
ମ୍ୟୁକରମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍କୁ ନେଇ ଏବେ ଦେଶବ୍ୟାପୀ ଚର୍ଚା। କରୋନାରେ ସଂକ୍ରମିତ କିମ୍ବା ସୁସ୍ଥ ହେବା ପରେ କେତେକ ରୋଗୀ ବ୍ଲାକ୍ ଫଙ୍ଗସ୍ରେ ଆକ୍ରାନ୍ତ ହେଉଥିବା ନଜରକୁ ଆସୁଛି। ଯଦିଓ ଏହା ଏକ ବିରଳ ରୋଗ। ତଥାପି ଠିକଣା ସମୟରେ ଚିକିତ୍ସା କରା ନ ଗଲେ ଏହା ଘାତକ ହୋଇପାରେ। ରୋଗୀଙ୍କୁ ନିଜର ମୂଲ୍ୟବାନ ଅଙ୍ଗ ହରାଇବା ସହିତ ମୃତ୍ୟୁ ମଧ୍ୟ ହେଉଛି। ବ୍ଲାକ୍ ଫଙ୍ଗସ୍ରେ ମୃତ୍ୟୁ ହାର ୫୦ ପ୍ରତିଶତ ରହିଥିବା ବିଶେଷଜ୍ଞମାନେ ମତ ଦେଉଛନ୍ତି। ଯେଉଁ କରୋନା ସଂକ୍ରମିତ ବ୍ୟକ୍ତିମାନଙ୍କୁ ଅଧିକ ମାତ୍ରାରେ ଷ୍ଟେରୋଏଡ ଦିଆଯାଉଛି ସେମାନଙ୍କ କ୍ଷେତ୍ରରେ ବ୍ଲାକ୍ ଫଙ୍ଗସ୍ ଆକ୍ରମଣର ସମ୍ଭାବନା ଅଧିକ।
କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଫୁସ୍ଫୁସ୍ରେ ହୋଇଥିବା ଫୁଲାକୁ ନିୟନ୍ତ୍ରଣ କରିବା ଲାଗି ଦିଆଯାଇଥାଏ। ଯାହାଫଳରେ ରୋଗୀର ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତି କରୋନା ଭୂତାଣୁ ସହିତ ଲଢ଼େଇ କରିପାରିବ। ହେଲେ ଷ୍ଟେରୋଏଡର ମାତ୍ରାଧିକ ବ୍ୟବହାର ଯୋଗୁଁ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବା ସହିତ ରକ୍ତ ଶର୍କରା ସ୍ତରକୁ ବଢ଼ାଇ ଦେଇଥାଏ। ଉଭୟ ମଧୁମେହ ଓ ମଧୁମେହରେ ଆକ୍ରାନ୍ତ ନ ଥିବା ବ୍ୟକ୍ତି ଏଥିରେ ପ୍ରଭାବିତ ହୋଇଥାନ୍ତି। ରୋଗ ପ୍ରତିରୋଧକ ଶକ୍ତିରେ ହ୍ରାସ ବ୍ଲାକ୍ ଫଙ୍ଗସ୍ ଆକ୍ରମଣ ପାଇଁ ବାଟ ଫିଟାଇ ଦେଇଥାଏ ବୋଲି କୁହାଯାଉଛି।
ମ୍ୟୁକରମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍ ସାଧାରଣଭାବେ ମାଟି, ଗଛଲତା, ଖତ, ନଷ୍ଟ ହୋଇଥିବା ଫଳ ଓ ପନିପରିବାରେ ଦେଖିବାକୁ ମିଳିଥାଏ। ଏପରିକି ସୁସ୍ଥ ଲୋକଙ୍କ ନାକ ଓ କଫରେ ମଧ୍ୟ ଏହାକୁ ଦେଖିବାକୁ ମିଳିଥାଏ। ଏହା ସାଇନସ, ମସ୍ତିସ୍କ ଓ ଫୁସ୍ଫୁସକୁ ପ୍ରଭାବିତ କରିଥାଏ। ତେବେ ମଧୁମେହ, ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିବା ବ୍ୟକ୍ତି ଯଥା କର୍କଟ ରୋଗୀ ଓ ଏଚ୍ଆଇଭି ରୋଗୀଙ୍କ ପାଇଁ ଘାତକ ହୋଇଥାଏ। ମାତ୍ର ଅଧିକାଂଶ ରୋଗୀ ଡାକ୍ତରଖାନାକୁ ବହୁ ବିଳମ୍ବରେ ଆସିଥାନ୍ତି। ଯାହାଫଳରେ ଡାକ୍ତର ମସ୍ତିସ୍କରେ ସଂକ୍ରମଣକୁ ରୋକିବା ଲାଗି ସେମାନଙ୍କ ଆଖିକୁ ବାହାର କରିବାକୁ ବାଧ୍ୟ ହେଉଛନ୍ତି। ସ୍ଥଳ ବିଶେଷରେ ଡାକ୍ତରମାନେ ରୋଗୀଙ୍କ ଦୁଇ ଆଖିକୁ ମଧ୍ୟ କାଢ଼ିବା ଲାଗି ବାଧ୍ୟ ହେଉଛନ୍ତି। ମୁମ୍ବାଇର କରୋନାରୁ ସୁସ୍ଥ ହୋଇଥିବା ଅନେକ ରୋଗୀଙ୍କୁ ବ୍ଲାକ୍ ଫଙ୍ଗସ୍ କାରଣରୁ ଆଖି ହରାଇବାକୁ ପଡ଼ିଛି। କେବଳ ମୁମ୍ବାଇ ନୁହେଁ ବେଙ୍ଗାଲୁରୁରେ ମଧ୍ୟ ଘାତକ ବ୍ଲାକ୍ ଫଙ୍ଗସ୍ ଅନେକ ରୋଗର ଶିକାର ହୋଇଥିବା ସାମ୍ନାକୁ ଆସିଛି।
କରୋନାର ଦ୍ବିତୀୟ ଲହରରେ ବ୍ଲାକ୍ ଫଙ୍ଗସ୍ର ଏଭଳି ଆକ୍ରମଣ ଅନେକ ଡାକ୍ତରଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି। କରୋନାର ପ୍ରଥମ ଲହରରେ ଏତେ ସଂଖ୍ୟକ ରୋଗୀ ମ୍ୟୁକରମାଇକୋସିସ୍ରେ ଆକ୍ରାନ୍ତ ହେଉ ନ ଥିବା ଡାକ୍ତରମାନେ କହିଛନ୍ତି। ଏପରିକି ନିଜ ଜୀବନର ଦୁଇ ଦଶନ୍ଧି ଧରି ଡାକ୍ତରୀ ସେବାରେ ମଧ୍ୟ ଏତେ ସଂଖ୍ୟକ ରୋଗୀ ଦେଖି ନ ଥିବା ବିଶେଷଜ୍ଞମାନେ କହିଛନ୍ତି। ବ୍ଲାକ୍ ଫଙ୍ଗସ୍ର ଶିକାର ହୋଇଥିବା ଲୋକଙ୍କ ଚିକିତ୍ସା ପାଇଁ ଆଣ୍ଟି-ଫଙ୍ଗାଲ ଇଣ୍ଟ୍ରାଭେନ୍ସ ଇଞ୍ଜେକସନ୍ ରହିଛି। ଯାହାକି ଗୋଟିଏ ଡୋଜ୍ ପ୍ରାୟତଃ ସାଢ଼େ ୩ହାଜର ଟଙ୍କା। ଏହି ଇଞ୍ଜେକସନ୍କୁ ପ୍ରତ୍ୟେକ ଦିନ ଦେବାକୁ ପଡ଼ୁଥିବା ବେଳେ ସ୍ଥଳ ବିଶେଷରେ ୮ ସପ୍ତାହ ପର୍ଯ୍ୟନ୍ତ ଦେବାକୁ ପଡ଼ିଥାଏ। ତେଣୁ କୋଭିଡ୍ରେ ଆକ୍ରାନ୍ତ ହେଉଥିବା ରୋଗୀମାନଙ୍କୁ ଯେପରି ଷ୍ଟେରୋଏଡର ଠିକ୍ ଓ ଉପଯୁକ୍ତ ଡୋଜ୍ ଦିଆଯିବ ତାହାକୁ ଧ୍ୟାନ ଦିଆଯିବା ଦରକାର। ଲୋକମାନେ ମଧ୍ୟ ଯଥାଶୀଘ୍ର ଡାକ୍ତରଙ୍କ ସହିତ ପରାମର୍ଶ କରିବା ଜରୁରୀ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
The post ଷ୍ଟେରୋଏଡର ମାତ୍ରାଧିକ ବ୍ୟବହାର କରୋନା ରୋଗୀଙ୍କ ପାଇଁ ଘାତକ ସାଜୁଛି first appeared on Sambad.from ବିଶେଷ | Sambad https://ift.tt/3yby7dQ
0 Comments