‌କରୋନା ମହାମାରୀ ସମୟରେ ଭୋକିଲାଙ୍କ ପାଇଁ ଦେବଦୂତ ସାଜିଛନ୍ତି ଏହି ଦମ୍ପତ୍ତି

ନୂଆଦିଲ୍ଲୀ: ଦିନକୁ ଦୁଇଥର ମାଗଣାରେ ୩୦୦ ଖାଦ୍ୟ ପ୍ୟାକେଟ୍ ବଣ୍ଟନ କରୁଥିବା ୫୬ ବର୍ଷର ଏନ କଲ୍ୟାଣସୁନ୍ଦରମ୍ ଏବଂ ତାଙ୍କ ପତ୍ନୀ ପଦ୍ମାବତୀ କରୋନା ମହାମାରୀ ସମୟରେ ଭୋକିଲାଙ୍କ ପାଇଁ ଦେବଦୂତ ସାଜିଛନ୍ତି।

ମାଗଣାରେ ଖାଦ୍ୟ ବାଣ୍ଟୁଥିବା ଷ୍ଟଲକୁ ଦମ୍ପତ୍ତି ଶ୍ରୀ ସାବରୀ ବାଜୀ ଷ୍ଟଲ୍ ଏବଂ କ୍ୟାଟରିଂ ଷ୍ଟଲ୍ ନାମରେ ନାମିତ କରିଛନ୍ତି। ଚେନ୍ନାଇର ମଧ୍ୟଭାଗରେ ଥିବା ପଶ୍ଚିମ ମାମ୍ବାଲାମର ଭକ୍ତଭାଟସାଲମ୍ ଛକରେ ଦମ୍ପତ୍ତି ଘର ସମ୍ମୁଖରେ ଏହି ଷ୍ଟଲ ଲଗାଇ ଥାଆନ୍ତି।

ମଇ ୧୬ରୁ ଆରମ୍ଭ କରିଥିବା ଏହି ଷ୍ଟଲ‌ରେ ପ୍ରଥମେ ଦମ୍ପତ୍ତି ୨୨୦ ପ୍ୟାକେଟ୍ ଖାଦ୍ୟ ବାଣ୍ଟୁଥିଲେ । ମଧ୍ୟାହ୍ନ ଭୋଜନ ପାଇଁ ୧୦୦ ପ୍ୟାକେଟ ଖାଦ୍ୟ ପ୍ରସ୍ତୁତ କରୁଥିବା ବେଳେ ରାତ୍ରି ଭୋଜନ ପାଇଁ ୧୨୦ଟି ପ୍ୟାକେଟ ବାଣ୍ଟୁଥିଲେ । ବର୍ତ୍ତମାନ ଦମ୍ପତ୍ତି ଖାଦ୍ୟ ପ୍ୟାକେଟ ସଂଖ୍ୟାକୁ ବୃଦ୍ଧି କରି ମଧ୍ୟାହ୍ନ ଭୋଜନ ପାଇଁ ୩୦୦ ଖାଦ୍ୟ ପ୍ୟାକେଟ୍ ଏବଂ ରାତ୍ରି ଭୋଜନ ପାଇଁ ୩୦୦ ପ୍ୟାକେଟ ପ୍ରସ୍ତୁତ କରୁଛନ୍ତି।

ମଧ୍ୟାହ୍ନ ଭୋଜନରେ ସାମ୍ବର ଭାତ, ଟମାଟୋ ଭାତ କିମ୍ବା ଲେମ୍ବୁ ଭାତ ସହିତ ସାଲାଡ ଦେଇ ଖାଦ୍ୟ ପୁଡ଼ିଆ ପ୍ରସ୍ତୁତ କରିଥାଆନ୍ତି। ସେହିପରି ରାତ୍ରି ଭୋଜନରେ ପୋଙ୍ଗଲ୍ କିମ୍ବା ରାଭା ଉପମା ପ୍ରସ୍ତୁତ କରିଥାଆନ୍ତି| ଉଭୟ ଭୋଜନରେ ୫୦୦ ମିଲି ବୋତଲ ପାଣି ବି ଦିଅନ୍ତି ଏନ କଲ୍ୟାଣସୁନ୍ଦରମ୍ ଓ ତାଙ୍କ ପତ୍ନୀ ପଦ୍ମାବତୀ।

କଲ୍ୟାଣସୁନ୍ଦରମ୍ କହନ୍ତି, ଗତ ବର୍ଷ କରୋନା ଲକଡାଉନ୍ ସମୟରେ ମୁଁ ଏକ ସପ୍ତାହ ପାଇଁ ଖାଦ୍ୟ ବଣ୍ଟନ କରିଥିଲି ଏବଂ ‘ପିଏମ କେୟାର ପାଣ୍ଠି’କୁ ୧୦,୦୦୦ ଟଙ୍କା ଦାନ କରିଥିଲି।

ମୁଁ ନିୟମିତ ଭାବରେ ଖବରକାଗଜ ପଢ଼ୁଥିଲି। ଆଉ କରୋନା ଦ୍ବିତୀୟ ଲହରକୁ ଦେଖି ଜାଣିଥିଲି ଆଉ ଥରେ ଲକଡାଉନ ହୋଇପାରେ। ଦୋକାନ ବଜାର ଖୋଲିବା ପରେ ଗତ ସେପ୍ଟେମ୍ବର ଠାରୁ ସଞ୍ଚୟ କରିବା ଆରମ୍ଭ କରି ଦେଇଥିଲି।

କଲ୍ୟାଣସୁନ୍ଦରମ୍ ୪୨ ବର୍ଷ ଧରି ଖାଦ୍ୟ ବ୍ୟବସାୟରେ କରି ଆସୁଛନ୍ତି। ସେ ମାୟିଲାଡୁଥୁରାଇ ଜିଲ୍ଲାର କୁଟାଲାମର ମୂଳ ବାସିନ୍ଦା। ସେ ରୋଜଗାର ପାଇଁ ୧୯୮୦ ରେ ନିଜ ପରିବାର ସହିତ ଚେନ୍ନାଇ ପଳାଇ ଆସିଥିଲେ। ସେ ଦଶମ ଶ୍ରେଣୀ ସମାପ୍ତ କରିବା ପରେ ତାଙ୍କ ଷ୍ଟ୍ରିଟ୍ ଫୁଡ୍ ବ୍ୟବସାୟ ଆରମ୍ଭ କରିଥିଲେ । ଏହି ବ୍ୟବସାୟରେ ତାଙ୍କ ପତ୍ନୀ ବି ଏବେ ତାଙ୍କୁ ସାହାଯ୍ୟ କରୁଛନ୍ତି।

The post ‌କରୋନା ମହାମାରୀ ସମୟରେ ଭୋକିଲାଙ୍କ ପାଇଁ ଦେବଦୂତ ସାଜିଛନ୍ତି ଏହି ଦମ୍ପତ୍ତି first appeared on Sambad.

from ବିଶେଷ | Sambad https://ift.tt/2T4Hhsl

Post a Comment

0 Comments