
ରାଞ୍ଚି: ଝାଡ଼ଖଣ୍ଡର ମନୋହରପୁରରେ ବସବାସ କରୁଥିବା ଗୁଲସନ ଲୋହରଙ୍କ ପିଲାଟି ବେଳରୁ ହାତ ନାହିଁ, କିନ୍ତୁ ଏସବୁ ସତ୍ତ୍ବେ ସେ ଭାଙ୍ଗି ପଡ଼ି ନଥିଲେ। ମନକୁ ଦୃଢ଼ କରି ପାଠପଢ଼ିବା ସହିତ କମ୍ପ୍ୟୁଟର ବି ଶିଖିଥିଲେ। କିଛିବର୍ଷ ପୂର୍ବେ ରାଞ୍ଚିରେ ଝାଡଖଣ୍ଡ ଫାଉଣ୍ଡେସନ ଦିବସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ତାଙ୍କୁ ସମ୍ମାନୀତ କରିଥିଲେ। ଏହି ଅବସରରେ ତତକାଳୀନ ମୁଖ୍ୟମନ୍ତ୍ରୀ ରଘୁଭର୍ ଦାସଙ୍କ ସମେତ ଅନେକ ଲୋକ ଉପସ୍ଥିତ ଥିଲେ।
ପ୍ରକାଶିତ ରିପୋର୍ଟ ମୁତାବକ, ଗୁଲସନ ଟିକା ନେବାକୁ ମଙ୍ଗଳବାର ଏକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। କୋଭିଡ୍ -୧୯ ଟିକା ସାଧାରଣତଃ ବାହୁର ମାଂସପେଶୀରେ ଦିଆଯାଇଥାଏ। ତେବେ ଗୁଲସନଙ୍କ ବାହୁ ନଥିବାରୁ ସେ ତାଙ୍କ ଜଙ୍ଘର ମାଂସପେଶୀରେ ଟିକା ଦେବା ପାଇଁ କହିଥିଲେ। ଜଙ୍ଘର ମାଂସପେଶୀରେ ଟିକା ନେବା ପରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ଅନୁଭବ କରି ନଥିବା ଗୁଲସନ କହିଛନ୍ତି। ତେବେ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଥିବା କୁହାଯାଉଛି।
କରୋନା ମହାମାରୀରୁ ବର୍ତ୍ତିବା ପାଇଁ ଟିକା ହାତର ବାହୁରେ ଥିବା ମାଂସପେଶୀରେ ଦିଆଯାଇଥାଏ। କାରଣ ଏଗୁଡ଼ିକ ଇଣ୍ଟ୍ରାମୁସ୍କୁଲାର ଟିକା । ଜୁନ୍ ୨୧ ରୁ ଭାରତ ଟିକାକରଣର ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରିଛି। ଯେଉଁଥିରେ କେନ୍ଦ୍ର ଉତ୍ପାଦନକାରୀଙ୍କ ଠାରୁ ୭୫ପ୍ରତିଶତ ଟିକା କ୍ରୟ କରୁଛି ଏବଂ ଏହାକୁ ରାଜ୍ୟ ମଧ୍ୟରେ ବଣ୍ଟନ କରୁଛି। ଭାରତରେ ଟିକାକରଣ ଅଭିଯାନ ଜାନୁଆରି ୧୬ ରେ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କଠାରୁ ଆରମ୍ଭ ହୋଇଥିଲା। ତା’ପର ପର୍ଯ୍ୟାୟରେ ଫ୍ରଣ୍ଟଲାଇନ କର୍ମଚାରୀ, ୪୫ ବର୍ଷରୁ ଅଧିକ ଲୋକ ଏବଂ ତା’ପରେ ୧୮ ବର୍ଷରୁ ଅଧିକ ଥିବା ଲୋକେ ଟିକା ନେଇ ପାରିବେ ବୋଲି କୁହାଯାଇଥିଲା।
The post ପିଲାଟି ବେଳରୁ ଦୁଇଟି ବାହୁ ହରାଇଥିବା ଗୁଲସନ ଜଙ୍ଘର ମାଂସପେଶୀରେ ନେଲେ କରୋନା ଟିକା first appeared on Sambad.
from ବିଶେଷ | Sambad https://ift.tt/2UweygR
0 Comments