
ମୁମ୍ବାଇ: କିଛି ଦିନ ତଳେ ବନଗନୀ ଷ୍ଟେସନରେ ଜଣେ ପିଲା ନିଜର ଦୃଷ୍ଟିହୀନ ମା’ ସହିତ ଯାଉଥିଲା। ଏହି ସମୟରେ ପିଲାଟି ପ୍ଲାଟଫର୍ମରୁ ରେଳ ଧାରଣାକୁ ଖସି ପଡିଥିଲା। ଏତିକି ବେଳେ ସାମ୍ନାରୁ ଦ୍ରୁତ ଗତିରେ ଟ୍ରେନ ବି ମାଡ଼ି ଆସୁଥିଲା। ତେବେ ଦେବଦୂତ ସାଜି ମୟୂର ସେଲକେ ସେହି ସମୟରେ ଶିଶୁକୁ ନିଶ୍ଚିତ ମୃତ୍ୟୁମୁଖରୁ ଉଦ୍ଧାର କରିଥିଲେ। ନିଜ ଜୀବନକୁ ବାଜି ଲଗାଇ ସେଲକେ ଶିଶୁର ଜୀବନ ଉଦ୍ଧାର କରିଥିବାରୁ ସେଣ୍ଟ୍ରାଲ ରେଲଓ୍ଵେ ତାଙ୍କୁ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଥିଲେ।
ତେବେ ଏହି ପୁରସ୍କାର ରାଶିରୁ ଅଧା ଟଙ୍କା ସେଲକେ ଉଦ୍ଧାର କରିଥିବା ଶିଶୁ ଓ ତାର ଦିବ୍ୟାଙ୍ଗ ମା’ଙ୍କୁ ଦେବାକୁ ଘୋଷଣା କରିଛନ୍ତି । ଏହି ଘୋଷଣା ପରେ ସେଲକେଙ୍କ ପାଖକୁ କୋଣଅନୁକୋଣରୁ ପ୍ରଶଂସାର ସୁଅ ଛୁଟି ଆସୁଛି। ଲୋକ ‘ସେଲକେ ତୁମେ ମହାନ’ ବୋଲି କହୁଛନ୍ତି।
ତେବେ ସେଲକେ ପୁରସ୍କାର ବାବଦକୁ ପାଇଥିବା ଅର୍ଥରାଶିକୁ ଉଦ୍ଧାର କରିଥିବା ଶିଶୁର ମା’କୁ ଦାନ କରିବାକୁ ନେଇ କହନ୍ତି, ‘‘କୋଭିଡ୍-୧୯ ମହାମାରୀର ସମୟ ଅତ୍ୟନ୍ତ ଜଟିଳ । ତେଣୁ ଯିଏ ବି ତାଙ୍କୁ ନଗଦ ରାଶି ଅଥବା ଚେକ୍ ଦେବାକୁ ଚାହୁଁଛନ୍ତି ତେବେ ଉକ୍ତ ପିଲା ଏବଂ ତାଙ୍କ ମା’ଙ୍କୁ ସାହାଯ୍ୟ କରନ୍ତୁ କିମ୍ବା ବିପଦରେ ପଡିଥିବା ଅନ୍ୟ ଲୋକଙ୍କୁ ସାହାଯ୍ୟ କରନ୍ତୁ।’’
ଏହି ଘଟଣା ସିସିଟିଭିରେ କଏଦ ହୋଇ ଯାଇଥିଲା। ଏହାକୁ ରେଳମନ୍ତ୍ରୀ ପିୟୂଷ ଗୋଏଲ ମଧ୍ୟ ସେୟାର କରିଥିଲେ। ସେଲକେଙ୍କ ଏହି ସାହସିକତା କାମ ପାଇଁ ଜାଓ୍ୱା ମୋଟର ସାଇକେଲ୍ କମ୍ପାନି ତାଙ୍କୁ ପୁରସ୍କାର ସ୍ଵରୂପ ଏକ ବାଇକ୍ ଦେବାକୁ ମଧ୍ୟ ଘୋଷଣା କରିଛି।
The post ମୟୂର ସେଲକେ ପୁଣି ପ୍ରଶଂସିତ ! ମୃତ୍ୟୁ ମୁଖରୁ ଶିଶୁକୁ ବଞ୍ଚାଇ ପାଇଥିବା ପୁରସ୍କାର ରାଶିକୁ ଦିବ୍ୟାଙ୍ଗ ମହିଳାଙ୍କୁ ଦାନ କରିବେ first appeared on Sambad.from ବିଶେଷ | Sambad https://ift.tt/3et8uMx
0 Comments