
ଜୟପୁର: ଦୃଢ଼ ଇଚ୍ଛାଶକ୍ତି ଓ ଲକ୍ଷ୍ୟ ରହିଲେ ସଫଳତା ମିଳିବ। ଏହାର ପ୍ରମାଣ ଦେଖାଇଛନ୍ତି ଜୟପୁର କୁମ୍ଭାର ସାହିର ମହିଳା ଟି.ମଂଜୁଳା ପାତ୍ର । ଘରର ଆର୍ଥିକସ୍ଥିତି ଭଲ ନଥିବାରୁ ମାତ୍ର ୧୦୦ ଟଙ୍କାର ଆଚାର ଘରେ ପ୍ରସ୍ତୁତ କରି ନିଜ ଛୋଟ ଦୋକାନରେ ବିକ୍ରି କରିଥିଲେ। ଦୀର୍ଘ ୨୦ବର୍ଷ ଧରି ସେ କରିଆସୁଥିବା ବେପାର ଏବେ ୪୦ଲକ୍ଷରେ ପହଚିଂଛି। ୧୦ଟି ପରିବାରକୁ ସିଧାସଳଖ କର୍ମସଂସ୍ଥାନ ଯୋଗାଉଥିବା ବେଳେ ଅବିଭକ୍ତ କୋରାପୁଟ ଜିଲ୍ଲାର ୫୦୦ରୁ ଉର୍ଦ୍ଧ୍ବ ବ୍ୟବସାୟୀ ତାଙ୍କ ସହ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଜଡ଼ିତ।
ସୂଚନା ମୁତାବକ, ସ୍ବାମୀ ଟି. ତ୍ରିନାଥ ପାତ୍ର ସ୍ଥାନୀୟ ପେପର ମିଲରେ ଇଲେକ୍ଟ୍ରସିଆନ୍ ଭାବେ କାମ କରି ଆସୁଥିଲେ। ତେବେ ସ୍ବଳ୍ପ ଦରମା , ଚାକିରିରେ ସ୍ଥାୟୀତ୍ବ ନଥିବା , ବାରମ୍ବାର ମିଲ୍ ବନ୍ଦ ରହିବା , ଭଡ଼ା ଘରେ ରହିବା, ୨ପୁଅ, ଗୋଟିଏ ଝିଅର ପାଠ ପଢ଼ା ଖର୍ଚ୍ଚ ଆଦି ତୁଲାଇବା ମଂଜୁଳାଙ୍କ ପାଇଁ ବହୁତ କଷ୍ଟକର ହେଉଥିଲା। ଛୋଟ ପାନ ଦୋକାନ କରି ସେଥିରେ ଘରେ ଅଳ୍ପ କିଛି ଆମ୍ବ କିଣି ଆଚାର କରି ବିକ୍ରୀ କରୁଥିଲେ ମଂଜୁଳା। ପରେ ପରେ ସାହି ପଡ଼ିଶା ଆଚାର ସୁଆଦିଆ ଲାଗୁଥିବା କହିବା ସହ ବରାଦି ଦେବା ଆରମ୍ଭ କରିଥିଲେ। ଧିରେ ଧିରେ ସେହି ଆଚାର ହିଁ ଏବେ ପରିବାରର ମୁଖ୍ୟ ବେପାର ପାଲଟିଛି। ଆମ୍ବ, ଲେମ୍ବୁ, ଟମାଟ, ମରିଚ, ଅଦା, ଶାଗ, ପଣସ, ଓଉ ସହ ବିଭିନ୍ନ ରକମର ପନିପରିବାରେ ୪୨ରକମର ଆଚାର ତିଆରି କରୁଛନ୍ତି ମଂଜୁଳା।

ତେବେ ପ୍ରଥମ ପର୍ଯ୍ୟାୟ କୋଭିଡ୍ ସଂକ୍ରମଣ ସମୟରେ ବେପାର ଠିକ ଥିଲା। ଦ୍ବିତୀୟ ସଂକ୍ରମଣ ସମୟରେ ବେପାର ହେଉନଥିବା କହିଛନ୍ତି ମଂଜୁଳା। ବସ ଚଳାଚଳ କରୁନଥିବା, ଲକଡାଉନ ଓ ସଟଡାଉନ୍ ଥିବାରୁ ଲୋକେ ବି ସେହି ପରିମାଣର ଘରକୁ ଆସି କିଣି ନେବା କିମ୍ବା ଦୋକାନୀମାନେ ବରାଦ ଦେବାବି ବନ୍ଦ କରିଛନ୍ତି। ଗତ ବର୍ଷ ୪୦କୁଇଣ୍ଟାଲ ଆମ୍ବ , ୧୦କୁଇଣ୍ଟାଲ ପଣସ ଆଗୁଆ କିଣି ରଖି ସେଥିରେ ଆଚାର କରି ବିକ୍ରି କରିଥିଲେ। ଏହି ବର୍ଷ କେବଳ ୨୦କୁଇଣ୍ଟାଲ ଆମ୍ବ ଓ ୫କୁଇଣ୍ଟାଲ ପଣସ କିଣିଥିବା କହିଛନ୍ତି ମଂଜୁଳା। ସଂପ୍ରତି ଲକଡାଉନରେ ବସ ଚଳାଚଳ କରୁନଥିବାରୁ ଆଚାର ଅବିଭକ୍ତ କୋରାପୁଟ ଜିଲ୍ଲାକୁ ପଠାଇ ପାରୁ ନାହାନ୍ତି। କରୋନା ଆମ ବେପାରରେ ପ୍ରବଳ ମାଡ଼ ଦେଇଛି ବୋଲି କହିଛନ୍ତି ମଂଜୁଳା। ଜଣେ କ୍ଷୁଦ୍ର ଉଦ୍ୟୋଗୀ ଭାବେ ଏମଏସଏମଇରେ ତାଲିମ ନେଇ ଥିଲେ ହେଁ ତାଙ୍କୁ କୌଣସି ବ୍ୟାଙ୍କରୁ ଋଣ କିମ୍ବା ପ୍ରଶାସନରୁ ସହଯୋଗ ମିଳିପାରିନି। ଏହି ସ୍ଥିତିରେ ନିଜ କ୍ଷୁଦ୍ର ଉଦ୍ୟୋଗକୁ କିଭଳି ବଢ଼ାଇବେ ସେ ନେଇ ଚିନ୍ତା ପ୍ରକଟ କରିଛନ୍ତି ମଂଜୁଳା। ମହିଳାମାନେ ଆର୍ଥିକସ୍ତରରେ ସ୍ବଚ୍ଛଳ ଏବଂ ସଶକ୍ତ ହୋଇ ପାରିଲେ ନିଜ ପରିବାର ସହ ଦେଶ ବି ସାମାଗ୍ରୀକ ଭାବେ ଆଗେଇବ ବୋଲି କହିଛନ୍ତି ମଂଜୁଳା। ନିଶ୍ଚିତ ରୁପେ ମଂଜୁଳା ଅଂଚଳର ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ ଏଥିରେ ଦ୍ବିମତ ନାହିଁ।
The post ଆଚାର ଯୋଗାଉଛି ଆହାର: ୧୦୦ଟଙ୍କାରେ ଆରମ୍ଭ ହୋଇଥିବା ବ୍ୟବସାୟ ଏବେ ୪୦ଲକ୍ଷରେ ପହଞ୍ଚିଛି first appeared on Sambad.from ବିଶେଷ | Sambad https://ift.tt/2SGF9XI
0 Comments