
ପ୍ରତିବର୍ଷ ଜୁଲାଇ ୧ ତାରିଖକୁ ଜାତୀୟ ଚିକିତ୍ସକ ଦିବସ ଭାବରେ ପାଳନ କରାଯାଏ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ଡାକ୍ତର ଭାରତ ରତ୍ନ ଡା. ବିଧାନ ଚନ୍ଦ୍ର ରାୟଙ୍କ ଜନ୍ମ ଏବଂ ମୃତ୍ୟୁ ଦିନ ଜୁଲାଇ ୧ ତାରିଖ ହୋଇଥିବାରୁ ଏହି ଦିନକୁ ଚିକିତ୍ସକ ଦିବସ ଭାବରେ ପାଳନ କରାଯାଏ। ସେ ମଧ୍ୟ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ବ୍ୟକ୍ତିଗତ ଚିକିତ୍ସକ ଥିଲେ। ରୋଗୀଙ୍କ ଠାରୁ ରୋଗର ଲକ୍ଷଣ ଶୁଣି ଏହାର ନିଦାନ କରି ପାରୁଥିଲେ। କାଳିଦାସଙ୍କ ଭଳି ଡାକ୍ତର ବିଧାନଙ୍କ ପାଣ୍ଡିତ୍ୟକୁ ନେଇ ଅନେକ କଥା ରହିଛି।
ପୁରାତନ ଚିକିତ୍ସା ଶାସ୍ତ୍ରରେ କୁହାଯାଇଛି, କେବଳ ପରୀକ୍ଷା ନୁହେଁ ରୋଗୀଟିକୁ ଭଲ ଭାବରେ ଶୁଣିଲେ ରୋଗର ଡାଇଗ୍ନୋସିସ ହୋଇଯାଏ। ଏହି ଦିବସ ପାଇଁ ସ୍ଲୋଗାନ ହେଲା ‘ପରିବାର ଚିକିତ୍ସକଙ୍କ ଦ୍ବାରା ଆଗାମୀ ସୁସ୍ଥ ଭବିଷ୍ୟତର ଗଠନ’। ପ୍ରକୃତରେ କହିବାକୁ ଗଲେ ମଣିଷ କେବଳ ଶରୀର ନୁହେଁ ଶରୀର ସହିତ ମନ, ଆତ୍ମାକୁ ନେଇବି ଗଠିତ। ପୁନଶ୍ଚ ମଣିଷ ଆଧ୍ୟାତ୍ମିକତାର ମାର୍ଗରେ ନଗଲେ ମଣିଷ ପଦବାଚ୍ୟ ହରାଏ।
ରୋଗରୁ ଆରୋଗ୍ୟ ଲାଭ ପାଇଁ ଉଭୟ ଶରୀର ଏବଂ ମନର ଚିକିତ୍ସା ଏକାସହିତ ଆବଶ୍ୟକ। ଏବେ ଦେଖାଯାଉଛି ଅଧିକାଂଶ କ୍ଷେତ୍ରରେ ଦେହ ଅସୁସ୍ଥ ହେଲେ ରୋଗୀ ବିଶେଷଜ୍ଞ, ଅତି ବିଶେଷଜ୍ଞଙ୍କ ପରାମର୍ଶ ପାଇଁ ଚାଲିଯାଉଛନ୍ତି। ସବୁ ଛାତିର ଯନ୍ତ୍ରଣା ହାର୍ଟ ଆଟେକ ନୁହେଁ କିମ୍ବା ସବୁ ମୁଣ୍ଡ ବୁଲାଇବା ବ୍ରେନ ଟ୍ୟୁମର ନୁହେଁ। ମାତ୍ର ଏପରି କ୍ଷେତ୍ରରେ ରୋଗୀଙ୍କୁ ସିଧା ହୃଦରୋଗ ବିଶେଷଜ୍ଞ କିମ୍ବା ସ୍ନାୟୁ, ମସ୍ତିଷ୍କ ରୋଗ ବିଶେଷଜ୍ଞଙ୍କ ପାଖକୁ ଯିବାକୁ ପରାମର୍ଶ ଦିଆଯାଏ। ଏହି ରୋଗଗୁଡ଼ିକ ଅନ୍ୟ କୌଣସି କାରଣରୁ ହୋଇଥିଲେ ସାଧାରଣ ଚିକିତ୍ସକ ଭଲ ଭାବରେ ଜାଣି ପାରନ୍ତି।
ଆପଣଙ୍କ ଘର ଚିକିତ୍ସକ ଆପଣଙ୍କୁ ଭଲ ଭାବରେ ଜାଣନ୍ତି, ଆପଣଙ୍କ ରୋଗ ବିଷୟରେ ତାଙ୍କର ଧାରଣା ଥାଏ। କୌଣସି ବିଶେଷଜ୍ଞ, ଅତି ବିଶେଷଜ୍ଞଙ୍କ ଅପେକ୍ଷା ସେ ଆପଣଙ୍କୁ ବେଶି ସମୟ ଦେଇ ପାରିବେ। ଫଳରେ ଅନାବଶ୍ୟକ ପରୀକ୍ଷାରୁ ରକ୍ଷା ମିଳେ, ଉପଯୁକ୍ତ ଚିକିତ୍ସା ମିଳେ। କରୋନା ପରିପ୍ରେକ୍ଷୀରେ ଉଭଯ ଚିକିତ୍ସକ, ଘରୋଇ ଡାକ୍ତରମାନେ ଅନେକ କୋଭିଡ ରୋଗର ପରାମର୍ଶ ସ୍ମାର୍ଟଫୋନ, ଟେଲିମେଡିସିନ ଜରିଆରେ ପ୍ରଦାନ କରି ଅନେକ ରୋଗୀଙ୍କ ଚିକିତ୍ସା କରିଛନ୍ତି। ଯେତେବେଳେ ବିଳମ୍ବିତ ରାତିରେ ଅନ୍ୟମାନେ ଶୋଇଥାଆନ୍ତି ଡାକ୍ତର, ସ୍ବାସ୍ଥ୍ୟ କର୍ମୀମାନେ ରୋଗୀଙ୍କ ଜୀବନ ରକ୍ଷାରେ ଲାଗି ଥାଆନ୍ତି। ଛୁଟି ଦିନ ଏବଂ ପର୍ବ ମଧ୍ୟ ତାଙ୍କ କାର୍ଯ୍ୟ ବନ୍ଦ ନଥାଏ। କରୋନା ମୁକାବିଲା ବେଳକୁ ଅନେକ ଡାକ୍ତରଙ୍କ ମୃତ୍ୟୁ ହୋଇଛି। ଏହି ବଳିଦାନ ଭୁଲିବାର ନାହିଁ।
ଡାକ୍ତର ରାମଚନ୍ଦ୍ର ରାଉତ
ନିର୍ଦେଶକ, ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ
from ବିଶେଷ | Sambad https://ift.tt/2Th4GaE
0 Comments