କରୋନା ପରବର୍ତ୍ତୀ ସମସ୍ୟା ଓ ପ୍ରତିକାର

ବ୍ରହ୍ମପୁର : ବର୍ତ୍ତମାନ ଆମ ଦେଶରେ କରୋନ ଦ୍ବିତୀୟ ଲହର ପ୍ରଭାବ ଧୀରେ ଧୀରେ କମି ଆସୁଛି। ଅନୁମାନ କରାଯାଉଛି ଯେ, ଜୁଲାଇ ମାସ ଶେଷ ସୁଦ୍ଧା ନୂତନ ରୋଗୀଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ ପାଇବା ସହିତ ପରିସ୍ଥିତି ନିୟନ୍ତ୍ରଣକୁ ଆସିବ। କରୋନା ରୋଗରେ ପ୍ରାୟତଃ ଶତକଡ଼ା ୯୮ ଭାଗ ଲୋକ ଆରୋଗ୍ୟଲାଭ କରିଥାନ୍ତି ଏବଂ ଶତକଡ଼ା ୨ ଭାଗ ଲୋକ ମୃତ୍ୟୁବରଣ କରିଥାନ୍ତି। କରୋନାରୁ ଆରୋଗ୍ୟଲାଭ କରିବା ପରେ କିଛି ରୋଗୀଙ୍କ କ୍ଷେତ୍ରରେ ପରବର୍ତ୍ତୀ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଉଛି, ଯାହାକି ବର୍ତ୍ତମାନ ଚିନ୍ତାର କାରଣ ହୋଇଛି। ଆବଶ୍ୟକ ସତର୍କତା ଓ ଚିକିତ୍ସା ଦ୍ବାରା ଜଣେ ନିଜକୁ ସୁସ୍ଥ ରଖି ପାରିବ।

କେତେବେଳେ ସମସ୍ୟା ଦେଖାଦିଏ:
ଗବେଷଣାରୁ ଜଣାପଡ଼ିଛି ଯେ ଶତକଡ଼ା ୧୦ରୁ ୩୦ ଭାଗ ରୋଗୀ କରୋନାରୁ ଆରୋଗ୍ୟ ହେଲା ପରେ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। କରୋନା ଭୂତାଣୁ ସାଧାରଣତଃ ଫୁସ୍‌ଫୁସ୍, ହୃତ୍‌ପିଣ୍ଡ, କିଡ୍‌ନି ଏବଂ ମସ୍ତିଷ୍କକୁ ଆକ୍ରାନ୍ତ କରିଥାଏ, ଯାହାଦ୍ବାରା କରୋନା ପରବର୍ତ୍ତୀ ସମୟରେ ଆରୋଗ୍ୟଲାଭ କରିଥିବା ରୋଗୀଙ୍କ କ୍ଷେତ୍ରରେ ନାନା ସମସ୍ୟା ଦେଖା ଦେଇଥାଏ। ଏହି ଭୂତାଣୁ ସଂକ୍ରମଣ ଯୋଗୁଁ ରୋଗୀର ବିଭିନ୍ନ ଅଙ୍ଗରେ ଇନ୍‌ଫ୍ଲାମେସନ୍ (ବିଦାହ) ସୃଷ୍ଟି ହେବା ସହିତ ରକ୍ତବାହିକାରେ ରକ୍ତ ଜମାଟ ବନ୍ଧିଥାଏ। ଏହି ସମସ୍ୟାଗୁଡ଼ିକ ମୁଖ୍ୟତଃ କରୋନାରୁ ଆରୋଗ୍ୟଲାଭ କରିବାର ୫ରୁ ୧୨ ସପ୍ତାହ ମଧ୍ୟରେ ଏବଂ କେତେକ କ୍ଷେତ୍ରରେ ଏହା ୨୪ ସପ୍ତାହ ପର୍ଯ୍ୟନ୍ତ ଦେଖା ଯାଇଥାଏ।

କ’ଣ ରହିଛି ଲକ୍ଷଣ:
କରୋନାରୁ ଆରୋଗ୍ୟଲାଭ କରିବା ପରେ କେତେକ ରୋଗୀଙ୍କୁ ଥକ୍କା ଲାଗିବା, ମାଂସପେଶୀରେ ଯନ୍ତ୍ରଣା, ଅତ୍ୟନ୍ତ ଦୁର୍ବଳ ଅନୁଭବ କରିବା, ଅଳସ ଲାଗିବା ଏବଂ ଗଣ୍ଠିରେ ଯନ୍ତ୍ରଣା ଆଦି ଲକ୍ଷଣ ଦେଖାଦେଇଥାଏ। କରୋନା ପରେ ଅଧିକାଂଶ ରୋଗୀଙ୍କ କ୍ଷେତ୍ରରେ ଏହି ସବୁ ପ୍ରମୁଖ ଲକ୍ଷଣ ଦେଖା ଦେଇଥାଏ। ମାତ୍ର ଏହା ଧୀରେ ଧୀରେ ପ୍ରାୟ ମାସେରୁ ଦୁଇମାସ ମଧ୍ୟରେ କମିଯାଏ। ଏହି ସମୟ ମଧ୍ୟରେ ଅତ୍ୟଧିକ ବ୍ୟାୟାମ କିମ୍ବା କଠିନ ପରିଶ୍ରମ କରିବାକୁ ମନା କରାଯାଇଛି। ଅନ୍ୟ ଗୁରୁତ୍ବପୂର୍ଣ୍ଣ ଲକ୍ଷଣଗୁଡ଼ିକ ଭିତରେ ନିଃଶ୍ୱାସପ୍ରଶ୍ବାସରେ କଷ୍ଟ ଅନୁଭବ କରିବା, କାଶ ହେବା, ଛାତି ଯନ୍ତ୍ରଣା, ଛାତି ଧଡ଼ଧଡ଼ ହେବା ଏବଂ ଅଳ୍ପ ପରିଶ୍ରମରେ ହାଲିଆ ଲାଗିବା ପ୍ରଭୃତି ରହିଛି। ଏହିସବୁ ଲକ୍ଷଣ ଜାରି ରହିଲେ ବିଭିନ୍ନ ପ୍ରକାର ଗୁରୁତର ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ଫୁସ୍‌ଫୁସ୍‌ର କ୍ଷତି, ହୃଦ୍‌ଘାତ ଓ ମାୟୋକାର୍ଡାଇଟିସ୍‌ରେ ପୀଡ଼ିତ ହେବାର ଆଶଙ୍କା ରହିଛି। ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଏହାର ଉପଯୁକ୍ତ ଚିକିତ୍ସା କରିବା ଉଚିତ। କେତେକ କରୋନା ରୋଗୀ ସୁସ୍ଥ ହେଲା ପରେ ପୁନର୍ବାର ଜ୍ଵର ଆସିବା, କାଶ ହେବା ଆଦି ସେକେଣ୍ଡାରି ଇନ୍‌ଫେକ୍ସନ୍ କାରଣରୁ ହୋଇଥାଏ। ଆହୁରି କେତେକ ରୋଗୀଙ୍କ କ୍ଷେତ୍ରରେ ଦେଖାଯାଏ ଯେ, ସେମାନଙ୍କ ସ୍ବାଦ ଓ ଘ୍ରାଣଶକ୍ତି ଫେରିବାରେ ମଧ୍ୟ ୧ରୁ ୨ ମାସ ସମୟ ଲାଗିଥାଏ। କିଛି ଲୋକଙ୍କ ମଧ୍ୟରେ ମସ୍ତିଷ୍କଘାତ, ଅପସ୍ମାର ଓ ହଠାତ୍ ମୃତ୍ୟୁ ଭଳି ସମସ୍ୟା ଦେଖାଯାଇଛି।

ମଧୁମେହରେ ପୀଡ଼ିତ ହେବାର ଆଶଙ୍କା:
କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା କେତେକ ରୋଗୀ ନୂଆ କରି ମଧୁମେହ ରୋଗରେ ଆକ୍ରାନ୍ତ ହେଉଛନ୍ତି, ଯାହା ବର୍ତ୍ତମାନ ଏକ ପ୍ରକାର ନୂତନ ସମସ୍ୟା ଭାବରେ ଆମ ସମ୍ମୁଖରେ ଉଭା ହୋଇଛି। ମାତ୍ରାଧିକ ଷ୍ଟେରଏଡ୍‌ର ବ୍ୟବହାର ଏବଂ ଭୂତାଣୁ ଦ୍ବାରା ଅଗ୍ନ୍ୟାଶୟ ଗ୍ରନ୍ଥି କ୍ଷତିଗ୍ରସ୍ତ ହେବା ପରେ ବିଟା କୋଷରୁ ଉପଯୁକ୍ତ ମାତ୍ରାର ଇନସୁଲିନ୍‌ କ୍ଷରଣ ନ ହେବା ଏହାର ମୁଖ୍ୟ କାରଣ। ଷ୍ଟେରଏଡ୍‌-ଜନିତ ମଧୁମେହ ଷ୍ଟେରଏଡ୍ ଔଷଧ ବନ୍ଦ ହେବା ପରେ କମିଯାଉଥିବା ବେଳେ ଅଗ୍ନ୍ୟାଶୟ-ଜନିତ ମଧୁମେହରେ ଦୀର୍ଘକାଳୀନ ଚିକିତ୍ସାର ଆବଶ୍ୟକତା ପଡ଼ିଥାଏ।

କବକ ସଂକ୍ରମଣର ଆଶଙ୍କା:
ଆମ ଦେଶରେ କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ରୋଗୀମାନେ ଦୁଇରୁ ଚାରି ସପ୍ତାହ ମଧ୍ୟରେ କବକ ସଂକ୍ରମଣର ଶିକାର ହେଉଛନ୍ତି। ଯାହାକୁ ଆମେ ମ୍ୟୁକର୍‌ମାଇକୋସିସ୍‌ ବା ବ୍ଲାକ୍ ଫଙ୍ଗସ୍, ଆସ୍ପର୍ଗିଲୋସିସ୍ ବା ୟେଲୋ ଫଙ୍ଗସ୍, କ୍ୟାଣ୍ଡିଡିଆସିସ୍‌ ବା ହ୍ବାଇଟ୍ ଫଙ୍ଗସ୍‌ କହିଥାଉ। ଏହି ସଂକ୍ରମଣ ମୁଖ୍ୟତଃ ମଧୁମେହରେ ଆକ୍ରାନ୍ତ ଲୋକ, ମାତ୍ରାଧିକ ଷ୍ଟେରଏଡ୍‌ର ବ୍ୟବହାରକାରୀ ରୋଗୀ, କର୍କଟ ରୋଗୀ, ଅମ୍ଳଜାନ୍‌ ଓ ଆଇସିୟୁ ଚିକିତ୍ସା ନେଇଥିବା ରୋଗୀ ଏବଂ ଅଙ୍ଗ ପ୍ରତିରୋପଣ କରିଥିବା ରୋଗୀମାନଙ୍କଠାରେ ଦେଖାଯାଏ।

କ’ଣ ରହିଛି ଚିକିତ୍ସା ପଦ୍ଧତି:
ଏହାର ଚିକିତ୍ସା ଆମ୍ଫୋଟେରାଇସିନ୍-ବି ଓ କେତେକ ଆଣ୍ଟିଫଙ୍ଗାଲ୍‌ ଔଷଧ ସହିତ ଶଲ୍ୟ ଚିକିତ୍ସା ଦ୍ଵାରା କରାଯାଏ। ଏତଦ୍‌ବ୍ୟତୀତ କିଛି ରୋଗୀଙ୍କ ଭିତରେ କରୋନା ପରେ ସ୍ନାୟବିକ ଏବଂ ମାନସିକ ସମସ୍ୟା ଆଦି ଦେଖାଦେଇଥାଏ। ଦୁଶ୍ଚିନ୍ତା, ଅବସାଦ, ଚିଡ଼ିଚିଡ଼ା, ଆକ୍ରୋଶ ମନୋଭାବ, ସ୍ମରଣଶକ୍ତି ହ୍ରାସ ଆଦି ଲକ୍ଷଣମାନ ପ୍ରକାଶ ପାଇଥାଏ। କରୋନା ରୋଗୀ ଆରୋଗ୍ୟଲାଭ କରିବାର ପ୍ରଥମ ୩ମାସ ପର୍ଯ୍ୟନ୍ତ ଅତ୍ୟନ୍ତ ସାବଧାନତା ଅବଲମ୍ବନ କରିବା ଉଚିତ। ଯେଉଁମାନେ ମଧୁମେହ ରୋଗରେ ଆକ୍ରାନ୍ତ ସେମାନେ ରକ୍ତ ଶର୍କରା ନିୟନ୍ତ୍ରଣରେ ରଖନ୍ତୁ, ଷ୍ଟେରଏଡ୍‌ ବ୍ୟବହାର ନ କରିବା ଏବଂ ସ୍ବଚ୍ଛତା ଅବଲମ୍ବନ କରିବା ଦ୍ବାରା କବକ ସଂକ୍ରମଣରୁ ନିଜକୁ ଦୂରେଇ ରଖି ପାରିବେ।

ପ୍ରତିକାର ବ୍ୟବସ୍ଥା:
ଅଳ୍ପ ବ୍ୟାୟାମ କରି ସୁଷମ ପୁଷ୍ଟିକର ଆହାର ମାଧ୍ୟମରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଆବଶ୍ୟକ। କୋଭିଡ୍‌ ପରବର୍ତ୍ତୀ କେତେକ ଲକ୍ଷଣରୁ ଧୀରେ ଧୀରେ ଏବଂ ସ୍ବତଃପ୍ରବୃତ୍ତ ଭାବରେ ମୁକ୍ତି ମିଳିଥାଏ। ସାଧାରଣତଃ ଥକ୍କା ଲାଗିବା, ଦୁର୍ବଳ ଓ ଅଳସ ଅନୁଭବ କରିବା ଆଦି ଲକ୍ଷଣ ଥିଲେ ଆମେ ଘରେ ରହି ବିଶ୍ରାମ ନେଲେ ଏହା ଆପେ ଆପେ ଠିକ୍ ହୋଇଥାଏ। ନିର୍ଦ୍ଦିଷ୍ଟଭାବେ ଯଦି କୌଣସି ଅଙ୍ଗପ୍ରତ୍ୟଙ୍ଗ ପ୍ରଭାବିତ ହୋଇଥାଏ ତେବେ ରୋଗୀଙ୍କୁ କିଛି ନିର୍ଦ୍ଦିଷ୍ଟ ଚିକିତ୍ସାର ଆବଶ୍ୟକତା ପଡ଼ିଥାଏ। କରୋନାରୁ ମୁକ୍ତ ରୋଗୀମାନେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟକଳାପ ପ୍ରଥମ ୩ ମାସ ଧୀରେ ଧୀରେ ଆରମ୍ଭ କରିବା ଦରକାର। ଯେଉଁମାନଙ୍କର ଲଙ୍ଗ୍‌ସ୍ ଫାଇବ୍ରୋସିସ୍ କିମ୍ବା ହୃତ୍‌ପିଣ୍ଡଜନିତ ସମସ୍ୟା ରହିଛି ସେମାନେ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ।

ଆସୋସିଏଟ୍ ପ୍ରଫେସର, ଅନ୍ତଃସ୍ରାବୀ ବିଭାଗ
ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍‌, ବ୍ରହ୍ମପୁର

The post କରୋନା ପରବର୍ତ୍ତୀ ସମସ୍ୟା ଓ ପ୍ରତିକାର first appeared on Sambad.

from ବିଶେଷ | Sambad https://ift.tt/35tfUv1

Post a Comment

0 Comments