ପେଟରୋଗ କରୋନାର ପ୍ରାକ୍‌ ଲକ୍ଷଣ ବି ହୋଇପାରେ

ଭୁବନେଶ୍ବର : ଦିନକୁ ଦିନ କରୋନାର ନୂଆ ନୂଆ ଲକ୍ଷଣ ଦେଖିବାକୁ ମିଳୁଛି। ପେଟଜନିତ ରୋଗ ବି କରୋନାର ପ୍ରାକ୍ ଲକ୍ଷଣ ହୋଇପାରେ। ତରଳ ଝାଡ଼ା, ବାନ୍ତି ବାନ୍ତି ଲାଗିବା, ବାନ୍ତି ହେବା, ପେ‌ଟରେ ଯନ୍ତ୍ରଣା ହେବା, ଭୋକ କମିଯିବା ଆଦି ଏହି ନୂଆ ରୋଗାର ଲକ୍ଷଣ ହୋଇପାରେ। ତେଣୁ ଏସବୁ ଲକ୍ଷଣ ଦେଖାଦେଉଥିଲେ ରୋଗୀମାନେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। ଏସବୁ ଲକ୍ଷଣ ଥାଇ ରୋଗୀ ବିଳମ୍ବରେ ଡାକ୍ତରଖାନା ଆସିବା ଦ୍ବାରା କରୋନା ଚିକିତ୍ସା ବିଳମ୍ବ ହୋଇଯାଉଛି। ଫଳରେ ‌କରୋନାରେ ଆକ୍ରାନ୍ତ ହୋଇଥିଲେ ଜୀବନ ପ୍ରତି ବିପଦ ରହୁଛି।
ଡାକ୍ତରଙ୍କ କହିବାନୁଯାୟୀ, ପତଳା ଝାଡ଼ା ହୋଇ କୋଭିଡ୍ ପଜିଟିଭ୍ ହେବାର ବହୁନ ନମୁନା ଦେଖିବାକୁ ମିଳୁଛି। ଯଦି ଏସବୁ ଲକ୍ଷଣକୁ ହାଲ୍‌କା ଭାବେ ନିଆଯାଏ ଏବଂ ଚିକିତ୍ସା କରା ନଯାଏ ତାହେଲେ ପରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏପରିକି ପେଟରୋଗର ସାମାନ୍ୟ ଲକ୍ଷଣ ଦେଖାଗଲେ ମଧ୍ୟ ଯକୃତ ଉପରେ ତାହାର ପ୍ରଭାବ ପଡ଼ିବା ପୂର୍ବରୁ ଲୋକମାନେ ପରୀକ୍ଷା କରାଇ ନେବା ଆବଶ୍ୟକ।

ସମ୍ ହସ୍ପିଟାଲ, ଭୁବନେଶ୍ବରର ବରିଷ୍ଠ ପେଟରୋଗ ବିଶେଷଜ୍ଞ ଡାକ୍ତର ମନୋଜ ସାହୁଙ୍କ କହିବାନୁଯାୟୀ, ଏସ୍‌-୨ ରିସେପ୍ଟର ମାଧ୍ୟମରେ କୌଣସି ଭୂତାଣୁ ଶରୀର ମଧ୍ୟକୁ ପ୍ରବେଶ କରି ବ୍ୟାପିଥାଏ। ଏସ୍‌-୨ ରିସେପ୍ଟର ଖାଦ୍ୟନଳୀରେ ମଧ୍ୟ ରହିଥାଏ। ଅର୍ଥାତ୍ ଖାଦ୍ୟ ନଳୀ ମାଧ୍ୟମରେ ବି କରୋନା ଭୂତାଣୁ ବ୍ୟାପିପାରିବ। ଯକୃତ ଏବଂ ଖାଦ୍ୟନଳୀରେ କରୋନା ଭୂତାଣୁ ରହିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ବି ଜଣାଯାଇଛି। ତେଣୁ ପେ‌ଟ‌ଜନିତ ରୋଗ ଭୋଗୁଥିବା ବ୍ୟକ୍ତିମାନେ କରୋନା ପରୀକ୍ଷା କରାଇ ନେବା ଆବଶ୍ୟକ। ‌ଏହାହେଲେ ସଂପୃକ୍ତ ବ୍ୟକ୍ତି କରୋନା‌ ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଛନ୍ତି କି ନାହିଁ ତାହା ଜଣାପଡ଼ିବ ବୋଲି ଡାକ୍ତର ସାହୁ କହିଛନ୍ତି।

ଡାକ୍ତରମାନେ ଏହା ମଧ୍ୟ କହିଛନ୍ତି, ଚୀନର ଉହାନ ସହର ଯେଉଁଠି କରୋନା ରୋଗର ଉତ୍ପତ୍ତି ହୋଇଥିଲା ସେଠାରେ ୭ ପ୍ରତିଶତ ରୋଗୀ ପେଟଜନିତ ରୋଗରେ ପୀଡ଼ିତ ହୋଇଥିବା ଜଣାଯାଇଛି।

ପେଟଜନିତ ରୋଗର ଲକ୍ଷଣକୁ ଅଣଦେଖା କରିଲେ ଜଣଙ୍କର କରୋନା ଚିକିତ୍ସା ମଧ୍ୟ ବିଳମ୍ବିତ ହେବ। ଯକୃତକୁ ଦୁଇଟି ଉପାୟରେ କରୋନା ଭୂତାଣୁ ପ୍ରଭାବିତ କରିପାରେ। ପ୍ରଥମତଃ ଏହା ସିଧାସଳଖ ଯକୃତକୁ ପ୍ରଭାବିତ କରିଥାଏ ଯାହାକୁ ଡାକ୍ତରୀ ଭାଷାରେ ସାଇଟୋଟକ୍ସିକ୍ କୁହାଯାଏ। ଦ୍ବିତୀୟତଃ ଇମ୍ୟୁନୋଲୋଜିକାଲ ଆଘାତ। ଏହାଦ୍ବାରା ଯକୃତ ଏନଜାଇମ୍‌ କ୍ଷରଣ ବହୁଗୁଣିତ ହୋଇ ଯକୃତ ଅକାମୀ ହେବାର ଶେଷ ପର୍ଯ୍ୟାୟରେ ପହଞ୍ଚିବାର ଆଶଙ୍କା ରହିଥାଏ ବୋଲି ଡାକ୍ତର ସାହୁ କହିଛନ୍ତି।

The post ପେଟରୋଗ କରୋନାର ପ୍ରାକ୍‌ ଲକ୍ଷଣ ବି ହୋଇପାରେ first appeared on Sambad.

from ବିଶେଷ | Sambad https://ift.tt/3xuPplx

Post a Comment

0 Comments