ବିଶେଷଜ୍ଞଙ୍କ ଦାବି: ବିଶ୍ବ ବାୟୁମଣ୍ଡଳ ଉତ୍ତପ୍ତ ହେଉଥିବାରୁ ଆରବ ସାଗରେ ବାତ୍ୟାସଂଖ୍ୟା ବୃଦ୍ଧି ପାଇପାରେ

ମୁମ୍ବାଇ: ‘ଗ୍ଲୋବାଲ୍‌ ୱାର୍ମିଙ୍ଗ୍‌’ ବା ‘ବିଶ୍ବ ବାୟୁମଣ୍ଡଳ’ କ୍ରମଶଃ ଉତ୍ତପ୍ତ ହେଉଥିବାରୁ ଆରବ ସାଗରରେ ବାତ୍ୟାସଂଖ୍ୟା ବୃଦ୍ଧି ପାଇପାରେ ବୋଲି ‘ପୁଣେ ଇଣ୍ଡିଆ ମେଟେରୋଲୋଜିକାଲ୍‌ ଡିପାର୍ଟମେଣ୍ଟ୍‌’ର ‘କ୍ଲାଇମେଟ୍‌ ରିସର୍ଚ ଆଣ୍ଡ୍‌ ସର୍ଭିସ୍’ର ମୁଖ୍ୟ ‘ଏସ୍‌ଆଇଡି’ କେଏସ୍‌ ହୋସାଲିକର୍‌ କହିଛନ୍ତି।

ସେ କହିଛନ୍ତି, ଗତ ୧୫୦ ରୁ ୨୦୦ ବର୍ଷ ମଧ୍ୟରେ ବଙ୍ଗୋପସାଗରରେ ଆରବସାଗର ଠାରୁ ୪ଗୁଣ ଅଧିକ ବାତ୍ୟା ଉତ୍ପତ୍ତି ହୋଇଛି। ଅର୍ଥାତ୍ ବଙ୍ଗୋପସାଗରରେ ୪ଟି ବାତ୍ୟା ସଂଘଠିତ ହେଉଥିବା ବେଳେ ଆରବସାଗରରେ ୧ଟି ବାତ୍ୟା ସଂଘଠିତ ହୋଇ ଆସୁଛି। କିନ୍ତୁ, ‘ଗ୍ଲୋବାଲ୍‌ ୱାର୍ମିଙ୍ଗ୍‌’ କାରଣରୁ ଏ ପରିସ୍ଥିତି ବଦଳି ଯାଇପାରେ।

ଭାରତର ପୂର୍ବ ଓ ପଶ୍ଚିମ ଉପକୂଳର ଏହି ସାମୁଦ୍ରିକ ବାତ୍ୟା ସଂଖ୍ୟା ମଧ୍ୟରେ ଥିବା ପ୍ରଭେଦର କାରଣମାନ ବୁଝାଇବାକୁ ଯାଇ କେଏସ୍‌ ହୋସାଲିକର୍ କହନ୍ତି ଯେ, ସମୁଦ୍ରରେ ବାତ୍ୟା ସୃଷ୍ଟି କରାଇବା ଲାଗି ଭୌଗୋଳିକ ଅବସ୍ଥିତି ବ୍ୟତୀତ ସମୁଦ୍ର ପତ୍ତନ ତାପମାତ୍ରା, ଜଳର ଲବଣାଂଶ ଭଳି କେତେକ ଅନ୍ୟାନ୍ୟ କାରଣ ମଧ୍ୟ ରହିଛି। ବାତ୍ୟା ସୃଷ୍ଟି କରାଇବାରେ ଏ ସମସ୍ତ କାରଣ ଅତି ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି।

Image Courtesy of India Today

କିନ୍ତୁ, ଏବେ ଆରବ ସାଗରରେ ତାପମାତ୍ରା ବୃଦ୍ଧି ପାଉଥିବା କାରଣରୁ ସେଠାରେ ସାମୁଦ୍ରିକ ବାତ୍ୟାର ସଂଖ୍ୟା ଓ ତୀବ୍ରତା ବୃଦ୍ଧି ପାଉଥିବା କଥା ‘ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟ୍ରପିକାଲ୍‌ ମେଟେରୋଲୋଜି’ର ଅଧ୍ୟୟନରୁ ଜଣାପଡ଼ିଛି।

‘ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟ୍ରପିକାଲ୍‌ ମେଟେରୋଲୋଜି’ର ବିଶେଷଜ୍ଞ ରକ୍ସି କୋଲ୍‌ କହିଛନ୍ତି, ସମୁଦ୍ର ପତ୍ତନର ଉତ୍ତାପ ୨୮.୫ ଡିଗ୍ରି ସେଲିସିୟସ୍‌ ରହିଲେ ବାତ୍ୟା ସୃଷ୍ଟି ହେବା ପାଇଁ ପାଗଯୋଗ ଅନୁକୂଳ ହୋଇଥାଏ। ଅଧିକାଂଶ ସମୟ ୨୮ ଡିଗ୍ରି ସେଲିସିୟସ୍ ଉତ୍ତପ୍ତ ହୋଇ ରହିଥିବାରୁ ବଙ୍ଗୋପସାଗରକୁ ‘ୱାର୍ମ ପୁଲ୍‌ ରିଜନ୍‌’ ବର୍ଗିକରଣ କରାଯାଇଛି। ଏହି ‘ୱାର୍ମ ପୁଲ୍‌ ରିଜନ୍‌’ ବା ଉତ୍ତପ୍ତ ଅଞ୍ଚଳରୁ ବାତ୍ୟା ଶକ୍ତି ସଂଗ୍ରହ କରିଥାଏ।

ସେମିତି ଦେଖିବାକୁ ଗଲେ, ଆବହମାନ କାଳରୁ ଆରବସାଗର ବଙ୍ଗୋପସାଗର ଠାରୁ ଶୀତଳ। କିନ୍ତୁ, ‘ଗ୍ଲୋବାଲ୍‌ ୱାର୍ମିଙ୍ଗ୍‌’ରୁ ଅତିରିକ୍ତ ଉତ୍ତାପ ମିଳୁଥିବା କାରଣରୁ ସମ୍ପ୍ରତି ଆରବସାଗର ମଧ୍ୟ ‘ୱାର୍ମ ପୁଲ୍ ରିଜନ୍‌’ ପାଲଟି ଗଲାଣି ବୋଲି ସେ ମତ ଦେଇଛନ୍ତି।

ପୂର୍ବରୁ ବିଭିନ୍ନ ପର୍ଯ୍ୟାୟ ଦେଇ ସାମୁଦ୍ରିକ ବାତ୍ୟାଟିଏ ସଂଘଠିତ ହେବାକୁ ଦୀର୍ଘ ସମୟ ଲାଗୁଥିଲା। କିନ୍ତୁ, ଏବେ ରାତିକ ମଧ୍ୟରେ ସାମୁଦ୍ରିକ ବାତ୍ୟାର ତୀବ୍ରତା ପରିବର୍ତ୍ତନ ହୋଇଯାଉଛି ବୋଲି ରକ୍ସି କୋଲ୍‌ କହିଛନ୍ତି। ତାଙ୍କ ଭାଷାରେ, ଆପଣ ଶୋଇବାକୁ ଯିବା ବେଳେ ଦୁର୍ବଳ ଥିବା ବାତ୍ୟାଟି ଆପଣ ଉଠିଲା ବେଳକୁ ଭୀଷଣ ସାମୁଦ୍ରିକ ଝଡ଼ ହୋଇ ଆପଣଙ୍କ ଦୁଆରେ ଧକ୍କା ଦେଉଥିବ। ଆଉ ବାତ୍ୟା ମୁକାବିଲା ପ୍ରସ୍ତୁତି କରିବା ପାଇଁ ଆମ ପାଖରେ ସମୟ ନ ଥିବ।

The post ବିଶେଷଜ୍ଞଙ୍କ ଦାବି: ବିଶ୍ବ ବାୟୁମଣ୍ଡଳ ଉତ୍ତପ୍ତ ହେଉଥିବାରୁ ଆରବ ସାଗରେ ବାତ୍ୟାସଂଖ୍ୟା ବୃଦ୍ଧି ପାଇପାରେ first appeared on Sambad.

from ବିଶେଷ | Sambad https://ift.tt/3u1i9j5

Post a Comment

0 Comments