ବିଦାୟ ସାହିତ୍ୟ ସନ୍ନ୍ୟାସୀ

ବିଶ୍ବ କଥା ସାହିତ୍ୟର ଯଶସ୍ବୀ ଲେଖକ, ଭାରତୀୟ ସଂସ୍କୃତି ତଥା ଜୀବନ ଚଳଣିର ବିଶ୍ବସ୍ତ ରୂପକାର, କୋଟି ହୃଦୟର ପ୍ରିୟ କଥାକାର ମନୋଜ ଦାସ। କଥା ସାହିତ୍ୟରେ ଏକ ରସନିପୁଣ ଶୈଳୀ ଓ ଭାବଗର୍ଭକ ଆବେଦନ, ପ୍ରବନ୍ଧ ରଚନାରେ ନିଜର ସ୍ବତନ୍ତ୍ର ବିଶ୍ଳେଷଣ ଓ ବକ୍ତବ୍ୟ, କବିତା ସୃଜନରେ ଗଭୀର ଆତ୍ମିକ ଅନ୍ବେଷାବୋଧ ଓ ଛନ୍ଦ ବିଳାସ, ଉପନ୍ୟାସରେ ସଚରାଚର ଅନାଲୋଚିତ ବହୁ ଦିଗନ୍ତ ଓ ପରିଧିର ରୂପାୟନ କରି ସେ ସୃଷ୍ଟି କରି ଯାଇଛନ୍ତି ଏକ ଶ୍ରଦ୍ଧାଶୀଳ ପାଠକଗୋଷ୍ଠୀ। ପ୍ରାଚୀନ କଥା ପରମ୍ପରାର ‌ ନବୀନତମ ଉଦ୍‌ଗାତା ଭାବେ ସେ ‌ଯେମିତି ସାରା ଦେଶରେ ପରିଚିତ, ଆଧୁନିକ ଭାରତ ବର୍ଷର ଅପ୍ରତିଦ୍ବନ୍ଦ୍ବୀ ଗଳ୍ପଲେଖକ ଭାବରେ ସେ ‌ସେମିତି ଅନ୍ତର୍ଜ‌ାତୀୟ ସ୍ତରରେ ସ୍ବୀକୃତ। ଦୀର୍ଘ ଅର୍ଦ୍ଧଶତାବ୍ଦୀରୁ ଉର୍ଦ୍ଧ୍ବକାଳ ନିରବଚ୍ଛିନ୍ନ ଭାବରେ ଲେଖନୀ ଚାଳନା ପୂର୍ବକ ଅଜସ୍ର ଗଳ୍ପ, କବିତା, ରମ୍ୟ ରଚନା, ପ୍ରବନ୍ଧ, ଭ୍ରମଣ କାହାଣୀ ତଥା କିଶୋର-ସାହିତ୍ୟ ସୃଷ୍ଟିକରି ସାହିତ୍ୟର ମନ୍ଦିରକୁ ସମୃଦ୍ଧ କରିବା ସଙ୍ଗେ ସଙ୍ଗେ ଏକ ଦ୍ବିଭାଷିକ ଲେଖକ ଭାବେ ଓଡ଼ିଆ ସାହିତ୍ୟକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପରିଚିତ ଏବଂ ପ୍ରଶଂସିତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପ୍ରଜ୍ଞାପୁରୁଷ ମନୋଜ ଦାସ ଆଉ ଇହଧାମରେ ନାହାନ୍ତି। ଏହି ସାହିତ୍ୟ ସନ୍ନ୍ୟାସୀଙ୍କ ଚିରବିଦା‌ୟ ସହିତ ସତେ ଯେମିତି କକ୍ଷଚ୍ୟୁତ ହୋଇଯାଇଛି ସାହିତ୍ୟାକାଶର ସବୁଠାରୁ ଉଜ୍ଜ୍ବଳ ଜ୍ୟୋତିଷ୍କ। ଏହି ମହାନ ଲେଖକଙ୍କ ମହାପ୍ରୟାଣରେ ‘ସମ୍ବାଦ’ର ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି।

‘ସମୁଦ୍ର କ୍ଷୁଧା’ରୁ ଆରମ୍ଭ
ମନୋଜ ଦାସ କେତୋଟି ଗଳ୍ପର ପାଣ୍ଡୁଲିପି ପ୍ରସ୍ତୁତ କରି ବାଲେଶ୍ବରର ଜଣେ ପୁସ୍ତକ ବ୍ୟବସାୟୀ ବାଞ୍ଛାନିଧି ନାୟକଙ୍କୁ ପ୍ରକାଶ ପାଇଁ ଦେଇଥାନ୍ତି। ମୋତିଗଞ୍ଜସ୍ଥିତ ‘ନିୟୁ ଉତ୍କଳ ପ୍ରେସ୍’ରେ ବହିଟିର ଛାପା କାମ ଆରମ୍ଭ ହୋଇ ଗୋଟିଏ ଦୁଇଟି ଫର୍ମା ଛପା ହୋଇସାରିଥିଲା। ମାତ୍ର ବାଲେଶ୍ବରର ତତ୍କାଳୀନ ଜଣେ ପ୍ରଭାବଶାଳୀ କଂଗ୍ରେସନେତା ଧମକ ଦେଲେ ଯେ ‘ମନୋଜ ଜଣେ କମ୍ୟୁନିଷ୍ଟ, ତାଙ୍କ ବହି ଛାପିଲେ ଅସୁବିଧାରେ ପଡ଼ିବ’। ତେଣୁ ପ୍ରକାଶକ ଜଣକ ଆଉ ବହି ଛାପିଲେ ନାହିଁ। ଛାପା ଫର୍ମାଗୁଡ଼ିକ ଦୀର୍ଘଦିନ ପ୍ରେସ୍‌ରେ ପଡ଼ିରହିଲା। ଦିନେ ମନୋଜ ବାବୁ ବନ୍ଧୁ ବ୍ରଜନାଥ ରଥଙ୍କୁ ଡାକି ନେଇ ସେହି ପ୍ରେସ୍‌କୁ ଗଲେ ଏବଂ ପ୍ରେସ୍‌ ମ୍ୟାନେଜର ପ୍ରାଣକୃଷ୍ଣ ପ୍ରଧାନଙ୍କୁ ଗୋଟିଏ କଭର ଛାପି ସେହି ଅସମ୍ପୂର୍ଣ୍ଣ ବହିରୁ କେତେଖଣ୍ଡ ବାନ୍ଧିଦେବାକୁ କହିଲେ। ବାକି ଫର୍ମାତକ ସେ ବ୍ରଜନାଥଙ୍କ ସାଇକେଲ୍ ପଛରେ ଲଦି ମୋତିଗଞ୍ଜର ଏକ ତେଜରାତି ଦୋକାନକୁ ଯାଇ ସେର ଓଜନରେ ବିକ୍ରି କରିଦେଲେ। ଯାହା ପଇସା ମିଳିଥିଲା ସେଥିରେ ବହିର କଭର ଛପା ହୋଇଥିଲା। ଏହି ବହିଟିଥିଲା ତାଙ୍କର ପ୍ରଥମ ଗଳ୍ପ ସଂକଳନ ‘ସମୁଦ୍ରର କ୍ଷୁଧା’। ସଂକଳନରେ ମାତ୍ର ଦୁଇଟି ଗଳ୍ପ ‘ସାମରିକ’ ଓ ‘ସମୁଦ୍ରର କ୍ଷୁଧା’ ଥିଲା। ପରବର୍ତୀ ସଂସ୍କରଣରେ ୧୦ଟି ଗଳ୍ପ ସମ୍ବଳିତ ଏହାର ପରିବର୍ଧିତ ଦ୍ବିତୀୟ ସଂସ୍କରଣ କଟକର ଦାଶରଥୀ ପୁସ୍ତକାଳୟରୁ ୧୯୫୮ ମସିହାରେ ପ୍ରକାଶ ପାଇଥିଲା।

ଗଣ ସଂଗୀତର ଗୀତିକାର ଓ ଗାୟକ
ମନୋଜ ଦାସଙ୍କ ବାପା ମଧୁବାବୁ ଶଙ୍ଖାରୀରେ ଗୋଟିଏ ଯାତ୍ରାଦଳ କରି ଏହାର ପରିଚାଳନା କରୁଥିଲେ। ସେହିଦିନଠାରୁ ତାଙ୍କର ଅଭିନୟ ଓ ସଂଗୀତ ପ୍ରତି ଅନୁରାଗ ବଢ଼ିଥିଲା। ବିଭନ୍ନ ସଭା ସମ୍ମିଳନୀରେ ସେ ହାରମୋନିୟମ ଧରି ଗୀତ ଗାଇବା ବେସଳେ ଶହଶହ ଶ୍ରୋତା ତାକୁ ଆନନ୍ଦରେ ଉପଭୋଗ କରୁଥିଲେ। କବି ବ୍ରଜନାଥ ରଥ ତାଙ୍କ ସ୍ମୃତିଲେଖରେ କରିଥିବା ବର୍ଣ୍ଣନା ମୁତାବକ, ବଂଶୀ ଓ ହାରମୋନିୟମରେ ତାଙ୍କର ଦକ୍ଷତା ଥିଲା। କଲେଜ୍ ଡ୍ରାମାରେ ନିଜେ ଗୀତ ଲେଖି ସବ୍ର ସଂଯୋଜନା କରିବା ସହ ସଂଗୀତ ନିର୍ଦେଶନା ଦେଉଥିଲେ। ୧୯୫୫-୫୬ ମସିହାରେ ଭାରତୀୟ ଗଣନାଟ୍ୟ ସଂଘର ଏକ ଶାଖା ସ୍ଥାପନ ହୋଇଥିଲା। କଟକରେ ଏହାର ପ୍ରଥମ ସମ୍ମିଳନୀ ହୋଇଥିଲା। ମନୋଜ ଦାସଙ୍କ ରଚିତ ବହୁ ଗଣସଂଗୀତ ସୂର୍ଯ୍ୟ ଉଠେ ଦୂରେରେ.., ଆମେ ଶାନ୍ତି କାମୀ ଆମେ ମୁକ୍ତିକାମୀ.., ଚାଷୀଭାଇରେ ପଜା ତୋର ଦାଆ ହତିଆର.., ଆମ ଗାଁ କ୍ଷେତ ବୁକେ ସୁନାର ଫସଲ.. ବହୁ କଣ୍ଠରେ ସେତେବେଳେ ଧ୍ବନିତ ହେଉଥିଲା। ବ୍ରହ୍ମପୁରରେ ନିଖିଳ ଉତ୍କଳ ଛାତ୍ରସଂଘର ସମ୍ମିଳନୀର ଖୋଲା ଅଧିବେଶନରେ ତାଙ୍କ ସ୍ବରଚିତ ଓ କଣ୍ଠନିଃସୃତ ଗଣ ସଂଗୀତ ହଜାର ହଜାର ଶ୍ରୋତାଙ୍କୁ ମୁଗ୍ଧ କରିଥିଲା।

ନବମ ଶ୍ରେଣୀରେ ପଢ଼ିବା ବେଳେ ପ୍ରଥମ କବିତା ସଂକଳନ
ବାଲେଶ୍ବର ଜିଲ୍ଲାସ୍କୁଲରେ ୯ମ ଶ୍ରେଣୀର ଛାତ୍ର ଥିବା ବୋଳେ ୧୯୪୯ ମସିହାରେ ବାଲେଶ୍ବରର ତତ୍କାଳୀନ ‘ନିୟୁ ଉତ୍କଳ ପ୍ରେସ୍’ରୁ ତାଙ୍କର ପ୍ରଥମ କବିତା ସଂକଳନ ‘ଶତାବ୍ଦୀର ଆର୍ତନାଦ’ ପ୍ରକାଶ ପାଇଥିଲା। ଏହାର ପୃଷ୍ଠାସଂଖ୍ୟା ଥିଲା ୨୪ ଓ ମୂଲ୍ୟ ଥିଲା ପାଞ୍ଚ ଅଣା। ୧୯୫୦ରେ ଛାତ୍ରାବସ୍ଥାରେ ତାଙ୍କର ଦ୍ବିତୀୟ କବିତା ଗ୍ରନ୍ଥ ‘ବିପ୍ଳବୀ ଫକୀରମୋହନ’ ଶ୍ରୀଜଗନ୍ନାଥ ପ୍ରେସ୍‌ରୁ ପ୍ରକାଶ ପାଇଥିଲା। ସଂଯୋଗକୁ ଏହା ବି ଥିଲା ୨୪ ପୃଷ୍ଠା ବିଶିଷ୍ଟ ଏବଂ ଦାମ୍ ଥିଲା ପାଞ୍ଚଅଣା। ସେତେବେଳେ ସେ ସେହି ବହିଟିକୁ କାନ୍ତକବିଙ୍କ ପାଦତଳେ ଉତ୍ସର୍ଗ କରିଥିଲେ।

ମା’ କାଦମ୍ବିନୀ ଦେବୀଙ୍କ ପ୍ରଭାବ
ପିଲାଦିନେ ତାଙ୍କ ମା’ କାଦମ୍ବିନୀ ଦେବୀ ସଂଗ୍ରହ କରିଥିବା ଫକୀରମୋହନ, ରାଧାନାଥ, କୁନ୍ତଳା କୁମାରୀ, ବଙ୍କିମ ଚନ୍ଦ୍ର, ରବୀନ୍ଦ୍ରନାଥଙ୍କ ରଚନାବଳି ସମେତ ରାମାୟଣ ଓ ମହାଭାରତ ପଢ଼ିବାର ସୁଯୋଗ ନେଲେ। ତାଙ୍କ ମା’ ଥିଲେ ନିପଟ ମଫସଲର ଝିଅ। କିନ୍ତୁ ସାହିତ୍ୟ ପ୍ରତି ତାଙ୍କର ଅନୁରାଗ ଥିଲା ଅସୀମ। ସେଥିପାଇଁ କାଦମ୍ବିନୀଙ୍କ ବାପା ରାଧାନାଥ ଓ ଫକୀରମୋହନଙ୍କର ପ୍ରାୟ ସମସ୍ତ ବହି କାଦମ୍ବିନୀଙ୍କ ପାଇଁ କିଣି ଦେଇଥିଲେ। ସେଗୁଡ଼ିକୁ କାଦମ୍ବିନୀ ଯତ୍ନରେ ସାଇତି ରଖିଥିଲେ। ମନୋଜ ଦ୍ବିତୀୟ ଶ୍ରେଣୀରେ ପଢ଼ିବା ବେଳେ ତାଙ୍କୁ ମା’ ‘ରାଧାନାଥ ଗ୍ରନ୍ଥାବଳୀ’ ପଢ଼ାଇଥିଲେ।

ମାର୍କସବାଦୀ ଚିନ୍ତାଧାରାରେ ଅନୁପ୍ରାଣିତ
ସେ ଜମାଳପୁର ବିଶ୍ବନାଥ ଏକାଡେମି ସ୍କୁଲରେ ପଞ୍ଚମରୁ ସପ୍ତମ ଶ୍ରେଣୀ ଯାଏ ଏବଂ ଭୋଗରାଇ ଥାନା ଅନ୍ତର୍ଗତ ଜଳେଶ୍ବରପୁର ହାଇସ୍କୁଲରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ। ସେତେବେଳେ ସେ ହଷ୍ଟେଲ୍ରେ ଅବସ୍ଥାନ କରୁଥିଲେ। ବାଲେଶ୍ବର ଜିଲ୍ଲା ସ୍କୁଲରେ ମ୍ୟାଟ୍ରିକ ପଢ଼ିବା ବେଳେ ବଡ଼ ଭାଇ ମନ୍ମଥନାଥ ଦାସ (ବିଶିଷ୍ଟ ଐତିହାସିକ, ଉତ୍କଳ ବିଶ୍ବବିଦ୍ୟାଳୟର ତତ୍କାଳୀନ ଇତିହାସ ପ୍ରଫେସର ତଥା କୁଳପତି)ଙ୍କ ନିକଟରେ ରହିଥିଲେ। ହାଇସ୍କୁଲରେ ପଢ଼ିବା ବେଳେ ମାର୍ସ୍କବାଦୀ ଚିନ୍ତାଧାରା ଦ୍ବାରା ଅନୁପ୍ରାଣିତ ହୋଇଥିଲେ। ସେ ଏକ ସାକ୍ଷାତକାରରେ କହିଥିଲେ, ‘ମଣିଷ କାହିଁକି ଦୁଃଖ ଭୋଗେ’, ଏହି ପ୍ରଶ୍ନ ହିଁ ଦିନେ ତାଙ୍କୁ ମାର୍କସବାଦ ପ୍ରତି ଆକୃଷ୍ଟ କରିଥିଲା। ମ୍ୟାଟ୍ରିକରେ ଉତ୍ତୀର୍ଣ୍ଣ ହେବା ପରେ ସେ ବାମପନ୍ଥୀ ଛାତ୍ର ସଂଗଠନରେ ଯୋଗଦେଲେ। ଜୀବନବ୍ୟାପୀ ସେ ବହୁ ଛାତ୍ର ଓ ଯୁବ ଆନ୍ଦୋଳନର ନେତୃତ୍ବ ନେଇଥିଲେ।

ପ୍ରତିଜ୍ଞା ଦେବୀଙ୍କ ସହ ବିବାହ
ରେଭେନ୍ସାରୁ ୧୯୫୯ ମସିହାରେ ସେ ଇଂରାଜୀରେ ଏମ୍.ଏ ପାସ୍ କରିବା ପରେ ସେଇବର୍ଷ ତାଙ୍କର ବିବାହ ହୋଇଥିଲା। କୁଜଙ୍ଗର ବିଶିଷ୍ଟ ଜମିଦାର ଓ ସ୍ବାଧୀନତା ସଂଗ୍ରାମୀ ନାରାୟଣ ବୀରବର ସାମନ୍ତଙ୍କ କନ୍ୟା ପ୍ରତିଜ୍ଞା ସାମନ୍ତଙ୍କୁ ବିବାହ କଲେ। ନାରାୟଣ ବୀରବର ସାମନ୍ତ ଭାରତର ପ୍ରଥମ ଉପନିର୍ବାଚନଠାରୁ ଆରମ୍ଭକରି ୧୯୭୪-୭୫ ଯାଏ କ୍ରମାଗତ ଭାବରେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଶ୍ରୀ ଦାସଙ୍କ ଶାଶୂ ରତ୍ନମାଳୀ ଜେମା ମଧ୍ୟ ସ୍ବାଧୀନତା ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିବା ସହ ଦେଶ ସ୍ବାଧୀନ ହେବା ପରେ ବିଧାୟକ ରହିଥିଲେ। ପତ୍ନୀ ପ୍ରତିଜ୍ଞା ଦେବୀ ମନୋଜ ଦାସଙ୍କ ସହ ଶ୍ରୀଅରବିନ୍ଦ ଆଶ୍ରମରେ ରହିବା ସହ ସେଠାରେ ଅଧ୍ୟାପନା କରୁଥିଲେ।

The post ବିଦାୟ ସାହିତ୍ୟ ସନ୍ନ୍ୟାସୀ first appeared on Sambad.

from ବିଶେଷ | Sambad https://ift.tt/3vpa5K6

Post a Comment

0 Comments