
ସୁଖର କଥା ଯେ ଓଡ଼ିଆ ଗଣମାଧ୍ୟମ ଇତିହାସରେ ସମ୍ଭବତଃ ପ୍ରଥମ ଥର ପାଇଁ ‘ସମ୍ବାଦ’ ‘ପିତୃ ଦିବସ’ ପାଳନ କରୁଛି। ଆମ ଦେଶ ଭାରତବର୍ଷ ଏକ ମାତୃତାନ୍ତ୍ରିକ ଦେଶ। ସେଥିପାଇଁ ଆମ ଦେଶକୁ କୁହାଯାଏ ‘ଭାରତ ମାତା’। ଭାରତ ଯେଉଁ ପୃଥିବୀର ଅଂଶ, ସେଇ ପୃଥିବୀକୁ ବି ମାତା କୁହାଯାଏ। ଏପରିକି ଯେଉଁ ନଦୀମାନେ ଆମର ପ୍ରାଣସ୍ରୋତ ସେମାନେ ବି ଆମର ମାଆ।
କିନ୍ତୁ ଆମେ ଯଦି ବୃହତ୍ତର ଦୃଷ୍ଟିରେ ବିଚାର କରୁ, ତେବେ ଦେଖୁ ଯେ ଯେଉଁ ତିନି ଦେବତାଙ୍କୁ ଏ ବିଶ୍ୱବ୍ରହ୍ମାଣ୍ଡରେ ସବୁର କର୍ତ୍ତା ବା ନିୟନ୍ତା ରୂପେ ଗ୍ରହଣ କରାଯାଇଛି, ସେ ତିନିହେଁ ହେଉଛନ୍ତି ପୁରୁଷ ବା ପିତା, ବ୍ରହ୍ମା-ସୃଷ୍ଟିକର୍ତ୍ତା, ବିଷ୍ଣୁ-ପାଳନକର୍ତ୍ତା ଏବଂ ଶିବ-ସଂହାର କର୍ତ୍ତା। ସେହିପରି ଆମେ ଯଦି ମାନବ ଜାତିର ମୂଳକୁ ଯାଉ ଆମର ତତ୍ତ୍ୱଦର୍ଶନ ଓ ପୁରାଣ ପରମ୍ପରା ଆମକୁ କହେ ଯେ ‘ମନୁ’ଙ୍କ ଠାରୁ ଏ ମାନବ ଜାତିର ସୃଷ୍ଟି।
କିନ୍ତୁ ଏହା ସତ୍ତ୍ୱେ, ମାତୃ ଦିବସ ଯେପରି ବ୍ୟାପକ ଭାବରେ ପାଳନ କରାଯାଏ, ପିତୃଦିବସ ସେପରି ଭାବରେ ପାଳନ କରାଯାଏ ନାହିଁ। କିନ୍ତୁ ଆମେ ଯଦି ଏ ଦୁଇ ଦିବସ ପାଳନର ଇତିହାସକୁ ଦେଖୁ, ଆମକୁ ଜଣାଯାଏ ଯେ ବିଂଶ ଶତାବ୍ଦୀର ପ୍ରଥମ ଦଶକରେ ହିଁ ଏ ଦୁଇ ଦିବସ ପାଳନର ପରମ୍ପରା ଆରମ୍ଭ ହୋଇଛି। କିନ୍ତୁ ୱିକିପିଡ଼ିଆ ପରି ବିଶ୍ୱକୋଷର ତଥ୍ୟ କହେ ଏବେ ବିଶ୍ୱର ୪୦ଟିରୁ ଅଧିକ ଦେଶରେ ମାତୃଦିବସ ପାଳିତ ହେଉଥିବା ବେଳେ ପିତୃଦିବସ ପାଳିତ ହେଉଛି ୧୧୧ଟିରୁ ଅଧିକ ଦେଶରେ।
ଏ ଦୃଷ୍ଟିରୁ, ବିଗତ ଅନେକ ବର୍ଷ ଧରି ମାତୃଦିବସ ପାଳନ କରି, ଆମେ ମାଆକୁ ସମ୍ମାନ ଦେବାର ଏକ ପରମ୍ପରା ପ୍ରତିଷ୍ଠା କରି ଆସିଥିବା ବେଳେ ସମ୍ବାଦ ପକ୍ଷରୁ ଏବର୍ଷ ପିତୃଦିବସ ପାଳନର ଏକ ପରମ୍ପରା ନୂଆ କରି ଆରମ୍ଭ କରୁଛୁ। ପିତା ଓ ମାତା ଉଭୟେ ସନ୍ତାନ ସନ୍ତତି ଓ ପରିବାର ପାଇଁ ମହତ୍ତ୍ୱ ପୂର୍ଣ୍ଣ ହୋଇଥିବା ବେଳେ କେବେଳ ‘ମାତୃ ଦିବସ’ ପାଳନ କରି ମାଆକୁ ସମ୍ମାନ ଦେଲେ ଆମର କର୍ତ୍ତବ୍ୟ ସଂପୂର୍ଣ୍ଣ ହେବ ନାହିଁ ବୋଲି ଅନୁଭବ କରି ଏ ବର୍ଷରୁ ଆମେ ଏହାର ଅୟମାରମ୍ଭ କରୁଛୁ।
ବିଭିନ୍ନ ଦେଶରେ ‘ମାତୃ ଦିବସ’ ଓ ‘ପିତୃ ଦିବସ’ ପାଳନ ପାଇଁ ଭିନ୍ନ ଭିନ୍ନ ଦିନ ରହିଛି। କିନ୍ତୁ ଆମ ଦେଶରେ ସାଧାରଣତଃ ମେ ମାସର ଦ୍ୱିତୀୟ ରବିବାରରେ ‘ମାତୃ ଦିବସ’ ଓ ଜୁନ୍ ମାସର ତୃତୀୟ ରବିବାରରେ ‘ପିତୃ ଦିବସ’ ପାଳିତ ହୋଇଥାଏ। ସେହି ଅନୁସାରେ ଏ ବର୍ଷର ଆଜିର ରବିବାରଟି ହେଉଛି ‘ପିତୃ ଦିବସ’।
ଆଶା, ଏହା ‘ମାତୃ ଦିବସ’ ପାଳନ ପରି ‘ପିତୃ ଦିବସ’ ପାଳନର ଏକ ନୂଆ ପରମ୍ପରା ସୃଷ୍ଟି କରିବ। ଏହା ମାଧ୍ୟମରେ ଆମେ ‘ମାଆକୁ ସମ୍ମାନ’ ପରି ‘ବାପାଙ୍କୁ ସମ୍ମାନ’ ଦେବାରେ ଏକ ସକାରାତ୍ମକ ମାନସିକତାକୁ ପ୍ରୋତ୍ସାହିତ କରି ପାରିବା।
The post ପିତାଙ୍କ ପାଇଁ ଦିନଟିଏ first appeared on Sambad.from ବିଶେଷ | Sambad https://ift.tt/3wHyNGz
0 Comments