
ଟିକାରେ ବି ଲିଙ୍ଗଗତ ଅସମାନତା। ଓଡ଼ିଶାରେ ୧୮ ବର୍ଷରୁ ଊର୍ଧ୍ବ ଜନସଂଖ୍ୟାର ୨୨.୧ ପ୍ରତିଶତ ଟିକା ନେଲେଣି। ଏଠାରେ ପ୍ରତି ଏକ ହଜାର ପୁରୁଷରେ ମହିଳାଙ୍କ ଜନସଂଖ୍ୟା ଅନୁପାତ ୧୦୦୪। କିନ୍ତୁ ଏକ ହଜାର ପୁରୁଷରେ ୮୭୨ ମହିଳାଙ୍କୁ ଟିକା ଦେଇଛନ୍ତି ସରକାର। କେବଳ ଏକମାତ୍ର ଆମ ରାଜ୍ୟ ନୁହେଁ, ଦେଶରେ ବି ଏହି ସ୍ଥିତି ରହିଛି। ମହିଳା ଟିକାକରଣ ଅନୁପାତ ୧୦୦୦ : ୮୫୪ ରହିଛି। ଜମ୍ମୁକାଶ୍ମୀର, ଦିଲ୍ଲୀ, ଉତ୍ତରପ୍ରଦେଶରେ ମହିଳା ଟିକାକରଣର ବିକଳ ଚିତ୍ର ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶ ସବୁଠାରୁ ବଡ଼ ଏବଂ ମୋଦୀ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ରାଜ୍ୟ ହୋଇ ମଧ୍ୟ ଉଭୟ ଟିକାକରଣ, ମହିଳା ଟିକାକରଣରେ ସ୍ଥିତି ଅତି ଖରାପ ରହିଛି। କିନ୍ତୁ କେରଳ, ଛତିଶଗଡ଼ ମହିଳାଙ୍କୁ ପ୍ରାଧାନ୍ୟ ଦେଇଛି। ଏଠାରେ ପୁରୁଷ ତୁଳନାରେ ଟିକା ନେଇଥିବା ମହିଳାଙ୍କ ସଂଖ୍ୟା ଅଧିକ।
ଉତ୍ତରପ୍ରଦେଶରେ ଏକ ହଜାର ପୁରୁଷରେ ମହିଳାଙ୍କ ଅନୁପାତ ୯୩୬। ଏଠାରେ ମହିଳା ଟିକା ଅନୁପାତ ଆହୁରି ହ୍ରାସ ପାଇ ୭୪୬ରେ ସୀମିତ ରହିଛି। ବିହାରରେ ମଧ୍ୟ ସମାନ ଚିତ୍ର; ମହିଳାଙ୍କ ଜନସଂଖ୍ୟା ଅନୁପାତ ୯୨୩ କିନ୍ତୁ ଟିକା ଅନୁପାତ ୮୧୦ ରହିଛି। ଉଭୟ ରାଜ୍ୟରେ ଯଥାକ୍ରମରେ ୧୨ ପ୍ରତିଶତ ଏବଂ ୧୩ ପ୍ରତିଶତ ସାବାଳକ ହିଁ ଟିକା ନେଇଛନ୍ତି। ଜମ୍ମୁକାଶ୍ମୀର, ଦିଲ୍ଲୀ, ପଞ୍ଜାବ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ତାମିଲନାଡ଼ୁ ସବୁଠି ସେହି ସ୍ଥିତି ରହିଛି। ଦେଶର ୬ଟି ରାଜ୍ୟରେ ମହିଳା ଟିକାକରଣ ଅନୁପାତ ୮୦୦ରୁ କମ୍ ରହିଛି। ରାଜସ୍ଥାନ, ହିମାଚଳପ୍ରଦେଶ ଭଳି ରାଜ୍ୟରେ ଲିଙ୍ଗଗତ ବୈଷ୍ୟମତା ରହିଛି। ମହିଳା ଟିକାକରଣ ଅନୁପାତ ଉପରୋକ୍ତ ରାଜ୍ୟ ତୁଳନାରେ ଭଲ ସ୍ଥିତିରେ ରହିଛି। ଏଠାରେ ଅଧିକ ସଂଖ୍ୟକ ବ୍ୟକ୍ତି ଟିକା ନେଇଥିବାରୁ ମହିଳାଙ୍କ ଅଂଶୀଦାର ମଧ୍ୟ ବଢ଼ିଛି।
ହିମାଚଳପ୍ରଦେଶରେ ୩୮ ପ୍ରତିଶତ, ରାଜସ୍ଥାନରେ ୩୦ ପ୍ରତିଶତ ଟିକା ନେଇଛନ୍ତି। ମାତ୍ର ମହିଳା ଟିକାକରଣ ହାର ଯଥାକ୍ରମରେ ୫୦ ଏବଂ ୪୮ ପ୍ରତିଶତ ରହିଛି। ଅନ୍ୟପକ୍ଷରେ ସାବାଳକ ଜନସଂଖ୍ୟାରେ ଛତିଶଗଡ଼ରେ ପ୍ରତି ହଜାରରେ ପୁରୁଷରେ ମହିଳାଙ୍କ ଅନୁପାତ ରହିଛି ୧୦୧୩। ଟିକାରେ ଏହି ଅନୁପାତ ବୃଦ୍ଧି ପାଇ ୧୦୪୫ରେ ପହଞ୍ଚିଛି। ଦେଶରେ କେରଳ ସର୍ବାଧିକ ୩୨.୩ ପ୍ରତିଶତ ବ୍ୟକ୍ତି ଟିକା ନେଇଛନ୍ତି। ଏଠାରେ ଏକ ହଜାର ପୁରୁଷରେ ମହିଳାଙ୍କ ଅନୁପାତ ୧୧୨୬ ଏବଂ ଟିକାରେ ମହିଳାଙ୍କ ଅନୁପାତ ୧୦୮୭ ରହିଛି। ଯେଉଁ ରାଜ୍ୟରେ ଟିକାକରଣ ପ୍ରତିଶତ ଯେତେ କମ୍, ସେଠାରେ ଟିକାରେ ଲିଙ୍ଗଗତ ଅସମାନତା ସେତେ ଅଧିକ। ସମୁଦାୟ ଜନସଂଖ୍ୟାରେ ଲିଙ୍ଗଗତ ଅସମାନତା ଥିବାରୁ ଟିକାରେ ଏହି ଚିତ୍ର ଦେଖିବାକୁ ମିଳୁଛି। ପ୍ରଯୁକ୍ତିରେ ମହିଳାଙ୍କ ସ୍ବଳ୍ପ ଦଖଲ, ଅଧିକାଂଶ ମହିଳା ବାହାରକୁ ବାହାରୁ ନଥିବାରୁ ସେମାନେ ଟିକା ପାଇବାରେ ପଛରେ ପଡ଼ି ଯାଇଛନ୍ତି।
The post ଟିକାରେ ବି ଲିଙ୍ଗଗତ ଅସମାନତା: ଓଡ଼ିଶାରେ ହଜାରେ ପୁରୁଷରେ ନେଇଛନ୍ତି ୮୭୨ ମହିଳା first appeared on Sambad.from ବିଶେଷ | Sambad https://ift.tt/3ggKAWA
0 Comments