ଶହେ ବର୍ଷ ତଳେ କହିଥିଲେ ଆତ୍ମନିର୍ଭର ହେବାକୁ…

ହୁଏତ ମଧୁବାବୁ ନଥିଲେ, ୧୯୦୩ ମସିହାରେ ସେ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା କରି ନଥିଲେ, ଆଜି ଆମେ ସ୍ବତନ୍ତ୍ର ଓଡ଼ିଶା ପାଇ ପାରି ନଥାନ୍ତୁ। ପିଲାଦିନେ ମଧୁବାବୁଙ୍କ ବିଷୟରେ ପଢିଥିଲୁ …‘କା‌ଳିଆ ଘୋଡାରେ ଚଢିବି, ମଧୁବାବୁ ସଙ୍ଗେ ଲଢିବି’। ଜଣେ ଓକିଲ ହିସାବରେ ସେ ବହୁତ ବଡ଼ ଥିଲେ। ମଧୁବାବୁ ନଥିଲେ ଆଜି ‌ଆମେ ଓଡ଼ିଆ ଓକିଲଙ୍କୁ ଦେଖିବାକୁ ପାଇ ନ ଥାନ୍ତୁ। ସେ ହେଉଛନ୍ତି ପ୍ରଥମ ଓଡ଼ିଆ ଏମ୍‌ଏ, ପ୍ରଥମ ଲ’ ଗ୍ରାଜୁଏଟ। ସେହିଭଳି ଭାବେ ଅନେକ କ୍ଷେତ୍ରରେ ସେ ପ୍ରଥମ ଓଡ଼ିଆ ହେବାର ଗୌରବ ଅର୍ଜନ କରିଥିଲେ। ମହିଳାମାନେ ଓକିଲାତି ପେସାକୁ ମଧୁବାବୁଙ୍କ ପ୍ରୋତ୍ସାହନରେ ଆସିଥିଲେ।

ଏବେ ଆତ୍ମନିର୍ଭର ଭାରତ କଥା ଚର୍ଚ୍ଚା କରାଯାଉଛି। କିନ୍ତୁ ମଧୁବାବୁ ଆଜିକୁ ଶହେ ବର୍ଷ ତଳେ ଆତ୍ମନିର୍ଭର ପ୍ରସଂଗ ଉପରେ ଗୁରୁତ୍ବାରୋପ କରିଥିଲେ। ଓଡ଼ିଆଙ୍କୁ ସ୍ବାଭିମାନୀ ହେବା ପାଇଁ ସବୁବେଳେ ଦେଖାଉଥିଲେ ବାଟ। କାହା ଉପରେ ନିର୍ଭର ନ କରି ଶିଳ୍ପସମୃଦ୍ଧ ରାଜ୍ୟରେ ପରିଣତ କରିବା ପାଇଁ ପ୍ରତିଷ୍ଠା କରିଥିଲେ ଉତ୍କଳ ଟ୍ୟାନେରି ଯୋତା କାରଖାନା। ଏଥି ସହିତ ତାରକସି କାମ ଓ ଅଭଙ୍ଗା କଣ୍ଢେଇ ଶିଳ୍ପ ଥିଲା ତାଙ୍କ ଶିଳ୍ପସମୃଦ୍ଧ ଓଡ଼ିଶା ଗଠନ ସ୍ବପ୍ନର ଅଂଶ। ସେ ସମାଜସଂସ୍କାରକ ଥିଲେ। ସେ ଓଡ଼ିଆ ଜାତିର ଆଦର୍ଶ।। ବହୁ ରାଜା ମହାରାଜାଙ୍କ ମାମଲା ମଧୁବାବୁ ଅଦାଲତରେ ଲଢୁଥିଲେ। ଓକିଲାତି ପେସାରୁ ବହୁ ଅର୍ଥ ଉପାର୍ଜନ କରିଥିଲେ। ଓଡ଼ିଆ ଜାତିକୁ ଗଢି ତୋଳିବା ପାଇଁ ମଧୁବାବୁ ତାଙ୍କର ଉପାର୍ଜିତ ଅପର୍ଯ୍ୟାପ୍ତ ଧନସଂପତ୍ତି ବ୍ୟୟ କରି ଶେଷରେ ୧୯୨୬ରେ ଦେବାଳିଆ ହୋଇ ଯାଇଥିଲେ ସତ କିନ୍ତୁ ସ୍ବାଭିମାନକୁ କେତେବେଳେ ହେଲେ ତ୍ୟାଗ କରି ନ ଥିଲେ। ମଧୁବାବୁ ଥିଲେ ଓଡ଼ିଆ ଜାତିର ସଚଳ ଆତ୍ମା।

ଜଷ୍ଟିସ୍ ମଦନମୋହନ ଦାସ,
ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି

The post ଶହେ ବର୍ଷ ତଳେ କହିଥିଲେ ଆତ୍ମନିର୍ଭର ହେବାକୁ… first appeared on Sambad.

from ବିଶେଷ | Sambad https://ift.tt/3u05ZYy

Post a Comment

0 Comments