କରୋନା ଖାଇଯିବ ଶିକ୍ଷାବର୍ଷ: ଲଗାତାର ଦ୍ବିତୀୟଥର ପାଇଁ ପରୀକ୍ଷାରେ ବାଧା

ଭୁବନେଶ୍ବର : ସାରା ଦେଶରେ କ‌ରୋନା କାୟା ବଢ଼ି ଚାଲିଥିବାରୁ ଛାତ୍ରଛାତ୍ରୀଙ୍କ ଆଉ ଗୋଟିଏ ବର୍ଷ ବିଗିଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ୨୦୨୦ ମାର୍ଚ୍ଚରେ କରୋନା ସଂକ୍ରମଣ ବଢ଼ିବାରୁ ଶିକ୍ଷାନୁଷ୍ଠାନରେ ତାଲା ପଡ଼ିଥିଲା। ପିଲାଙ୍କ ପରୀକ୍ଷା ଅଧାରୁ ବନ୍ଦ ହେବା ସହ ପାଠପଢ଼ା ଏକପ୍ରକାର ଠପ୍‌ ହୋଇଯାଇଥିଲା। ତେବେ ଗୋଟିଏ ବର୍ଷ ପୂରଣ ହେବା କ୍ଷଣି ପୁଣିଥରେ କରୋନାର ଆଁ ଭିତରେ ବୁଡ଼ିବାକୁ ଯାଉଛି ଛାତ୍ରଛାତ୍ରୀଙ୍କ ପାଠପଢ଼ା। ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ସିବିଏସ୍‌ଇ ଦଶମ ପରୀକ୍ଷା ବାତିଲ୍‌ କରାଯାଇଛି ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଝୁଲି ରହିଛି। ଜୁନ୍‌ ପହିଲାରେ ପରୀକ୍ଷା ତାରିଖ ପୁନଃ ନିର୍ଦ୍ଧାରଣ ହେବ ବୋଲି କୁହାଯାଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ କ’ଣ ହେବ, ତାହା ଏବେଠାରୁ ଆକଳନ କରିବା ମୁସ୍କିଲ୍‌।

ଗତବର୍ଷ କୋଭିଡ୍‌ କଟକଣା ଯୋଗୁଁ ୧୦ ମାସ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ମିସନ ମୋଡ୍‌ରେ ୧୦୦ ଦିନିଆ କଣ୍ଟ ଧରି ବିଦ୍ୟାଳୟଗୁଡ଼ିକ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଜାରି ରଖିଛନ୍ତି। କଣ୍ଟ ପୂରଣ ହୋଇ ଏବେ ବୋର୍ଡ ପରୀକ୍ଷାକୁ ହାତରେ ଆଉ ଗୋଟିଏ ମାସରୁ କମ୍ ସମୟ ରହିଥିବା ବେଳେ କରୋନା ମହାମାରୀର ଦ୍ବିତୀୟ ଲହର ମୁଣ୍ଡ ଟେକିଲାଣି। ଫଳରେ ବୋର୍ଡ ପରୀକ୍ଷା ସହ ମହାମାରୀ ଚିନ୍ତା ପିଲାଙ୍କ ବୋଝକୁ ଆହୁରି ଓଜନିଆ କରିଦେଇଛି। ଯଦି ଏମିତି ସ୍ଥିତି ଲାଗି ରୁହେ, ତେବେ ଛାତ୍ରଛାତ୍ରୀଙ୍କ ଆଉ ଗୋଟିଏ ଶିକ୍ଷାବର୍ଷ ବିଗିଡ଼ିବା ଏକପ୍ରକାର ଥୟ। କାରଣ ନିର୍ଦ୍ଧାରିତ ସମୟରେ ପରୀକ୍ଷା ନ ହେବା ଦ୍ବାରା ଠିକ୍‌ ସମୟରେ ପରୀକ୍ଷାଫଳ ପ୍ରକାଶ ପାଇବ ନାହିଁ। ନାମଲେଖା ବି ହୋଇପାରିବ ନାହିଁ। ଫଳରେ ଆଗାମୀ ୨୦୨୧-୨୨ ଶିକ୍ଷାବର୍ଷ ବି ପ୍ରଭାବିତ ହୋଇପାରେ। ଏପ୍ରିଲ ମାସ ଆରମ୍ଭ ହୋଇଯାଇଥିଲେ ମଧ୍ୟ ଶିକ୍ଷାବର୍ଷ ଆରମ୍ଭ ହୋଇପାରିନାହିଁ। ଜୁନ୍‌ କିମ୍ବା ଜୁଲାଇ ମାସରେ ହେବ ତାହା ବି କେହି ଆକଳନ କରିପାରୁନାହାନ୍ତି।

image source-sambad english

ଶିକ୍ଷାବିତ୍‌ଙ୍କ ମତରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଠିକ୍‌ ନିଷ୍ପତ୍ତି ଅଛି। ତେବେ କରୋନା ମୁକାବିଲା କରିବା ବଦଳରେ ଗୋଟିଏ ପରେ ଗୋଟିଏ ଶିକ୍ଷାବର୍ଷ ଏମିତି ନଷ୍ଟ ହେଲେ ପିଲାଙ୍କ ଭବିଷ୍ୟତ ଆଶଙ୍କା ଭିତରକୁ ଠେଲି ହୋଇଯିବ। କାରଣ ସେମାନେ ଗତ ବର୍ଷକ ମଧ୍ୟରେ ସେଭଳି କିଛି ଶିକ୍ଷା ଲାଭ କରିପାରିଲେ ନାହିଁ। କେତେବେଳେ ଅନ୍‌ଲାଇନ୍‌ରେ ତ କେତେବେଳେ ଅଫ୍‌ଲାଇନ୍‌ରେ ପଢ଼ିଲେ। ଏବେ ପରୀକ୍ଷା ଦେବା ବେଳକୁ ପୁଣିଥରେ କରୋନା ମାଡ଼ି ଆସିଛି, ଯାହାକି ଶିକ୍ଷାର ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଶିକ୍ଷାନୁଷ୍ଠାନ, ଛାତ୍ରଛାତ୍ରୀ, ଅଭିଭାବକ ସମସ୍ତେ ଚିନ୍ତାରେ। କେତେକ ପିଲା ମାନସିକ ଭାରସାମ୍ୟ ବି ହରାଇବାର ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ବେଳ ଥାଉଥାଉ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରି ପଦକ୍ଷେପ ନିଅନ୍ତୁ।

କେମିତି ହେବ ଦଶମ ମାର୍କିଂ?
ଏକ ନିର୍ଦ୍ଦିଷ୍ଟ ମାନଦଣ୍ଡ ଅନୁଯାୟୀ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ କରାଯିବ ବୋଲି ସିବିଏସ୍‌ଇ ପକ୍ଷରୁ କୁହାଯାଇଛି। ‌ତେବେ ଏହି ମାନଦଣ୍ଡ କ’ଣ? କିଭଳି ରହିବ ମାର୍କିଂ ବ୍ୟବସ୍ଥା? ଛାତ୍ରଛାତ୍ରୀଙ୍କୁ କେଉଁ ଆଧାରରେ ଏହି ଗୁରୁତ୍ବପୂର୍ଣ୍ଣ ପରୀକ୍ଷାରେ ପାସ୍‌/ଫେଲ୍‌ କରାଯିବ? ସିବିଏସ୍‌ଇ ନିଷ୍ପତ୍ତି ପରେ ଓଡ଼ିଶାର ପ୍ରାୟ ୨୪ହଜାର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଦ୍ବନ୍ଦ୍ବରେ ପଡ଼ିଛନ୍ତି। କେନ୍ଦ୍ର ସରକାର କିମ୍ବା ସିବିଏସ୍‌ଇ ପକ୍ଷରୁ ଆଜି କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନ ଥିବାରୁ ଆଶଙ୍କା ବଢ଼ୁଛି। ତେବେ ଶିକ୍ଷାବିତ୍‌ଙ୍କ ମତରେ ମାର୍କିଂ ପାଇଁ ଏକାଧିକ ବିକଳ୍ପ ରହିଛି। ପ୍ରଥମତଃ ସ୍କୁଲ କର୍ତୃପକ୍ଷଙ୍କୁ ଦାୟିତ୍ବ ଦିଆଯାଇପାରେ। ବର୍ଷର ବିଭିନ୍ନ ସମୟରେ କରାଯାଇଥିବା ଇଣ୍ଟରନାଲ୍‌ ପରୀକ୍ଷା ଆଧାରରେ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯାଇପାରେ। ଦ୍ବିତୀୟତଃ ଗତବର୍ଷ ୯ମ ଶ୍ରେଣୀ ପରୀକ୍ଷାରେ ଛାତ୍ରଛାତ୍ରୀ ରଖିଥିବା ମାର୍କକୁ ଆଧାରକୁ ନିଆଯାଇପାରେ। ତୃତୀୟତଃ ସ୍କୁଲସ୍ତରରେ ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନକୁ ନେଇ ପରୀକ୍ଷା କରି ଛାତ୍ରଛାତ୍ରୀଙ୍କୁ ମାର୍କ ପ୍ରଦାନ ନେଇ ମଧ୍ୟ ବାଟ ଉନ୍ମୁକ୍ତ ରହିଛି।

କ’ଣ ହେବ ସିଆଇଏସ୍‌ସିଇ ବୋର୍ଡ ନିଷ୍ପତ୍ତି…
ସିବିଏସ୍‌ଇ ବୋର୍ଡ ନିଷ୍ପତ୍ତି ପରେ କାଉନସିଲ୍‌ ଫର୍‌ ଦି ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ଏକ୍ସା‌ମିନେସନ(ସିଆଇଏସ୍‌ସିଇ) ବୋର୍ଡ ନିଷ୍ପତ୍ତି ଉପରେ ଛାତ୍ରଛାତ୍ରୀଙ୍କ ନଜର। କାରଣ ଇତିମଧ୍ୟରେ ବୋର୍ଡ ଅଧୀନ ଆଇଏସ୍‌ସି (ଦ୍ବାଦଶ ଶ୍ରେଣୀ) ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହୋଇଛି, ଯାହାକି ଜୁନ୍‌ ୧୮ ପର୍ଯ୍ୟନ୍ତ ଚାଲିବ। ଆଇସିଏସ୍‌ଇ(ଦ୍ବାଦଶ ଶ୍ରେଣୀ) ପରୀକ୍ଷା ମେ’ ୪ରୁ ଆରମ୍ଭ ହୋଇ ଜୁନ୍‌ ୭ ପର୍ଯ୍ୟନ୍ତ ଜାରି ରହିବ। ସିବିଏସ୍‌ଇ ନିଷ୍ପତ୍ତି ପରେ ଉକ୍ତ ବୋର୍ଡ ପରୀକ୍ଷାକୁ ଏବେ ସ୍ଥଗିତ ରଖିବାକୁ ଛାତ୍ରଛାତ୍ରୀ ଦାବି ଜଣାଇଛନ୍ତି। ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

The post କରୋନା ଖାଇଯିବ ଶିକ୍ଷାବର୍ଷ: ଲଗାତାର ଦ୍ବିତୀୟଥର ପାଇଁ ପରୀକ୍ଷାରେ ବାଧା first appeared on Sambad.

from ବିଶେଷ | Sambad https://ift.tt/2Q3aPp6

Post a Comment

0 Comments