ଦୃଷ୍ଟି ଆଢୁଆଳରେ କାଲିଗାଡୁ ହିଲଟପ୍‌, ପର୍ଯ୍ୟଟକଙ୍କୁ ମୌଳିକ ସୁବିଧା ଯୋଗାଉଛନ୍ତି ଗ୍ରାମବାସୀ

ଘୁ.ଉଦୟଗିରି: କରୋନା କାଳରେ ସ୍ଥାନୀୟ ଅଞ୍ଚଳରେ ଲୁକ୍କାୟିତ ଅବସ୍ଥାରେ ଥିବା ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀକୁ ସ୍ଥାନୀୟ ଅଞ୍ଚଳର ଯୁବ ଗୋଷ୍ଠୀ ବାହାର କରିବା ସହ ସୋସିଆଲ ମିଡ଼ିଆରେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟର ଫଟୋ ଓ ଭିଡ଼ିଓ ଛାଡ଼ି ପ୍ରକୃତିପ୍ରେମୀଙ୍କୁ ଆକୃଷ୍ଟ କରିପାରିଛନ୍ତି। ଏହିଭଳି ଏକ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ହିଲଟପ୍‌ କାଲିଗାଡୁକୁ କିଛି ଦିନ ତଳେ ଖୋଜି ବାହାରକରିବା ପରେ ଏହି ସ୍ଥାନକୁ ପ୍ରତିଦିନ ଶହଶହ ପର୍ଯ୍ୟଟକ ଯିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି। କିଛିଦିନ ଭିତରେ ହଜାରହଜାର ପର୍ଯ୍ୟଟକ ଏହି ହିଲଟପ୍‌କୁ ବୁଲିବାକୁ ଗଲେଣି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆଢୁଆଳରେ ରହିଯାଇଛି।

ଘୁ.ଉଦୟଗିରି ସହରରୁ ୮କିମି. ଦୂରରେ ଅବସ୍ଥିତ ଏହି କାଲିଗାଡୁ ହିଲଟପ୍‌କୁ ରାସ୍ତାଟିଏ ନାହିଁ। ମାଲିକାପୋଡି ପଞ୍ଚାୟତର ସିର୍କୀ ଗାଁ ଠାରୁ ମୁକୁଲିଙ୍ଗିଆ ପର୍ଯ୍ୟନ୍ତ ଭଲ ରାସ୍ତାଟିଏ ନ ଥିବା ବେଳେ ମୁକୁଲିଙ୍ଗିଆ ଠାରୁ କିଛି ରାସ୍ତା ଗଲା ପରେ ଆଉ ଆଗକୁ ଗାଡି ଯାଇପାରୁନାହିଁ। ସେହି ସ୍ଥାନରେ ଗାଡି ରଖି ୫୦୦ମିଟର ପାହାଡ଼ ଚଢି ଯିବାକୁ ପଡ଼େ। ହିଲଟପ୍‌ ଉପରୁ ସୁଦୂର ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ରସଲକୁଣ୍ଡା ଘାଇ, ଡହ ଘାଇ ଦେଖାଯିବା ସହ କନ୍ଧମାଳ ଜିଲ୍ଲା ସୀମାକୁ ଲାଗି ରହିଥିବା ଗଞ୍ଜାମ ଜିଲ୍ଲାର ବହୁ ଗ୍ରାମ ଏହି ହିଲଟପ୍‌ରୁ ଦୃଶ୍ୟମାନ ହେଉଛି। ଏହି ହିଲଟପ ଠାରୁ ପୁଣି କିଛି ବାଟ ଆଉ ଗୋଟିଏ ପାହାଡ଼ ଚଢିଲେ ଆହୁରି ଉଚ୍ଚରୁ ମଜ୍ଜା ନେଇପାରିବେ।

ସ୍ଥାନୀୟ ମୁକୁଲିଙ୍ଗିଆ ଗ୍ରାମବାସୀଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ କାଲିଗାଡୁ ହିଲଟପ୍ର‌ ଉନ୍ନତି ସହ ପର୍ଯ୍ୟଟକ ମାନଙ୍କ ସୁବିଧା ନିମନ୍ତେ ରାସ୍ତା ବାହାର କରିଛନ୍ତି। ଅଞ୍ଚଳକୁ ସମ୍ପୂର୍ଣ୍ଣ ସଫାସୁତରା କରିବା ସହ ଗାଡି ପାର୍କିଂ ସୁବିଧା ଓ କିଛି ଯୁବକ ଦୋକାନ କରି ପର୍ଯ୍ୟଟକଙ୍କୁ ଖାଦ୍ୟ ପାନୀୟର ବ୍ୟବସ୍ଥା କଲେଣି। ମୁକୁଲିଙ୍ଗିଆ ଗ୍ରାମବାସୀ ଏକ କମିଟି କରି ଏହି ପର୍ଯ୍ୟଟନ କ୍ଷେତ୍ରରେ କିଭଳି ଉନ୍ନତି ହେବ ଓ ବାହାରୁ ଆସୁଥିବା ପର୍ଯ୍ୟଟକ କିଭଳି ସୁରକ୍ଷିତ ଭାବେ ହିଲଟପ୍‌କୁ ଯାଇ ପୁଣି ଫେରିବେ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଉଥିବା ଦେଖିବାକୁ ମିଳିଛି।

ସରକାରଙ୍କ ବିନା ସହଯୋଗରେ ମୁକୁଲିଙ୍ଗିଆ ଗ୍ରାମବାସୀ କାଲିଗାଡୁ ହିଲଟପ୍‌ରେ ପର୍ଯ୍ୟଟକଙ୍କୁ ମୌଳିକ ସୁବିଧା ଯୋଗାଇ ପ୍ରଶଂସାର ପାତ୍ର ହୋଇଛନ୍ତି। ତେଣୁ ଜିଲ୍ଲା ପ୍ରଶାସନ, ପର୍ଯ୍ୟଟନ ବିଭାଗ ଏବଂ ବନବିଭାଗ ଏହି ସ୍ଥାନକୁ ସ୍ବତନ୍ତ ଧ୍ୟାନ ଦେଇ ଇକୋ ଟୁରିଜିମରେ ଅନ୍ତର୍ଭୁକ୍ତ କରି ଉନ୍ନତି କଲେ ପର୍ଯ୍ୟଟକଙ୍କ ଆଗମନ ହେବା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହୋଇପାରିବ ବୋଲି କୁହାଯାଇଛି।

The post ଦୃଷ୍ଟି ଆଢୁଆଳରେ କାଲିଗାଡୁ ହିଲଟପ୍‌, ପର୍ଯ୍ୟଟକଙ୍କୁ ମୌଳିକ ସୁବିଧା ଯୋଗାଉଛନ୍ତି ଗ୍ରାମବାସୀ first appeared on Sambad.

from ବିଶେଷ | Sambad https://ift.tt/3wzfiPH

Post a Comment

0 Comments