ବାଲେଶ୍ବର: ଉଠ୍ ଧନ ଉଠ୍… ଆରେ ମୁଁ ଡାକୁଛି ପରା ଉଠି ଯା… ଆଉ କେତେ ଅଭିମାନ କରିବୁ… କେତେ ଆଉ ମିଛି ମିଛିକା ଆଖି ବୁଜି ମୋ ସହ ଖେଳ ଖେଳିବୁ । ତୁ ଆଖି ନଖୋଲିଲା ବେଳକୁ ଛାତିରୁ କଲିଜାଟା ଖସି ପଡୁଛି ଲୋ… ଉଠି ଯା, ଏ ଧନ ! ଦେଖ, ଡାକ୍ତର ବାବୁ ଆସିଲେଣି । ତୁ ମାଆ ହେବୁ, ମୁଁ ବାପା ହେବି… ଆଉ ଆମର ଦୁଇଟା ଗୁଲୁଗାଲିଆ ଛୁଆ ହେବ… ଉଠ, ଆଖି ଖୋଲ… ଆଖି ଖୋଲ…
ନିଶ୍ୱାସ ନିରବି ଯିବା ପରେ ସ୍ତ୍ରୀର ଛାତି ଉପରେ ମୁଣ୍ଡ ରଖି ବିଶ୍ୱାସର ଡାକ ଡାକୁଛି ସ୍ୱାମୀ । ତା ମଥାକୁ ଆଉଁଶି ପକାଉଛି, ତାକୁ ଗେଲ କରି ଉଠିଯା ବୋଲି କହୁଛି । ହେଲେ ନା ସ୍ତ୍ରୀ ଶୁଣୁଛି, ନା ଷ୍ଟ୍ରେଚରୁ ଉଠୁଛି । ଗର୍ଭ ଯନ୍ତ୍ରଣା ଏତେ ହେଲା ଯେ, ଦୁନିଆକୁ ଦୁଇ ଦୁଇଟି ଜୀବନ ଆଣିବା ଆଗରୁ ଶେଷନିଦ୍ରାରେ ସବୁଦିନ ପାଇଁ ଶୋଇଗଲା ସ୍ତ୍ରୀ । ଆଉ ପ୍ରାଣପ୍ରିୟା ପ୍ରାଣତ୍ୟାଗ କରିବା ପରେ ସ୍ୱାମୀ ଏମିତି ଛାତି ଫଟେଇ କାନ୍ଦୁଛି ଯେ ତାକୁ କେଉଁ ଭାଷାରେ ବୁଝାଇ ହେବନି…
ଥରେ ଭାବିଲେ ବାପା ଡାକ ଶୁଣିବା ପାଇଁ ଆଶା ରଖିଥିବା ଏଇ ରମାକାନ୍ତ ସ୍ତ୍ରୀଠୁ ଖୁସି ଖବର ଶୁଣିବା ଦିନଠୁ କେତେ କଣ ଭାବି ନଥିବେ । ବାପା ହେବେ ବୋଲି ପାଦ ମାଟିରେ ବି ଲାଗୁନଥିବ… ମାଆ ବି ଖୁସିର ଯନ୍ତ୍ରଣାକୁ ସହି ଗର୍ଭରେ ମାରୁଥିବା କଅଁଳ ଶିଶୁର ଗୋଇଠାକୁ ସହିଯାଉଥିବ । ହେଲେ ସବୁ ଆଶା ମାଟିରେ ମିଶିଗଲା । ବାପା ଡାକ ତ ଶୁଣିବା ଦୂରର କଥା । ନିଷ୍ଠୁର ବିଧାତା ସ୍ତ୍ରୀକୁ ଛଡାଇ ନେଲା । ଆଉ ଆସୁଥିବା ଅତିଥି ସହ ମାଆ ବି ଆଖିବୁଜିଲା ।
ବାଲେଶ୍ୱର ଜିଲ୍ଲା ସୋର ତଳନଗର ସୁନାରୀ ଗାଁରେ ଆସିଥିବା ଏ ଘଟଣା ଆଖି ଭିଜେଇ ଦେଇଛି । ଯେଉଁଠି ପିଲା ଜନ୍ମ ଦେବା ପୂର୍ବରୁ ଆରପାରିକୁ ଚାଲି ଯାଇଛନ୍ତି ଗର୍ଭବତୀ ମହିଳା । ଗର୍ଭ ଯନ୍ତ୍ରଣା ହେବାରୁ ୨୧ ବର୍ଷୀୟ ମହିଳା ଜଣଙ୍କୁ ପ୍ରସବ ପାଇଁ ସୋର ହସ୍ପିଟାଲକୁ ନିଆଯାଇଥିଲା । ହେଲେ ଅଧବାଟରେ ଆଖି ବୁଝି ଦେଇଥିଲେ ମହିଳା । ହସ୍ପିଟାଲରେ ପହଞ୍ଚିବା ପରେ ମହିଳାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଆଉ ସ୍ତ୍ରୀର ଦେହାନ୍ତ ଖବର ଶୁଣିବା ପରେ ଶବକୁ ଧରି ବାହୁନି ବାହୁନି କାନ୍ଦୁଛିି ସ୍ୱାମୀ ।
ତେବେ ମହିଳାଙ୍କ ମୃତଦେହକୁ ପରେ ପୋଷ୍ଟମର୍ଟମ କରା ହୋଇଥିବା ବେଳେ ପେଟ ଭିତରୁ ଦୁଇଟି କୁନି କୁନି ଯାଆଁଳା ଶିଶୁ କନ୍ୟା ମୃତ ଅବସ୍ଥାରେ ବାହାର କରାଯାଇଥିବା ସୂଚନା ମିଳିଛି । ସତରେ ଯେଉଁ ଖୁସି ଟିକକ ପାଇଁ ମହିଳା ଜଣଙ୍କ ସବୁ ଯନ୍ତ୍ରଣାକୁ ସହି ଯାଉଥିଲେ । ପରିବାର ଯେଉଁ ଅତିଥିଙ୍କ ଆସିବା ବାଟକୁ ଚାହିଁ ଖୁସିରେ ଆତ୍ମହରା ହେଉଥିଲା ଆଜି କେଇ ସେକେଣ୍ଡରେ ସବୁ ଛାରଖାର ହୋଇଯାଇଛି।
The post ପ୍ରସବ ଯନ୍ତ୍ରଣା ସହି ନପାରି ଆଖି ବୁଜିଲେ ସ୍ତ୍ରୀ, ଉଠ୍ ଧନ ବୋଲି କହି ଛାତିରେ ମୁଣ୍ଡ ପିଟି ପିଟି ଆତ୍ମହରା ହେଲେ ସ୍ବାମୀ first appeared on Sambad.from ବିଶେଷ | Sambad https://ift.tt/3Ah1fkO
0 Comments