କାଠବାକ୍ସରେ ପଶି ଗଙ୍ଗାରେ ଭାସି ଯାଉଥିବା ନବଜାତ କନ୍ୟା ‘ଗଙ୍ଗାପୁତ୍ରୀ’କୁ ଉଦ୍ଧାର କଲେ ନାବିକ

ନୂଆଦିଲ୍ଲୀ: କାଠବାସ୍କରେ ପଶି ଗାଜିପୁରରେ ପ୍ରବାହିତ ଗଙ୍ଗାନଦୀରେ ଭାସିଯାଉଥିବା ଏକ ନବଜାତ କନ୍ୟାକୁ ଜଣେ ନାବିକ ଉଦ୍ଧାର କରିଛନ୍ତି। ନବଜାତା ସହ ସେ ବାକ୍ସରେ ଖଣ୍ଡେ ଚିଟାଉ, ଦେବୀ ଦୁର୍ଗାଙ୍କର ଏକ ଚିତ୍ର, ଜାତକ ଏବଂ ଧୂପକାଠି ମଧ୍ୟ ଥିଲା। ଚିଟାଉରେ ଲେଖାଥିଲା ‘ଗଙ୍ଗାପୁତ୍ରୀ’ ବା ‘ଗଙ୍ଗାଙ୍କ ସନ୍ତତି’।

ଗୁଲ୍ଲୁ ଚୌଧୁରୀ ନାମରେ ଜଣେ ସ୍ଥାନୀୟ ନାବିକ ସେ ନବଜାତାକୁ ଘରକୁ ନେଇଯାଇଥିଲେ। ଘଟଣା ସଂକ୍ରାନ୍ତରେ ପୁଲିସକୁ ସୂଚନା ଦିଆଯିବା ପରେ ଛୁଆଟିକୁ ଜିଲ୍ଲା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ପୁଲିସ କହିବା ଅନୁସାରେ, ମଙ୍ଗଳବାର ସଞ୍ଜବେଳେ ଗୁଲ୍ଲୁ ଦାଦ୍ରିଘାଟରେ ଥିବା ବେଳେ କାଠବାକ୍ସରେ ଭାସିଯାଉଥିବା ଛୁଆର କାନ୍ଦଣା ଶୁଣି ତାକୁ ଉଦ୍ଧାର କରିଥିଲେ।

Image Courtesy of India Today

ହିନ୍ଦୀ ଭାଷାରେ ଟୁଇଟ୍‌ କରି ‌ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନାବି ଗୁଲ୍ଲୁଙ୍କୁ ପ୍ରଶସାଂ କରିବା ସହ ସରକାର ସେ ଛୁଆଟିର ଲାଳନପାଳନ ନିମନ୍ତେ ବନ୍ଦୋବସ୍ତ କରିବେ ବୋଲି କହିଛନ୍ତି।

ସେ କହିଛନ୍ତି, ନବଜାତ ବାଳିକାର ଜୀବନ ରକ୍ଷା କରିଥିବା ନାବିକଜଣକ ଦୁର୍ଲଭ ମାନବୀୟ ଦୃଷ୍ଟାନ୍ତ ଉପସ୍ଥାପନ କରିଛନ୍ତି। କୃତଜ୍ଞତାସ୍ବରୂପ ସମସ୍ତ ସରକାରୀ ଯୋଜନାରୁ ତାଙ୍କୁ ସହାୟତା ଯୋଗାଇ ଦିଆଯିବ। ଛୁଆଟିର ଲାଳନପାଳନ ଲାଗି ଉତ୍ତର ପ୍ରଦେଶ ସରକାର ସବୁ ବନ୍ଦୋବସ୍ତ କରିବେ।

ଜିଲ୍ଲା ମାଜିଷ୍ଟ୍ରେଟ୍‌ ମଙ୍ଗଳପ୍ରସାଦ ସିଂହ ଏବଂ ଅନ୍ୟ ଅଧିକାରୀମାନେ ମଧ୍ୟ ଡାକ୍ତରଖାନା ଯାଇ ଛୁଆଟିର ସ୍ବାସ୍ଥ୍ୟାବସ୍ଥା ବିଷୟ ପଚାରି ବୁଝିଥିଲେ। ଛୁଆ ଝିଅଟିର ଜୀବନ ରକ୍ଷା କରିଥିବା ଚୌଧୁରୀଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କୁ ଗୋଟାଏ ନୂଆ ଡଙ୍ଗା ଯୋଗାଇ ଦେବାଲାଗି ଜିଲ୍ଲା ମାଜିଷ୍ଟ୍ରେଟ୍‌ ସରକାରୀ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।

ପିଲାଟିକୁ ନିଜେ ପାଳିବା ଲାଗି ନାବିକ ଚୌଧୁରୀ ଇଚ୍ଛା ପ୍ରକାଶ କରିଛନ୍ତି।

The post କାଠବାକ୍ସରେ ପଶି ଗଙ୍ଗାରେ ଭାସି ଯାଉଥିବା ନବଜାତ କନ୍ୟା ‘ଗଙ୍ଗାପୁତ୍ରୀ’କୁ ଉଦ୍ଧାର କଲେ ନାବିକ first appeared on Sambad.

from ବିଶେଷ | Sambad https://ift.tt/35ryIe4

Post a Comment

0 Comments