
ପୁରୁଷୋତ୍ତମପୁର : ଦିବଙ୍ଗତ ରଘୁନାଥ ଥିଲେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ତଥା ଭାରତର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ନୂତନ ମନ୍ଦିରର ବିନ୍ଧାଣୀ। ପୁରୁଷୋତ୍ତମପୁର ସହର ଋଷିକୁଲ୍ୟା ନଦୀତଟସ୍ଥ ରାଇପୁର ପଞ୍ଚାୟତ ଗୋବିନ୍ଦପୁର ଗ୍ରାମ ୧୧୭,୭୩୩ ଏକର ବିଶିଷ୍ଟ ରତ୍ନଗିରି ପାହାଡ଼ର ଶିଖର ଦେଶରେ ବିରାଜିତ ମା’ ତାରାତାରିଣୀଙ୍କ ଆକର୍ଷଣୀୟ ନୂଆ ମନ୍ଦିର ହେଉଛି ତାଙ୍କର ଅବଦାନ।
୨୦୦୪ ମସିହାରେ ସେ ତାରାତାରିଣୀ ମନ୍ଦିର ଉନ୍ନୟନ କମିଟି ସହ ଚୁକ୍ତିବଦ୍ଧ ହୋଇ ନୂଆ ମନ୍ଦିର ନିର୍ମାଣ କାମକୁ ତ୍ବରାନ୍ବିତ କରିଥିଲେ। ଏହାର ନିର୍ମାଣଶୈଳୀ ୩ ଭାଗରେ ବିଭକ୍ତ ହୋଇଥିଲା। ମୁଖ୍ୟ ଶ୍ରୀ ମନ୍ଦିର ୬୫ ଫୁଟ, ଜଗମୋହନ ମନ୍ଦିର ୫୫ ଫୁଟ ଓ ନାଟ୍ୟ ମଣ୍ଡପ ୪୫ ଫୁଟ ଉଚ୍ଚରେ ନିର୍ମାଣ ହୋଇଥିଲା। ମୁକ୍ତେଶ୍ବର ମନ୍ଦିର ଶୈଳୀରେ ନୂଆ ମନ୍ଦିରକୁ ନିର୍ମାଣ କରାଯାଇଥିବା ବେଳେ ଏଥିପାଇଁ ନୟାଗଡ଼ ଓ ପୁରୀର ୧୬୦ରୁ ଅଧିକ ପ୍ରସ୍ତର ଶିଳ୍ପୀ ନିୟୋଜିତ ହୋଇଥିଲେ। ସେହିପରି ଖୋର୍ଦ୍ଧାରେ ମିଳୁଥିବା ‘ବଉଳମାଳା’ ପଥର ମନ୍ଦିର ନିର୍ମାଣ କାମରେ ବ୍ୟବହୃତ ହୋଇଥିଲା। ଏତଦ୍ବ୍ୟତୀତ ମନ୍ଦିରର ଚତୁଃପାର୍ଶ୍ବରେ ଗଣେଶ, ଶିବ, ସୂର୍ଯ୍ୟ ଓ ବିଷ୍ଣୁ ପ୍ରମୁଖ ଦେବାଦେବୀଙ୍କ ମନ୍ଦିର ଓ ସୁଉଚ୍ଚ ପାଚେରି ନିର୍ମାଣ କରାଯାଇଥିଲା। ୨ କୋଟି ୮୦ ଲକ୍ଷ ଟଙ୍କା ଏଥିପାଇଁ ବ୍ୟୟ ଅଟକଳ ହୋଇଥିଲା। ୨୦୧୨-୧୩ ମସିହାରେ ମନ୍ଦିର ନିର୍ମାଣ କାମ ଶେଷ ହୋଇଥିଲା।
୨୦୧୩ ମସିହାରେ ରଘୁନାଥ ‘ପଦ୍ମ ବିଭୂଷଣ’ରେ ସମ୍ମାନିତ ହେବା ପରେ ମା’ ତାରାତାରିଣୀଙ୍କ କୃପାରୁ ଏହି ସମ୍ମାନ ପାଇଥିଲେ ବୋଲି କହିଥିଲେ। ହେଲେ ଦୁଃଖର କଥା ହେଲା, ତାଙ୍କ ଉଦ୍ୟମ ଓ ପରିଶ୍ରମ ବଳରେ ଆଜି ମା’ଙ୍କ ଆକର୍ଷଣୀୟ ମନ୍ଦିର ଛିଡ଼ା ହୋଇଛି ସତ। ହେଲେ ନୂତନ ମନ୍ଦିର ଆନୁଷ୍ଠାନିକ ପ୍ରତିଷ୍ଠା ପୂର୍ବରୁ ସେ ଆରପାରିକୁ ଚାଲି ଯାଇଛନ୍ତି।
The post ରଘୁନାଥ ଥିଲେ ତାରାତାରିଣୀ ପୀଠ ନୂଆ ମନ୍ଦିରର ବିନ୍ଧାଣୀ, ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଚାଲିଗଲେ first appeared on Sambad.from ବିଶେଷ | Sambad https://ift.tt/3uA4ZKZ
0 Comments