ସବୁଥିରେ ସେ ଥିଲେ ସ୍ବତନ୍ତ୍ର

ଉତ୍କଳ ଗୌରବ ମଧୁସୂଦନ ଦାସ ହେଉଛନ୍ତି ଓଡ଼ିଆଜାତିର ସ୍ବାଭିମାନର ପ୍ରତୀକ। କୁଳବୃଦ୍ଧ ମଧୁସୂଦନ ମଧୁବାରିଷ୍ଟର ନାମରେ ଥିଲେ ପ୍ରସିଦ୍ଧ। କଲିକତା ବିଶ୍ବବିଦ୍ୟାଳୟରୁ ଓଡ଼ିଆ ଭାଷାରେ ଏମ୍‌ଏ ପାସ୍‌ କରିବା ସହିତ ଏଲ୍‌ଏଲ୍‌ବି ପାସ୍ କରି କଲିକତାରେ ୧୫ ବର୍ଷ ଓକିଲାତି କରିଥିଲେ। ତା’ପରେ କଟକ ଫେରି ୧୮୮୧ ମସିହାରେ କଟକରେ ଓକିଲାତି କରିଥିଲେ। ଓଡ଼ିଶାର ଶିଳ୍ପ, ରାଜନୀତି ଓ ଶିକ୍ଷା କ୍ଷେତ୍ରରେ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସ୍ବତନ୍ତ୍ର ଉତ୍କଳ ଗଠନ କରିବା ଲକ୍ଷ୍ୟ ନେଇ ୧୯୦୩ ମସିହାରେ ସେ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା କରିଥିଲେ। ସେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ ମଧ୍ୟ ହିନ୍ଦୁଧର୍ମ ପ୍ରତି ତାଙ୍କର ଅପାର ଶ୍ରଦ୍ଧା ଥିଲା। ଜଗନ୍ନାଥ ମନ୍ଦିରରେ ପୁରୀ ରାଜାଙ୍କ ଅଧିକାର ରକ୍ଷା କରିବା ପାଇଁ ସେ ମୋକଦ୍ଦମାରେ ପୁରୀ ରାଜାଙ୍କ ସପକ୍ଷରେ ଲଢ଼ି ବିଜୟୀ ହୋଇଥିଲେ। ଶ୍ରୀଜଗନ୍ନାଥ ଓ ଗଜପତି ବଂଶ ପ୍ରତି ସେ ତାଙ୍କ କର୍ତ୍ତବ୍ୟ ସଂପାଦନ କରିଥିଲେ ବୋଲି କୁହାଯାଏ।

ଉତ୍କଳ ଗୌରବ ମଧୁସୂଦନ ଦାସ କେବଳ ଓଡ଼ିଶାର ନୁହେଁ ଭାରତବର୍ଷର ଜଣେ ଶକ୍ତିଶାଳୀ ଜାତୀୟତାବାଦୀ ନେତା। କଲିକତା ବିଶ୍ବବିଦ୍ୟାଳୟର କୁଳପତି, କଲିକତା ହାଇକୋର୍ଟର ବାରିଷ୍ଟର, ତଥା ବଙ୍ଗଳାର ବାଘ ଭାବେ ଜଣାଶୁଣା ସାର୍ ଆଶୁତୋଷ ମୁଖାର୍ଜୀଙ୍କ ଗୃହଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ବ୍ୟକ୍ତିତ୍ବ କେବଳ ସାର୍ ଆଶୁତୋଷ ମୁଖାର୍ଜୀଙ୍କୁ ନୁହେଁ ମହାତ୍ମା ଗାନ୍ଧୀଙ୍କୁ ମଧ୍ୟ ଗଭୀର ଭା‌ବେ ପ୍ରଭାବିତ କରିଥିଲା। ପ୍ରତ୍ୟେକ ଓଡ଼ିଆ ପ୍ରତିଦିନ ଦେଶ ପାଇଁ ଗୋଟିଏ ମିନିଟ୍‌ ଚିନ୍ତା କରିବା ଆବଶ୍ୟକ ବୋଲି ମଧୁବାବୁ ସବୁବେଳେ କହୁଥିଲେ। ୧୯୧୬‌ରେ କଟକରେ ପାଟନା ହାଇକୋର୍ଟର ସର୍କିଟ ବେଞ୍ଚ ବସିବା ଅବସରରେ କଟକ ବାର୍ ସଭାପତି ଥିବା ମଧୁବାବୁ ନିଜ ଭାଷଣରେ ଆଶା ପ୍ରକାଶ କରି କହିଥିଲେ ଯେ ଏହି ସର୍କିଟ ବେଞ୍ଚ ନିକଟ ଭବିଷ୍ୟତରେ ସ୍ଥାୟୀ ବେଞ୍ଚରେ ପରିଣତ ହେବ। ମଧୁବାବୁଙ୍କ ସ୍ବପ୍ନ ସତ ହୋଇଥିଲା ୧୯୪୮ରେ।

ଜିତେନ୍ଦ୍ର ମହାନ୍ତି
ସଭାପତି, ଏମ୍‌.ଭି. ଲୟର୍ସ ଆସୋସିଏସନ୍, କଟକ

The post ସବୁଥିରେ ସେ ଥିଲେ ସ୍ବତନ୍ତ୍ର first appeared on Sambad.

from ବିଶେଷ | Sambad https://ift.tt/3aKvCES

Post a Comment

0 Comments