କଟକରୁ ଜାହିରାବାଦ୍: ସୁଟ୍-ବୁଟ୍‌ରେ ବୁଲିବାବେଳେ ଧରା ପଡ଼ିଗଲା ହାଇଦର୍‌

୬ ଦିନର ଲୁଚକାଳି ଖେଳର ଅନ୍ତ ଘଟିଲା। ଅତ୍ୟନ୍ତ ନାଟକୀୟ ଢଙ୍ଗ‌ରେ ତେ‌େଲଙ୍ଗାନାର ଏକ ଉପାନ୍ତ ଅଞ୍ଚଳରୁ ହାଇଦର୍‌କୁ କାବୁ କରି ନେଲା କଟକ ପୁଲିସ। ଦାଢି, ଚୁଟି କାଟି, ନୂଆ ପୋଷାକ, ଜୋତା ପିନ୍ଧି ଏକ ଆକ୍ଟିଭାରେ ଅନ୍ୟ ଜଣଙ୍କ ସହ ବସି ଯାଉଥିବା ବେଳେ ହାଇଦର୍‌କୁ କାବୁ କରି ନେଲା କଟକ ପୁଲିସ। କିନ୍ତୁ କିଭଳି ଯୋଜନାବଦ୍ଧ ଭାବେ ମାତ୍ର ୪/୫ ଘଣ୍ଟା ଭିତରେ ହାଇଦର୍‌ କଟକ ବଡ଼ ମେଡିକାଲରୁ ଫେରାର ହୋଇ ଓଡ଼ିଶା ସୀମା ପାର ହୋଇ ଯାଇଥିଲା, ତାହା ସମସ୍ତଙ୍କୁ ଚକିତ କରିଛି। ହାଇଦର୍‌ ଫେରାରରେ ମୁଖ୍ୟ ଅଭିଯୁକ୍ତ ତା’ର ପୁଅ ଆଜାରୁଦ୍ଦିନ ଯଦିଓ ଧରା ପଡ଼ିନି କିନ୍ତୁ ଦୁଇ ପ୍ରମୁଖ ସହଯୋଗୀଙ୍କୁ ପୁଲିସ ଗିରଫ କରିଛି। ୨ ଯୁବତୀଙ୍କ ସମେତ ୭ ଜଣଙ୍କୁ ଅଟକ ରଖି ଜେରା କରୁଛି।

ଗୋଳନ୍ଥରା ଚେକ୍‌ ଗେଟ୍‌ରୁ ମିଳିଲା ସୁଇଫ୍‌ଟ ଡିଜାୟାର
ଓଡି ୦୨ ଏଏସ୍‌ ୬୭୭୦। ମାରୁତି ସୁଇଫ୍ଟ ଡିଜାୟାର‌୍‌ ଗାଡ଼ି। ଏହି ଗାଡ଼ିରେ ହିଁ ହାଇଦର‌୍‌ ତେଲେଙ୍ଗାନା ଯାଇଥିଲା। ଏହି ଗାଡ଼ିରେ ହାଇଦର‌୍‌ ଯାଇଥିବା ପୁଲିସ ଗୁଇନ୍ଦା ତଥ୍ୟ ପାଇଥିଲା। ଏନଏଚ୍‌ଆଇର ଆପ୍ଲିକେସନ୍‌ ମାଧ୍ୟମରେ ଗାଡ଼ି ନମ୍ବର ଦେଇ ଗାଡ଼ିର ଲୋକେସନ୍‌ ପୁଲିସ ଜାଣିବାକୁ ଚାହିଁଥିଲା। ଓଡିଶା ସୀମାରେ ବ୍ରହ୍ମପୁର ନିକଟ ଗୋଳନ୍ଥରା ଚେକ୍‌ ଗେଟ୍‌ରେ ଏହି ଗାଡ଼ି ୧୦ ତାରିଖରେ ଅତିକ୍ରମ କରିଥିବା ପୁଲିସ ଫଟୋ ପାଇଥିଲା। ସେଠୁ ଇଚ୍ଛାପୁରମ୍‌-ଆନ୍ଧ୍ର-ତେଲେଙ୍ଗାନାରେ ପହଞ୍ଚିଥିଲା। ମଚ୍ଛିଲିପଟନମ୍‌ରୁ ଡାହାଣ ଆଡ଼କୁ ଯାଇ ବିଜୟଵାଡା-ହାଇଦ୍ରାବାଦ୍‌ ଯାଇଥିଲା। ସେଇଠୁ ପୁଲିସ ଜାଣିଗଲା ଯେ ହାଇଦର‌୍‌ ବାଙ୍ଗାଲୋର କିମ୍ବା ଚେନ୍ନାଇ ନଯାଇ ହାଇଦ୍ରାବାଦ୍‌ ଯାଇଛି।

ଇସ୍ତିଆଜ୍‌, ୟାକୁବ୍‌ ମୁଖ୍ୟ ସୂତ୍ରଧର
ଯୋବ୍ରା ରହେମାନ୍‌ ଛକ ଅଞ୍ଚଳର ମହମ୍ମଦ ଇସ୍ତିଆଜ୍‌ ବିରୋଧରେ ୨୦୦୭ରେ କ୍ୟାଣ୍ଟନମେଣ୍ଟ୍‌ ଥାନା ଅଞ୍ଚଳରେ ଏକ ବନ୍ଧୁକ କାରବାର ମାମଲା ରହିଛି। ଗିରଫ ହୋଇ ଜେଲ୍‌ ଯାଇଥିଲା। ଜେଲ୍‌ରୁ ଫେରିବା ପରେ ହାଇଦର‌୍‌ ପାଇଁ ପିଲା ଯୋଗାଡ଼ କରୁଥିଲା। ହାଇଦର ବଡ଼ ଡାକ୍ତରଖାନା ଆସିବା ପରଠାରୁ ତାକୁ ନିୟମିତ ଭେଟୁଥିଲା ଇସ୍ତିଆଜ୍‌। ୟାକୁବ୍‌କୁ ବି ହାଇଦର‌୍‌ ଗ୍ୟାଙ୍ଗ୍‌ରେ ମିଶାଇବା ପାଇଁ ବଡ଼ ଡାକ୍ତରଖାନା ନେଇଥିଲା। ରହେମାନ୍‌ ଛକରେ ଇସ୍ତିଆଜ୍‌ ଗାଡ଼ି ରିକଭରି ଏଜେନ୍ସିରେ କାମ କରୁଥିବା ବେଳେ ୟାକୁବ୍‌କୁ ସେଠି ଚାକିରି ଦେଇଥିଲା। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ତାଇର ଚିକୁ ଓରଫ ଇବ୍ରାହିମ୍‌ ଖାଁ ପୂର୍ବରୁ ହାଇଦର‌୍‌ ଗ୍ୟାଙ୍ଗ୍‌ ପାଇଁ କାମ କରିଆସୁଥିଲା। ଇସ୍ତିଆଜ୍‌ ସହିତ ବି ଇବ୍ରାହିମ୍‌ର ସମ୍ପର୍କ ରହିଛି। ଚିକୁ ବି ବଡ଼ ଡାକ୍ତରଖାନାରେ ହାଇଦର‌୍‌କୁ ଭେଟିବାକୁ ଆସିଛି। ଉଭୟ ବଡ଼ ଡାକ୍ତରଖାନାରେ ହାଇଦର‌୍‌କୁ ଭେଟିବାକୁ ଆସିଥିଲେ। ଫେରାର ଷଡ଼ଯନ୍ତ୍ର ପଛରେ ଉଭୟଙ୍କ ହାତ ଥିବା ଅଭିଯୋଗରେ ପୁଲିସ ସେମାନଙ୍କୁ ଗିରଫ କରିଛି।

ଫସିଗଲେ ପୁଅର ଦୁଇ ପ୍ରେମିକା
ଆଜାରୁଦ୍ଦିନ୍‌ର ଦୁଇ ପ୍ରେମିକା ହାଇଦର‌୍‌ ଫେରାର ମାମଲାରେ ଫସିଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ଏହି ଦୁଇ ଜଣ ଯୁବତୀଙ୍କୁ ଆଜାରୁଦ୍ଦିନ ଭଲ ପାଉଥିବା ବେଳେ ସମ୍ପୃକ୍ତ ଯୁବତୀ ଏବେ ଭୁବନେଶ୍ବରରେ ରହୁଛି। ହାଇଦର‌ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ବିଭିନ୍ନ ସମୟରେ ତାକୁ ଦେଖିବା ପାଇଁ ସମ୍ପୃକ୍ତ ଯୁବତୀ ବି ଆସୁଥିଲା। ହାଇଦର‌୍‌ ଫେରାର ପଛରେ ଯେଉଁ ଷଡ଼ଯନ୍ତ୍ର ହୋଇଥିଲା, ଏଥିରେ ଏହି ଯୁବତୀଙ୍କ ସମ୍ପୃକ୍ତି ଥିବା କୁହାଯାଉଛି। ପୁଲିସ ତାକୁ ବି ଉଠାଇ ଆଣି ଘଟଣା ସମ୍ପର୍କରେ ପଚରାଉଚରା କରୁଛି। ବଡ଼ ଡାକ୍ତରଖାନାର ସିସି କ୍ୟାମେରା ଫୁଟେଜ୍‌ରେ ଏହି ଯୁବତୀଙ୍କ ଚେହେରା ରେକର୍ଡ ହୋଇଥିବାରୁ ପୁଲିସ ତାକୁ ଅଟକ ରଖିଥିବା କୁହାଯାଉଛି।

କ୍ୟାବିନ୍‌ ନମ୍ବର ୫ରୁ ସେଲ୍‌ ନମ୍ବର ୩
ଚୌଦ୍ବାର ସର୍କଲ୍‌ ଜେଲ୍‌ର ସେଲ୍‌ ନମ୍ବର ୩ରେ ଆଜି ରାତି କାଟିବ ଗ୍ୟାଙ୍ଗଷ୍ଟର‌ ହାଇଦର‌। ତାକୁ ଆଜି ଗୋଟିଏ କମ୍ବଳ ଓ ଥାଳି ଦିଆଯାଇଛି। ସେହି ଜେଲ୍‌ରେ ତା ବଡ଼ ପୁଅ ମୁନ୍ନା ବି ରହିଛି। ବଡ଼ମେଡ଼ିକାଲ ସର୍ଜରି ବିଭାଗ ୫ ନମ୍ବର କ୍ୟାବିନ୍‌ରୁ ଫେରାର ହୋଇଯାଇଥିବା ହାଇଦର ଆଜି ଜେଲ୍‌ର ୩ ନମ୍ବର ସେଲ୍‌ରେ ରାତି କାଟିଛି।

ଗୋଟିଏ ଜେଲ୍‌ରେ ରହିବେ ବାପ-ପୁଅ
ହାଇଦର‌କୁ ଆଉ ଚିକିତ୍ସା ପାଇଁ ବଡ଼ ମେଡିକାଲ୍‌ ପଠାଯିବ ନାହିଁ। ଯଦି ସେ ଗୁରୁତର ଅଛି ବୋଲି ଡାକ୍ତର କହିବେ ତେବେ ସେ ନେଇ ବିଚାର କରାଯିବ। କିନ୍ତୁ ହାଇଦର‌୍‌ ଏବେ ସୁସ୍ଥ ଥିବା କୁହାଯାଉଛି। ହାଇଦର‌କୁ ଆଉ ସମ୍ବଲପୁର ଜେଲ୍‌କୁ ପଠାଯିବ ନାହିଁ। ହାଇଦର‌ ବିରୋଧରେ ଶେଷ ଥର ମାମଲା ଯେହେତୁ ମଙ୍ଗଳାବାଗ ଥାନାରେ ଗଲା ୧୦ ତାରିଖରେ ରୁଜୁ ହୋଇଥିଲା, ତେଣୁ ତା ରିମାଣ୍ତ୍‌ ଅବଧି ଶେଷ ହେବା ପରେ ଚୌଦ୍ବାର ସର୍କଲ ଜେଲ୍‌କୁ ପଠାଯିବ। ତେବେ ଚୌଦ୍ବାର ଜେଲ୍‌ରେ ହାଇଦର‌ର ବଡ଼ ପୁଅ ମୁନ୍ନା ବି ଅଛି। ସେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନାର ଏକ ମାମଲାରେ ଚୌଦ୍ବାର ଜେଲ୍‌ରେ ଅଛି। ହାଇଦର‌ ସହଯୋଗୀ ୟାକୁବ୍‌ ଚୌଦ୍ବାର ଜେଲ୍‌ରେ ଥିବା ବେଳେ ହାଇଦର‌୍‌କୁ ଫେରାର କରାଇବା ନେଇ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ ହୋଇଥିଲା। ଏବେ ବାପା-ପୁଅ ଗୋଟିଏ ଜେଲ୍‌ରେ ରହିଲେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା କରାଯାଉଛି।

The post କଟକରୁ ଜାହିରାବାଦ୍: ସୁଟ୍-ବୁଟ୍‌ରେ ବୁଲିବାବେଳେ ଧରା ପଡ଼ିଗଲା ହାଇଦର୍‌ first appeared on Sambad.

from ବିଶେଷ | Sambad https://ift.tt/3geebQQ

Post a Comment

0 Comments