ଫୁଲଚାଷ: ନିଜେ ସ୍ବାବଲମ୍ବି ହୋଇ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି ଲୋଟନ୍ 

ଝାରସୁଗୁଡା: ଚାକିରୀ ପଛରେ ନଦୌଡ଼ି ଚାଷ ପ୍ରତି ଆଗ୍ରହ ସୃଷ୍ଟି କରିଥିବା ଉଚ୍ଚଶିକ୍ଷିତ ଲୋଟନ ସାହୁ ଏବେ ଜିଲ୍ଲାରେ ତାଙ୍କର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଜଣେ ସଫଳ ଚାଷୀ ଭାବରେ ସେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ବାରା ବେଶ ପ୍ରଶଂସିତ ହୋଇଛନ୍ତି। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର ସୁନାରୀ ପଞ୍ଚାୟତ ଅନ୍ତର୍ଗତ ପତ୍ରାପାଲି ଗ୍ରାମର ୩୬ ବର୍ଷିୟ ଯୁବକ ଲୋଟନ୍ ସାହୁ ନୂତନ ଜ୍ଞାନକୌଶଳ ଓ ବୈଜ୍ଞାନିକ ପଦ୍ଧତିରେ ଚାଷ କରି ସଫଳତାର ସ୍ବାଦ ଚାଖିଥିବା ବେଳେ ଜିଲ୍ଲା ଯୁବପିଢ଼ୀ ମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି।

ଲୋଟନ୍ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ୨୦୧୯ ମସିହାରେ ଚାଷକୁ ଆପଣେଇ ନେଇଥିଲେ। ପ୍ରଥମେ ସେ ନିଜ ଉଦ୍ୟମରେ ଛତୁଚାଷ ଆରମ୍ଭ କରିଥିଲେ। ପରେ ପରେ ମାଛଚାଷ ଓ ଏହାପରେ ନିଜର ଜମିରେ ପନିପରିବା ଚାଷ କରି ଭଲ ରୋଜଗାର ଆରମ୍ଭ କରିଥିଳେ। ଏବେ ଗତ ଦୁଇବର୍ଷ ହେଲା ସେ ତାଙ୍କ ଜମିରେ ଫୁଲ ଚାଷ କରି ବେଶ ସଫଳ ହୋଇ ପାରିଛନ୍ତି। ଜିଲ୍ଲା କୃଷି ବିଭାଗ ଓ ଉଦ୍ୟାନ ବିଭାଗର ସହଯୋଗ ଓ ବିଭିନ୍ନ ଅନୁଦାନ ତଥା ଋଣ କରି ସେ ତାଙ୍କର ୧୫ ଏକର ଜମିରେ ପନିପରିବା, ଛତୁ, ଫୁଲ ଓ ୨ ଗୋଟି ପୋଖରୀରେ ମାଛଚାଷ କରି ଏକ ଅତ୍ୟାଧୁନିକ ଫାର୍ମ ସୃଷ୍ଟି କରିଛନ୍ତି। ଏଠାରେ ସେ ଛତୁ ବିହନ ମଧ୍ୟ ପ୍ରସ୍ତୁତ କରୁଥିବା ବେଳେ ଜିଆଖତ ପ୍ରସ୍ତୁତ କରି ତାକୁ ବ୍ୟବହାର କରୁଛନ୍ତି।

ଲୋଟନ୍ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବ ବିଦ୍ୟାଳୟ, ପୁନେ ସ୍ଥିତ ନ୍ୟାସନାଲ ହର୍ଟିକଲଚର ପୋଷ୍ଟ ହାର୍ଭେଷ୍ଟ ଟ୍ରେନିଂ ସେଣ୍ଟର, ପତଞ୍ଜଳି ଅର୍ଗାନିକ ଫାର୍ମିଂ ରିସର୍ଚ ସେଣ୍ଟର, ହିମାଚଳପ୍ରଦେଶର ସୋଲାନ ଠାରେ ନୂତନ ଜ୍ଞାନକୌଶଳ ଓ ବୈଜ୍ଞାନିକ ପଦ୍ଧତିର ଚାଷ ଉପରେ ତାଲିମ ଗ୍ରହଣ କରିଥିବା ବେଳେ ଏହି ନୂତନ ଜ୍ଞାନକୌଶଳକୁ ସେ ବ୍ୟବହାର କରି ବେଶ ଲାଭବାନ ହୋଇଛନ୍ତି। ନିଜ ଜମିରେ ଜଳସେଚନ ପାଇଁ ସେ କେନାଲ, ଉଠା ଜଳସେଚନ, ବୁନ୍ଦା ଜଳସେଚନ ଓ ପୋଖରୀରେ ସଂରକ୍ଷିତ ଥିବା ଜଳକୁ ମାଟି ତଳେ ପାଇପ୍ ମାଧ୍ୟରେ ଜଳ ପରିଚାଳନା କରୁଛନ୍ତି।

ଗ୍ରୀନ୍ ହାଉସ୍ ଓ ପଲି ହାଉସ୍ ବ୍ୟବହାର କରି ସେଠାରେ ଗେଣ୍ଡୁ, ବିଭିନ୍ନ ରଙ୍ଗର ଗୋଲାପ ଓ ଜର୍ବେରା ଫୁଲ ଚାଷ କରୁଥିବା ବେଳେ ଏହି ଫୁଲର ଚାହିଦା କାହିଁରୁ କାହିଁ ବୃଦ୍ଧି ପାଉଛି। ରାଜ୍ୟ ବାହାରୁ ବିଭିନ୍ନ ସ୍ଥାନରୁ ଏହି ଫୁଲଚାରା ଆଣି ତାକୁ ଏଠାରେ ସେ ରୋପଣ କରିଛନ୍ତି। ଏହି ଫାର୍ମରେ ବର୍ଷ ତମାମ ୭/୮ ଜଣ କର୍ମଚାରୀ କର୍ମ ନିଯୁକ୍ତିର ସୁଯୋଗ ପାଇଛନ୍ତି। ରାଜ୍ୟ ସରକାରଙ୍କ କୃଷି ଓ ଉଦ୍ୟାନ ବିଭାଗ ପକ୍ଷରୁ ତାଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦେଇଥିବାି ବେଳେ ଚାଷ ପାଇଁ ସରକାରଙ୍କ ଅନେକ ସ୍କିମ୍ ରହିଛି ଯେଉଁଥିରେ ଚାଷୀକୁ ଅନେକ ସବ୍ସିଡି ଲାଭ ସହିତ ଚାଷର ଅଭିବୃଦ୍ଧି ପାଇଁ ଭରପୁର ସୁଯୋଗ ରହିଥିବା ଲୋଟନ୍ କୁହନ୍ତି। ଆଗକୁ ଆହୁରି ଦୁଇ ଗୋଟି ପଲିହାଉସ ନିର୍ମାଣ କରି ଫୁଲଚାଷ ବୃଦ୍ଧି କରିବାକୁ ସେ ଯୋଜନା ରଖିଥିବା ବେଳେ ଯୁବପୀଢ଼ି ଚାକିରୀ ପଛରେ ନଗୋଡ଼ାଇ ଚାଷ ପ୍ରତି ଧ୍ୟାନ ଦେବାକୁ ସେ ନିବେଦନ କରିଛନ୍ତି।

The post ଫୁଲଚାଷ: ନିଜେ ସ୍ବାବଲମ୍ବି ହୋଇ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି ଲୋଟନ୍  first appeared on Sambad.

from ବିଶେଷ | Sambad https://ift.tt/3hyKMkx

Post a Comment

0 Comments