ଜୟନ୍ତୀରେ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ଆରମ୍ଭ ଏକ ଐତିହାସିକ ପଦକ୍ଷେପ

ଓଡ଼ିଶା ଜାତିକୁ ସ୍ବାଭିମାନର ସହିତ ବଞ୍ଚିବା ପାଇଁ ଉତ୍କଳ ଗୌରବ ମଧୁସୂଦନ ଦାସ ପ୍ରେରଣା ଦେଉଥିଲେ। ଓଡ଼ିଶାରେ ଉଚ୍ଚଶିକ୍ଷା ଓ ଆଇନଶିକ୍ଷାର ପ୍ରସାର ପାଇଁ ତାଙ୍କ ଅବଦାନ ଚିରସ୍ମରଣୀୟ। ମଧୁବାବୁ କଲିକତାରୁ ଫେରିଆସି କଟକରେ ଓକିଲାତି କରିଥିଲେ। ସେତେବେଳେ ବିଦ୍ୟାର୍ଥୀଙ୍କୁ ପ୍ରଦାନ କରାଯାଉଥିବା ଉଚ୍ଚଶିକ୍ଷାର ମାନରେ ଉନ୍ନତି ଆବଶ୍ୟକ ବୋଲି ସେ କଲିକତା ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଜଣାଇଥିଲେ। ରେଭେନ୍ସା କଲେଜରେ ଆଇନଶିକ୍ଷା ପ୍ରଦାନ କରାଯାଉଥିବା ବେଳେ ସ୍ଥିତି ଭଲ ନଥିଲା। ମଧୁବାବୁ ନିଜେ ରେଭେନ୍ସାରେ ଆଇନ ପିଲାମାନଙ୍କୁ ପଢାଇଥିଲେ। ଆଇନଶିକ୍ଷାର ପ୍ରସାର ଉପରେ ମଧୁବାବୁ ସର୍ବଦା ଗୁରୁତ୍ବାରୋପ କରୁଥିଲେ। ନାରୀଶିକ୍ଷା କ୍ଷେତ୍ରରେ ମଧ୍ୟ ମଧୁବାବୁଙ୍କ ଅବଦାନ ଅତୁଳନୀୟ। କନ୍ୟା ସୁଧାଂଶୁବାଳାଙ୍କୁ ପ୍ରଥମ ମହିଳା ଓକିଲ ଭାବେ ସ୍ବୀକୃତି ପ୍ରଦାନ କରାଇବାରେ ମଧୁବାବୁଙ୍କ ଭୂମିକା ଥିଲା ଗୁରୁତ୍ବପୂର୍ଣ୍ଣ।

ଓଡ଼ିଆଙ୍କୁ ସ୍ବାଭିମାନୀ ହେବା ପାଇଁ ସବୁବେଳେ ସେ ଦେଖାଉଥିଲେ ବାଟ। କାହା ଉପରେ ନିର୍ଭର ନ କରିବା ପାଇଁ ପରାମର୍ଶ ଦେଉଥିଲେ। ଓଡ଼ିଶାକୁ ଶିଳ୍ପସମୃଦ୍ଧ ରାଜ୍ୟରେ ପରିଣତ କରିବା ପାଇଁ ମଧୁବାବୁ ପ୍ରତିଷ୍ଠା କରିଥିଲେ ଉତ୍କଳ ଟ୍ୟାନେରି ଯୋତା କାରଖାନା। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ସହିତ ସ୍ବତନ୍ତ୍ର ଓଡ଼ିଶା ହାଇକୋର୍ଟ ପାଇଁ ସେ ସ୍ବପ୍ନ ଦେଖିଥିଲେ। ଏହି ସବୁ ସ୍ବପ୍ନ ସତ ହୋଇଥିଲା। ଏଥି ସହିତ ଆଇନଶିକ୍ଷାର ପ୍ରସାର ପାଇଁ ସେ ଦେଖିଥିବା ସ୍ବପ୍ନ ସାକାର ହୋଇଥିଲା। ମଧୁବାବୁ ଆଇନ ଶିକ୍ଷାର ପ୍ରସାର ପାଇଁ ସର୍ବଦା ଉଦ୍ୟମ କରୁଥିବା ବେଳେ ତାଙ୍କ ଜନ୍ମଦିବସରେ ମଧୁସୂଦନ ଆଇନ ମହାବିଦ୍ୟାଳୟକୁ ମଧୁସୂଦନ ବିଶ୍ବବିଦ୍ୟାଳୟରେ ପରିଣତ ପାଇଁ ଘୋଷଣା କରାଯାଇଛି। ଏହା ଏକ ଐତିହାସିକ ପଦକ୍ଷେପ।

ନ୍ୟାୟମୂର୍ତ୍ତି ମନୋରଂଜନ ମହାନ୍ତି,
ଅବସରପ୍ରାପ୍ତ ଉପାଧ୍ୟକ୍ଷ, କ୍ୟାଟ୍

The post ଜୟନ୍ତୀରେ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ଆରମ୍ଭ ଏକ ଐତିହାସିକ ପଦକ୍ଷେପ first appeared on Sambad.

from ବିଶେଷ | Sambad https://ift.tt/3tXqjcU

Post a Comment

0 Comments