା ଆଗ ସିଟ୍‌ରେ ଗୁଞ୍ଜି ହୋଇ ବସିଥିଲେ। ଇତିମଧ୍ୟରେ ଯାଜପୁର ରୋଡ୍ ଷ୍ଟେସନ ଆସିଯିବାରୁ ପିଲାଟି ଉକ୍ତ ଚାରିଜଣଙ୍କୁ ପ୍ରଣାମ ଜଣାଇ ଓହ୍ଲାଇ ପଡ଼ିଲା।

ଘଟଣାର ପର ବର୍ଷ ପିଲାଟି ଭୁବନେଶ୍ବର ମାମୁଘରକୁ ବୁଲି ଆସିଥିଲା। ଭୁବନେଶ୍ବର ଷ୍ଟେସନରେ ସେ ସେହି ଟ୍ରେନ୍‌ର ମହିଳାଙ୍କୁ ଦେଖିବାକୁ ପାଇଲା। ତାଙ୍କ ପାଖରେ ଜଣେ ବୃଦ୍ଧ ମଧ୍ୟ ବସିଥାଆନ୍ତି। ବହୁତ ଲୋକ ସେମାନଙ୍କ ପାଦ ଛୁଇଁ ଆଶୀର୍ବାଦ ନେଉଥିଲେ। ପିଲାଟି ମାମୁଁଙ୍କୁ ପଚାରିଲା- ସେହି ମା’ଜଣକ କିଏ? ମାମୁଁ ଚିହ୍ନାଇଦେଲେ- ସେ ହେଉଛନ୍ତି ରମାଦେବୀ; ସ˚ଗ୍ରାମ, ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ। ପିଲାଟି ତାଙ୍କ ନିକଟକୁ ଦୌଡ଼ିଗଲା। ପ୍ରଣାମ ଜଣାଇବା ସହିତ ପୂର୍ବ ଘଟଣାର ଅବତାରଣା କଲା। ମା’ ରମାଦେବୀ ଆଶୀର୍ବାଦ ଦେଇ କହିଲେ- ସବୁବେଳେ ମହାତ୍ମା ଗାନ୍ଧୀଙ୍କ ନୀତିକୁ ଆଧାର କରି ଚାଲିବ, ଭବିଷ୍ୟତରେ ବଡ଼ ଲୋକ ହେବ। ନିଜ ବ˚ଶ, ଅଞ୍ଚଳ ଓ ଦେଶର ସେବା କରିବାରେ ଅବହେଳା କରିବ ନାହିଁ।

କହିବା ବାହୁଲ୍ୟ, ସେଦିନର ସେହିି ବାଳକଟି ହେଉଛନ୍ତି ଆଜିର ନିରଞ୍ଜନ ପଟ୍ଟନାୟକ ଓରଫ ପୁତୁଲ ବାବୁ। ଆମ ସମୟର ଅନ୍ୟତମ ସଫଳ ରାଜନେତା। ଏବେ ମଧ୍ୟ ମା’ ରମାଦେବୀ ତାଙ୍କର ଆରାଧ୍ୟ। ଅଧିକା˚ଶ ସଭା ସମିତିରେ ସେ ମା’ ରମାଦେବୀଙ୍କ ଆଦର୍ଶର ପଥିକ ବୋଲି କହନ୍ତି। ପର ପିଲାଙ୍କୁ ନିଜର ପିଲା ପରି ସ୍ନେହ ଦେବା, ତାଙ୍କର ଦୁଃଖକଷ୍ଟକୁ ଆପଣାଇ ନେବା, ଜୀବନର ଶେଷ ପର୍ଯ୍ୟନ୍ତ ଗାନ୍ଧୀଜୀଙ୍କ ମାର୍ଗରେ ଚାଲିଥିବା ମା’ ରମାଦେବୀ ଜଣେ ମହାମାନବୀ। ଆଜି ତାଙ୍କ ପୁଣ୍ୟ ତିଥିରେ ତାଙ୍କୁ କୋଟି କୋଟି ପ୍ରଣାମ।

ବୈଷ୍ଣବ ଜେନା
ମୋ: ୯୪୩୭୦୦୭୨୦୦

The post ମା’ ରମାଦେବୀ ଓ କେନ୍ଦୁଝରର ବାଳକଟିଏ first appeared on Sambad.

from ବିଶେଷ | Sambad https://ift.tt/3wZ2D8N

Post a Comment

0 Comments