ବାପା ଓ ମା’ କରୋନା ପଜିଟିଭ ଚିହ୍ନଟ ହେଲା ପରେ ଶିଶୁଟିର ଯତ୍ନ ନେଇଥିଲେ ଏହି ମହିଳା କନ‌ଷ୍ଟେବଳ

ନୂଆଦିଲ୍ଲୀ: କରୋନାର ଦ୍ବିତୀୟ ଲହର ଅନେକ ସୁନାର ସଂସାରକୁ ଭାଙ୍ଗି ଚୁରମାର କରି ଦେଇଛି। ଦ୍ବିତୀୟ ଲହର ଆରମ୍ଭ ହେବା ଦିନଠାରୁ ପ୍ରତିଦିନ ଅନେକ ହୃଦୟବିଦାରକ ଦୃଶ୍ୟ ଓ ଘଟଣା ସାମ୍ନାକୁ ଆସୁଛି। ରାତି ପାହି‌ ସକାଳ ହେଲେ ଲୋକଙ୍କ ମନରେ ଏକ ପ୍ରକାର ଭୟ ଦେଖାଯାଉଛି। କେତେ ବେଳେ ଯେ କ’ଣ ଘଟୁଛି ତାହା କେହି ଜାଣି ପାରୁ ନାହାନ୍ତି। ଅକାଳରେ ଅନେକ ଜୀବନ ଏହି କରୋନା ହେତୁ ଝଡ଼ିପଡ଼ୁଛି।

ତେବେ ଏହି କରୋନା କାଳରେ ଅନେକ ହୃଦୟସ୍ପର୍ଶୀ ଘଟଣା ବି ସାମ୍ନାକୁ ଆସିଛି। ଏହି କ୍ରମରେ ଦିଲ୍ଲୀର ରେଡିଓ କଲୋନି ଜିଟିବି ନଗରରେ ବସବାସ କରୁଥିବା ସ୍ବାମୀ ଓ ସ୍ତ୍ରୀ ଦୁହେଁ କରୋନାରେ ଆକ୍ରାନ୍ତ ହୋଇଥିଲେ। ଆଉ ଏହି ଦମ୍ପତ୍ତିଙ୍କ ଏକ ୬ମାସର ଶିଶୁ ବି ଥିଲା। ଏଭଳି ପରିସ୍ଥିତିରେ ଶିଶୁର ଦେଖାଶୁଣା କରିବାକୁ କେହି ନଥିଲେ।

‌ଦମ୍ପତ୍ତି ଏ ଅସୁବିଧା ସମ୍ପର୍କରେ ପୁଲିସକୁ ଜଣାଇ କହିଥିଲେ, ସେମାନଙ୍କ ସମ୍ପର୍କୀୟ ଉତ୍ତରପ୍ରଦେଶରେ ବସବାସ କରନ୍ତି। ଲକଡାଉନ କାରଣରୁ ସେମାନେ ଦିଲ୍ଲୀ ଆସି ପାରୁ ନାହାନ୍ତି। ଶିଶୁର ରିପୋର୍ଟ ନେ‌ଗେଟିଭ ବାହାରିବା ସ‌ତ୍ତ୍ବେ ଯେପରି ତାକୁ ଆଗକୁ ଏହି କରୋନା ସଂକ୍ରମଣ ନହେଉ ସେ ଭୟ ବି ରହୁଛି।


ଏ ଖବର ମହିଳା କନଷ୍ଟେବଳ ରାକ୍ଷୀଙ୍କ ପାଖରେ ପହଞ୍ଚିବା ପରେ ସେ ତାଙ୍କ ସିନିୟରଙ୍କ ସହ କଥା ହୋଇ ତୁରନ୍ତ କରୋନା ସଂକ୍ରମିତ ଦମ୍ପତ୍ତିଙ୍କୁ ସମ୍ପର୍କ କରିଥିଲେ। ଏବଂ କହିଥିଲେ, ‘ଆପଣ ସୁସ୍ଥ ହେବା ପର୍ଯ୍ୟନ୍ତ ଶିଶୁକୁ ମୋ ଦାୟିତ୍ବରେ ଛାଡ଼ନ୍ତୁ। ମୁଁ ତାର ଯତ୍ନ ନେବି।’

ଏହାପରେ ରାକ୍ଷୀ ଉକ୍ତ ଦମ୍ପତ୍ତିଙ୍କ ପାଖରୁ ଶିଶୁର ଆବଶ୍ୟକୀୟ ସାମଗ୍ରୀ ଆଣିବା ସହିତ ଶିଶୁକୁ ନିଜ ପାଖରେ ରଖିଥିଲେ। ପରେ ସୁରକ୍ଷିତ ଭାବେ ଶିଶୁକୁ ତାର ଜେ‌ଜେମା’ ଓ ‌ଜେଜେବାପାଙ୍କ ପାଖରେ ପହଁଞ୍ଚାଇ ଦେଇଥିଲେ।

The post ବାପା ଓ ମା’ କରୋନା ପଜିଟିଭ ଚିହ୍ନଟ ହେଲା ପରେ ଶିଶୁଟିର ଯତ୍ନ ନେଇଥିଲେ ଏହି ମହିଳା କନ‌ଷ୍ଟେବଳ first appeared on Sambad.

from ବିଶେଷ | Sambad https://ift.tt/33wlStV

Post a Comment

0 Comments