ହେଲ୍‌ଥ ଟିପ୍ସ: ଲକ୍ଷଣ ବିହୀନ କୋଭିଡ୍‌ ଆକ୍ରାନ୍ତ ଡାକ୍ତରଖାନା ଯାଆନ୍ତୁ ନାହିଁ

ଭୁବନେଶ୍ବର : ସବୁ କରୋନା ଆକ୍ରାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାର ଆବଶ୍ୟକତା ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଲକ୍ଷଣ ନଥିବା କିମ୍ବା ସ୍ବଳ୍ପ ଲକ୍ଷଣ ଥିବା ରୋଗୀ ଗୃହାବଦ୍ଧରେ ରହିପାରିବେ। ଏହି ସମୟରେ ଅମ୍ଳଜାନ ସ୍ତର ଦେଖିବା ଗୁରୁତ୍ବପୂର୍ଣ୍ଣ। କୌଣସି ମୁହୂର୍ତ୍ତରେ ଅମ୍ଳଜାନ ସ୍ତର ହ୍ରାସ ପାଉଥିବା ଦେଖିଲେ, ତୁରନ୍ତ ସରକାରୀ ହେଲ୍ପ-ଲାଇନ୍‌ ଜରିଆରେ ସରକାରୀ ଡାକ୍ତରଖାନାରେ ଶଯ୍ୟା ପାଇପାରିବେ।

ଏସ୍‌ସିବି ମେଡିକାଲ୍‌ କଲେଜ୍‌ ମେଡିସିନ୍‌ ବିଭାଗ ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି, ଆକ୍ରାନ୍ତ ନିୟମିତ ଭାବରେ ନିଜର ଅମ୍ଳଜାନ ସ୍ତର, ରକ୍ତଚାପ, ଶ୍ବାସକ୍ରିୟା, ତାପମାତ୍ରା ନିରୀକ୍ଷଣ କରିବା ଉଚିତ। ମହାନଗର ନିଗମ ପକ୍ଷରୁ ଦିଆଯାଉଥିବା ଔଷଧ ଗ୍ରହଣ କରି ରୋଗୀ ନିଜେ ମଧ୍ୟ ନିଜ ସ୍ଥିତି ଯାଞ୍ଚ କରିପାରିବେ। ଅସହଜ ଅନୁଭବ କଲେ, ଟୋଲ-ଫ୍ରି ନମ୍ବର ୧୯୨୯କୁ ଫୋନ୍‌ କରିବେ। ପ୍ରତି ମିନିଟରେ ହୃଦସ୍ପନ୍ଦନ ଗତି ୧୦୦ ଅତିକ୍ରମ କଲେ, ତାପମାତ୍ରା ୧୦୦ ଡିଗ୍ରି ଫାରେନହାଇଟ୍‌, ଶ୍ବାସକ୍ରିୟା ଗତି ୨୦ରୁ ଉର୍ଦ୍ଧ୍ବ ହେଲେ, ରକ୍ତଚାପ ୧୦୦ରୁ ହ୍ରାସ ପାଇଲେ, ଅମ୍ଳଜାନ ସ୍ତର ୯୫କୁ ହ୍ରାସ ପାଇଲେ ତୁରନ୍ତ ସ୍ଥାନୀୟ ପ୍ରଶାସନକୁ ଯୋଗାଯୋଗ କରିବେ। ବର୍ତ୍ତମାନ ୯୦ ପ୍ରତିଶତରୁ ଅଧିକ କୋଭିଡ୍‌ ଆକ୍ରାନ୍ତ ଗୃହାବଦ୍ଧରେ ରହିଛନ୍ତି। ଆବଶ୍ୟକ ସମୟରେ ପୌରପ୍ରଶାସକ ସେମାନଙ୍କ ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା କରିବା ସହ ଯେଉଁଠି ଶଯ୍ୟା ଉପଲବ୍ଧ, ସେଠାକୁ ପଠାଇବେ। ଶରୀରରେ ଅମ୍ଳଜାନ ସ୍ତର ୯୦ରୁ ହ୍ରାସ ପାଇଲେ, ଆକ୍ରାନ୍ତଙ୍କ ଅବସ୍ଥା ଗୁରୁତର ହୋଇଥାଏ। ତେଣୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯିବାର ଆବଶ୍ୟକତା ରହିଛି ବୋଲି ଡା. ପଣ୍ଡା କହିଛନ୍ତି।

ସମ୍‌ ଅଲ୍ଟିମେଟ୍‌ ମେଡିକେୟାର୍‌ର ବରିଷ୍ଠ କନସଲଟାଣ୍ଟ୍‌ ଶ୍ରୀକାନ୍ତ ଧର କହିଛନ୍ତି, ରୋଗୀଙ୍କ ଅମ୍ଳଜାନ(SPO2)୯୦ ତଳକୁ ଖସିଲେ ରୋଗୀଙ୍କୁ ଅମ୍ଳଜାନ ଦେବାର ଆବଶ୍ୟକତା ପଡ଼ିଥାଏ। ତେବେ ପାଖରେ ଅମ୍ଳଜାନ ଦେବାର କୌଣସି ସାଧନ ନଥିଲେ ପ୍ରୋନିଂ ଜରିଆରେ ଆକ୍ରାନ୍ତଙ୍କ ଶରୀରର ଅମ୍ଳଜାନ ସ୍ତରକୁ ବଢ଼ାଇ ଦିଆଯାଇପାରିବ। ରୋଗୀ ପେଟମାଡ଼ି, ବାମପଟ, ଡାହାଣପଟ ଓ ପୁଣି ପେଟ ମାଡ଼ି ଶୋଇଲେ ଶରୀରେ ଅମ୍ଳଜାନ ସ୍ତର ବଢ଼ିବ। ନିଶ୍ବାସ-ପ୍ରଶ୍ବାସ ପ୍ରକ୍ରିୟା‌ରେ ମଧ୍ୟ ବୃଦ୍ଧି ଘଟିବ। ରୋଗୀ ଛାତି ଯନ୍ତ୍ରଣା, ଅଣନିଃଶ୍ବାସୀ, ରକ୍ତସ୍ରାବ, ମସ୍ତିଷ୍କରେ ପରିବର୍ତ୍ତନ ଅନୁଭବ କଲେ, ତୁରନ୍ତ ଡାକ୍ତରଖାନା ଯିବା ଉଚିତ। କିଛି ରୋଗୀ ପାକସ୍ଥଳୀରେ ସମସ୍ୟା ଯଥା ତରଳ ଝାଡ଼ା, ପେଟ କଷ୍ଟ, କ୍ଳାନ୍ତ ଅନୁଭବ କଲେ, ଡାକ୍ତରଖାନା ନଯାଇ ମଧ୍ୟ ଅନ୍‌ଲାଇନ୍‌ରେ ଡାକ୍ତରଙ୍କୁ ଯୋଗାଯୋଗ କରି ଔଷଧ ଖାଇପାରିବେ। ଏଥିରୁ କିନ୍ତୁ ଉପକୃତ ନହେଲେ ତାଙ୍କୁ ଡାକ୍ତରଖାନା ଯିବାକୁ ପଡ଼ିବ।

ସତର୍କତା ଓ ଘରୋଇ ଉପଚାର
ଘରେ ପଲ୍ସ ଅକ୍ସିମିଟର ରଖି ଅମ୍ଳଜାନ ସ୍ତର ଦେଖିବେ।
ପାରାସିଟାମଲ୍‌ ରଖନ୍ତୁ।
ଗୃହାବଦ୍ଧରେ ରହି ବିଶ୍ରାମ।
ଗରମ ପାଣିର ବାମ୍ଫ ନିଅନ୍ତୁ।
କକ୍ଷରେ ବାୟୁ ଚଳାଚଳର ଉପଯୁକ୍ତ ବ୍ୟବସ୍ଥା ରହୁ।
ମାସ୍କ୍‌ ପିନ୍ଧନ୍ତୁ

ଅମ୍ଳଜାନ ସ୍ତର >୯୨ ପ୍ରତିଶତ
ଜ୍ବର, ଦେହ ପୀଡ଼ା ହେଲେ ପାରାସିଟାମଲ
ପର୍ଯ୍ୟାପ୍ତ ପାଣି ପିଇବା ସହିତ ଚିନି, ଲୁଣ ମିଶାଇ ପାଣି ପିଇବା।
ଫୁସଫୁସରେ ଅମ୍ଳଜାନର ମାତ୍ରା ବୃଦ୍ଧି ପାଇଁ ପେଟ ମାଡ଼ି ଶୋଇବା ଉଚିତ।
ଲକ୍ଷଣ ବାହାରିଲେ ଦୈନିକ ୨ ଥର ଷ୍ଟେରଏଡ୍‌ ନିଅନ୍ତୁ।

ଅମ୍ଳଜାନ ସ୍ତର< ୯୨ ପ୍ରତିଶତ
୬ ଏମଜି ପାୱାର୍‌ର ଡେକ୍ସା ମେଥାସନ ଦୈନିକ ଗୋଟିଏ କରି ୧୦ ଦିନ ପର୍ଯ୍ୟନ୍ତ ଖାଇବେ।
ପର୍ଯ୍ୟାପ୍ତ ପାଣି ପିଇବେ, ହାତ ଗୋଡ଼ ଧୋଇବେ ଏବଂ ଜ୍ବର ହେଲେ ପାରାସିଟାମଲ୍‌ ନିଅନ୍ତୁ
ଯଦି ସମ୍ଭବ ଘରେ ଅମ୍ଳଜାନ (ହୋମ ଅକ୍ସିଜେନ) ବ୍ୟବହାର କରନ୍ତୁ। ଯେପରିକି ଅମ୍ଳଜାନ ସ୍ତର ୯୨ ପ୍ରତିଶତରୁ ଅଧିକ ରହିବ।
ଅମ୍ଳଜାନ ସ୍ତର ନିରୀକ୍ଷଣ କରନ୍ତୁ, ଏହା ୮୫ ପ୍ରତିଶତରୁ କମ ହେଲେ କିମ୍ବା ପ୍ରତି ମିନିଟରେ ୪ ଲିଟରରୁ ବେଶି ଆବଶ୍ୟକ ହେଲେ ଡାକ୍ତରଖାନା ଯାଆନ୍ତୁ।
ଟୋସିଲିଜୁମାବ- ଡାକ୍ତରଙ୍କ ପରାମର୍ଶରେ ଏହା ନିଅନ୍ତୁ। ରୋଗୀଙ୍କ ସ୍ଥିତି ଗୁରୁତର ହେଲେ, ଲକ୍ଷଣ ବାହାରିବାର ୧୪ ଦିନ ମଧ୍ୟରେ, ୧୦ ଲିଟରରୁ ଅଧିକ ଅମ୍ଳଜାନ ଆବଶ୍ୟକ ଥିଲେ ତଥା ଡକ୍ସାମେଥାସନ୍‌ ଖାଉଥିଲେ ଏହା ନେଇ ପାରିବେ।
ସମସ୍ତଙ୍କ ପାଇଁ ନୁହେଁ- ନିମୋନିଆ ଜଟିଳ ହୋଇ ଯାଇଥିଲେ କ୍ବଚିତ ମାମଲାରେ ଅଗ୍‌ମେଣ୍ଟିନ କିମ୍ବା ସେହିଭଳି ଆଣ୍ଟିବାୟୋଟିକ ନେଇ ପାରିବେ।

ଔଷଧ ସେବନ ଏବଂ ଚିକିତ୍ସା-
ଚିକିତ୍ସା ଯାହା ପ୍ରଭାବବିହୀନ: ଲିଭରମେକଟିନ୍‌, ଆଜିଥ୍ରୋମାଇସିନ, ହାଇଡ୍ରୋଅକ୍ସିକ୍ଲୋରୋକୁଇନ, କନଭେଲେସନ ପ୍ଲାଜ୍‌ମା, ଭିଟାମିନ ଡି, ଜିଙ୍କ, ଟକ୍ସିସାଇକ୍ଲିନ, ସ୍ଲେଭିପିରାଭିର, ଲୋପିନାଭିର-ରିଟୋନାଭିର।

ରେମଡେସଭିର: ରେମଡେସଭିର କମ ସମୟରେ କୋଭିଡର ଲକ୍ଷଣ ଦୂର କରି ଦିଏ। କିନ୍ତୁ ମୃତ୍ୟୁ ହାର ହ୍ରାସ କରିପାରୁ ନାହିଁ। ତେଣୁ ଅମ୍ଳଜାନ ସ୍ତର ହ୍ରାସ ପାଇଲେ ଡାକ୍ତରଙ୍କ ପରାମର୍ଶରେ ଏହା ଗ୍ରହଣ କରାଯାଇ ପାରିବ। ଅମ୍ଳଜାନ ସ୍ତର ସ୍ବାଭାବିକ ଥିଲେ ଏହା ଗ୍ରହଣ କରିବା ଅନୁଚିତ।

The post ହେଲ୍‌ଥ ଟିପ୍ସ: ଲକ୍ଷଣ ବିହୀନ କୋଭିଡ୍‌ ଆକ୍ରାନ୍ତ ଡାକ୍ତରଖାନା ଯାଆନ୍ତୁ ନାହିଁ first appeared on Sambad.

from ବିଶେଷ | Sambad https://ift.tt/3sTmp3s

Post a Comment

0 Comments