ମହାରାଷ୍ଟ୍ରରେ ୨,୦୦୦ରୁ ଅଧିକ ‘ବ୍ଲାକ୍‌ ଫଙ୍ଗସ୍‌’ ରୋଗୀ

ନୂଆଦିଲ୍ଲୀ : ଦେଶରେ ପ୍ରତ୍ୟହ ଦେଖାଦେଉଥିବା ୩ ଲକ୍ଷରୁ ଅଧିକ ନୂତନ ସଂକ୍ରମଣ ମାମଲା ଦେଶର ବିପର୍ୟ୍ୟସ୍ତ ସ୍ବାସ୍ଥ୍ୟସେବା ଓ ଭିତ୍ତିଭୂମିକୁ ଅଧିକ ପକ୍ଷାଘାତ କରିଚାଲିଥିବା ବେଳେ ଏବେ ବିଭିନ୍ନ ରାଜ୍ୟରେ ଠାବ ହୋଇଥିବା ‘ବ୍ଲାକ୍‌ ଫଙ୍ଗସ’ ଘଟଣା ଚିକିତ୍ସା ବିଶେଷଜ୍ଞଙ୍କ ପାଇଁ ଅଧିକ ମୁଣ୍ଡବିନ୍ଧାର କାରଣ ସାଜିଛି। ମହାରାଷ୍ଟ୍ରରେ ଏପରି ୨,୦୦୦ ପାଖାପାଖି ‘ବ୍ଲାକ୍‌ ଫଙ୍ଗସ୍‌’ ବା ମ୍ୟୁକରମାଇକୋସିସ୍‌ ମାମଲା ଦେଖାଯାଇଛି ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଥିଲା ବେଳେ ବାସ୍ତବରେ ଏହି ସଂଖ୍ୟା ଯଥେଷ୍ଟ ଅଧିକ ହେବ ବୋଲି ବେସରକାରୀ ଭାବେ ଆକଳନ କରାଯାଉଛି।

ପୂର୍ବରୁ ଦିଲ୍ଲୀ, ଗୁଜରାଟ ଓ ଅନ୍ୟ କିଛି ରାଜ୍ୟରେ ଅନୁରୂପ ଘାତକ ରୋଗର ଆବିର୍ଭାବ ଉଦ୍‌ବେଗ ଆଣିଥିବା ବେଳେ ସୋମବାର ଓଡ଼ିଶାରେ ପ୍ରଥମ ‘ବ୍ଲାକ୍‌ ଫଙ୍ଗସ୍‌’ ରୋଗୀ ଚିହ୍ନଟ ହୋଇଥିଲେ। ସେହିପରି ବିଗତ ୧୨ ଘଣ୍ଟା ଭିତରେ ରାଜସ୍ଥାନର ଜୟପୁରରେ ୧୪ ଜଣ ଏହି ଶ୍ରେଣୀର ପୀଡ଼ିତ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ଭିତରୁ ୨ ଜଣ ରାଞ୍ଚିର, ୪ ଜଣ ରାଜସ୍ଥାନର, ୫ ଜଣ ଉତ୍ତରପ୍ରଦେଶର ଓ ଅନ୍ୟ ୩ ଜଣ ଦିଲ୍ଲୀର ହୋଇଥିବା ଜଣାଯାଇଛି। ଅଧିକାଂଶ ପୀଡ଼ିତ ସେମାନଙ୍କ ଦୃଷ୍ଟିଶକ୍ତି ହରାଇ ସାରିଥିବା ଜଣାଯାଇଛି। ସେହିପରି ମଧ୍ୟପ୍ରଦେଶରେ ମଧ୍ୟ ଏହି ରୋଗରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି।

ବୁଧବାର ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ୨ ଜଣ ‘ବ୍ଲାକ୍‌ ଫଙ୍ଗସ’ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ରାଜ୍ୟର ମେଡିକାଲ କଲେଜ ସଂଲଗ୍ନ ଡାକ୍ତରଖାନାଗୁଡ଼ିକରେ ସ୍ବତନ୍ତ୍ର ଭାବେ ଏହି ମ୍ୟୁକରମାଇକୋସିସ୍‌ ରୋଗୀଙ୍କର ଚିକିତ୍ସା କେନ୍ଦ୍ର ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସେହିପରି ୧୦୦ରୁ ଅଧିକ ରୋଗୀ ଠାବ ସହ ୭ ଜଦଣ ଦୃଷ୍ଟି ସକ୍ତି ହରାଇତିବା ଗୁଜରାଟରେ ସରକାର ମଧ୍ୟ ରାଜ୍ୟର ପ୍ରମୁଖ ଡାକ୍ତରଖାନାଗୁଡ଼ିକରେ ଏହି ରୋଗର ସ୍ବତନ୍ତ୍ର ଵାର୍ଡ ଖୋଲିବା ସହ ଚିକିତ୍ସା ପାଇଁ ୫,୦୦୦ରୁ ଅଧିକ ପ୍ରଯୁଜ୍ୟ ଇଞ୍ଜେକ୍ସନ୍‌ ସଂଗ୍ରହ କରି ରଖିଛନ୍ତି।

The post ମହାରାଷ୍ଟ୍ରରେ ୨,୦୦୦ରୁ ଅଧିକ ‘ବ୍ଲାକ୍‌ ଫଙ୍ଗସ୍‌’ ରୋଗୀ first appeared on Sambad.

from ବିଶେଷ | Sambad https://ift.tt/2QiYpK0

Post a Comment

0 Comments