ବିଷମଞ୍ଜି

ପୁଅର ପରୀକ୍ଷାର ଫଳ ଯେ ରଶ୍ମୀବାବୁଙ୍କ ପାଇଁ ଏମିତି ଗୋଟାଏ ସମସ୍ୟା ହୋଇ ଠିଆ ହେବ, ତାହା ସେ କଳ୍ପନାରେ ବି ଆଣି ନ ଥିଲେ। ସର୍ବଦା ଶ୍ରେଣୀରେ ପ୍ରଥମ ହେଉଥିବା ପୁପୁନ୍ ସରକାରୀ ବୃତ୍ତି ହାସଲ କରିବା ଲକ୍ଷ୍ୟରେ ଦିନରାତି ଏକ କରି ଦେଇଥିଲା। ତା’ ପରିଶ୍ରମ ଦେଖି ଦୟା ଲାଗୁଥିଲା-ପିଲାଟା, କେତେ ଖଟୁଛି। ପରୀକ୍ଷା ଦେବା ପରେ ଆତ୍ମବିଶ୍ୱାସର ସହ . କହୁଥିଲା- ‘‘ବାପା, ମୋ ପାଠପଢ଼ା ଲାଗି ଆସନ୍ତା ବର୍ଷଠୁ ତୁମକୁ କମ୍ ଖର୍ଚ୍ଚ କରିବାକୁ ପଡ଼ିବ। ମୁଁ ସରକାରଙ୍କ ଠାରୁ ବୃତ୍ତି ପାଇବି।’’

ବୃତ୍ତି ପରୀକ୍ଷା ଫଳ ପ୍ରକାଶ ବିଳମ୍ବିତ ହେଉଥିଲା ଆଉ ବ୍ୟସ୍ତ ହୋଇପଡୁଥିଲା ପପୁନ୍। ସାଙ୍ଗସାଥି, ଶିକ୍ଷକ ଓ ସ୍କୁଲକୁ ଫୋନ୍ କରି ପଚାରି ବୁଝୁଥିଲା କେବେ ପ୍ରକାଶ ପାଇବ ଫଳ। ରଶ୍ମୀବାବୁ ତାକୁ ତାଗିଦ୍ କରୁଥିଲେ- କାହିଁକି ଏତେ ବ୍ୟସ୍ତ ହଉଛୁ କରୋନା ଯୋଗୁଁ ସବୁ ଡେରି ହେଉଛି। ପରୀକ୍ଷା ହୋଇଛି ମାନେ ଫଳ ବାହାରିବ। ତେଣେ ସହପାଠୀ ଓ ଶିକ୍ଷକଙ୍କ ଉତ୍ସାହ ପୁପୁନକୁ ଆଶାବାଦୀ କରିଦେଉଥିଲା। ରଶ୍ମୀବାବୁ ବି ପୁଅର ସଫଳତା ନେଇ ଏକ ପ୍ରକାର ନିଶ୍ଚିତ ଥିଲେ। ପୁପୁନର ଅଭିଳଷିତ ପରୀକ୍ଷା ଫଳ ଯେ ତା ଜୀବନର ପହିଲି ସ୍ୱପ୍ନକୁ ଚୁରମାର କରିଦେବ, ତାହା ରଶ୍ମୀବାବୁଙ୍କ କଳ୍ପନା ବାହାରେ ଥିଲା। କାରଣ ଛାତ୍ର ଜୀବନରେ କେବେ ବି ବିଫଳତାର ସାମ୍ନା କରି ନଥିଲା ପୁପୁନ୍। ପାଠପଢ଼ା, ବକୃତା, ସାଧାରଣ ଜ୍ଞାନ ସବୁଥିରେ ଶ୍ରେଣୀରେ ଅଗ୍ରଣୀ ଥିଲା ସେ। ଆଉ ଖୁବ୍ ପରିଶ୍ରମୀ ବି ଥିଲା ପୁପୁନ୍।

ରଶ୍ମୀବାବୁ ଅଫିସରୁ ଘରକୁ ଫେରି ଦେଖନ୍ତି ପୁଅର ମୁହଁଟା ଶୁଖିଯାଇଛି। ସବୁଦିନ ପାଖକୁ ଆସି ଦିନଯାକର ଘଟଣା ବଖାଣୁଥିବା ପୁପୁନ୍ କବାଟଟା ଖୋଲି ଦେଇ ଭିତରକୁ ଚାଲିଗଲା। ସେ ଅନୁମାନ କରିନେଲେ କିଛି ଗୋଟେ ଘଟିଛି। ପତ୍ନୀଙ୍କୁ ପଚାରିବାରୁ ସେ କହିଲେ- ପରୀକ୍ଷାରେ ଫେଲ୍ ହୋଇଯାଇଛି ପୁପୁନ୍। ମାତ୍ର ୧ ମାର୍କ ପାଇଁ ବୃତ୍ତି ଲାଭରୁ ବଞ୍ଚିତ ହୋଇ ଭାଙ୍ଗିପଡିଛି ସେ। ପରୀକ୍ଷା ଫଳ ଜାଣିବା ପରଠାରୁ ପୁରା ଗୁମସୁମ ହୋଇ ବସିଛି, କିଛି ପଚାରିଲେ ଖାଲି ଚିଡ଼ଚିଡ଼ ହେଉଛି ।

ପୁଅକୁ ବଡ଼ ପାଟିରେ ଡାକ ଦେଲେ ରଶ୍ମୀବାବୁ। ୩-୪ ଡାକ ପରେ ଆସିଲା ସେ। ପାଖରେ ବସାଇ ତା’ର ମଥା ଆଉଁସି ଦେଇ କହିଲେ- ‘ବାବା, ପରୀକ୍ଷାରେ ପାସ୍-ଫେଲ୍ ଅଛି। ତୁ ତ ମାତ୍ର ଗୋଟିଏ ମାର୍କ ପାଇଁ ଫେଲ୍ ହେଲୁ। ମନଦୁଃଖ କରନି, ପୁଣି ଥରେ ଦବୁ ଆଉ ପାଇବୁ ଆଉ ତୁ ତ ନିଜେ ନିଜେ ପଢ଼ିଥିଲୁ। ନା ଟ୍ୟୁସନ୍ ହେଉଥିଲୁ ନା କୋଚିଂ ନେଉଥିଲୁ। ନିଜ ଚେଷ୍ଟାରେ ଯାହା ରେଜଲ୍ଟ କରିଛୁ, ତାହା ଖୁବ୍ ବଢ଼ିଆ। ମୁଁ ଖୁସି, ତୋ ମା’ବି ଖୁସି। ଆଗକୁ ବୋର୍ଡ ପରୀକ୍ଷା, ସେଥିପାଇଁ ମନ ଦେଇ ପଢ଼। ଆହୁରି କେତେ ସୁଯୋଗ ଆସିବ।’’

ଚୁପ୍ ହୋଇ ସବୁ ଶୁଣୁଥିଲା ପୁପୁନ୍। ରଶ୍ମୀବାବୁ ଅନୁଭବ କରୁଥିଲେ ଯେ ତାଙ୍କ ପ୍ରବୋଧନାରେ ପୁଅର ମନ ବୁଝୁ ନାହିଁ। ସେ ହଠାତ୍ ପଚାରିଲା- ‘ବାପା, ଆମ ଜାତିଟା ଖରାପ୍। ଆମେ ‘ଜେନେରାଲ୍’ କାହିଁକି ହେଲେ? ଆମେ ଯଦି ସେ ‘ଅମୁକ’ ବା ‘ସମୁକ’ (ଦୁଇଟି ସଂରକ୍ଷିତ ବର୍ଗର ନାମ) ହୋଇଥାଆନ୍ତେ ତେବେ ମୁଁ ଏଇ ଥରକ ବୃତ୍ତି ପାଇଯାଇ ଥାଆନ୍ତି। ଏଇ ଯେମିତି ମୋଠୁ ୨୦/୨୫ ମାର୍କ କମ୍ ରଖି ଅସୀମ, ପ୍ରକାଶ ଓ ଅଞ୍ଜଳି ପାଇଲେ। ଆମ ଜାତିଟା ବଦଳାଇ ହେବନି ବାପା?’

ସ୍ତବଧ୍ ହୋଇଗଲେ ରଶ୍ମୀବାବୁ। ପୁଅଠାରୁ ଏଭଳି ପ୍ରତିକ୍ରିୟା ଆଶା କରି ନ ଥିଲେ ସେ। ଅବଚେତନ ଅବସ୍ଥାରେ ପୁପୁନ୍ ମନରେ ପୋତି ହୋଇଯାଇଥିଲା ‘ଜାତିଭେଦ’ର ବିଷମଞ୍ଜି। ଆମ ଜାତି ବଡ଼, ତାଙ୍କ ଜାତି ଛୋଟ କି ଏ ଜାତି ଭଲ, ସେ ଜାତି ଖରାପ – ଏପରି ମନୋଭାବ ପୁଅ ପାଖରେ କେବେ ଦେଖି ନଥିଲେ ରଶ୍ମୀବାବୁ। ଖୁବ ବିଚଳିତ ହୋଇପଡ଼ିଲେ ସେ। ପୁଅକୁ କୋଳେଇ ନେଇ କହିଲେ- ‘କୋଉ ଜାତି ଖରାପ ନୁହେଁ, ସବୁ ଜାତି ଭଲ। ଯେଉଁମାନେ ଆମ ଭିତରେ ଟିକିଏ ପଛୁଆ ପଡ଼ିଯାଇଛନ୍ତି, ସେମାନଙ୍କୁ ସମସ୍ତଙ୍କ ସହ ସମାନ କରିବାକୁ ସରକାର କୋହଳ ଦେଇଛନ୍ତି। ସେଥିପାଇଁ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି। ପଛୁଆବର୍ଗର ହୋଇଥିବାରୁ ତୋ ସାଙ୍ଗମାନଙ୍କୁ କୋହଳ ମିଳିଛି। ତୁ ଏଥିପାଇଁ କାହିଁକି ମନଦୁଃଖ କରୁଛୁ। ଆଉ ଟିକେ ଭଲକରି ପଢ଼, ନିଶ୍ଚୟ ବୃତ୍ତି ପାଇବୁ।’’

ପୁପୁନ୍ ରଶ୍ମୀବାବୁଙ୍କୁ ପୁଣି ପ୍ରଶ୍ନ କଲା- ‘ଅସୀମ, ପ୍ରକାଶ ଓ ଅଞ୍ଜଳି ଆମଠୁ ପଛୁଆ କେମିତି? ଜଣଙ୍କ ବାପା-ମା’ ଡାକ୍ତର, ଜଣଙ୍କ ବାପା ବଡ଼ କମ୍ପାନିରେ ମ୍ୟାନେଜର ଓ ଆଉ ଜଣଙ୍କ ବାପା ସରକାରୀ ଅଫିସର। ସେମାନେ ତ ଦାମୀ ଇନ୍ଷ୍ଟିଚ୍ୟୁଟରେ ଲକ୍ଷ ଲକ୍ଷ ଟଙ୍କା ଦେଇ କୋଚିଂ ନେଉଛନ୍ତି। ଆମେ ତ ତାଙ୍କଠରୁ କେତେ ପଛୁଆ।’’

ରଶ୍ମୀବାବୁ ହୃଦୟଙ୍ଗମ କଲେ ଏବେ ପୁଅକୁ ବୁଝାଇବା ସମ୍ଭବ ନୁହେଁ। ପ୍ରତିକ୍ରିୟଶୀଳ ହୋଇପଡିଥିବା ପୁପୁନର ମନ ବଦଳାଇବା ପାଇଁ ସେ ପ୍ରସଙ୍ଗ ମୋଡିଲେ। ପତ୍ନୀଙ୍କୁ ଡାକି କହିଲେ- ବୃତ୍ତି ପରୀକ୍ଷାରେ କଟ୍-ଅଫ୍ ମାର୍କ ଠାରୁ ମାତ୍ର ୧ ନମ୍ବର କମ୍ ରଖିଛି ପୁପୁନ୍। ମୁଁ ବହୁତ ଖୁସି। ଆଜି ରୋଷେଇ ବନ୍ଦ, ହୋଟେଲରୁ ମଗାଇ ଖାଇବା। ତାର ମନ ପସନ୍ଦର ଡିସ୍ ଅର୍ଡର କରିବା।
ସାମ୍ପ୍ରତିକ ବହୁ-ସାଂସ୍କୃତିକ ଓ ମୁକ୍ତ ସମାଜରେ ବଢ଼ିଥିବା ପିଲାମାନେ ପ୍ରାୟତଃ ଜାତିପ୍ରଥା ଓ ଜାତିଭିତ୍ତିକ ଭେଦଭାବ ଦ୍ୱାରା ପ୍ରଭାବିତ ନୁହନ୍ତି। ପୁପୁନ୍ ଏମାନଙ୍କ ଭିତରୁ ଜଣେ। ସ୍କୁଲରେ ନବମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବା ପୁପୁନ୍ ଭିତରେ କେବେ ବି ନିଜ ଜାତିକୁ ନେଇ ଗୌରବବୋଧ କିମ୍ବା ହୀନମନ୍ୟତା ଦେଖାଯାଇ ନଥିଲା। ପ୍ରଚଳିତ ଜାତିପ୍ରଥା କି ଜାତିଭେଦ ନେଇ ତାର ସ୍ପଷ୍ଟ ଧାରଣା ବି ନଥିଲା। ବୃତ୍ତି ପରୀକ୍ଷାରେ ବିଫଳତା ଓ ସଂରକ୍ଷଣ ଯୋଗୁଁ ତା’ଠାରୁ କମ୍ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ସହପାଠୀଙ୍କ ସଫଳତା ତା’ର ତରୁଣମନରେ ପ୍ରତିକ୍ରିୟା ଓ ବିଦ୍ବେଷ ଭରି ଦେଇଥିଲା।

ରଶ୍ମୀବାବୁ ଭାବିପାରୁ ନଥିଲେ କ’ଣ କହି ପୁଅର ଭଙ୍ଗା ମନକୁ ଯୋଡ଼ିବେ। ହାତ କି ଗୋଡ ନୁହେଁ ଯେ ମଲମ ଲଗାଇ ଦେଲେ ଦିନ କେଇଟାରେ କ୍ଷତ ଶୁଖିଯିବ। ପୁଅର ତରୁଣ ମନରେ ଲାଗିଥିବା ଆଘାତର କିପରି ଉପଶମ କରିବେ, ସେ ଚିନ୍ତାରେ ଛଟପଟ ହେଉଥିଲା ରଶ୍ମୀଙ୍କ ବାପା ମନ।

ଇଏ କେବଳ ପୁପୁନ୍ ଜୀବନର ଘଟଣା ନୁହେଁ, ଦେଶର ଲକ୍ଷ ଲକ୍ଷ ମେଧାବୀ ଛାତ୍ରଛାତ୍ରୀଙ୍କ ମନରେ ସୃଷ୍ଟି ହେଉଥିବା ବିଦ୍ବେଷ, ଦ୍ୱନ୍ଦ୍ୱ ଓ ପ୍ରତିକ୍ରିୟାର କାହାଣୀ।

The post ବିଷମଞ୍ଜି first appeared on Sambad.

from ବିଶେଷ | Sambad https://ift.tt/3yQBbeV

Post a Comment

0 Comments